ଚାଷୀଙ୍କ ଖୁସିରେ ଖୁସି, ଦୁଃଖରେ ଭାଗିଦାର ନବୀନ ସରକାର

1 min read

ଭୁବନେଶ୍ବର: ଖରିଫ୍ ଋଣ ପ୍ରଦାନରେ ରେକର୍ଡ । ଚଳିତବର୍ଷ ଖରିଫ ଋତୁରେ ଶତପ୍ରତିଶତ ଫସଲ ଋଣ ଆବଣ୍ଟନ କରି ରାଜ୍ୟ ସରକାର ରେକର୍ଡ କରିଛନ୍ତି । ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ ମିଳୁଛି ଋଣ । ଫସଲ ଋଣ ଆବଣ୍ଟନ ନେଇ ସରକାର ଧାର୍ଯ୍ୟ କରିଥିଲେ ୯ ହଜାର ୫୦୦ କୋଟି । ଚଳିତମାସ ୨୨ ତାରିଖ ସୁଦ୍ଧା ଆବଣ୍ଟିତ ହୋଇଛି ୯ ହଜାର ୩୬୫ କୋଟି ୭୨ ଲକ୍ଷ ଟଙ୍କା  । ସେଥିରୁ ୩୧ ପ୍ରତିଶତ ଋଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆବଣ୍ଟିତ ହୋଇଛି । ଠିକ୍ ସମୟରେ ଫସଲ ଋଣ ପ୍ରଦାନ ହୋଇଥିବାରୁ ଚାଷୀ ବି ଖୁସ୍ ।

ଚାଷୀଙ୍କ ଖୁସିରେ ଖୁସି, ଦୁଃଖରେ ଭାଗିଦାର ନବୀନ ସରକାର । ବାତ୍ୟା ହେଉ କି ବନ୍ୟା । ଅର୍ଥ ଅଭାବରୁ ଚାଷୀ ଯେପରି ତାର ଫସଲ କରିବାରେ କୌଣସି ଅସୁବିଧା ଭୋଗିବନି । ସେଥିପାଇଁ ଅନ୍ନଦାତାଙ୍କ ହାତମୁଠାକୁ କରିଛନ୍ତି ଟାଣ  । ବିନାସୁଧରେ ଚାଷୀଙ୍କୁ ମିଳିଛି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ । ଚଳିତ ଖରିଫ୍ ସିଜିନ ସରିବା ପୂର୍ବରୁ ଠିକ୍ ସମୟରେ ଚାଷୀଙ୍କୁ ଫସଲ ଋଣ ପ୍ରଦାନ କରି ରେକର୍ଡ କରିଛନ୍ତି ରାଜ୍ୟ ସରକାର । ୨୦୨୩-୨୪ ବର୍ଷରେ ଚାଷୀଙ୍କୁ ଖରିଫ ଫସଲ ଋଣ ବାବଦରେ ୯ ହଜାର ୫୦୦ କୋଟି ଆବଣ୍ଟନ ନେଇ ଧାର୍ଯ୍ୟ କରାଯାଇଥିଲା ।

ଚଳିତମାସ ୨୨ ତାରିଖ ସୁଦ୍ଧା ଚାଷୀଙ୍କୁ ଆବଣ୍ଟିତ ହୋଇଛି ୯ ହଜାର ୩୬୫ କୋଟି ୭୨ ଲକ୍ଷ ୨୨ ହଜାର ଟଙ୍କା । ଯାହାକି ଗତବର୍ଷ ତୁଳନାରେ ଅଧିକ । ୩୦ ତାରିଖ ସୁଦ୍ଧା ଶତ ପ୍ରତିଶତ ଋଣ ଆବଣ୍ଟିତ ହୋଇଯିବ । ସମୟ ପୂର୍ବରୁ ଶତପ୍ରତିଶତ ଋଣ ପ୍ରଦାନ କରି ସରକାର ରେକର୍ଡ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଋଣ ସହାୟତା ପ୍ରଦାନରେ ଅଧିକ ମହିଳା ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ବେଶୀ ଆଗ୍ରହ ଦେଖାଇଛନ୍ତି । ଗତ ଏପ୍ରିଲ ପହିଲାରୁ ଏବେସୁଦ୍ଧା ୨୧୯ କୋଟି ୫୧ ଲକ୍ଷ ୫୩ ହଜାର ଟଙ୍କା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଫସଲ ଋଣ ଆବଣ୍ଟନ କରାଯାଇଛି ।

ଚାଷ ସମୟରେ ଫସଲ ଋଣ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଚାଷୀ । ପୂର୍ବରୁ ୫୦ ହଜାର ଟଙ୍କାର ଫସଲ ଋଣ ବିନା ସୁଧରେ ମିଳୁଥିଲା । ଏବେ ବିନା ସୁଧ ଋଣ ପରିମାଣକୁ ୧ ଲକ୍ଷ କରିବାରୁ ଚାଷୀଙ୍କୁ ଫସଲ ପାଇଁ ଆବଶ୍ୟକ ଖର୍ଚ୍ଚ ତୁଲାଇବା ସହଜ ହୋଇଛି । ଆଉ ହାତଉଦ୍ଧାରି କିମ୍ବା ସାହୁକାର ପାଖକୁ ଯିବାକୁ ପଡ଼ୁନାହିଁ । ବିନା ସୁଧରେ ଋଣ ପାଇବା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ବି ସରକାର ପ୍ରିମିୟମ୍ ଭରିଛନ୍ତି । ଯାହାକୁ ନେଇ ଚାଷୀ ମହଲ ଖୁସି  ।