ଏସୀୟ କ୍ରୀଡ଼ାର ନବମ ଦିନରେ ଭାରତର ପଦକ ଅମଳ ଜାରି, ଲଙ୍ଗ ଜମ୍ପରେ ରୌପ୍ୟ ଜିତିଲେ ଆନ୍ସି ସୋଜନ

1 min read

ହଙ୍ଗଝୋଉ: ଏସିଆନ ଗେମସର ନବମ ଦିନରେ ଭାରତର ପଦକ ଅମଳ ଜାରି । ଲଙ୍ଗ ଜମ୍ପ ମହିଳା ବର୍ଗରେ ଆନ୍ସି ସୋଜାନ ରୌପ୍ୟ ପଦକ ହାତେଇଛନ୍ତି । ସେହିପରି ୩ ହଜାର ମିଟର ମହିଳା ଷ୍ଟିପଲଚେଜରେ ଭାରତର ପାରୁଲ ଚୌଧୁରୀ ରୌପ୍ୟ ପଦକ ହାତେଇଛନ୍ତି । ଅନ୍ୟପଟେ ପ୍ରୀତି ଲାମ୍ବା ଏଥିରେ ବ୍ରୋଂଜ ମେଡାଲ ଜିତିଛନ୍ତି । ଆଥଲେଟିକ୍ସ ୪ ଗୁଣା ୪ ଶହ ମିଟର ମିକ୍ସ ରିଲେ ଦୌଡରେ ଭାରତର ବ୍ରୋ୍ଞ୍ଜ ପଦକ ରୌପ୍ୟକୁ ଉନ୍ନୀତ ହୋଇଛି । ଏହି ବର୍ଗରେ ଭାରତ ବ୍ରୋଂଜ ପଦକ ଜିତିଥିବାବେଳେ ଦ୍ବିତୀୟ ହୋଇଥବା ଶ୍ରୀଲଙ୍କା ଖେଳାଳିଙ୍କ ପ୍ରଦର୍ଶନକୁ ଖାରଜ କରି ଦେଇଛି ଆଥଲେଟିକ୍ସ ସଂଘ ।

ପୁ୍ରୁଷ ଓ ମହିଳା ବର୍ଗର ରୋଲର ସ୍କେଟର୍ସରେ ଦୁଇଟି ବ୍ରୋଂଜ ପଦକ ହାତେଇଛି ଭାରତ । ୩ ହଜାର ମିଟର ସ୍ପିଡ୍ ସ୍କେଟିଂରେ ମହିଳା ଟିମ୍ ପ୍ରଥମ ମେଡାଲ ଜିତିଥିବାବେଳେ ୩ଶହ ମିଟର ସ୍ପିଡ୍ ସ୍କେଟିଂରେ ପୁରୁଷ ବର୍ଗରେ ଭାରତ ବ୍ରୋଂଜ ମେଡାଲ ହାତେଇଛି। ମହିଳା ଟେବୁଲ ଟେନିସରେ ସୁତୀର୍ଥା ଓ ଐହିକା ମୁଖାର୍ଜୀ ଯୋଡି ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ଡବଲ୍ସ ଟେବୁଲ ଟେନିସ ସେମି ଫାଇନାଲରେ ଉତ୍ତର କୋରିଆ ପ୍ରତିଯୋଗୀଙ୍କ ଠାରୁ ପରାସ୍ତ ହୋଇ ବ୍ରୋଂଜରେ ସନ୍ତୁଷ୍ଟ ହୋଇଛି ଦଳ ।

ସେପଟେ ମହିଳା ହକିରେ ଭାରତୀୟ ଦଳ ବାଜିମାତ ଜାରି ରହିଛି । ବାଂଲାଦେଶକୁ ହରାଇ ସେମିକୁ ପ୍ରବେଶ କରିଛି ମହିଳା ହକି ଟିମ୍ । ବାଂଲାଦେଶକୁ ୧୨-୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି ଭାରତୀୟ ମହିଳା ହକି ଦଳ । ବର୍ତ୍ତମାନ ସୁଦ୍ଧା ଭାରତ ୧୩ଟି ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୨୩ଟି ବ୍ରୋ୍ଂଜ ସହ ମୋଟ ୬୦ଟି ପଦକ ଜିତିଛି ।ଏସିଆନ ଗେମମରେ ଆହୁରି ୬ ଦିନ ଖେଳ ବାକି ଥିବାବେଳେ ଭାରତର ମେଡାଲ ସଂଖ୍ୟା ଶହେ ଟପିବା ଆଶା କରାଯାଉଛି ।