ଦଶହରାରେ ମନମୋହିବ କାଚ ମେଢ଼

କଟକ: ପାଖେଇ ଆସୁଛି ଦଶହରା । ସୁନା ଚାନ୍ଦିରେ ଝଟକିବ ସିଲଭର ସିଟି । କିଏ କେତେ ପ୍ରକାର ମେଢ କରି ମାଆଙ୍କୁ କରିବେ ଆରାଧନା । ଚଳିତ ବର୍ଷ ଶୋଭା ପାଇବ ଏକ ଭିନ୍ନ ଧରଣର ମେଢ । ସୁନା ଚାନ୍ଦିର ଚମକ ଭିତରେ ପ୍ରଥମ କରି କଟକ ରାଉସା ପାଟଣାରେ ସମସ୍ତଙ୍କ ଆକର୍ଷଣ ସାଜିବ କାଚ ମେଢ ।କଟକରେ ଏବେ ଶାରଦୀୟ ମାହୋଲ ।

ସୁନା, ଚାନ୍ଦିରେ ଚମକିକବ ବାଣିଜ୍ୟ ନଗରୀ କଟକ । ସୁସଜ୍ଜିତ ମେଢ ସାଙ୍ଗକୁ ଆଲୋକମାଳାରେ ଝଟକିବ ମଣ୍ଡପ । ଏଥିପାଇଁ ସୁନା ଚାନ୍ଦି ସଫେଇ ଓ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର । ନୂଆ ନୂଆ ଡିଜାଇନ ସାଙ୍ଗକୁ ଆକର୍ଷଣିୟ ମେଢ କରି ଲୋକଙ୍କୁ ଆକର୍ଷିତ କରିବାକୁ ଲାଗିଛି ଏକପ୍ରକାର ପ୍ରତିଯୋଗିତା । ଚଳିତବର୍ଷ ରାଉସା ପାଟଣା ଦୁର୍ଗାକାଳୀ ପୂଜା କମିଟି ପକ୍ଷରୁ ପ୍ରଥମ କରି ନିର୍ମାଣ ହେବ କାଚ ମେଢ । ସମ୍ପୂର୍ଣ୍ଣ କାଚରେ ତିଆରି ଏହି ମେଢ ପାଇଁ 6 ରୁ 7 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଭସାଣି ଶୋଭାଯାତ୍ରାରେ ଏହି ମେଢ ବେଶ ଆକର୍ଷଣୀୟ ହେବ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ ।

ବର୍ଷକୁ ବର୍ଷ ବଢୁଛି ଚାନ୍ଦି ମେଢ ସଂଖ୍ୟା । ସୁନା ଚାନ୍ଦିର ଚମକ ଭିତରେ ରାଉସପଟଣା କାଚମେଢ଼ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଳଟିବ । 3 ମାସ ପୂର୍ବରୁ ମେଢ କାମ ଆରମ୍ଭ ହୋଇଥିବା ବେଳେ ଏଥିରେ 3 ପ୍ରକାରର 250 ପିସ କାଚ, ରଙ୍ଗୀନ କାଚ ସହ ସୋଲ, କାଠ, ରେଡିୟମ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ବ୍ୟବହାର କରାଯାଇଛି । ମେଢ଼ର ସିଂହାସନ ସହ 70 ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ବାସକାଠି କାମ ଚାଲୁଛି । ଆସନ୍ତା 10 ଦିନ ମଧ୍ୟରେ ମେଢ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି କାରିଗର ।