ସମ୍ବାଦର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସଙ୍କ ଭାଇଙ୍କ ଜବରଦଖଲ ଜମି ଉଚ୍ଛେଦ କରୁଛି ପ୍ରଶାସନ

ବଲାଙ୍ଗୀର: ବଲାଙ୍ଗୀରରେ ସମ୍ବାଦ ବାର୍ତ୍ତା ସମ୍ପାଦକଙ୍କ ଭାଇ ସରକାରୀ ଜମି ଜବରଦଖଲ କରିଥିବା ପ୍ରସଙ୍ଗ । ଜବରଦଖଲ ଜମିରେ ହୋଇଥିବା ଘରକୁ ଭାଙ୍ଗିଲା ପ୍ରଶାସନ । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସାମନା ସରକାରୀ ଜମିକୁ ସମ୍ବାଦ ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସଙ୍କ ଭାଇ ଜବରଦଖଲ କରିଥିଲେ । ନିଜ କ୍ଷମତା ବଳରେ ବର୍ଷ ବର୍ଷ ଧରି ସରକାରୀ ଜମି ଜବରଦଖଲ କରି ଷ୍ଟଲ, କୋଚିଂ ସେଣ୍ଟର ସହ ଦୁଇ ମହଲା କୋଠା ନିର୍ମାଣ କରି ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇଥିଲା । ସମ୍ୱାଦ ବର୍ତ୍ତା ସଂପାଦକ ଅରବିନ୍ଦ ଦାସଙ୍କ ଭାଇ ପ୍ରତ୍ୟୁଷ ଦାସ ଅଧା ଏକରରୁ ଅଧିକ ଜମି ଜବରଦଖଲ କରିଥିଲେ । ଏହା ଉପରେ ୧୨ଟି ଦୋକାନ ଘର ଓ ୨ମହଲା କୋଠା ରହିଥିଲା । ଏନେଇ ଅଭିଯୋଗ ଆସିବା ପରେ ଗତ ୨୨ ତାରିଖରେ ତହସିଲଦାରଙ୍କ ନେତୃତ୍ବରେ ୮ଜଣିଆ ଟିମ୍ ମାପଚୁପ କରିଥିଲେ । ଦୁଇ ଦିନ ଧରି ଚାଲିଥିଲା ମାପଚୁପ ଓ କାଗଜପତ୍ର ଯାଞ୍ଚ । ଏଥିରେ ଜବରଦଖଲ ସ୍ପଷ୍ଟ ହୋଇଥିଲା । ଏହାପରେ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି ।