ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ୍ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ଜାରି । ଟ୍ୱିନ୍ ସିଟିରେ ସାଂଘାତିକ ସ୍ଥିତି । ଝାରସୁଗୁଡ଼ାରେ ବର୍ଷିଲା ୧୫୦ ମିଲିମିଟରରୁ ଅଧିକ ବର୍ଷା । ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ୨୧ ତାରିଖ ବେଳକୁ ଅବପାତରେ ପରିଣତ ହେବ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟ୍ରାଫିକ ସମସ୍ୟା ସହ କୃତ୍ରିମ ବନ୍ୟାର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା । ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ୱିନ୍ ସିଟିରେ ତୀବ୍ରରୁ ଅତି ତୀବ୍ର ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏବେବି ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଘର ରାସ୍ତା ସବୁ ଏକାକର ହୋଇଗଲାଣି । ଭୁବନେଶ୍ବର ରଥ ରୋଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ରାସ୍ତା ଉପରେ ୩ ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଅନେକ ଗାଡି ବର୍ଷା ପାଇଁ ବୁଡ଼ି ରହିଛି । ସେହିପରି ଇସ୍କନ, ଶିରିପୁର, ସୌଭାଗ୍ୟନଗର ସହ ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସକାଳ ୮.୩୦ରୁ ସାଢେ ୧୧ ସୁଦ୍ଧା ଝାରୁସୁଗୁଡ଼ାରେ ସର୍ବାଧିକ ୧୧୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ ୬୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ବରରେ ୩୫.୨, ବାଲେଶ୍ବରରେ ୧୩.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।