ବୟସ କମ୍ କିନ୍ତୁ ବୁଦ୍ଧିରେ ଦେଖାଇଲେ କମାଲ, ୧୭ ସେକେଣ୍ଡରେ କହିଲେ ଓଡ଼ିଶାର ପ୍ରସିଦ୍ଧ ୩୩ କବିଙ୍କ ଉପାଧି

ଭୁବନେଶ୍ୱର: ସାନ ସିନା କାମ ତା’ର ମହାନ । କମ୍ ବୟସ କିନ୍ତୁ ବୁଦ୍ଧିରେ ଦେଖାଇଛନ୍ତି କମାଲ । ମାତ୍ର ୩ ବର୍ଷ ୫ ମାସ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନାଁ ରଖିଲେ ଟ୍ୟାଲେଣ୍ଟ ଗାର୍ଲ ଦେବାଂଶୀ ହୋତା । ଓଡ଼ିଶାର ପ୍ରସିଦ୍ଧ ୩୩ ଜଣ କବିଙ୍କ ଉପାଧିକୁ ଏକ ମିନିଟ ୧୭ ସେକେଣ୍ଡରେ ଅନର୍ଗଳ କହି ରେକର୍ଡ କରି ଦେଖାଇଛନ୍ତି ଦେବାଂଶୀ । ଏହାସହ ଓଡ଼ିଶାର ବିଭିନ୍ନ ନଦୀର ନାଁ, ଜିଲ୍ଲାର ନାମ, ଦେଶ ଓ ବିଦେଶର ରାଜଧାନୀର ନାମ, ଜଗନ୍ନାଥଙ୍କ ବେଶ, ଶ୍ଳୋକ ଆଦିକୁ କମ୍ ସମୟରେ ଉତ୍ତର ଦେଉଛନ୍ତି ଦେବାଂଶୀ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ମଖଲପୁର ଗ୍ରାମର ଦେବାଂଶୀ ହୋତା । ୨ ଡିସେମ୍ବର ୨୦୧୯ରେ ତାଙ୍କର ଜନ୍ମ । ବାପା ରାଜେନ୍ଦ୍ର ହୋତା ଜଣେ ଚିତ୍ର ଶିଳ୍ପୀ ଓ ମାଆ ନମିତା ପାଣି ଗୃହିଣୀ । ଦେବାଂଶୀଙ୍କ ସହ ପରିବାର ଏବେ ଭୁବନେଶ୍ୱରରେ ରହୁଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଦେବାଂଶୀଙ୍କୁ ଯେତେବେଳେ ଦୁଇବର୍ଷ ସେତେବେଳେ ଏକ ଛୋଟ କବିତାକୁ ମନେ ରଖି ପାରୁଥିବା ଦେଖି ଦେବାଂଶୀଙ୍କ ମାଆ ତାକୁ ଏହି ସବୁ ଜ୍ଞାନ ଶିକ୍ଷା ଦେଇଥିଲେ । ଏହି ରେକର୍ଡ ପରେ ଏବେ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବାକୁ ଚେଷ୍ଟା ଜାରି ରଖିଛନ୍ତି । କମ୍ ବୟସରୁ ଏଭଳି ସଫଳତା ହାସଲ କରିଛନ୍ତି ଦେବାଂଶୀ । କେବଳ ଜ୍ଞାନ ନୁହେଁ ପାଠରେ ମଧ୍ୟ ଭଲ ପଢୁଛି ଓ ବାପାଙ୍କ ଭଳି ଚିତ୍ର ଆଙ୍କିବା ମଧ୍ୟ ସଉକ ରହିଛି ।