କଥା ଦେଇ କଥା ରଖିଲେ 5T ସଚିବ, ଝଲସିବ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଐତିହାସିକ ପୀଠ

1 min read

ନବରଙ୍ଗପୁର: କଥା ଦେଇ କଥା ରଖିଲେ 5T ସଚିବ ଭିକେ ପାଣ୍ଡିଆନ । ଝଲସିବ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଐତିହାସିକ ପୀଠ । ଜିଲ୍ଲାର ୭ଟି ପ୍ରକଳ୍ପ ପାଇଁ ୨୧ କୋଟି ୮୮ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଚନ୍ଦନଧାରା ଜଳପ୍ରପାତ ପାଇଁ ୩.୭୩ କୋଟି ଟଙ୍କା, ପୋଡ଼ାଗଡ଼ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୨.୯୬ କୋଟି ଟଙ୍କା, ମାଣ୍ଡାଡଙ୍ଗରୀ ପର୍ଯ୍ୟଟନ ସ୍ଥଳୀ ପାଇଁ ୨.୨୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ସେହିପରି ଭାସ୍କେଲ ଡ୍ୟାମ ପାଇଁ ୫.୬୭ କୋଟି ଟଙ୍କା, ଭଇଁରାଘୁମର ଜଳପ୍ରପାତ ପାଇଁ ୩.୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । 5T ସଚିବଙ୍କ ନିର୍ଦ୍ଦେଶ ପରେ ସମସ୍ତ ସ୍ଥାନର ସମୀକ୍ଷା କରିଛି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ । ସେହିପରି ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ବିକ୍ରି ବଟା ପାଇଁ ମିଶନ ଶକ୍ତି ମାଆଙ୍କୁ ଗୁରୁତ୍ଵ ଦିଆଯିବ । ନିଜେ ତିଆରି କରୁଥିବା ଜିନିଷ ପତ୍ର ଏଠାରେ ବିକ୍ରି କରିବା ସହ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଗତ ମାର୍ଚ୍ଚ ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇଥିଲେ 5T ସଚିବ । ଜିଲ୍ଲାର ୪ଟି ପର୍ଯ୍ୟଟନ ସ୍ଥଳୀ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ କମିଟି ଓ ପୂଜକଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ଥିବା ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ ନେଇ ଦାବି ରଖିଥିଲେ ସ୍ଥାନୀୟ ଲୋକ । ଖୁବଶୀଘ୍ର ଟଙ୍କା ମଞ୍ଜୁର କରାଯିବା ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ । ଏବେ ଅର୍ଥ ଅନୁମୋଦନ ପରେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।