ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ତଥା ବର୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।
୫୦ ଲକ୍ଷର ପୁରସ୍କାର ରାଶି ସହ ଜାଭଲିନ ହିରୋ କିଶୋର ଜେନାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଶ୍ୱ ଆଥଲେଟିକ ଚମ୍ପିୟାନସିପରେ ଓଡ଼ିଶା ପାଇଁ ଗୌରବ ଆଣିଥିବା କିଶୋର ଜେନାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଥଲେଟଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଥଲେଟ କିଶୋର ଜେନାଙ୍କୁ ତାଙ୍କ ସଫଳତା ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି ।
ବିଶ୍ୱ ଆଥଲେଟିକ ଚମ୍ପିୟାନସିପର ଜାଭଲିନ ଗେମରେ ପ୍ରଥମ ଓଡ଼ିଆ ଭାବେ କିଶୋର ଫାଇନାଲ ଖେଳିବା ଏବଂ ଶ୍ରେଷ୍ଠ ୫ମ ସ୍ଥାନରେ ରହିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜାରି ରହିଛି । ଏହାରି ଭିତରେ ଆଜି ଓଡ଼ିଶା କ୍ରୀଡା ବିଭାଗ ଦ୍ବାରା କଳିଙ୍ଗ ଷ୍ଟାଡିଅମ ପରିସରରେ କିଶୋରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କିଶୋର ଜେନା ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲରେ ରହି କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ । ଯେଉଁଠି ସେ ରହି ପ୍ରଶିକ୍ଷଣ ନେଉଥିଲେ । ଆଜି ସେହି ସ୍ପୋର୍ଟ୍ସ ହଷ୍ଟେଲର ଶହ ଶହ ଆଥଲେଟଙ୍କ ଗହଣରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କ୍ରୀଡା ମନ୍ତ୍ରୀ, କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି କିଶୋର ଜେନାଙ୍କ ସଫଳତା ପାଇଁ ଶୁଭେଚ୍ଛା ଦେବା ସହ ଆଗାମୀ ଇଭେଣ୍ଟରେ ରାଜ୍ୟ ତଥା ଦେଶ ପାଇଁ ମେଡାଲ ଆଣନ୍ତୁ ବୋଲି ଶୁଭକାମନା ଜଣାଇଥିଲେ ।
ଜଙ୍ଗଲରେ ଜମୁଛି ଜୁଆର ଆସର, ଉଡୁଛି ଲକ୍ଷ ଲକ୍ଷ ଟଙ୍କା
ରାଉରକେଲା: ଜଙ୍ଗଲରେ ଜମୁଛି ଜୁଆର ଆସର । ଉଡୁଛି ଲକ୍ଷ ଲକ୍ଷ ଟଙ୍କା । କିଏ ଜିତୁଛି ତ କିଏ ହରାଉଛି ସର୍ବସ୍ୱ । ଜୁଆ ପାଇଁ ବଢୁଛି ଅପରାଧୀକ କାର୍ଯ୍ୟ । ଚଢାଉ କରି ୮ ଜୁଆଡ଼ିଙ୍କୁ ଗିରଫ ପରେ ଖୋଲୁଛି ଗୁମର । ରାଉରକେଲା ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ପଛପଟ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ଚଢ଼ାଉ । ୮ ଜଣ ଜୁଆଡିଙ୍କୁ ଗିରଫ କଲା ପୋଲିସ । ଗିରଫ ଜୁଆଡିଙ୍କ ନିକଟରୁ ଜୁଆରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ନଗଦ ୬୬ ହଜାର ଟଙ୍କା, ୮ ଟି ବାଇକ ଓ ୫ ଟି ମୋବାଇଲ ଫୋନ ଜବତ କରାଯାଇଛି । ତେବେ ଏହି ଜୁଆ କାରବାର କିଏ କରୁଥିଲେ ଓ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି ।
ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ ହେଉଛି । କେଉଁଠି କୁକୁଡା ଲଢେଇ ଜରିଆରେ ଜୁଆ କାରବାର ହେଉଥିବା ବେଳେ ଆଉ କେଉଁଠି ତାସ ଓ ଘୁଡୁଘୁଡିପଟିରେ ଚାଲିଛି ଜୁଆ ଚାଲୁଥିବା ଅଭିଯୋଗ ଆସୁଛି । ଜୁନ ୧୫ ତାରିଖ ରାଜଗାଙ୍ଗପୁର ଥାନା ପୋଲିସ ଡୁଡକାବାହାଲ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୫୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ୪ ଚକିଆ ଗାଡି, ୫୫ଟି ବାଇକ ଓ ୩୩ ହଜାର ଟଙ୍କା ଜବତ କରିଥିଲା ପୋଲିସ୍ ।
ସଙ୍କଟମୋଚକ ସାଜିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ଟିମ୍, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ
ଭୁବନେଶ୍ୱର: ସଙ୍କଟମୋଚକ ଓଡ୍ରାଫ ଓ ଅଗ୍ନିଶମ ଟିମ୍ । ପ୍ରତି ପରିସ୍ଥିତିରେ ସହାୟତା ପାଇଁ ତୟାର । ବନ୍ୟା ହେଉ କି ବାତ୍ୟା, ଜୀବନ ରକ୍ଷା ପାଇଁ ଜୀବନକୁ ଲଗାନ୍ତି ବାଜି । ବାହାର ରାଜ୍ୟରେ ମଧ୍ୟ ଜୀବନ ବଞ୍ଚାଇ ସୃଷ୍ଟି କରିଛନ୍ତି ଉଦାହରଣ । ଏଥିପାଇଁ ସେମାନଙ୍କୁ ଦିଆଯାଏ ମିଳିତ ଫିଲ୍ଡ ଟ୍ରେନିଂ ଓ ଏକ୍ସରସାଇଜ । ବିଶେଷକରି ରାଜ୍ୟରେ ବନ୍ୟା ସମୟରେ କିଭଳି ରେସକ୍ୟୁ ଅପରେସନ କରାଯିବ, ପ୍ରଖର ସ୍ରୋତରେ କିପରି ବୋଟ୍ ଚଳାଯିବ, ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବା ସହ ରିଲିଫ ସାମଗ୍ରୀ କିଭଳି ଯୋଗାଇ ଦିଆଯିବ ସେଥିପାଇଁ ଭିନ୍ନ ଭିନ୍ନ କୌଶଳର ପ୍ରଶିକ୍ଷଣ ନେଉଛନ୍ତି ୪୦ ଜଣ ଯବାନ । କଟକର ନରାଜ ଓ ଧବଳେଶ୍ବର ଗଡ଼ାରେ ଆୟୋଜିତ ଟ୍ରେନିଂ ସେସନରେ ରବର ବୋଟ, OBM, ଡେଭିଡ ସିଷ୍ଟମ ଓ RDS ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ସହ ରାଜ୍ୟର ୨୦ଟି ଓଡ୍ରାଫ ୟୁନିଟରୁ ୨୫ ଜଣ ଓ ଭିନ୍ନ ଭିନ୍ନ ଫାୟାର ଷ୍ଟେସନର ୧୫ ଜଣ ଯବାନ ସାମିଲ ହୋଇଛନ୍ତି ଏହି ସ୍ୱତନ୍ତ୍ର ରେସକ୍ୟୁ ଅପରେସନ ଟ୍ରେନିଂରେ ।
ରାଜ୍ୟକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟିକୁ ସାକାର କରିଛନ୍ତି ଏହି ଉଦ୍ଧାରକାରୀ ଦଳ । ଖାସ କରି ବନ୍ୟା ସମୟରେ ଏମାନଙ୍କ ସାମ୍ନାରେ ଥାଏ ଅନେକ ଚାଲେଞ୍ଜ । ସେଥିପାଇଁ କେବଳ ଦିନ ନୁହଁ ବରଂ ରାତିର ଅନ୍ଧକାର ଭିତରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି କିଭଳି ଉଦ୍ଧାର କାର୍ଯ୍ୟ କରାଯାଇ ପାରିବ ସେନେଇ ବି ରାତିରେ ସେମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । GPS କୋଡ଼ିଂ ସାହାଯ୍ୟରେ ପାଣି ଭିତରେ କିଭଳି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ ସେଥିପାଇଁ ୧୫ ଦିନ ଧରି ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ଆଗକୁ ତାଲିମ କାର୍ଯ୍ୟକ୍ରମରେ ଅଧିକ ଯବାନ ସାମିଲ ହେବା ନେଇ ଯୋଜନା ରହିଛି ।




