ମୋଦି ସରନେମ ମାମଲା, ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ରାହୁଲ

ନୂଆଦିଲ୍ଲୀ: ମୋଦି ସରନେମ ମାନହାନୀ ମାମଲା । ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ତଳକୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ କାଏମ ରଖିବା ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ ଗାନ୍ଧୀ । ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ଲୋକସଭାରୁ ଅଯୋଗ୍ୟ ଘୋଷଣା ହୋଇଥିଲେ ରାହୁଲ ଗାନ୍ଧୀ । ରାହୁଲ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ତଳ କୋର୍ଟ ତାଙ୍କ ବିରୋଧରେ ଅତ୍ୟଧିକ କଠୋର ଆଭିମୁଖ୍ୟ ରଖିଛନ୍ତି । ସୁରଟ କୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ସାଂସଦ ସଦସ୍ୟତା ବାତିଲ ହେବାର କିଛି ଦିନ ପରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା । କିଛିଦିନ ତଳେ ଦଣ୍ଡାଦେଶ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ପରେ ହାଇକୋର୍ଟରୁ ମଧ୍ୟ ରାହୁଲ ଗାନ୍ଧୀ ନିରାଶ ହୋଇଥିଲେ । ୨୦୧୯ରେ ମୋଦି ସରନେମକୁ ନେଇ ବୟାନ ଦେବା ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଥିଲା ।