ଆସିବ କି ବାତ୍ୟା? କେଉଁଠି ପଡ଼ିବ ପ୍ରଭାବ

1 min read

ଭୁବନେଶ୍ବର: ସୋମବାରଠାରୁ ଆରମ୍ଭ ହୋଇଛି ମୌସୁମୀ ଅପସାରଣ ପ୍ରକ୍ରିୟା । ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ସ୍ବାଭାବିକ ତାରିଖ ୧୭ ସେପ୍ଟେମ୍ବର ତୁଳନାରେ ସୋମବାରଠାରୁ ମୌସୁମୀ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ବାୟୁମଣ୍ଡଳରେ ୧.୫ କିଲୋମିଟର  ଉଚ୍ଚତାରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।  ଗତ ପାଞ୍ଚ ଦିନ ହେଲା ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗ ଶୁଖିଲା ରହିଛି  ।

ପର୍ଯ୍ୟାୟକ୍ରମେ ଅନ୍ୟ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ପରେ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଛି ଘୁର୍ଣ୍ଣିବଳୟ । ପରବର୍ତ୍ତି ୨୪ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଏବଂ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ବାତ୍ୟା ସମ୍ଭାବନାକୁ ଦୃଢୀଭୂତ କରିଛି । ଆଇଏମଡି ବାତ୍ୟା ନେଇ କୌଣସି ସଙ୍କେତ ଦେଇନଥିବା ବେଳେ ଉଇଣ୍ଡର ECMWF ମଡେଲ ବାତ୍ୟା ନେଇ ଆକଳନ କରିଛି ।

ସେହିଭଳି GFS ମଡେଲର  ଆକଳନ କହୁଛି ୨୯ ତାରିଖରେ ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ମିଆଁମାର ମୁହାଁ ହୋଇପାରେ । ବର୍ତ୍ତମାନର ବାୟୁମଣ୍ଡଳିୟ ସ୍ଥିତି ଏବଂ ସମ୍ଭାବ୍ୟ ଲଘୁଚାପ ଅଧିକ ଘନିଭୂ୍ତ ହେବା ପାଇଁ ପାଗ ଅନୁକୂଳ ରହିଛି  । ତେବ ଏହା ଅବପାତ କିମ୍ବା ଗଭିର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଇଛି । ଅକ୍ଟୋବାର ମାସ ଓଡ଼ିଶା ପାଇଁ ବାତ୍ୟାପ୍ରବଣ ମାସ ହୋଇଥିବା ବେଳେ ଆଇଏମଡି ଏହା ଉପରେ ସ୍ବତନ୍ତ୍ର ନଜର ରଖିଛି । ସେପଟେ ଉତ୍ତରପ୍ରଦେଶରୁ ତେଲେଙ୍ଗାନା ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ଘଡଘଡି ବଜୁଳି ସହ ବର୍ଷା ହେବ । ସୋମବାର ବଜ୍ରପାତ ନେଇ ୨୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଥିବା ବେଳେ ମଙ୍ଗଳବାର ଘଡଘଡି ସହ ପ୍ରବଳ ବର୍ଷା ନେଇ ୧୭ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।