ମନରେଗାରେ ମହାଦୁର୍ନୀତି ଅଭିଯୋଗ

ଉମକୋଟ: ରାସ୍ତା ଗାଏବ୍‌ । ଅନେକ ଜିନିଷ ଚୋରି ବା ଗାଏବ ହେବାର ଆପଣ ଶୁଣିଥିବେ । କିନ୍ତୁ ରାସ୍ତା ଗାଏବ ହୋଇଯାଇଥିବା କଥା ଶୁଣି ନଥିବେ । ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରୁ ଆସିଛି । ଏଠାରେ କାଗଜ କଲମରେ ଏକ ରାସ୍ତା ତିଆରି ହୋଇଛି, କିନ୍ତୁ ସେହି ରାସ୍ତା ଏବେ କେଉଁଠି, ଲୋକ ଖୋଜୁଛନ୍ତି । ୧୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ବ୍ଲକ୍ ଅଫିସ ଘେରାଉ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳ ଲୋକ ।

ମନରେଗାରେ ମହାଦୁର୍ନୀତି ଅଭିଯୋଗ । ରାସ୍ତା ନିର୍ମାଣ ନ ହୋଇ ବିଲ୍ ପାସ୍ । ରାସ୍ତା ବଦଳରେ ପୋଖରୀ ବନ୍ଧ କାମ କରି ୧୦ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ଲକ୍ ଅଫିସ ଘେରାଉ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁର ଲୋକ । ଶ୍ରମିକ ଭାବେ ସାଧାରଣ ବର୍ଗ ଓ ସରକାରୀ ଚାକିରି କରିଥିବା ଲୋକଙ୍କ ନାଁରେ ଟଙ୍କା ଉଠିଥିବା ଅଭିଯୋଗ ହୋଇଛି । ପୂର୍ଣିବନ୍ଧଠାରୁ ଯେଉଁ ଗାଁକୁ ରାସ୍ତା ଯାଇଛି ସେହି ଗାଁର ପ୍ରକୃତ ନାଁ ଉଦୁଲିବେଡ଼ା। କାର୍ଯ୍ୟାଦେଶରେ ଗାଁର ନାଁକୁ ଉଦୁଲିବେଡ଼ା ବଦଳରେ ଉଦୁଲିପଡ଼ା ବୋଲି ଦର୍ଶାଯାଇଛି । କିନ୍ତୁ ରାସ୍ତା ତିଆରି ହୋଇନାହିଁ । କେମିତି ବିଲ୍ ପାସ୍ ହେଲା ବୋଲି ଝରିଗାଁ ବାସିନ୍ଦା ପ୍ରଶ୍ନ କରିଛନ୍ତି ।

ଏହି ରାସ୍ତାକୁ ପରବର୍ତ୍ତୀ ସମୟରେ ବଦଳାଇ ପୂର୍ଣିବନ୍ଧର ଚାରିକଡ଼ରେ କଂକ୍ରିଟ ରାସ୍ତା ତିଆରି କରାଯାଇଛି ବୋଲି କହିଛନ୍ତି ସରପଞ୍ଚ ଏବଂ ଝରିଗାଁ ବିଡିଓ । ଏଥିପାଇଁ ଝରିଗାଁ ବାସିନ୍ଦାଙ୍କ ସହମତି ନିଆ ଯାଇଥିବା ବିଡିଓ କହିଛନ୍ତି । ତେବେ ଅଭିଯୋଗ ଆସିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି ବିଡିଓ ।