କଟକର ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକରେ ଲାଗିଛି ଏକପ୍ରକାର ପ୍ରତିଯୋଗିତା । କିଏ କେତେ ଶୈଳୀରେ ସଜାଇ ମାଆଙ୍କ ପୂଜା କରିବାକୁ ଚାଲିଛି ପ୍ରସ୍ତୁତି । ଚଳିତବର୍ଷ କଟକ ସହରରେ ଚାନ୍ଦିମେଢ ସଂଖ୍ଯା ୩୦ ଟପିଛି । ବିଡାନାସୀ ପୂଜା ମଣ୍ଡପରେ ଚାନ୍ଦିମେଢ ସଫା ଓ ପଲିସ୍ କାମ ଆରମ୍ଭ ହୋଇଛି । ୧୫ ଦିନ ମଧ୍ଯରେ କାରିଗରମାନେ ସଫା କାମ ସାରିବା ପରେ ୨ କ୍ବିଣ୍ଟାଲ ୬୫ କେଜି ଚାନ୍ଦିରେ ନିର୍ମାଣ ହେବ ମାଆଙ୍କ ମେଢ ।

ଆସୁଛନ୍ତି ମହାମାୟା । ସୁନା ଚାନ୍ଦିରେ ଝଟକିବେ ମାଆ । କଟକର ସବୁ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର । କଟକ ଦୁର୍ଗାପୂଜାର ପରିଚୟକୁ ଆଗକୁ ନେଇଛି ସୁନ୍ଦର ସୁନ୍ଦର ଚାନ୍ଦି ମେଢ । ଚଳତବର୍ଷ ସହରରେ ୩ଟି ନୂଆ ଚାନ୍ଦି ମେଢ ହେଉଥିବାରୁ ଏହି ସଂଖ୍ଯା ୩୦ ଟପିଛି । ଦୁର୍ଗାପୂଜାକୁ ନଜରରେ ରଖି ମଣ୍ଡପ ଗୁଡିକ ଚାନ୍ଦି ମେଢ ଓ ଆଭୁଷଣ ସଫା ତଥା ପଲିସ୍ କାମ ଆରମ୍ଭ କରି ଦେଇଛନ୍ତି । ବିଡାନାସୀ ଦୁର୍ଗାପୂଜା କମିଟି ଜଣାଶୁଣା କାରିଗରମାନଙ୍କୁ ନେଇ ଚାନ୍ଦି ସଫେଇ କରୁଛି । ଦୁଇ କ୍ବିଣ୍ଟାଲ ୬୫ କେଜି ଚାନ୍ଦିରେ ତିଆରି ମେଢର ପଲିସ୍ କାମରେ ୬ ଜଣ କାରିଗର ୧୫ ଦିନ ଧରି ଲାଗିଛନ୍ତି ।

୧୯୯୨ରୁ ବିଡାନାସୀ ପୂଜା କମିଟି ଦୁର୍ଗାପୂଜା କରି ଆସୁଥିବା ବେଳେ 2୨୦୧୯ରେ  ପ୍ରଥମ କରି ଚାନ୍ଦିମେଢ ଉଦଘାଟିତ ହୋଇଥିଲା । ଚଳିତବର୍ଷ ଏହି ଚାନ୍ଦିମେଢ ପୂର୍ଣ୍ଣାଙ୍ଗ ହୋଇ ଶୋଭା ପାଇବ । ପ୍ରତିବର୍ଷ ପୂଜା କମିଟିର କର୍ମକର୍ତ୍ତା ନୂଆ ନୂଆ କିଛି ଚାନ୍ଦି ଆଭୁଷଣ ଗଢି ମେଢର ଶୋଭାକୁ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି ।