spot_img
Home Blog Page 2869

ଚନ୍ଦ୍ରଯାନ-୩ ମିଶନରେ ଓଡ଼ିଆ ପୁଅ, ରାଜ୍ୟ ପାଇଁ ଗୌରବ ଆଣିଲେ କେନ୍ଦ୍ରାପଡ଼ାର ଶୁଭାଶିଷ

ପାଟକୁରା: ଚନ୍ଦ୍ରାଯାନ-୩ରେ ଓଡ଼ିଆ ପୁଅ ସୁଭାଶିଷ । ଗତକାଲି ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇଛି । ଦ୍ବିତୀୟ ଲଞ୍ଚପ୍ୟାଡରୁ GSLV-3 ହେଭି ଲିଫ୍ଟ ଲଞ୍ଚ ଭେହିକିଲରେ ଚନ୍ଦ୍ରଯାନର ସଫଳ ଲଞ୍ଚିଂ ହୋଇଛି । ଏହି ମିଶନରେ ସାମିଲ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁର ୨୮ ବର୍ଷୀୟ ଯୁବକ ସୁଭାଶିଷ ନାୟକ । ସେ ISROରେ ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଅଛନ୍ତି । ବାପା ତାଙ୍କର ଚାନ୍ଦୋଳ ବଜାରରେ ଛୋଟିଆ ପୂଜା ସାମଗ୍ରୀ କରି ପରିବାର ପ୍ରତିପୋଷଣ କରନ୍ତି । ସୁଭାଶିଷ ଦଶମ ପାସ ପରେ ଆଇଟିଆଇ ଶିକ୍ଷା ଅର୍ଜନ ପରେ ୨୦୧୮ ମସିହାରେ ଇସ୍ରୋରେ ଚାକିରୀ ପାଇଥିଲେ ।

ବୟସ କମ୍ କିନ୍ତୁ ବୁଦ୍ଧିରେ ଦେଖାଇଲେ କମାଲ, ୧୭ ସେକେଣ୍ଡରେ କହିଲେ ଓଡ଼ିଶାର ପ୍ରସିଦ୍ଧ ୩୩ କବିଙ୍କ ଉପାଧି

ଭୁବନେଶ୍ୱର: ସାନ ସିନା କାମ ତା’ର ମହାନ । କମ୍ ବୟସ କିନ୍ତୁ ବୁଦ୍ଧିରେ ଦେଖାଇଛନ୍ତି କମାଲ । ମାତ୍ର ୩ ବର୍ଷ ୫ ମାସ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନାଁ ରଖିଲେ ଟ୍ୟାଲେଣ୍ଟ ଗାର୍ଲ ଦେବାଂଶୀ ହୋତା । ଓଡ଼ିଶାର ପ୍ରସିଦ୍ଧ ୩୩ ଜଣ କବିଙ୍କ ଉପାଧିକୁ ଏକ ମିନିଟ ୧୭ ସେକେଣ୍ଡରେ ଅନର୍ଗଳ କହି ରେକର୍ଡ କରି ଦେଖାଇଛନ୍ତି ଦେବାଂଶୀ । ଏହାସହ ଓଡ଼ିଶାର ବିଭିନ୍ନ ନଦୀର ନାଁ, ଜିଲ୍ଲାର ନାମ, ଦେଶ ଓ ବିଦେଶର ରାଜଧାନୀର ନାମ, ଜଗନ୍ନାଥଙ୍କ ବେଶ, ଶ୍ଳୋକ ଆଦିକୁ କମ୍ ସମୟରେ ଉତ୍ତର ଦେଉଛନ୍ତି ଦେବାଂଶୀ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ମଖଲପୁର ଗ୍ରାମର ଦେବାଂଶୀ ହୋତା । ୨ ଡିସେମ୍ବର ୨୦୧୯ରେ ତାଙ୍କର ଜନ୍ମ । ବାପା ରାଜେନ୍ଦ୍ର ହୋତା ଜଣେ ଚିତ୍ର ଶିଳ୍ପୀ ଓ ମାଆ ନମିତା ପାଣି ଗୃହିଣୀ । ଦେବାଂଶୀଙ୍କ ସହ ପରିବାର ଏବେ ଭୁବନେଶ୍ୱରରେ ରହୁଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଦେବାଂଶୀଙ୍କୁ ଯେତେବେଳେ ଦୁଇବର୍ଷ ସେତେବେଳେ ଏକ ଛୋଟ କବିତାକୁ ମନେ ରଖି ପାରୁଥିବା ଦେଖି ଦେବାଂଶୀଙ୍କ ମାଆ ତାକୁ ଏହି ସବୁ ଜ୍ଞାନ ଶିକ୍ଷା ଦେଇଥିଲେ । ଏହି ରେକର୍ଡ ପରେ ଏବେ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବାକୁ ଚେଷ୍ଟା ଜାରି ରଖିଛନ୍ତି । କମ୍ ବୟସରୁ ଏଭଳି ସଫଳତା ହାସଲ କରିଛନ୍ତି ଦେବାଂଶୀ । କେବଳ ଜ୍ଞାନ ନୁହେଁ ପାଠରେ ମଧ୍ୟ ଭଲ ପଢୁଛି ଓ ବାପାଙ୍କ ଭଳି ଚିତ୍ର ଆଙ୍କିବା ମଧ୍ୟ ସଉକ ରହିଛି ।

ସ୍ବଚ୍ଛତା କ୍ଷେତ୍ରରେ ଆଉପାଦେ ଆଗକୁ ବଢ଼ିଲା ବ୍ରହ୍ମପୁର, ଶୀତଳାପଲ୍ଲୀରେ ଆରମ୍ଭ ହେଲା ମଳ ଉପଚାର କେନ୍ଦ୍ର

ବ୍ରହ୍ମପୁର: ସ୍ବଚ୍ଛତା ସାଙ୍ଗକୁ ଚାଷୀଙ୍କ ହେବ ଉନ୍ନତି । ବ୍ରହ୍ମପୁର ମହାନଗର ନିଗମର ନୂଆ ପଦକ୍ଷେପ । ଶୀତଳାପଲ୍ଲୀରେ ଆରମ୍ଭ ହେଲା ମଳ ଉପଚାର କେନ୍ଦ୍ର । ବ୍ରହ୍ମପୁର ସାଂସଦ, ବିଧାୟକ, ବିଇଏମସି କମିଶନର, ମେୟର ଏହାର ଶୁଭାରମ୍ଭ କରିବା ସହ ଏହାର ଦାୟିତ୍ବ କିନ୍ନର ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦେଇଛନ୍ତି । କିନ୍ତୁ ଏହାର ପରିଚାଳନା ଦାୟିତ୍ବ ବିଇଏମସି ହାତରେ ରହିବ । ୩ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ହୋଇଛି କେନ୍ଦ୍ର । ସହର ସମେତ ଆଖପାଖ ପଞ୍ଚାୟରୁ ମଳକୁ ସଂଗ୍ରହ କରାଯାଇ ଏହାର ଉପଚାର କରିବା ସହ ଏହାର ଖତକୁ ଚାଷ କାମରେ ବ୍ୟବହାର କରାଯିବ । ପୂର୍ବରୁ ମହୁଡ଼ାରେ ଏକ ମଳ ଉପଚାର କେନ୍ଦ୍ର ରହିଛି । ଏଠାରେ ପ୍ରତିଦିନ ୪୦ ଏମଏଲଡି ମଳ ଉପଚାର କରାଯାଉଛି । ଶୀତଳାପଲ୍ଲୀରେ ପ୍ରତିଦିନ ୬୦ ଏମଏଲଡି ମଳ ଉପଚାର କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କିନ୍ନର ଓ ଏସଏଚଜି ମାଆ ।

ଏହି ମଳଉପଚାର କେନ୍ଦ୍ର ଦ୍ବାରା ବ୍ରହ୍ମପୁର ସହରର ପ୍ରାୟ ୮୦ ହଜାର ପରିବାର ଉପକୃତ ହେବେ । ଏହାର ପରିଚାଳନା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ତାଲିମ ଦିଆଯାଇଛି । ସହର ଉପକଣ୍ଠରେ ଏହି ଦୁଇଟି ମଳ ଉପଚାର କେନ୍ଦ୍ର ହେବା ଫଳରେ ସହରକୁ ଆହୁର ସ୍ବଚ୍ଛ ରଖିବା ଦିଗରେ ଏହା ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ । ଏହି କେନ୍ଦ୍ର ଦ୍ବାରା ୧୫ ବର୍ଷ ପର୍ଯ୍ୟନ୍ତ ସହରରେ ମଳ ଉପଚାରର କୌଣସି ସମସ୍ୟା ରହିବ ନାହିଁ ବୋଲି ଆଶା ରଖିଛି ବିଇଏମସି ।

ନିଜ ସଂସଦୀୟ କ୍ଷେତ୍ର ପାଇଁ କିଛି କରୁନାହାନ୍ତି, କିନ୍ତୁ ଶ୍ରେୟ ନେବାକୁ ତତ୍ପର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଖୋର୍ଦ୍ଧା: ନିଜ ସଂସଦୀୟ କ୍ଷେତ୍ର ପାଇଁ କିଛି କରୁନାହାଁନ୍ତି । ଲୋକଙ୍କୁ ଭେଟି ସମସ୍ୟା ଶୁଣୁନାହାଁନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ସଫଳ ପ୍ରୟାସରେ ବାହାବା ନେବାକୁ ଆଗେଇ ଆସୁଛନ୍ତି ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏବେ ଖୋର୍ଦ୍ଧା ଅଟ୍ରିଠାରେ ରେଳ ପାସେଞ୍ଜର ହଲ୍ଟ ହେବାକୁ ଯାଉଥିବାବେଳେ ଏହାର ଶ୍ରେୟ ନେବାକୁ ଆଗେଇ ଆସିଛନ୍ତି ମ୍ୟାଡାମ ଅପରାଜିତା । ଯାହାକୁ ସ୍ଥାନୀୟ ବାସିନ୍ଦା ଘୋର ନିନ୍ଦା କରିଛନ୍ତି । ଅଟ୍ରିଠାରେ ରେଳ ପାସେଞ୍ଜର ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ନା କେବେ ସେ ସଂସଦରେ ଏହାକୁ ଉଠାଇଛନ୍ତି ନା ରେଳବାଇକୁ ଏ ସଂପର୍କରେ ଅବଗତ କରି ଅପଡେଟ୍ ନେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ସଫଳ ପ୍ରୟାସ କରାଯାଇଥିବାବେଳେ କ୍ରେଡିଟ୍ ନେବାକୁ ଅପରାଜିତାଙ୍କ ଆଗ୍ରହକୁ ସବୁ ମହଲେ ନିନ୍ଦା କରାଯାଇଛି ।

ଅଟ୍ରିଠାରେ ରେଳ ପାସେଞ୍ଜର ହଲ୍ଟ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବିଜେଡି ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ୨୦୨୦ ମସିହା ଜାନୁଆରୀ ୧୫ ତାରିଖରେ ଅନୁରୋଧ କରିଥିଲେ । ବିଜେଡି ସାଂସଦ ମଧ୍ୟ ଦାବିକୁ ପୂରଣ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତତକ୍ଷଣାତ ସସ୍ମିତ ଏହି ଦାବିକୁ ସଂସଦର ବଜେଟ ଅଧିବେଶନ ଚାଲୁଥିବା ସମୟରେ ଉପସ୍ଥାପନ କରି ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କରୋନା ସମୟ ଭିତରେ ତାହା ବିଳମ୍ବ ହୋଇଥିଲେ ମଧ୍ୟ ରେଳବାଇ ପକ୍ଷରୁ ଆବଶ୍ୟକୀୟ ସର୍ଭେ କରାଯାଇ ଅଟ୍ରିଠାରେ ଏକ ପାସେଞ୍ଜର ହଲଟ ପାଇଁ ଅନୁମୋଦନ ମିଳିଲା। ଯାହା ରେଳବାଇ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଯାହାକୁ ନେଇ ରାଜ୍ୟ ସରକାର ଓ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।

କିନ୍ତୁ କିଛି ନକରି ବାହାବା ନେବାକୁ ଅପରାଜିତା ଆଗେଇ ଆସିବା ଘଟଣାକୁ ଅଟ୍ରିବାସୀ ସମାଲୋଚନା କରିଛନ୍ତି । କଥା ଦେଇ କଥା ରଖିଥିବାରୁ ସମସ୍ତେ ବିଜେଡି ସାଂସଦ ସସ୍ମିତ ପାତଙ୍କ ପ୍ରଶଂସା କରିଛନ୍ତି ।

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ ଟଙ୍କା

ଭୁବନେଶ୍ୱର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଗସ୍ତରେ ଥିବା 5T ସଚିବ ଭିକେ ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମ ପୀଠ ଖୀଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ପରେ ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ‘Development of Vir Surendra Sai Birth Place at Khinda, Samabalpur’ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି ପ୍ରକଳ୍ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ବିକାଶ  ହେବ । ୧.୯୪୫ ଏକର  ଜମିରେ ହେବାକୁ ଥିବା ଏହି  ପ୍ରକଳ୍ପରେ ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହ ସ୍ମୃତି ସଦନ ମଧ୍ୟ ନିର୍ମାଣ କରାଯିବ ।

ସେଠାରେ ଥିବା ସଂଗ୍ରହାଳୟ ଓ ପାଠାଗାରର ପୁନରୁଦ୍ଧାର କରାଯିବ । ଉଦ୍ୟାନର ବିକାଶ କରାଯିବ । ସୁନ୍ଦର ଭାବରେ ଆଲୋକୀକରଣ ମଧ୍ଯ କରାଯିବ । ସେଠାରେ ଥିବା ମଞ୍ଚ ଓ ସମାବେଶ ସ୍ଥଳର ମଧ୍ୟ ଉନ୍ନତିକରଣ କରାଯିବ । ବୀର ସୁରେନ୍ଦ୍ର ସାଏ ଓଡ଼ିଆ ଜାତିର ପ୍ରାତସ୍ମରଣୀୟ ବକ୍ତିତ୍ୱ । ବୀର ସୁରେନ୍ଦ୍ର ସାଏ ତାଙ୍କର ଦୃଢ ନେତୃତ୍ୱ, ବିଚକ୍ଷଣ ରଣ କୌଶଳ ଯୋଗୁଁ ବ୍ରିଟିଶ ସରକାରଙ୍କ ନିଦ ହଜାଇ ଦେଇଥିଲେ । ସେହି ମହାନ ସଂଗ୍ରାମୀଙ୍କର ଜନ୍ମସ୍ଥଳୀ ଖୀଣ୍ଡା, ପ୍ରତି ଓଡ଼ିଆଙ୍କ ପାଇଁ ଏକ ପବିତ୍ର ପୀଠ। ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହାନ ଅବଦାନ ଯୁବସମାଜକୁ ସର୍ବଦା ପ୍ରେରଣା ଦେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କଥା ଦେଇ କଥା ରଖିଲେ 5T ସଚିବ, ଝଲସିବ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଐତିହାସିକ ପୀଠ

ନବରଙ୍ଗପୁର: କଥା ଦେଇ କଥା ରଖିଲେ 5T ସଚିବ ଭିକେ ପାଣ୍ଡିଆନ । ଝଲସିବ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଐତିହାସିକ ପୀଠ । ଜିଲ୍ଲାର ୭ଟି ପ୍ରକଳ୍ପ ପାଇଁ ୨୧ କୋଟି ୮୮ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଚନ୍ଦନଧାରା ଜଳପ୍ରପାତ ପାଇଁ ୩.୭୩ କୋଟି ଟଙ୍କା, ପୋଡ଼ାଗଡ଼ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୨.୯୬ କୋଟି ଟଙ୍କା, ମାଣ୍ଡାଡଙ୍ଗରୀ ପର୍ଯ୍ୟଟନ ସ୍ଥଳୀ ପାଇଁ ୨.୨୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ସେହିପରି ଭାସ୍କେଲ ଡ୍ୟାମ ପାଇଁ ୫.୬୭ କୋଟି ଟଙ୍କା, ଭଇଁରାଘୁମର ଜଳପ୍ରପାତ ପାଇଁ ୩.୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । 5T ସଚିବଙ୍କ ନିର୍ଦ୍ଦେଶ ପରେ ସମସ୍ତ ସ୍ଥାନର ସମୀକ୍ଷା କରିଛି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ । ସେହିପରି ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ବିକ୍ରି ବଟା ପାଇଁ ମିଶନ ଶକ୍ତି ମାଆଙ୍କୁ ଗୁରୁତ୍ଵ ଦିଆଯିବ । ନିଜେ ତିଆରି କରୁଥିବା ଜିନିଷ ପତ୍ର ଏଠାରେ ବିକ୍ରି କରିବା ସହ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଗତ ମାର୍ଚ୍ଚ ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇଥିଲେ 5T ସଚିବ । ଜିଲ୍ଲାର ୪ଟି ପର୍ଯ୍ୟଟନ ସ୍ଥଳୀ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ କମିଟି ଓ ପୂଜକଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ଥିବା ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ ନେଇ ଦାବି ରଖିଥିଲେ ସ୍ଥାନୀୟ ଲୋକ । ଖୁବଶୀଘ୍ର ଟଙ୍କା ମଞ୍ଜୁର କରାଯିବା ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ । ଏବେ ଅର୍ଥ ଅନୁମୋଦନ ପରେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

ମୋଦି ସରନେମ ମାମଲା, ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ରାହୁଲ

ନୂଆଦିଲ୍ଲୀ: ମୋଦି ସରନେମ ମାନହାନୀ ମାମଲା । ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ତଳକୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ କାଏମ ରଖିବା ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ ଗାନ୍ଧୀ । ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ଲୋକସଭାରୁ ଅଯୋଗ୍ୟ ଘୋଷଣା ହୋଇଥିଲେ ରାହୁଲ ଗାନ୍ଧୀ । ରାହୁଲ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ତଳ କୋର୍ଟ ତାଙ୍କ ବିରୋଧରେ ଅତ୍ୟଧିକ କଠୋର ଆଭିମୁଖ୍ୟ ରଖିଛନ୍ତି । ସୁରଟ କୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ସାଂସଦ ସଦସ୍ୟତା ବାତିଲ ହେବାର କିଛି ଦିନ ପରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା । କିଛିଦିନ ତଳେ ଦଣ୍ଡାଦେଶ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ପରେ ହାଇକୋର୍ଟରୁ ମଧ୍ୟ ରାହୁଲ ଗାନ୍ଧୀ ନିରାଶ ହୋଇଥିଲେ । ୨୦୧୯ରେ ମୋଦି ସରନେମକୁ ନେଇ ବୟାନ ଦେବା ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଥିଲା ।

ଦିଲ୍ଲୀ ବୁଡ଼ାଇବାକୁ ବଡ଼ ଷଡ଼ଯନ୍ତ୍ର, ରାଜନୀତିର ଗନ୍ଧ ବାରିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବନ୍ୟାକୁ ନେଇ ସେପଟେ ରାଜନୀତି ଆରମ୍ଭ ହୋଇଯାଇଛି  । ତିନି ଦିନ ବର୍ଷା ହୋଇନଥିବାବେଳେ ଦିଲ୍ଲୀକୁ ଏତେ ପାଣି କେମିତି ଆସିଲା ବୋଲି ପ୍ରଶ୍ନ କରିଛି ଆମ ଆଦମୀ ପାର୍ଟି । ଦିଲ୍ଲୀକୁ ଷଡ଼ଯନ୍ତ୍ର କରି ବୁଡିବାକୁ ପ୍ଲାନ କରାଯାଇଛି ବୋଲି ଅଭିଯୋଗ କରିଛି ଆପ୍ । ହରିୟାଣା ହଥନିକୁଣ୍ଡ ଜଳ କାହିଁକି ଦିଲ୍ଲୀକୁ କେବଳ ଛଡ଼ାଗଲା ବୋଲି ପଚାରିଛି ଦଳ । ହଥନିକୁଣ୍ଡ ପାଣି ଛଡ଼ାଯିବାକୁ ତିନିଟି କେନାଲ ଅଛି । କାହିଁକି କେବଳ ଯମୁନା ଓ ପୂର୍ବ କେନାଲକୁ ପାଣି ଛଡ଼ାଯାଉଛି । ଯେଉଁଠିକି ପଶ୍ଚିମ କେନାଲକୁ କାହିଁକି ପାଣି ଆଦୌ ଛଡାଯାଉନି ବୋଲି ପ୍ରଶ୍ନ କରିଛନ୍ତି ଆପ୍ ନେତା ସୌରଭ ଭରଦ୍ବାଜ । କାହିଁକି ହରିୟାଣା ୟୁପିକୁ ପାଣି ଛଡ଼ାଯାଉନି  ।

ସେପଟେ ଜରୁରୀକାଳୀନ ମୁକାବିଲା ପାଇଁ ନିଯୁକ୍ତ ନୋଡାଲ ଅଫିସର ମନ୍ତ୍ରୀ ଅତିସୀଙ୍କ ଫୋନ ଉଠାଉନାହାଁନ୍ତି । ଥଇଥାନ ଶିବିରରେ ଖାଦ୍ୟପାନୀୟ ମିଳୁନାହିଁ । ଏହା କାରଣ ହେଉଛି ଅଫିସର ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରୁନାହାଁନ୍ତି । ତେଣୁ ଉକ୍ତ ଅଧିକାରୀ ଇସ୍ତଫା ଦେଇଦେବା ଉଚିତ୍ ବୋଲି ଦାବି କରିଛନ୍ତି ସୌରଭ । ମୋଟ ଉପରେ ଦିଲ୍ଲୀ ବନ୍ୟାକୁ ନେଇ ବିଜେପି ରାଜନୀତି କରୁଛି । କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ, ରାଜଘାଟ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବୁଡାଇ ଦିଆଯିବାକୁ ଖାସ୍ ଷଡ଼ଯନ୍ତ୍ର ହୋଇଛି ବୋଲି କହିଛନ୍ତି ସୌରଭ ।

ସମ୍ବଲପୁର ଛୁଇଁବ ବିକାଶର ଶିଖର, ଦୁଇଦିନିଆ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ସମ୍ବଲପୁର: 5T ସଚିବ ଭିକେ ପାଣ୍ଡିଆନ ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି କୁଚିଣ୍ଡା ମୁକୁନ୍ଦି ସଭାସ୍ଥଳରେ ଉପସ୍ଥିତ ଲୋକଙ୍କ ସମସ୍ୟା ବୁଝିଛନ୍ତି । ସମସ୍ୟା ସମ୍ପର୍କିତ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ । ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ଆସନ୍ତା ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପାନୀୟଜଳ ସମସ୍ୟାର ସମାଧାନ ୨୪ ଘଣ୍ଟା ମଧ୍ୟରେ କରାଯିବ । ବିଭିନ୍ନ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ସମସ୍ୟା ସାତ ଦିନ ମଧ୍ୟରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।

ଅନ୍ୟ ସମସ୍ତ ସମସ୍ୟାର ସମାଧାନ ଏକ ମାସ ମଧ୍ୟରେ କରାଯିବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟକୁ ଆସୁଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ୍ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ଜାରି । ଟ୍ୱିନ୍ ସିଟିରେ ସାଂଘାତିକ ସ୍ଥିତି । ଝାରସୁଗୁଡ଼ାରେ ବର୍ଷିଲା ୧୫୦ ମିଲିମିଟରରୁ ଅଧିକ ବର୍ଷା । ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ୨୧ ତାରିଖ ବେଳକୁ ଅବପାତରେ ପରିଣତ ହେବ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟ୍ରାଫିକ ସମସ୍ୟା ସହ କୃତ୍ରିମ ବନ୍ୟାର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା । ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ୱିନ୍ ସିଟିରେ ତୀବ୍ରରୁ ଅତି ତୀବ୍ର ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏବେବି ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଘର ରାସ୍ତା ସବୁ ଏକାକର ହୋଇଗଲାଣି । ଭୁବନେଶ୍ବର ରଥ ରୋଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ରାସ୍ତା ଉପରେ ୩ ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଅନେକ ଗାଡି ବର୍ଷା ପାଇଁ ବୁଡ଼ି ରହିଛି । ସେହିପରି ଇସ୍କନ, ଶିରିପୁର, ସୌଭାଗ୍ୟନଗର ସହ ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସକାଳ ୮.୩୦ରୁ ସାଢେ ୧୧ ସୁଦ୍ଧା ଝାରୁସୁଗୁଡ଼ାରେ ସର୍ବାଧିକ ୧୧୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ ୬୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ବରରେ ୩୫.୨, ବାଲେଶ୍ବରରେ ୧୩.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।