spot_img
Home Blog Page 2955

ଦାଦାବଟି ମାଗିବା ଅଭିଯୋଗରେ ବିଜେପି ନେତା ଗିରଫ

ଜଗତସିଂହପୁର :  ଦାଦାବଟି ମାଗିବା ଅଭିଯୋଗରେ ବିଜେପି ନେତା ଗିରଫ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ନୂଆପଡ଼ା ବାଲିଘାଟରେ ୫ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରକାଶ ଚନ୍ଦ୍ର ଦଳାଇଙ୍କୁ ତିର୍ତ୍ତୋଲ ଥାନା ପୋଲିସ ଗିରଫ କରିଛି । ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଜେପି ଯୁବମୋର୍ଚ୍ଚା ନେତା ପ୍ରକାଶ ଦଲାଇ ତାଙ୍କ ସହଯୋଗୀଙ୍କ ସହ ଗତ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନୂଆପଡ଼ା ବାଲିଘାଟକୁ ଯାଇ ବାଲିଘାଟ ଦାୟିତ୍ୱରେ ଥିବା କର୍ମଚାରୀ ସୁଦର୍ଶନ ମୁଦୁଲିଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ଟଙ୍କା କେଉଁଠୁ ଆଣିବେ ବୋଲି କର୍ମଚାରୀ କହିବାରୁ ଧମକ ଦେଇ ଚାଲି ଯାଇଥିଲେ ପ୍ରକାଶ ।  ତା’ ପରଦିନ ୧୧ ତାରିଖ ବିଳମ୍ବିତ ରାତ୍ରରେ ଯାଇ ବାଲିଘାଟ ବୁଝୁଥିବା ସୁଦର୍ଶନ ମୁଦୁଲିଙ୍କ ମୁଣ୍ଡରେ ପ୍ରକାଶ ବନ୍ଧୁକ ଲଗାଇ ଜୀବନରୁ ମରିଦେବାର ଧମକ ଦେଇଥିଲେ ।

ବାଲିଘାଟର ଶ୍ରମିକମାନେ ବିରୋଧ କରିବାରୁ ପ୍ରକାଶଙ୍କ କିଛି ସମର୍ଥକ ଖଣ୍ଡା, ଭୁଜାଲି, କଟୁରି ଧରି ଶ୍ରମିକଙ୍କ ଆଡ଼କୁ ମାଡି ଆସିଥିଲେ । ୬ଟି ବ୍ୟାରେଲରେ ଥିବା ୧୨ ଶହ ଲିଟର ତେଲ ସହ ତିନିଟି ଡ୍ରମ୍‌ ନଦୀକୁ ଫିଙ୍ଗି ଦେଇଥିଲେ। ଚେୟାର, ଜେସିବି ଗାଡ଼ିକାଚ ଭଙ୍ଗାରୁଜା କରିବା ସହ ଦୀର୍ଘ ସମୟ ଧରି ବିଜେପି ନେତା ଆତଙ୍କ ଚଳାଇଥିବା ଅଭିଯୋଗ ହୋଇଛି । ବାଲିଘାଟ ବୁଝୁଥିବା ସୁଦର୍ଶନ ମୁଦୁଲି ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ବିଜେପି ନେତା ପ୍ରକାଶ ଦଲାଇଙ୍କୁ ଗିରଫ କରିଛି । ବିଜେପି ନେତା ପ୍ରକାଶ ଦଲାଇ ବନ୍ଧୁକ ଆଣିଲେ କେଉଁଠୁ ଓ ବନ୍ଧୁକ କ’ଣ କଲେ, ସେନେଇ ଖୋଳତାଡ଼ କରୁଛି ପୋଲିସ । ଏ ସବୁ ଘଟଣା ପଛରେ ପାରାଦୀପର ଜଣେ ବିଜେପି ନେତାଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।

ବାପାମାଆ ଛେଉଣ୍ଡ ଭାଇଭଉଣୀଙ୍କ ଦୁଃଖ ବୁଝିଲେ 5T ସଚିବ ଭି.କେ. ପାଣ୍ଡିଆନ

ଅନୁଗୁଳ :  ଦୁଇ ଅନାଥଙ୍କୁ ସହାୟ ହେଲେ 5T ସଚିବ । ବାପାମାଆ ଛେଉଣ୍ଡ ଭାଇଭଉଣୀଙ୍କ ଦୁଃଖ ବୁଝିଲେ 5T ସଚିବ ଭି.କେ. ପାଣ୍ଡିଆନ । ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଏଳା ଗାଁର ୧୧ ବର୍ଷୀୟ ମାନସ ମୁଣ୍ଡା ଓ ୧୫ ବର୍ଷୀୟ ଝିଅ ଆରତୀ ମୁଣ୍ଡାଙ୍କର ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ । 5T-ଟି ସଚିବଙ୍କ ନିର୍ଦ୍ଦେଶରେ ସେମାନଙ୍କର ପାଠ ପଢା ସହିତ ରହିବା ଓ ଖାଇବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି ।

ବର୍ଷେ ପୂର୍ବରୁ ଉଭୟଙ୍କର ବାପା ମଦନ ମୁଣ୍ଡାର ପରଲୋକ ହୋଇଥିବାବେଳେ ୮ଦିନ ତଳେ ମାଆ ରଶ୍ମୀତା ମୁଣ୍ଡାଙ୍କର ମଧ୍ୟ ପରଲୋକ ହୋଇଥିଲା । ପରେ ଏକଟୁଆ ହୋଇପଡ଼ିଥିଲେ ଭାଇଭଉଣୀ । ସେମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିବାବେଳେ ଏନେଇ ଫାଇଭ-ଟି ସଚିବ ସୂଚନା ପାଇଥିଲେ । ପରେ ତତକ୍ଷଣାତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ଭାଇଭଉଣୀଙ୍କ ପାଖରେ ପହଞ୍ଚି ସେମାନଙ୍କର ସବୁ ଦାୟିତ୍ବ ନେଇଛି । ଅନାଥକୁ ନୂଆ ଆଶା ମିଳିଥିବାରୁ ଫାଇଭ-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଗ୍ରାମବାସୀ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅର୍ଥ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର । ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ୨୦୨୩ ଖରିଫ ଋତୁରୁ ୨୦୨୫-୨୬ ରବି ଋତୁ ପର୍ଯ୍ୟନ୍ତ ପଞ୍ଜୀକୃତ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ପ୍ରଦାନ କରିବେ । ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ପାଇଁ ଚାଷୀଙ୍କୁ ପ୍ରିମିୟମ ଦେବାକୁ ପଡିବ ନାହିଁ ।

କେବଳ ପଞ୍ଜୀକରଣ ସମୟରେ ବ୍ୟାଙ୍କ ଖାତା ଭାଲିଡେଟ କରିବାକୁ ଟୋକନ ମନି ଭାବେ ମାତ୍ର ଏକ ଟଙ୍କା ଚାଷୀଙ୍କ ଆକାଉଣ୍ଟରୁ କଟିବ । ୨ ହେକ୍ଟର ଚାଷ ଜମିରୁ ଅଧିକ ଜମିର ଫସଲକୁ ବିମାଭୁକ୍ତ କରିବାକୁ ଆଗ୍ରହୀ ଚାଷୀ ବଳକା ଜମିର ପ୍ରିମିୟମ ନିଜେ ବହନ କରିବେ । ଏନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୧୬ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଲାଗୁ ହୋଇଥିବା ବେଳେ ପ୍ରତି ତିନି ବର୍ଷରେ ଥରେ ଖୋଲା ବିଡିଂ ପ୍ରକ୍ରିୟାରେ ନୂଆ ଇନସ୍ୟୁରାନ୍ସ କମ୍ପାନୀ ଚୟନ କରାଯାଇଥାଏ । ଏହି ଯୋଜନାରେ ଖରିଫ ପାଇଁ ଚାଷୀଙ୍କୁ ବିମା ରାଶିର ୨ ପ୍ରତିଶତ ପ୍ରିମିୟମ ଆକାରରେ ପ୍ରଦାନ କରିବାକୁ ପଡିଥାଏ । ରବି ପାଇଁ ଏହା ୧.୫ ପ୍ରତିଶତ ଏବଂ ଲାଭଦାୟକ ଫସଲ ପାଇଁ ୫ ପ୍ରତିଶତ ପ୍ରିମିୟମ ଦେବାକୁ ପଡିଥାଏ ।

ଆସନ୍ତା ୧୬ରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ ; ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡିଶାକୁ ଆସୁଛି ବଡ ବର୍ଷା  । ଆସନ୍ତା ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ  । ଘନୀଭୂତ ହୋଇ ନେଇପାରେ ଲଘୁଚାପର ରୂପ  । ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ହୋଇଛି  । ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ସମ୍ଭାବନା ରହିଛି  । ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହିତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେପଟେ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି  । ୧ ଜୁନରୁ ଆଜି ପର୍ଯ୍ୟନ୍ତ ୨୪୩ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି  । ଯାହାକି ସ୍ବାଭାବିକ ବର୍ଷା ୩୩୪.୪  ମିଲିମିଟର ତୁଳନାରେ ୨୭ ପ୍ରତିଶତ କମ  । ଦେବଗଡ ଜିଲ୍ଲାରେ ସର୍ବାଧିକ ୪୭୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି  । ଯାହାକି ସ୍ବାଭାବିକ ବର୍ଷା   ତୁଳନାରେ ୪୨% ଅଧିକ  ।

ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪   ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି   । ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି ବର୍ଷା ରେକର୍ଡ ହୋଇଛି  ।

ଭାରତରେ ଟେସଲାର ଏଣ୍ଟ୍ରି, ଭାରତରେ ବର୍ଷକୁ ୫ ଲକ୍ଷ କାର୍ ନିର୍ମାଣ କରିବ ଟେସଲା

ନୂଆଦିଲ୍ଲୀ: ଭାରତରେ ଟେସଲାର ଏଣ୍ଟ୍ରି । ଭାରତୀୟ ବଜାରରେ ନିବେଶ କରିବ ଆମେରିକାର ମଲ୍ଟି ନ୍ୟାସନାଲ ଅଟୋମୋଟିଭ କମ୍ପାନୀ । ଏନେଇ ଭାରତ ସରକାରଙ୍କ ସହ ଏଲନ ମସ୍କଙ୍କ ଟେସଲା କମ୍ପାନୀ ଆଲୋଚନା କରିଥିବା ଜଣାପଡ଼ିଛି । ଭାରତରେ ବର୍ଷକୁ ୫ ଲକ୍ଷ ଇଲେକ୍ଟ୍ରିକ କାର୍ ନିର୍ମାଣ କରିବାକୁ ଯୋଜନା ରଖିଛି ଟେସଲା । ୨୦ ଲକ୍ଷ ଟଙ୍କାରୁ ଟେସଲା ଇଲେକ୍ଟ୍ରିକ କାରର ପ୍ରାଇସ ରହିବ । ଇଣ୍ଡୋ-ପେସିଫିକ ରିଜିଅନରେ ଟେସଲାର ଏକ୍ସପୋର୍ଟ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା କରଛି ବୋଲି ଜଣାପଡ଼ିଛି । ଦେଶରେ ଉତ୍ପାଦନ ଓ ବାହାର ରାଷ୍ଟ୍ରକୁ ରପ୍ତାନୀ ପାଇଁ କମ୍ପାନୀ ଯୋଜନା ରଖିଛି ।

ଭାରତର ମିଶନ ମୁନ୍, ଚନ୍ଦ୍ରାୟନ-୩ ପାଇଁ ଭୁବନେଶ୍ବରସ୍ଥିତ ସିଟିଟିସି ଯୋଗାଇଛି ୭୫ ହଜାର ଯନ୍ତ୍ରାଂଶ

ଭୁବନେଶ୍ୱର: ଆସନ୍ତାକାଲି ଭାରତର ମିଶନ ମୁନ୍  । ଲଞ୍ଚ ହେବ ଚନ୍ଦ୍ରୟାନ-୩ । ତେବେ ଏହି ଚନ୍ଦ୍ରୟାନ-୩ ପାଇଁ ଓଡ଼ିଶାରୁ ଯାଇଛି ୭୫ ହଜାର ଯନ୍ତ୍ରାଂଶ । ଏଥିରେ ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର-ସିଟିଟିସିର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ସିଟିଟିସି ବିଭିନ୍ନ ଯନ୍ତ୍ରାଂଶ ଇସ୍ରୋକୁ ଯୋଗାଇଛି । ଲ୍ୟାଣ୍ଡର ଓ ରୋଭର ପାଇଁ ଯନ୍ତ୍ରପାତି ତିଆରି କରିଛି ସିଟିଟିସି । ମହାକାଶ ଯାନକୁ ହାଲୁକା କରିବାକୁ ସ୍ବତନ୍ତ୍ର ଟେକ୍ନୋଲୋଜି କରିଛି । ଏନେଇ ଦୁଇ ବର୍ଷ ପୂର୍ବେ ସିଟିଟିସିକୁ ମିଳିଥିଲା ଉପକରଣର ଡ୍ରଇଂସ । ଯାହା ଆଧାରରେ କମ୍ପାନୀ ନିର୍ମାଣ କରିଥିଲା ୭୫ ହଜାର ଯନ୍ତ୍ରାଂଶ । ସିଟିଟିସି ସେଣ୍ଟରରେ ଏହି ଯନ୍ତ୍ରାଂଶ ନିର୍ମାଣ କାମରେ ସାମିଲ ଥିଲେ ୧୫୦ କର୍ମଚାରୀ ଓ ଟ୍ରେନି । ଏନେଇ ଇସ୍ରୋ ମଧ୍ୟ ସିଟିଟିସିକୁ ଅନେକ ହ୍ୟାଣ୍ଡ ହୋଲଡିଂ ଯୋଗାଇ ଦେଇଥିଲା ।

ଚନ୍ଦ୍ରୟାନ-୩ର ପାଖାପାଖି ସବୁଠାରୁ କ୍ରିଟିକାଲ କମ୍ପୋନେଣ୍ଟ ପ୍ରପଲସନ ସିଷ୍ଟମ ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ କ୍ରିଟିକାଲ କମ୍ପୋନେଣ୍ଟ ସିଟିଟିସି ନିର୍ମାଣ କରିଛି । ଲ୍ୟାଣ୍ଡରର ପାଖାପାଖି ସବୁ କ୍ରିଟିକାଲ କମ୍ପୋନେଣ୍ଟ ମଧ୍ୟ ନିର୍ମାଣ କରିଛି ସିଟିଟିସି । ଚନ୍ଦ୍ରୟାନ-୩ରେ ୩ଟି ଆଣ୍ଟିନା ଓ ହାଇ ବର୍ଡର ସେନସର ଲାଗିଛି । ଯନ୍ତ୍ରାଂଶଗୁଡିକ ଲଞ୍ଚ ଭେହିକିଲରେ ଫିଟିଂ କରିବା ଯାଏଁ ଭୂମିକା ନିଭାଇଛି ସିଟିଟିସି । ଏହି କେନ୍ଦ୍ରର କାର୍ଯ୍ୟରତ ଶହେରୁ ଅଧିକ ଟେକ୍ନିସିଆନ ଗତ ଦୁଇ ବର୍ଷ ହେଲା କଠିନ ପରିଶ୍ରମ କରିଛନ୍ତି । ସିଟିଟିସି ଗତ ୨୫ ବର୍ଷ ହେଲା ଇସ୍ରୋ ସହ ସମନ୍ବୟ ରଖି କାମ କରିଆସୁଛି । ପୂର୍ବରୁ ଅନ୍ୟ ମହାକାଶ ଅଭିଯାନ ପାଇଁ ମଧ୍ୟ ସିଟିଟିସି ବିଭିନ୍ନ ଯନ୍ତ୍ରାଂଶ ଯୋଗାଇଛି । ଏପରିକି ଚନ୍ଦ୍ରଯାନ-୨ର ମଧ୍ୟ ଯନ୍ତ୍ରାଂଶ ଏଠାରେ ତିଆରି ଓ ଯୋଡା ଯାଇଥିଲା ।

ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ଭୁବନେଶ୍ବର ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ମାମଲାରୁ ନାଁ କାଟିବା ପାଇଁ ପୋଲିସ ଏଏସଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ମମତା ବସ୍ତିଆଙ୍କ ନିକଟରୁ ୧୫ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି । ସହିଦନଗର ଥାନାରେ ଭିଜିଲାନ୍ସ ଟିମ୍‌ ଅଧିକ ଛାନବିନ ଚଳାଇଛି । ପୋଲିସ ଏଏସଆଇ ମମତାଙ୍କ ଘର ସହ ଦୁଇଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ପରିବା ଦର ବୃଦ୍ଧି ପାଇଁ ଉପରମୁହାଁ ଖୁଚୁରା ମୁଦ୍ରାସ୍ପୀତି

ନୂଆଦିଲ୍ଲୀ: ଦେଶରେ ପରିବା ଦର ଆକାଶଛୁଆଁ । ଟମାଟୋଠାରୁ ଆରମ୍ଭ କରି ବିନ୍, ଧନିଆ ପତ୍ର, କଞ୍ଚାଲଙ୍କା, କଲରା ଏବଂ ବାଇଗଣ ଭଳି ପନିପରିବା ଦର ଏବେ ଢେର ଉପରେ । ଉଚ୍ଚ ପନିପରିବା ଦର ଯୋଗୁ ଜୁନ୍ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ଉପରମୁହାଁ ହୋଇଛି । ଜୁନରେ ଖୁଚୁରା ମୁଦ୍ରାସ୍ପୀତି ୪.୮୨ ପ୍ରତିଶତରେ ପହଞ୍ଚିଛି । ମେ’ମାସରେ ଏହା ବିଗତ ୨୫ ମାସର ସର୍ବନିମ୍ନ ସ୍ତର ୪.୨୫ ପ୍ରତିଶତକୁ ଖସିଆସିଥିଲା । ପନିପରିବାର ଅତ୍ୟଧିକ ମୂଲ୍ୟ ବଢ଼ିଥିବାରୁ ଜୁନ୍ ମାସରେ ମୁଦ୍ରାସ୍ପୀତି ବୃଦ୍ଧି ପାଇଛି। ଜୁନ ମାସରେ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ପୀତି ୧୨.୭୧ ପ୍ରତିଶତ ରହିଥିଲା । ସେହିପରି ମସଲା ସାମଗ୍ରୀ କ୍ଷେତ୍ରରେ ଏହା ସବୁଠାରୁ ଅଧିକ ୧୯.୧୯ ପ୍ରତିଶତ ରହିଛି । ଡାଲି ଦର କିଲୋ ପିଛା ୧୬୦ ଟଙ୍କା ଛୁଇଁବା ପରେ ଏହି କ୍ଷେତ୍ରରେ ମୁଦ୍ରାସ୍ଫୀତି ମେ’ ମାସର ୬.୫୬ ପ୍ରତିଶତ ତୁଳନାରେ ହଠାତ୍ ୧୦.୫୩ ପ୍ରତିଶତକୁ ବୃଦ୍ଧି ପାଇଛି।

ଦୁଗ୍ଧ ସାମଗ୍ରୀ କ୍ଷେତ୍ରରେ ମଧ୍ୟ ମୁଦ୍ରାସ୍ଫୀତି ୮.୫୬ ପ୍ରତିଶତ ରହିଛି । ଜୁନ୍ ମାସରେ ଉପଭୋକ୍ତା ମୂଲ୍ୟ ସୂଚୀ ବା ସିପିଆଇ ୪.୪୯ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମେ ମାସରେ ଏହା ୨.୯୬ ପ୍ରତିଶତ ଥିଲା । ଏପ୍ରିଲରେ ଏହା ଥିଲା ୩.୮୪ ପ୍ରତିଶତ । ଏହି ସୂଚକାଙ୍କ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ହ୍ରାସକୁ ଦର୍ଶାଇଥାଏ । ପନିପରିବା ଦରବୃଦ୍ଧି ପାଇଁ କର୍ପୋରେଟ ସଂସ୍ଥାକୁ ବ୍ୟବସାୟୀ ଦାୟୀ କରିଛନ୍ତି । ସରକାର ତୁରନ୍ତ ଦର ନିୟନ୍ତ୍ରଣ ନକଲେ ଏହା ଭବିଷ୍ୟତ ଅର୍ଥନୀତିକୁ ପ୍ରଭାବିତ କରିବ ।

ସେତୁ ଯୋଜନାରେ ଅନ୍ତର୍ଭୁକ୍ତ ହେବ ୧୦ ପଞ୍ଚାୟତ

ଭୁବନେଶ୍ୱର: ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡ଼ପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସେତୁ ଯୋଜନାରେ ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଚିତ୍ରକୋଣ୍ଡା ବ୍ଳକର ୯ଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଅଛି, ଯାହା ସ୍ବାଭିମାନ ଅଞ୍ଚଳ ନାମରେ ନାମିତ । ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ SETU ( Socio-Economic Transformation and Upliftment) ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଚଳିତ ବର୍ଷ ମାର୍ଚ୍ଚ ୨୮ରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍‌ ପରିଦର୍ଶନ କରିଥିଲେ ଓ ଲୋକମାନଙ୍କ ସ୍ବାର୍ଥ, ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।

ଏହା ବ୍ୟତୀତ ଏହି ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଅଳିଆ ଆବର୍ଜନାରେ ପଡ଼ିଛି ମହିଳାଙ୍କ ମୃତଦେହ

ବାଣପୁର: ଶବ ଖାଉଛି କୁକୁର । ବାଣପୁର ତହସିଲ ରାସ୍ତାକଡ଼ ଏକ ବାର ନିକଟରେ ଥିବା ଅଳିଆ ଆବର୍ଜନାରେ ପଡ଼ିଛି ମହିଳାଙ୍କ ମୃତଦେହ । ବାଣପୁରରେ ଶବକୁ କୁକୁର ଖାଉଥିବା ଦେଖି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମହିଳାଙ୍କ ପରିଚୟ ଜଣାପଡିନଥିବା ବେଳେ, ମହିଳାଙ୍କ ମୃତ୍ୟୁ କେମିତି କେମିତି ହେଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ଯାଇ ତଦନ୍ତ ଜାରି ରଖିଛି ।