ସ୍ବଚ୍ଛତା କ୍ଷେତ୍ରରେ ଆଉପାଦେ ଆଗକୁ ବଢ଼ିଲା ବ୍ରହ୍ମପୁର, ଶୀତଳାପଲ୍ଲୀରେ ଆରମ୍ଭ ହେଲା ମଳ ଉପଚାର କେନ୍ଦ୍ର

ବ୍ରହ୍ମପୁର: ସ୍ବଚ୍ଛତା ସାଙ୍ଗକୁ ଚାଷୀଙ୍କ ହେବ ଉନ୍ନତି । ବ୍ରହ୍ମପୁର ମହାନଗର ନିଗମର ନୂଆ ପଦକ୍ଷେପ । ଶୀତଳାପଲ୍ଲୀରେ ଆରମ୍ଭ ହେଲା ମଳ ଉପଚାର କେନ୍ଦ୍ର । ବ୍ରହ୍ମପୁର ସାଂସଦ, ବିଧାୟକ, ବିଇଏମସି କମିଶନର, ମେୟର ଏହାର ଶୁଭାରମ୍ଭ କରିବା ସହ ଏହାର ଦାୟିତ୍ବ କିନ୍ନର ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦେଇଛନ୍ତି । କିନ୍ତୁ ଏହାର ପରିଚାଳନା ଦାୟିତ୍ବ ବିଇଏମସି ହାତରେ ରହିବ । ୩ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ହୋଇଛି କେନ୍ଦ୍ର । ସହର ସମେତ ଆଖପାଖ ପଞ୍ଚାୟରୁ ମଳକୁ ସଂଗ୍ରହ କରାଯାଇ ଏହାର ଉପଚାର କରିବା ସହ ଏହାର ଖତକୁ ଚାଷ କାମରେ ବ୍ୟବହାର କରାଯିବ । ପୂର୍ବରୁ ମହୁଡ଼ାରେ ଏକ ମଳ ଉପଚାର କେନ୍ଦ୍ର ରହିଛି । ଏଠାରେ ପ୍ରତିଦିନ ୪୦ ଏମଏଲଡି ମଳ ଉପଚାର କରାଯାଉଛି । ଶୀତଳାପଲ୍ଲୀରେ ପ୍ରତିଦିନ ୬୦ ଏମଏଲଡି ମଳ ଉପଚାର କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କିନ୍ନର ଓ ଏସଏଚଜି ମାଆ ।

ଏହି ମଳଉପଚାର କେନ୍ଦ୍ର ଦ୍ବାରା ବ୍ରହ୍ମପୁର ସହରର ପ୍ରାୟ ୮୦ ହଜାର ପରିବାର ଉପକୃତ ହେବେ । ଏହାର ପରିଚାଳନା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ତାଲିମ ଦିଆଯାଇଛି । ସହର ଉପକଣ୍ଠରେ ଏହି ଦୁଇଟି ମଳ ଉପଚାର କେନ୍ଦ୍ର ହେବା ଫଳରେ ସହରକୁ ଆହୁର ସ୍ବଚ୍ଛ ରଖିବା ଦିଗରେ ଏହା ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ । ଏହି କେନ୍ଦ୍ର ଦ୍ବାରା ୧୫ ବର୍ଷ ପର୍ଯ୍ୟନ୍ତ ସହରରେ ମଳ ଉପଚାରର କୌଣସି ସମସ୍ୟା ରହିବ ନାହିଁ ବୋଲି ଆଶା ରଖିଛି ବିଇଏମସି ।