କଟକ : ନକଲି ସାର୍ଟିଫିକେଟ ଦେଇ ଶିକ୍ଷକଙ୍କ ଚାକିରି । ଶିକ୍ଷକଙ୍କ ବିରୋଧରେ ଏତଲା ଦେଲେ ବ୍ଲକ ଶିକ୍ଷାଧିକାରୀ । ଜାଲି ସାର୍ଟିଫିକେଟ ଦେଇ ଦୀର୍ଘ ୧୮ ବର୍ଷଧରି ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରୁଥିଲେ । କଟକ ଜିଲ୍ଲାର ବାଙ୍କୀ ଏନ.ଏ.ସିର ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଢଂସର ଗ୍ରାମର ବଳରାମ ପାଇକରାୟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ବ୍ଲକ ଶିକ୍ଷାଧିକାରୀ । ଯାଞ୍ଚବେଳେ ତାଙ୍କ ମାର୍କସିଟ ନକଲି ଥିବା ଜଣାପଡିଥିଲା । ଏତଲା ଆଧାରରେ ବାଙ୍କୀ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏନେଇ ଶିକ୍ଷକ ବଳରାମ ପାଇକରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଏସିଆନ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତିଲେ ରିଲାଏନ୍ସ ଫାଉଣ୍ଡେସନର ଜ୍ୟୋତି ୟାରାଜୀ
ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଓଡ଼ିଶା ରିଲିଆନ୍ସ ଫାଉଣ୍ଡେସନ ହାଇ ପରଫରମାନ୍ସ ସେଣ୍ଟର। ଏସିଆନ ଅଥଲେଟିକ୍ସ ଚାମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ହାସଲକରିଛନ୍ତି ଆଥଲେଟ୍ ଜ୍ୟୋତି ୟାରାଜୀ । ୧୦୦ ମିଟର ହଡ଼ଲସରେ ଜ୍ୟୋତି ୟାରଜିଙ୍କୁ ମିଳିଛି ସ୍ବର୍ଣ୍ଣ ପଦକ ।

୨୩ ବର୍ଷୀୟ ଜ୍ୟୋତି ଫାଇନାଲରେ ୧୩.୦୯ସେକେଣ୍ଡରେ ଏହି ସଫଳତା ପାଇଛନ୍ତି । ତାଙ୍କ ସହ ଥିବା ଦୁଇ ଜାପାନୀ ରନର୍ସ ଟେରଡା ଆସୁକା (୧୩.୧୩ ସେକେଣ୍ଡ) ଏବଂ ଆକି ମାସୁମୀ (୧୩.୨୬ ସେକେଣ୍ଡ)ଙ୍କୁ ସେ ପଛରେ ପକାଇଦେଇଥିଲେ ।

ପୂର୍ବରୁ କେବଳ ଅନୁରୋଧ ବିଶ୍ୱାଳ ଓ ଜୟପାଲ ହେମଶ୍ରୀ ଭାରତରୁ ଏହି ଇଭେନ୍ତରେ ଯଥାକ୍ରମେ ୨୦୦୨ ଓ ୨୦୧୩ରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏସିଆନ ଅଥଲେଟିକ୍ସ ଚାମ୍ପିୟାନସିପରେ ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ଏହା ପୂର୍ବରୁ କୌଣସି ଭାରତୀୟ ମହିଳା ଆଥଲେଟ ଏସିଆନ ଆଥଲେଟିକ ଚାମ୍ପିୟାନସିପ ୧୦୦ ମିଟର ହଡ଼ଲସରେ ସ୍ବର୍ଣ୍ଣ ପଦକ ଜିତିନଥିଲେ । ଜ୍ୟୋତି ୟାରଜି କଳିଙ୍ଗ ଷ୍ଟାଡିଅମରେ ଥିବା ଓଡ଼ିଶା ରିଲିଆନ୍ସ ଫାଉଣ୍ଡେସନ ହାଇ ପରଫରମାନ୍ସ ସେଣ୍ଟରରେ ରହି ଅତ୍ୟାଧୁନିକ ଟ୍ରେନିଂ ନେଇଆସୁଥିଲେ ।

ସେ ପୂର୍ବରୁ ଜାତୀୟ ସ୍ତରରେ ଶ୍ରେଷ୍ଠ ମହିଳା ଆଥଲେଟ୍ ଭାବରେ ସମ୍ମାନିତ ହୋଇଥିଲେ । ଏଥିସହିତ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପରେ ସେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୋପ୍ୟ ଜିତିଥିଲେ । ସେ ପରବର୍ତ୍ତୀ ସମୟରେ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ୨୦୦ ମିଟର ଇଭେଣ୍ଟରେ ଭାଗ ନେବେ ବୋଲି ଜଣାପଡିଛି ।
ରିଲିଜ ହେବ ଓଡିଶାର ଖଣି ଖାଦାନର ପୃଷ୍ଠଭୂମିରେ ନିର୍ମିତ ନୂଆ ହିନ୍ଦୀ ଓ୍ବେବ ସିରିଜ
ଭୁବନେଶ୍ୱର : ଓଡିଶାର ଖଣି ଖାଦନର ପୃଷ୍ଠଭୂମିରେ ନିର୍ମିତ ନୂଆ ହିନ୍ଦୀ ଓ୍ବେବ ସିରିଜ ଜେଙ୍ଗାବୁରୁ କର୍ସ ଅଗଷ୍ଟ ୯ ତାରିଖରେ ରିଲିଜ ହେବ। ଓଟିଟି ପ୍ଳାଟଫର୍ମ ସୋନି ଲିଭରେ ପ୍ରସାରିତ ହେବ ଏହି ବ୍ୟୟବହୁଳ ୱେବସିରିଜ୍ । ମୟଙ୍କ ତିଓ୍ବାରୀଙ୍କ କାହାଣୀକୁ ଚିତ୍ରନାଟ୍ୟର ରୂପ ଦେଇଛନ୍ତି ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ।
ଜେଙ୍ଗାବୁରୁ କର୍ସର ଅଧିକାଂଶ ସିନ୍ ଓଡ଼ିଶାର ଏକ ଖଣିଖାଦାନ ଅଞ୍ଚଳରେ ସୁଟିଂ ହୋଇଛି । କ୍ରାଇମଥ୍ରୀଲରର କାହାଣୀ ମୂଳତଃ ଓଡ଼ିଶାର ଖଣି ଇଲାକାର ଏକ ରହସ୍ୟମୟ ମୂଲ୍ୟବାନ ପଥରକୁ ନେଇ ଗତିଶୀଳ । ଫିଲ୍ମରେ ଦର୍ଶାଯାଇଛି ଯେ, ଲଣ୍ଡନରେ ରହୁଥିବା ଆର୍ଥିକ ବିଶ୍ଳେଷକ ପ୍ରିୟା ଦାଶଙ୍କ ପ୍ରଫେସର ବାପା ନିଖୋଜ ହୋଇଯିବା ପରେ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହେଉଛନ୍ତି ।
ବାପାଙ୍କୁ ଖୋଜିବା ଅଭିଯାନ ଭିତରେ ସେ ଆବିଷ୍କାର କରୁଛନ୍ତି ଏକ ଅଜବ ଆତଙ୍କିତ କାହାଣୀକୁ । ଗତବର୍ଷ ଡିସେମ୍ବର ମାସରେ ଜେଙ୍ଗାବୁରୁ କର୍ସର ଟିମ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସୈଜନ୍ୟମୂଳକ ସାକ୍ଷାତ କରିଥିଲେ । ନିର୍ଦ୍ଦେଶକ ନୀଳମାଧବ ପଣ୍ଡା କହିଛନ୍ତି ଏହା ଦେଶର ପ୍ରଥମ କ୍ଳାଇଫାଇ ସିରିଜ୍ ଅର୍ଥାତ୍ କ୍ଳାଇମେଟ୍ ଚେଞ୍ଜ ଉପରେ ପର୍ଯ୍ୟବେଶିତ କାହାଣୀ ।
ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ; ଉପରମୁଣ୍ଡରେ ବଢୁଛି ନଦୀର ଜଳସ୍ତର
ହିମାଚଳପ୍ରଦେଶ : ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ସବୁ ନଦୀର ଜଳସ୍ଥର । ମାଡିଆସୁଛି ଗୋଳିଆ ପାଣି । ଏପରିକି କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ଭୂସ୍ଖଳନ ହେଉଛି ।
ବର୍ଷା ଓ ଭୂସ୍ଖଳନରେ ହିମାଚଳ ପ୍ରଦେଶରେ ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ମାତ୍ର ଚାରିଦିନ ମଧ୍ୟରେ ୩୯ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ବି ଅନେକ ଲୋକ ପାଣି ଘେରରେ ଫସି ରହିଛନ୍ତି । ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଉଛି । ଭୟଙ୍କର ବିପର୍ଯ୍ୟୟରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ବିଭାଗକୁ ଆଲର୍ଟ କରିଛନ୍ତି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଛୁଟି ବାତିଲ କରାଯିବା ସହ ୨୪ ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯମୁନା ବନ୍ୟାରେ ବେହାଲ ଦିଲ୍ଲୀ , ବିପଦସଙ୍କେତ ଉପରେ ଜଳସ୍ତର
ନୂଆଦିଲ୍ଲୀ : ବଢୁଛି ଯମୁନା ନଦୀ ଜଳସ୍ତର । ଉଛୁଳା ବନ୍ୟା ପାଣିରେ ବେହାଲ ରାଜଧାନୀ । ବୁଡ଼ିଛି ବଡ଼ ବଡ଼ କୋଠା । ଭିଆଇପି ଏରିଆ ଜଳାର୍ଣ୍ଣବ । ଯମୁନା ନଦୀରେ ବିପଦସଙ୍କେତ ଠାରୁ ଢେର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଥିବା ବେଳେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ବନ୍ୟାପାଣି । ବନ୍ୟା ଯୋଗୁ ଦିଲ୍ଲୀର ତିନିଟି ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ । ଫଳରେ ସହରବାସୀଙ୍କୁ ପାନୀୟ ଜଳ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ ।
ବନ୍ୟା ସ୍ଥିତିକୁ ନଜରରେ ରଖି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ସବୁ ସ୍କୁଲ ଛୁଟି ଘୋଷଣା କାଯାଇଛି । ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକା ଘନ ଘନ ବୈଠକ କରୁଥିବା ବେଳେ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ଯମୁନା କୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ରିଂ ରେଡ, କାଶ୍ମୀର ଗେଟ, ରାଜଘାଟ, ଆଇଟିଓ, ଲାଲକିଲ୍ଲା ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବନ୍ୟାପାଣିରେ ବୁଡ଼ି ରହିଛି । ସିବିଲ ଲାଇନ୍ସରେ ଥିବା ବହୁ ସରକାରୀ ଅଧିକାରୀଙ୍କ ଘରେ ପାଣି ପଶିଯାଇଛି । ରେସ୍କ୍ୟୁ ପାଇଁ ଏନଡିଆରଏଫ ଟିମ୍ ସଜାଗ ରହିଛି । ଓ୍ବାଟର ଲଗିଂ ଯୋଗୁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ।
ବଲାଙ୍ଗୀରରେ ଚାଞ୍ଚଲ୍ୟ ; ଘର ଭିତରେ ଛାତ୍ରୀଙ୍କ ତଣ୍ଟିକାଟି ହତ୍ୟା
ବଲାଙ୍ଗୀର : ଆରମ୍ଭ ହେବା ଆଗରୁ ସରିଗଲା ସ୍ବପ୍ନ । କାଲିଯୁକ୍ତ ଦୁଇରେ ନାମ ଲେଖାଇଥିଲେ ଆଜି ଆରପାରିକୁ ଚାଲିଗଲେ । ବଲାଙ୍ଗୀର ସେଣ୍ଟ୍ରାଲ ସ୍କୁଲ ନିକଟ ନିଖିଳ ନଗରରେ ଛାତ୍ରୀଙ୍କୁ ବୀଭତ୍ସ ହତ୍ୟା । ମୃତକ ହେଲେ ୧୫ ବର୍ଷୀୟ ଶେଷାଦ୍ରୀ ନାଗ । ଘରେ ଏକାଥିବା ସମୟରେ କେହି ଦୁର୍ବୃତ୍ତ ତଣ୍ଟିକାଟି ହତ୍ୟା କରିଥିବା ଜଣାପଡ଼ିଛି । ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି ବଲାଙ୍ଗୀର ଟାଉନଥାନା ପୋଲିସ । ଏସପି ରିଷିକେଶ ଖିଲାରୀ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।
ଡଗ୍ ସ୍କ୍ବାଡ୍ ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରହିଛି । ଶେଷାଦ୍ରୀଙ୍କ ବାପା ରାଜମିସ୍ତ୍ରୀ ଭାବେ କାମ କରୁଥିବାବେଳେ ମାଆ ମ୍ୟୁନିସପାଲଟିରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ । ଗତକାଲି ଶେଷାଦ୍ରୀ ଏକ ଘରୋଇ କଲେଜରେ ଯୁକ୍ତଦୁଇରେ ନାମ ଲେଖାଇଥିଲେ । ଏକତରଫା ପ୍ରେମରୁ କେହି ହତ୍ୟା କରିଥିବା ସନ୍ଦେହ କରିଛି ପୋଲିସ ।

