ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ, ବିଧାନସଭାରେ ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ଦୀର୍ଘ ବର୍ଷ ହେଲା ସରୁନି କାମ । ଅନେକ ଜୀବନ ଗଲାଣି । ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏ ଦିଗରେ ପଦକ୍ଷେପ ନେଉନାହାନ୍ତି । ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ, ଏନେଇ ବାରମ୍ବାର ସ୍ବର ଉଠାଇଛି ବିଜେଡି । କିନ୍ତୁ ରାଜ୍ୟ ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ । ନିଜ ଆସନ ନିକଟରେ ଛିଡ଼ା ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ ସରକାରୀ ଦଳ ସଦସ୍ୟ ।

ସେହିପରି କୋଷ୍ଟାଲ ହାଇଓ୍ବେ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି । ଏହି ପ୍ରସଙ୍ଗରେ ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ହୋହଲ୍ଲା ହୋଇଥିଲା । ବିଜେପି ସଦସ୍ୟ ପ୍ରଥମେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ । ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ପୁଣି ଗୃହ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିବା ପରେ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେପି ଠିକ୍ କରିନି । କେନ୍ଦ୍ର ଅବହେଳାର ଉତ୍ତର ବିଜେପି ଦେବା କଥା ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଅନ୍ୟପଟେ ଦୀର୍ଘ ବର୍ଷ ଧରି ୫୫ ନମ୍ବର ଜାତୀୟ ରାଜପଥ କାମ ଚାଲିଥିବା କଥା ମାନିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ହେଲେ ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ ବିଜେପି ବିଧାୟିକା ।