ନିଜ ସଂସଦୀୟ କ୍ଷେତ୍ର ପାଇଁ କିଛି କରୁନାହାନ୍ତି, କିନ୍ତୁ ଶ୍ରେୟ ନେବାକୁ ତତ୍ପର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଖୋର୍ଦ୍ଧା: ନିଜ ସଂସଦୀୟ କ୍ଷେତ୍ର ପାଇଁ କିଛି କରୁନାହାଁନ୍ତି । ଲୋକଙ୍କୁ ଭେଟି ସମସ୍ୟା ଶୁଣୁନାହାଁନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ସଫଳ ପ୍ରୟାସରେ ବାହାବା ନେବାକୁ ଆଗେଇ ଆସୁଛନ୍ତି ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏବେ ଖୋର୍ଦ୍ଧା ଅଟ୍ରିଠାରେ ରେଳ ପାସେଞ୍ଜର ହଲ୍ଟ ହେବାକୁ ଯାଉଥିବାବେଳେ ଏହାର ଶ୍ରେୟ ନେବାକୁ ଆଗେଇ ଆସିଛନ୍ତି ମ୍ୟାଡାମ ଅପରାଜିତା । ଯାହାକୁ ସ୍ଥାନୀୟ ବାସିନ୍ଦା ଘୋର ନିନ୍ଦା କରିଛନ୍ତି । ଅଟ୍ରିଠାରେ ରେଳ ପାସେଞ୍ଜର ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ନା କେବେ ସେ ସଂସଦରେ ଏହାକୁ ଉଠାଇଛନ୍ତି ନା ରେଳବାଇକୁ ଏ ସଂପର୍କରେ ଅବଗତ କରି ଅପଡେଟ୍ ନେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ସଫଳ ପ୍ରୟାସ କରାଯାଇଥିବାବେଳେ କ୍ରେଡିଟ୍ ନେବାକୁ ଅପରାଜିତାଙ୍କ ଆଗ୍ରହକୁ ସବୁ ମହଲେ ନିନ୍ଦା କରାଯାଇଛି ।

ଅଟ୍ରିଠାରେ ରେଳ ପାସେଞ୍ଜର ହଲ୍ଟ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବିଜେଡି ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ୨୦୨୦ ମସିହା ଜାନୁଆରୀ ୧୫ ତାରିଖରେ ଅନୁରୋଧ କରିଥିଲେ । ବିଜେଡି ସାଂସଦ ମଧ୍ୟ ଦାବିକୁ ପୂରଣ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତତକ୍ଷଣାତ ସସ୍ମିତ ଏହି ଦାବିକୁ ସଂସଦର ବଜେଟ ଅଧିବେଶନ ଚାଲୁଥିବା ସମୟରେ ଉପସ୍ଥାପନ କରି ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କରୋନା ସମୟ ଭିତରେ ତାହା ବିଳମ୍ବ ହୋଇଥିଲେ ମଧ୍ୟ ରେଳବାଇ ପକ୍ଷରୁ ଆବଶ୍ୟକୀୟ ସର୍ଭେ କରାଯାଇ ଅଟ୍ରିଠାରେ ଏକ ପାସେଞ୍ଜର ହଲଟ ପାଇଁ ଅନୁମୋଦନ ମିଳିଲା। ଯାହା ରେଳବାଇ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଯାହାକୁ ନେଇ ରାଜ୍ୟ ସରକାର ଓ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।

କିନ୍ତୁ କିଛି ନକରି ବାହାବା ନେବାକୁ ଅପରାଜିତା ଆଗେଇ ଆସିବା ଘଟଣାକୁ ଅଟ୍ରିବାସୀ ସମାଲୋଚନା କରିଛନ୍ତି । କଥା ଦେଇ କଥା ରଖିଥିବାରୁ ସମସ୍ତେ ବିଜେଡି ସାଂସଦ ସସ୍ମିତ ପାତଙ୍କ ପ୍ରଶଂସା କରିଛନ୍ତି ।