ସଇତାନ ସାଜିଲେ ବାପା-ମା’, ୩ ଝିଅଙ୍କୁ ମାରି ଟ୍ରଙ୍କରେ ଲୁଚାଇଲେ

1 min read

ଜଳନ୍ଧର: ସଇତାନ ସାଜିଲେ ବାପା-ମାଆ । ୩ ଝିଅକୁ ମାରି ଟ୍ରଂକ ପେଡ଼ିରେ ଲୁଚାଇ ରଖିଲେ । ପଞ୍ଜାବ ଜଳନ୍ଧର ଜିଲ୍ଲାରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ପଞ୍ଜାବରେ ଜଳନ୍ଧରର କାନପୁର ଗାଁରେ ସୋମବାର ସକାଳେ ତିନି ଝିଅଙ୍କ ଶବ ଏକ ବାକ୍ସରୁ ମିଳିଥିଲା । ତିନି ଜଣଙ୍କୁ ବାପା-ମାଆ ମିଶି ହତ୍ୟା କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତିନି ଝିଙ୍କ ବୟସ ୫ରୁ ୯ ବର୍ଷ ମଧ୍ୟରେ ଥିଲା । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ସନ୍ଦେହରେ ୩ମୃତ ଝିଅଙ୍କ ବାପାଙ୍କୁ ଧରିଥିଲା । ପଚରା ଉଚରାରେ ଯେଉଁ ସତ ସାମ୍ନାକୁ ଆସିଥିଲା ତାହା ଜାଣି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ଜଳନ୍ଧର ଗ୍ରାମୀଣ ଏସଏସପି ମୁଖୱିନ୍ଦର ସିଂହ ଭୁଲ୍ଲର କହିଛନ୍ତି ଯେ, କାନପୁର ଗାଁର ସୁରିନ୍ଦର ସିଂ ଭଡ଼ାରେ ଥିବା ସୁଶୀଲ ମଣ୍ଡଳଙ୍କ ୩ ଝିଅଙ୍କ ନିଖୋଜ ରିପୋର୍ଟ ରୁଜୁ କରିଥିଲେ । ମକସୁନ୍ଦା ଥାନା ପୋଲିସ ତିନି ଝିଅଙ୍କୁ ଆଖପାଖରେ ଖୋଜିଥିଲେ ହେଲେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ଏହାପରେ ପୋଲିସ ସୁଶୀଲ ମଣ୍ଡଳଙ୍କୁ ପଚରାଉଚରା କରିବାକୁ ପହଞ୍ଚିଥିଲା । ପୋଲିସ ଜୋର ଦେଇ ପଚରାଉଚରା କରିବା ପରେ ସେ ପୋଲିସକୁ ଟ୍ରଙ୍କ ପାଖକୁ ନେଇଯାଇଥିଲା ଏବଂ କହିଥିଲା ଯେ ଏଥିରେ ଝିଅମାନେ ଅଛନ୍ତି । ଯେବେ ଟ୍ରଙ୍କ ଖୋଲାଯାଇଥିଲା ତେବେ ତିନି ଝିଅଙ୍କ ଶବ ମିଳିଥିଲା ।

ସେମାନଙ୍କ ମୁହଁରୁ ଫେଣ ବାହାରୁଥିଲା । ଏହାପରେ ସୁଶୀଲ କହିବାକୁ ଲାଗିଥିଲା ଯେ ଝିଅମାନେ ଖେଳୁଥିଲେ । ଟ୍ରଙ୍କ ଭିତରେ ବନ୍ଦ ହେବା କାରଣରୁ ମୃତ୍ୟୁ ହୋଇଯାଇଥିବ । ପୋଲିସକୁ ମାମଲା ସନ୍ଦିଗ୍ଧ ଲାଗିବାରୁ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରି ପଚରା ଉଚରା କରିଥିଲା । ଏହି ସମୟରେ ସେ ସ୍ୱୀକାର କରିଥିଲା ଯେ ସେ ଏବଂ ତାଙ୍କ ପତ୍ନୀ ସକାଳେ କ୍ଷୀରରେ ବିଷାକ୍ତ ପଦାର୍ଥ ମିଶାଇ ତିନିଜଣଙ୍କୁ ହତ୍ୟା କରିଛନ୍ତି ଏବଂ ଘଟଣାକୁ ଲୁଚାଇବା ପାଇଁ ତିନି ଶବକୁ ଟ୍ରଙ୍କରେ ବନ୍ଦ କରିଦେଇଥିଲେ । ପୋଲିସ ମୁତାବକ, ଦମ୍ପତିଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲା । ଏହି କାରଣରୁ ସେମାନେ ଏପରି କରିଥିବା ସନ୍ଦେହ । ପୋଲିସ ଅଭିଯୁକ୍ତ ମାଆ-ବାପାଙ୍କ ବିରୋଧରେ ସମ୍ବନ୍ଧିତ ଧାରାରେ ଏଫଆଇଆର ରୁଜୁ କରି ଗିରଫ କରିନେଇଛି ।