spot_img
Home Blog Page 2957

ମୁଖ୍ୟ ଶାସନ ସଚିବଙ୍କ ମୌସୁମୀ ପ୍ରସ୍ତୁତି ସମୀକ୍ଷା, ଇସ୍କନ ସମ୍ମୁଖ ଜଳବନ୍ଦୀ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜଧାନୀରେ ଜଳବନ୍ଦୀ ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସମ୍ଭାବ୍ୟ ଜଳବନ୍ଦୀ ଏବଂ ଆବଶ୍ୟକୀୟ ପଙ୍କୋଦ୍ଧାର ତଥା ସଠିକ ସମୟରେ ଡ୍ରେନ୍ ପଙ୍କକୁ ସ୍ଥାନାନ୍ତର କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଗତବର୍ଷ ମହାନଗର ନିଗମ ଅଂଚଳରେ ୭୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ  ହୋଇଥିଲା । ଏ ଦିଗରେ ପଦକ୍ଷେପ ନିଆଯାଇଛି ଏବଂ ଏହି ଅସୁବିଧାକୁ କମ୍‌ କରାଯାଇପାରିଛି । ସମ୍ବେଦନଶୀଳ ଅଂଚଳ ଗୁଡିକରେ ଆବଶ୍ୟକ ମୁତାବକ ପମ୍ପସେଟ୍‌, ଜରୁରୀକାଳୀନ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ସହ ସ୍ଥାନୀୟବାସୀ କିପରି ବର୍ଷା ବିତ୍ପାତରେ ହଇରାଣ ନହେବେ ସେଥିପାଇଁ ବ୍ୟବସ୍ତା ହୋଇଛି ।

ଏହାସହ ଜାତୀୟ ରାଜପଥ ବିଭାଗ ଇସ୍କନଠାରେ ହେଉଥିବା ଜଳବନ୍ଦୀରୁ ରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ସିଏସ୍ । ଇସ୍କନ ମନ୍ଦିର ବିପରୀତ ପାଶ୍ୱର୍ରେ ଥିବା କ୍ରିଷ୍ଣା ଟାୱାରରୁ ଭୋଇସାହି ପର୍ଯ୍ୟନ୍ତ ଏକ ସମାନ୍ତରାଳ ଡ୍ରେନ୍ ନିର୍ମାଣ କରି ଜଳବନ୍ଦୀ ସ୍ଥିତି ସୁଧୁରିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ପାକିସ୍ତାନର ସୁଧୁରିବ ଆର୍ଥିକ ସ୍ଥିତି, ୩ ବିଲିୟନ ଡଲାରର ଆର୍ଥିକ ସହାୟତା ଘୋଷଣା କଲା IMF

ଇସଲାମାବାଦ: ସୁଧୁରିବ ପାକିସ୍ତାନର ଆର୍ଥିକ ସ୍ଥିତି । ଆଇଏମଏଫ ପକ୍ଷରୁ ପାକିସ୍ତାନକୁ ୩ ବିଲିୟନ ଡଲାରର ଋଣ ସହାୟତା ନେଇ ଘୋଷଣା । ଗତ ୯ ମାସ ଧରି ପାକିସ୍ତାନ ସହ ଆଲୋଚନା ପରେ ଶେଷରେ ପାକିସ୍ତାନକୁ ସହାୟତା ପାଇଁ ଆଗେଇ ଆସିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । ଏହି ଆର୍ଥିକ ସହାୟତା ପରେ ଋଣ ଭାରରେ ବୁଡ଼ି ରହିଥିବା ପାକିସ୍ତାନକୁ ବଡ଼ ଆଶ୍ବସ୍ତି ମିଳିବ । ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରିବେ । ୩ ବିଲିୟନ ଡଲାର ମଧ୍ୟରୁ ୧.୨ ବିଲିୟନ ଡଲାର ତୁରନ୍ତ ପାକିସ୍ତାନକୁ ଦିଆଯିବ । ଆଇଏମଏଫର ଆର୍ଥିକ ସହାୟତା ପରେ ପାକିସ୍ତାନର ମୁଦ୍ରା ବିନିମୟ ମୁଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଆଇଏମଏଫ ପୂର୍ବରୁ ସାଉଦି ଆରବ ମଧ୍ୟ ପାକିସ୍ତାନକୁ ଦୁଇ ବିଲିୟନ ଡଲାରର ସହାୟତା ଘୋଷଣା କରିଛି । ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ସାଉଦି ଆରବ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପାକିସ୍ତାନରେ ଭୟଙ୍କର ବନ୍ୟା ଓ ବାତ୍ୟା ହେବା ଯୋଗୁଁ ବ୍ୟାପକ ପରିମାଣରେ କ୍ଷତି ସହିଥିଲା । ଏହାପରେ ଖାଦ୍ୟ ସାମଗ୍ରୀ ଦର ସହ ଡଲାର ତୁଳନାରେ ପାକିସ୍ତାନ ମୁଦ୍ରାର ସ୍ଥିତି ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଥିଲା । ସ୍ଥିତିର ସୁଧାର ନେଇ ଆଇଏମଏଫର ସହାୟତା ଲୋଡିଥିଲା ପାକିସ୍ତାନ । ବିଭିନ୍ନ ସର୍ତ୍ତ କାରଣରୁ ଆର୍ଥିକ ସହାୟତାରେ ବିଳମ୍ଭ ହୋଇଥିଲା ।

ଆଜିଠୁ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା, ୩୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା । ଦିନ ୧୦ଟାରୁ ଗୋଟାଏ ଯାଏ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆଜି ପରୀକ୍ଷାର୍ଥୀମାନେ ଥିଓରି ପେପରରେ ପରୀକ୍ଷା ଦେବେ । ଆସନ୍ତାକାଲି ସମସ୍ତ ବିଷୟର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ଆଦି ପରୀକ୍ଷା କରାଯିବ । ଯେଉଁମାନେ ଥିଓରିରେ ପାସ୍ କରି ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟରେ ଫେଲ ହୋଇଥିବେ ତାଙ୍କୁ ଉଭୟ ଥିଓରି ଓ ପ୍ରାକ୍ଟିକାଲ ଦେବାକୁ ପଡ଼ିବ । ତେବେ ଥିଓରିରେ ଫେଲ ହୋଇ ପ୍ରାକ୍ଟିକାଲରେ ପାସ୍ କରିଥିଲେ କେବଳ ଥିଓରୀ ଦେବାକୁ ପଡ଼ିବ । ରାଜ୍ୟରେ ୩୨ଟି କେନ୍ଦ୍ରରେ ପରୀକ୍ଷା ହେଉଥିବାବେଳେ ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ପରୀକ୍ଷା କେନ୍ଦ୍ର ଷ୍ଟ୍ରଙ୍ଗ ରୁମରେ ରହିଛି ପ୍ରଶ୍ନପତ୍ର ।

ଏଇ ସପ୍ତାହରେ ରାଜ୍ୟରେ ନାହିଁ ବଡ଼ ବର୍ଷା, ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ମୌସୁମୀରେ ବର୍ଷାର ଉତ୍କଟ ସ୍ଥିତି । ଏଇ ସପ୍ତାହରେ ରାଜ୍ୟରେ ନାହିଁ ବଡ଼ ବର୍ଷା ।  ମୌସୁମୀ ଋତୁକୁ ମାସେ ୧୨ ଦିନ ପୁରିଥିଲେ ବି ବର୍ଷା ଦେଖାନାହିଁ । ରାଜ୍ୟରେ ଏବେ ଗଜା ମରୁଡି ପରିସ୍ଥିତି ଦେଖାଦେଇଛି । ଓଡ଼ିଶା ଉପକୂଳକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ବର୍ଷା କରାଇବାରେ ସକ୍ଷମ ହେଉନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ନ ଥିବାରୁ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ସେପଟେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ଆନ୍ଧ୍ର ଉପକୂଳରେ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦିଲ୍ଲୀରେ ସଂଗୀନ ହେଉଛି ବନ୍ୟା ସ୍ଥିତି, ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଯମୁନା ନଦୀର ଜଳସ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଯମୁନା ନଦୀ ଜଳସ୍ତର ବଢୁଛି । ବୁଧବାର ୪୫ ବର୍ଷର ରେକର୍ଡ ଭାଙ୍ଗି ଯମୁନା ନଦୀର ଜଳସ୍ତର ରେକର୍ଡ ସ୍ତରକୁ ବୃଦ୍ଧି ପାଉଛି । ଏପରି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରିଛନ୍ତି । ଆମକୁ ପ୍ରଥମେ ଜୀବନ, ସମ୍ପତ୍ତିର ସୁରକ୍ଷା କରିବାକୁ ପଡ଼ିବ। ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି କେଜ୍ରିୱାଲ କହଛନ୍ତି । ପରିସ୍ଥିତି ପ୍ରତି ସଜାଗ ରହିବାକୁ ଦିଲ୍ଲୀ ସରକାର ଏନଡିଆରଏଫକୁ ସତର୍କ କରାଇଛନ୍ତି । ଯମୁନାରେ ଜଳସ୍ତର ଲଗାତର ବୃଦ୍ଧି ପାଉଥିବାରୁ ଆବଶ୍ୟକ ପଡ଼ିଲେ ସ୍କୁଲଗୁଡ଼ିକୁ ରିଲିଫ୍ କ୍ୟାମ୍ପରେ ପରିଣତ କରିବାକୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ୨୦୭.୭୧ ମିଟରକୁ ବୃଦ୍ଧି ପାଇଛି, ଯାହା କି ୧୯୭୮ର ୨୦୭.୪୯ ମିଟରର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି ।

ଯମୁନାରେ ଜଳସ୍ତର ବୃଦ୍ଧି ପରେ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ବସିଥିଲା । ଏହି ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସହରର ସମ୍ବେଦନଶୀଳ ଅଞ୍ଚଳରେ ସମାବେଶ ଉପରେ କଟକଣା ଲଗାଇଛି । ନଦୀ ନିକଟରେ ଥିବା ଘର ଓ ବଜାର ଉପରେ ପାଣି ପଶିଯିବାରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ମଧ୍ୟ ଦିଲ୍ଲୀର ଉପରାଜ୍ୟପାଳ ଓ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ।

ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩, ଫୋକସରେ ସଫଳ ଲ୍ୟାଣ୍ଡିଂ

ଶ୍ରୀହରିକୋଟା: ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଏଥିପାଇଁ ଇସ୍ରୋ ପ୍ରସ୍ତୁତି ପର୍ବକୁ ଫାଇନାଲ ଟଚ୍ ଦେବାରେ ଲାଗି ପଡ଼ିଛି । ଏଥରକ ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ ଫୋକସ କରାଯାଇଥିବାବେଳେ ଏନେଇ ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ ଏବଂ ଏକ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଇଛି । ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତା’ର କକ୍ଷ ପଥରେ ଅବସ୍ଥାପିତ ହେବ । ତେବେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞା ଅଗଷ୍ଟ ୨୩ରେ ଚନ୍ଦ୍ରରେ ଚନ୍ଦ୍ରୟାନ-୩କୁ ଲ୍ୟାଣ୍ଡ କରିବେ ବୋଲି ଅନୁମାନ କରାଯାଉଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ଇତିମଧ୍ୟରେ ରିହର୍ସାଲ ଶେଷ ହୋଇଛି । LVM-3 ରକେଟ ଯୋଗେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର ମଡ୍ୟୁଲ ଯାହାର ନାମ ବିକ୍ରମ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ଯାହାର ନାମ ପ୍ରଜ୍ଞାନ ପ୍ରସ୍ତୁତ ହୋଇଛି ।

ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ସହ ରୋଭିଂକୁ ଅଧିକ ସୁଗମ କରିବା ଚନ୍ଦ୍ରୟାନ-୩ର ଲକ୍ଷ୍ୟ । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ହୋଇଥିବା ଚନ୍ଦ୍ରୟାନ-୧ ମିଶନ ଦ୍ବାରା ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ମାତ୍ର ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । କିନ୍ତୁ ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ସୁରକ୍ଷିତ ଲ୍ୟାଣ୍ଡିଂ କଲେ ଏଭଳି କରିବାରେ ଆମେରିକା, ରୁଷ, ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ ।

ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼

କୋଣାର୍କ: କାକଟପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଚିକିତ୍ସାରେ ଅବହେଳା ଅଭିଯୋଗରେ ଜଣେ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ନୀଳକଣ୍ଠପୁରର ମନୋରଞ୍ଜନ ରାଉତଙ୍କୁ ଡାକ୍ତରଖାନା ଆଣିଥିଲେ ଭାଇ ମଣ୍ଟୁ ରାଉତ । ଚିକିତ୍ସାରେ ବିଳମ୍ବ ହେଉଥିବା ଅଭିଯୋଗ କରି ଫାର୍ମାସିଷ୍ଟଙ୍କୁ ପ୍ରଥମେ ଗାଳିଗୁଲଜ କରିଥିଲେ ମଣ୍ଟୁ । ଚେୟାର, ଓପିଡି ଟେବୁଲ ଭାଙ୍ଗିବା ସହିତ ଫାର୍ମାସିଷ୍ଟକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ସେ ଫେରାର ହୋଇଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି

ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଅନୁଗୁଳବାସୀ ଏବଂ ବିଧାୟକଙ୍କ ଧନ୍ୟବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାର ହେବ ବିକାଶ । ଶହେ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଲେ ବିଧାୟକ ଏବଂ ଅଞ୍ଚଳବାସୀ ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ପାଳଲହଡା ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିଲେ । ପବିତ୍ରନଗର ଓ ପାଳଲହଡାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ସହ ମିଶିଥିଲେ ଏବଂ ଅଭିଯୋଗ ଶୁଣି ସମସ୍ତ ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇଥିଲେ । 5T ସଚିବ ପାଲଲହଡା ଛାଡିବାର ୧୦ ଘଣ୍ଟା ମଧ୍ୟରେ ଅଞ୍ଚଳବାସୀଙ୍କ ଦ୍ୱାରା ଦାବି କରାଯାଇଥିବା ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶହେ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ । ଯାହାକୁ ନେଇ ପାଳଲହଡା ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବଙ୍କୁ ଧନ୍ୟବାଦ ଦିଆଯାଇଛି ।

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ନଦେଇ ଚୁପ କାହିଁକି ?

ଭୁବନେଶ୍ବର: ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ରାଜ୍ୟ ସରକାରଙ୍କ ଘୋଷଣା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ପ୍ରଶ୍ନ କଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ପ୍ରଣବ ପଚାରିଛନ୍ତି, ‘ମୁଁ ଆଶା କରିଥିଲି କି ଆପଣ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ଦେବେ । ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ଆପଣ ସବୁବେଳେ ମାଟିର ପୁଅ ବୋଲି କହି ତାଙ୍କର ଗୁଣଗାନ କରନ୍ତି । ତାଙ୍କୁ ନେଇ ଗର୍ବ ଅନୁଭବ କରନ୍ତି । ହେଲେ ରାଜ୍ୟ ସରକାର ତାଙ୍କ ସମ୍ମାନାର୍ଥେ ଏତେ ବଡ଼ ଘୋଷଣା କଲା ପରେ ବି ଆପଣ ଚୁପ୍ ରହିଲେ କେମିତି ? ଆପଣ କ’ଣ ମାଟିର ପୁଅକୁ ଭୁଲିଗଲେ ?

କୋରାପୁଟ ଜିଲ୍ଲା ରାଇପାହାଡ ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ରର ଚକ୍ରାନ୍ତ

ଜୟପୁର: ପଦାରେ ପଡ଼ିଲା ଆନ୍ଧ୍ର ସରକାରଙ୍କ ବଡ଼ ଷଡଯନ୍ତ୍ର । ନଥିପତ୍ର ନଧରି ସୀମା ଚିହ୍ନଟ ପାଇଁ ଆସି ନିରାଶ ହୋଇ ଫେରିଲା ଆନ୍ଧ୍ର ପ୍ରଶାସନ ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଗଲୁର ପଞ୍ଚାୟତର ରାଇପାହାଡ ଗାଁକୁ ଅକ୍ତିଆର ପାଇଁ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର । ଗ୍ରାମବାସୀଙ୍କୁ ନିଜ ଅଧୀନକୁ ଆଣିବା ପାଇଁ ବେଆଇନ ଭାବେ ଆଧାର, ରାସନ୍ କାର୍ଡ, ପାଣି, ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲା । ଏହା ଜାଣିବା ପରେ ସୀମାର ସୁରକ୍ଷା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଉଠିଥିଲା । କୋରାପୁଟ ଉପଜିଲ୍ଲାପାଳ, ନନ୍ଦପୁର ବ୍ଲକ ଓ ତହସିଲ ପ୍ରଶାସନ  ରାଇପାହାଡ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଓଡ଼ିଶା ସୀମା ଭିତରେ ପଶି ବେଆଇନ କାର୍ଯ୍ୟ କରିଥିବାରୁ ଆନ୍ଧ୍ରର ଆଲୁର ସୀତାରାମ ରାଜୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ ଜିଲ୍ଲାପାଳ ।

ସୀମା ଚିହ୍ନଟ ପାଇଁ ଆଜି ଉଭୟ ରାଜ୍ୟର ଅଧିକାରୀମାନେ ଏକାଠି ହୋଇଥିଲେ । ହେଲେ ଆନ୍ଧ୍ର ଅଧିକାରୀମାନେ କୌଣସି ଡକ୍ୟୁମେଣ୍ଟ ଆଣି ନଥିବା ଯୋଗୁଁ ଆଜି କୌଣସି ନିଷ୍କର୍ସ ବାହାରି ପାରି ନଥିଲା । ପରବର୍ତ୍ତୀ ଦିନ ଧାର୍ଯ୍ୟ କରାଯାଇ ସୀମା ନିର୍ଦ୍ଧାରଣ କରାଯାଇ ବିବାଦର ସମାଧାନ କରାଯିବ ବୋଲି କହିଛି କୋରାପୁଟ ପ୍ରଶାସନ । ଅନ୍ୟପଟେ ରାଇପାହାଡ଼ ଗାଁ ଆମର ବୋଲି କହିଛନ୍ତି ସ୍ଥାନୀୟ ଜନସାଧାରଣ । ଆନ୍ଧ୍ରର ଷଡଯନ୍ତ୍ରକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବାକୁ ଦିଆଯିବନି ବୋଲି କହିଛନ୍ତି ଗ୍ରାମବାସୀ ।