ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି । ଗିରଫ ୩ ଜଣ ରେଳ କର୍ମଚାରୀଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ସିବିଆଇ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜେରା କରିବ ସିବିଆଇ । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ରେଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ବାକି ୪ ନିଲମ୍ବିତ ରେଳ କର୍ମଚାରୀଙ୍କୁ ସିବିଆଇ ସମନ କରିଛି । ଖୁବଶୀଘ୍ର ସେମାନଙ୍କୁ ଜେରା କରାଯିବ । ରେଳ ଦୁର୍ଘଟଣାର ତଦନ୍ତ କରୁଛନ୍ତି ସିବିଆଇ ଓ ସିଆରଏସ । ଡ୍ୟୁଟିରେ ଖିଲାପ କରିଥିବାରୁ ଗତକାଲି ୭ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ପୂର୍ବରୁ ଗିରଫ ହୋଇଥିବା ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କୁ ସସପେଣ୍ଡ କରାଯାଇଛି । ଏହାସହ ଷ୍ଟେସନ ମାଷ୍ଟର, ଟ୍ରାଫିକ୍ ଇନ୍ସପେକ୍ଟର, ମେଣ୍ଟେନରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।
ଭୁବନେଶ୍ବରରୁ ୧୬ ବର୍ଷର ବାଳକକୁ ଅପହରଣ ଅଭିଯୋଗ, ମୁଣ୍ଡଜାମିନ ରଖି ଅପହର୍ତ୍ତା ମାଗୁଛନ୍ତି ୩ ଲକ୍ଷ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ବରର ୧୬ ବର୍ଷର ପିଲାର ମୁଣ୍ଡ ଜାମିନ ରଖି ଅପହରଣକାରୀ ମାଗୁଛନ୍ତି ୩ ଲକ୍ଷ ଟଙ୍କା । ଥାନା ଆଗରେ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ବାପା ମା’ । ହ୍ୱାଟ୍ସଆପରେ ଆସୁଛି ମାରିଦେବାକୁ ଧମକ । ଏକ ଓଡ଼ିଶା ବାହାର ନମ୍ବରରୁ ଏହି ମେସେଜ ଆସିଛି । ପିଲାର ଫଟୋ ମଧ୍ୟ ପଠେଇଛନ୍ତି ଅପହରଣକାରୀ । ସପ୍ତାହେ ମଧ୍ୟରେ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ରାଜଧାନୀର ମୈତ୍ରୀବିହାର ଥାନା ସମ୍ମୁଖରେ ଦମ୍ପତି ଧାରଣାରେ ବସିଛନ୍ତି । ଗତ ଗୁରୁବାର କେଉଁ ଆଡ଼େ ଚାଲିଯାଇଥିଲେ ଯୋଗେଶ ବାଲାଜି ଲିଂଗଡେ । ୭ ଦିନ ତଳେ ମୈତ୍ରୀବିହାର ଥାନାରେ ଅପହରଣ ନେଇ ଅଭିଯୋଗ କରିଥିଲେ ପରିବାର ।
ଭୁବନେଶ୍ବର ଓ ଖୋର୍ଦ୍ଧା ବିଜେଡି ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ
ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜେଡିର ଭୁବନେଶ୍ୱର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ଏଥିରେ ଉଭୟ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଛନ୍ତି । ଆଗାମୀ ଦିନ ପାଇଁ ସାଙ୍ଗଠନିକ, ରାଜନୈତିକ ଓ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଛି । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଓଡ଼ିଶାକୁ ଭୋକର ଭୂଗୋଳରୁ ବିକଶିତ ରାଜ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । ଜରୁରୀ ଆବଶ୍ୟକତା ବେଳେ ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇଥିଲେ ନବୀନ । ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥନୀତିରେ ଏକ ନମ୍ବର କରିଛନ୍ତି । ମାଆମାନଙ୍କ ଯୋଗୁ ଓଡ଼ିଶା ଆଗେକୁ ଯାଇଛି । ବିଜେଡିକୁ ସଶକ୍ତ କରିଛି ମାଆମାନଙ୍କ ଆଶୀର୍ବାଦ । ଏସବୁ ବିଷୟରେ ଆଲୋଚନା ସହିତ ଆଗାମୀ ଦିନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଉଛି ।
କାଜୁ ତୋଟାରୁ ମାର୍ବଲ ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ଦିଗପହଣ୍ଡି: କାଜୁ ତୋଟାରୁ ମାର୍ବଲ ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଦିଗପହଣ୍ଡି ଥାନା ମୌଳାଭଞ୍ଜା ନିକଟରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତବ୍ୟକ୍ତି ହେଉଛନ୍ତି ସାନଖେମୁଣ୍ଡି ବ୍ଲକ ଛଣମେରି ଗାଁର ୨୫ ବର୍ଷୀୟ ମାର୍ବଲ ମିସ୍ତ୍ରୀ ଲଳିତ ମୋହନ ରାଉଳ । ମୃତଦେହଟି ମୌଳାଭଞ୍ଜା ଶଙ୍ଖଠାରୁ ପ୍ରାୟ ୫୦୦ ମିଟର ଦୂର କାଜୁ ତୋଟାରେ ପଡ଼ିଥିବା ବେଳେ ନାକ ଏବଂ ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଲିଛି । ମୃତଦେହ ନିକଟରୁ ଏକ ହୋଣ୍ଡା ସାଇନ୍ ବାଇକ ମିଳିଥିବା ବେଳେ ବାଇକଟି ମୃତ ଯୁବକଙ୍କର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରୁ ମୃତ ଯୁବକଙ୍କ ମୋବାଇଲ ସୁଇଚ ଅଫ୍ ରହିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଗୌରୀ ମିଶ୍ର ହତ୍ୟା ମାମଲା, ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ଗୁଣୁପୁର ପୋଲିସ୍
ଗୁଣୁପୁର: ବହୁଚର୍ଚ୍ଚିତ ଏନଜିଓ ନିର୍ଦ୍ଦେଶକ ଗୌରି ମିଶ୍ର ହତ୍ୟାକାଣ୍ଡ ମାମଲା । ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ଗୁଣୁପୁର ପୋଲିସ୍ । ଗିରଫ ଅଭିଯୁକ୍ତ ହେଲେ ମୁନା ଲିମା। ଅଭିଯୁକ୍ତର ଘର ଗୁଣପୁର ଆମ୍ବେଦନଗର ବୋଲି ଜଣାପଡ଼ିଛି । ମୁନା ଲିମା ଫେରାର୍ ଥିବାବେଳେ ଗୁଣୁପୁର ପୋଲିସ୍ ମୁନାକୁ ଆର୍.ଉଦୟଗିରିଠାରୁ ଉଠାଇ ଆଣିଥିଲା । ଗୌରୀ ମିଶ୍ର ଓ ସୁପାରି କିଲର ଭି.ରାଜେସ୍ ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ୯ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ମୁନା ସମେତ ୧୦ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଏହି ହତ୍ୟାକାଣ୍ଡ ଘଟଣାରେ ଗଞ୍ଜାମ ଅଞ୍ଚଳର କାହ୍ନୁ ପ୍ରଧାନ ନାମକ ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି । ପୋଲିସ୍ ମୁନାକୁ ଗିରଫ କରି ଗୌରି ମିଶ୍ର ହତ୍ୟାକାଣ୍ଡ ଘଟଣାର ଅନେକ ରହସ୍ୟ ହାସଲ କରିପାରିଛି ।
ସୂଚନା ଅନୁସାରେ ଗତ ମେ ୧୩ ତାରିଖରେ ଗୌରି ମିଶ୍ରକୁ ଗୁଣପୁର ବଂଶଧାରା ବ୍ରିଜ ଉପରେ ଗୁଳି କରି ହତ୍ୟା କରାଯାଇଥିଲା । ଜମି ଜମା ବିବାଦକୁ ନେଇ ହତ୍ୟା ହୋଇଥିବା ବେଳେ ହତ୍ୟାକାଣ୍ଡ ପାଇିଁ ଭି.ରାଜେସକୁ ସୁପାରି ଦେଇଥିଲେ। ଭି. ରାଜେସ୍ ଓ ତା’ର ସହଯୋଗୀ ସୁପାରକିଲର ନେଇ ହତ୍ୟା କରିବା ପରେ ବକେୟା ଟଙ୍କା ସୁପାରି କିଲର ମାଗିବା ପରେ ଭି ରାଜେଶକୁ ପ୍ରମାଣ ନଷ୍ଟ ପାଇିଁ ସୁପାରି ଦେଇଥିବା ଯୁବକ ଆର୍ କ୍ରିଷ୍ଣା ଓ କିଛି ସହଯୋଗି ମିଶି ବିଶାଖପାଟଣାରେ ହତ୍ୟା କରି ପୋତି ଦେଇଥିଲେ ।
ତିରୁପତି ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ବୈଜ୍ଞାନିକ, ଚନ୍ଦ୍ରୟାନର ସଫଳତା ନେଇ କଲେ ପ୍ରାର୍ଥନା
ତିରୁପତି: ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ତାପୂର୍ବରୁ ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟଚଲାପାଥି ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋର ବୈଜ୍ଞାନିକ । ଚନ୍ଦ୍ରୟାନ-୩ ମିଶନର ସଫଳତା ନେଇ କାମ କରିଛନ୍ତି । ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ ଆରମ୍ଭ ହେବ । ଆସନ୍ତାକାଲି ଦିନ ୨ଟା ୩୫ ଉତକ୍ଷେପଣ ହେବ ଚନ୍ଦ୍ରୟାନ-୩ । ସେପଟେ ଇସ୍ରୋର ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଏଥରକ ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ ଫୋକସ କରାଯାଇଥିବାବେଳେ ଏନେଇ ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ ଏବଂ ଏକ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଇଛି । ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତା’ର କକ୍ଷ ପଥରେ ଅବସ୍ଥାପିତ ହେବ । ତେବେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞାନ ଅଗଷ୍ଟ ୨୩ରେ ଚନ୍ଦ୍ରରେ ଚନ୍ଦ୍ରୟାନ-୩କୁ ଲ୍ୟାଣ୍ଡ କରିବେ ବୋଲି ଅନୁମାନ କରାଯାଉଛି ।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ଇତିମଧ୍ୟରେ ରିହର୍ସାଲ ଶେଷ ହୋଇଛି । LVM-3 ରକେଟ ଯୋଗେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର ମଡ୍ୟୁଲ ଯାହାର ନାମ ବିକ୍ରମ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ଯାହାର ନାମ ପ୍ରଜ୍ଞାନ ପ୍ରସ୍ତୁତ ହୋଇଛି । ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ସହ ରୋଭିଂକୁ ଅଧିକ ସୁଗମ କରିବା ଚନ୍ଦ୍ରୟାନ-୩ର ଲକ୍ଷ୍ୟ । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ହୋଇଥିବା ଚନ୍ଦ୍ରୟାନ-୧ ମିଶନ ଦ୍ବାରା ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ମାତ୍ର ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । କିନ୍ତୁ ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ସୁରକ୍ଷିତ ଲ୍ୟାଣ୍ଡିଂ କଲେ ଏଭଳି କରିବାରେ ଆମେରିକା, ରୁଷ, ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ ।
ମେଟ୍ରୋ ଟ୍ରେନ୍ ପାଇଁ ବାରଙ୍ଗରେ ତିଆରି ହେବ ଷ୍ଟକୟାର୍ଡ ଓ ରିପ୍ୟାରିଂ ୟାର୍ଡ
କଟକ: ମେଟ୍ରୋ ଟ୍ରେନ୍ ପାଇଁ ବାରଙ୍ଗରେ ତିଆରି ହେବ ଷ୍ଟକୟାର୍ଡ ଓ ରିପ୍ୟାରିଂ ୟାର୍ଡ । ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ଯାତାୟତ କରିବ ଏହି ମେଟ୍ରୋ ଟ୍ରେନ୍ । ତେବେ ସେହି ସମୟରେ ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ହୁଏ କିମ୍ବା କୌଣସି ଅସୁବିଧା ତା’ର ତୁରନ୍ତ ସମାଧାନ ପାଇଁ ଏହି ୱାର୍କସପ୍ କରାଯିବ । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଙ୍ଗ ଅଞ୍ଚଳରୁ ୫୦ ଏକର ଜମିର ସ୍ଥାନ ନିରୂପଣ କରାଯାଇଛି । ଖୁବଶୀଘ୍ର ଏହି ସ୍ଥାନ ନିରୂପଣ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି ।
ବିବାଦରେ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି-୨, ରିଲିଜ ଉପରେ ସେନ୍ସର ବୋର୍ଡ ଲଗାଇଲେ ରୋକ୍
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଅକ୍ଷୟ କୁମାର । ତାଙ୍କର ଆଗାମୀ ଫିଲ୍ମ ଓଃ ମାଇ ଗଡ୍ ଫିଲ୍ମର ରିଲିଜ ଉପରେ ରୋକ ଲଗାଇଛନ୍ତି ସେନସର ବୋର୍ଡ । ଫିଲ୍ମକୁ ଆଉଥରେ ରିଭିଜନ୍ କମିଟି ନିକଟରେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଅଗଷ୍ଟରେ ୧୧ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ତାପୂର୍ବରୁ ଫିଲ୍ମକୁ ସେନସର ବୋର୍ଡ ବଡ଼ ଝଟକା ଦେଇଛି । ଫିଲ୍ମରେ ଡାଏଲଗକୁ ନେଇ ଆପତ୍ତି ଜଣାଇଛନ୍ତି ସେନସର ବୋର୍ଡ । ଓଏମଜି-୨ରେ ଅକ୍ଷୟ ଓ ପଙ୍କଜଙ୍କ ସହ ଅଭିନେତ୍ରୀ ୟାମି ଗୌତମ ବି ଅଭିନୟ କରିଛନ୍ତି । ଏଥର କାହାଣୀରେ ଈଶ୍ବରଙ୍କ ଅସ୍ତିତ୍ବ ନୁହେଁ, ଈଶ୍ବରଙ୍କ ଉପରେ ଥିବା ଭକ୍ତର ବିଶ୍ବାସକୁ ଗୁରୁତ୍ବ ଦିଅଯାଇଛି । ଟିଜରରେ ପଙ୍କଜ ତ୍ରିପାଠୀଙ୍କୁ ଶିବଙ୍କ ବଡ଼ ଭକ୍ତ ଭାବେ ଦେଖିବାକୁ ମିଳିଛି । ତାଙ୍କ ଆସ୍ଥାକୁ ଦେଖି ଅକ୍ଷୟ ଭଗବାନ ଶିବଙ୍କ ରୂପରେ ତାଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି ।
ମଳ ପରିଚାଳନାକୁ ବିଏମସିର ଗୁରୁତ୍ବ, ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ମଳ ପରିଚାଳନାକୁ ବିଏମସିର ଗୁରୁତ୍ବ । ସରକାରଙ୍କ ଗରିମା ଯୋଜନା ଅଧିନରେ ସେସପୁଲ୍ ଗାଡିର ସମସ୍ତ ନିୟମ ବିଧିବଦ୍ଧ ଭାବେ ରହିଥିବା ବେଳେ ଏହାର ଖିଲାପ ବେଳେବେଳେ ଦେଖିବାକୁ ମିଳୁଛି । ଦଣ୍ଡ ବିଧାନ ମଧ୍ୟ କରାଯାଉଛି । ଏନେଇ ବିଏମସିର ଏକ ବୈଠକରେ ଆଲୋଚନା ହୋଇଛି। ତେବେ ଏଥିପାଇଁ ସଂପୃକ୍ତ ବିଭାଗର ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଏହି ସେବାକୁ ଆହୁରି ଗୁଣାତ୍ମକ କରିପାରିବ । ମଳ ପରିଚାଳନା ନିୟମ ଅନୁଯାୟୀ ଯେତେବଡ଼ ମଳଟାଙ୍କି ହେଉନା କାହିଁକି, ଅଢ଼େଇବର୍ଷରୁ ତିନିବର୍ଷ ମଧ୍ୟରେ ଏହାକୁ ଖାଲି କରାଯିବା ଆବଶ୍ୟକ । ଏଥିପାଇଁ ପୌରସଂସ୍ଥା କିମ୍ବା ପଞ୍ଜିକୃତ ଘରୋଇସେବା ପ୍ରଦାନକାରୀଙ୍କ ସହଯୋଗରେ କରିବାକୁ ହେବ । ଏହି କାର୍ଯ୍ୟର ବିଜ୍ଞାନ ସମ୍ମତ ପରିଚାଳନାରେ କୌଣସି ପ୍ରକାରର ସାଲିସ୍ କରାଯିବନାହିଁ । ଟାଙ୍କିରୁ ନିୟମିତ ମଳ ଖାଲି କରାଯିବା, ଏହାକୁ ସେସ୍ପୁଲରେ ନେବା, ନେବା ବେଳେ ଆବଶ୍ୟକୀୟ ଯତ୍ନନେବା, ମଳ ଉପଚାର କେନ୍ଦ୍ରରେ ଏହି ସଂଗୃହିତ ମଳକୁ ପକାଇବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ।
ସମସ୍ତ ଗାଡିରେ ଜିପିଏସ୍ ମଧ୍ୟ ରହିବ । ଯେଉଁ ଗାଡ଼ି ପଞ୍ଜୀକୃତ ହୋଇନାହାନ୍ତି ଶୀଘ୍ର ସେମାନେ ଆରଟିଓଙ୍କ ସହିତ ଯୋଗାଯୋଗ କରି ଗାଡି ଗୁଡିକର ଫିଟନେସ୍ କରି ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ । ବର୍ତ୍ତମାନ ସୁଦ୍ଧା ବିଏମସି ଅଧିନରେ ୨୬ ଗୋଟି ସେସପୁଲ୍ଗାଡି ପଞ୍ଜିକୃତ ହୋଇଥିବା ବେଳେ ବିଏମ୍ସିର ୯ଟି ଗାଡ଼ି ରହିଛି ।

