ଗିରଫ ISIS ଆତଙ୍କୀଙ୍କ ଖୁଲାସା, ଅଯୋଧ୍ୟାରେ ରାମ ମନ୍ଦିର ଏବଂ ବଡ଼ ବଡ଼ ନେତା ଥିଲେ ଟାର୍ଗେଟରେ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ଶହନୱାଜ ଓରଫ ଶୈଫୀ, ତାର ସାଥୀ ରିଜୱାନ ଏବଂ ଅରସଦକୁ ଗିରଫ କରିଛି । ଆତଙ୍କବାଦୀମାନେ ପଚରାଉଚରା ସମୟରେ ବଡ଼ ଖୁଲାସା କରିଛନ୍ତି । ଆତଙ୍କବାଦୀମାନେ କହିଛନ୍ତି ଯେ ଦେଶର କେତେକ ମନ୍ଦିର ଏବଂ ପ୍ରସିଦ୍ଧ ସ୍ଥାନ ସେମାନଙ୍କ ଟାର୍ଗେଟ ଥିଲା । ଆତଙ୍କବାଦୀମାନେ କହିଛନ୍ତି, ମୁମ୍ବାଇର ମରିନ ଡ୍ରାଇଭ ସ୍ଥିତ ଚାବଡ ହାଉସ୍ ଏବଂ ଅଯୋଧ୍ୟାର ରାମମନ୍ଦିର ସେମାନଙ୍କ ଟାର୍ଗେଟରେ ଥଲା । ଉଲ୍ଲେଖଯୋଗ୍ୟ, କୋଲାବା ସ୍ଥିତ ଚାବଡ ହାଉସ, ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ  ଆକ୍ରମଣର ଶିକାର ହୋଇଥିଲା । କେବଳ ଏତିକି ନୁହେଁ ଦେଶର କିଛି ବଡ଼ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସେମାନଙ୍କୁ ମିଶନ ମିଳିଥିଲା ।

ଆତଙ୍କବାଦୀମାନେ ପୁଣେର ନିକଟବର୍ତ୍ତୀ ୱେଷ୍ଟର୍ଣ୍ଣ ଘାଟରେ ଆକ୍ରମଣ କରିବା ନେଇ ପ୍ରସ୍ତୁତି କରିସାରିଥିଲେ । ଅବଶ୍ୟ ଆକ୍ରମଣର ଦିନ ନିର୍ଦ୍ଧାରିତ ହୋଇନଥିଲା । କୌଣସି ଏକ ଖାସ୍ ଦିନରେ ଆକ୍ରମଣର ପ୍ଲାନିଂ କରୁଥିଲେ । କୁହାଯାଉଛି ଯେ, ଆତଙ୍କବାଦୀମାନେ ୨୬/୧୧ଠାରୁ ମଧ୍ୟ ବଡ଼ଧରଣର ଆକ୍ରମଣ କରିବା ନେଇ ଷଡ଼ଯନ୍ତ୍ର କରୁଥିଲେ । ତେବେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲକୁ ଆତଙ୍କବାଦୀ ଶହନୱାଜର ଠିକଣାରୁ ଆଇଇଡି ବନାଇବାର ସାମଗ୍ରୀ ଏବଂ ପିସ୍ତଲ ଜବତ କରିଛି । ଦିଲ୍ଲୀର ହଜାରିବାଗରେ ରହୁଥିବା ଶହନୱାଜ ମାଇନିଂ ଇଞ୍ଜିନିୟରିଂର ପାଠ ପଢ଼ିଥିଲା । ଏହି କାଣରରୁ ଶହନୱାଜକୁ ବିସ୍ଫୋରଣର ଜ୍ଞାନ ଥିଲା । ସେ ବୋମା ତିଆରିର ଅନେକ ପ୍ରୟୋଗ କରିଥିଲା ଏବଂ ପୁଣେର ଜଙ୍ଗଲରେ ପ୍ରାକ୍ଟିସ ମଧ୍ୟ କରିଥିଲା । ତାକୁ ଇଣ୍ଟରନେଟର ମଧ୍ୟ ବହୁତ ଭଲ ଜ୍ଞାନ ଥିଲା । ଏବେ ସ୍ପେଶାଲ ସେଲ୍ ଏହି ମାମଲାରେ ଜଡ଼ିତ ଅନ୍ୟମାନଙ୍କୁ ଟ୍ରେସ କରିବା ପାଇଁ ଉଦ୍ୟମ ଜାରି ରଖିଛି ।