spot_img
Home Blog Page 2803

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି

ଗୁରୁବାରଠାରୁ ମୁମ୍ବାଇରେ ଦୁଇଦିନିଆ ’I.N.D.IA’ ମେଣ୍ଟର ସମ୍ମିଳନୀ । ପ୍ରସ୍ତୁତ ହୋଇପାରେ ୨୦୨୪ ରଣନୀତି । ସାମିଲ ହେବେ ୬ ମୁଖ୍ୟମନ୍ତ୍ରୀ ସମେତ ୨୬ ଦଳର ନେତା । ବୈଠକରେ ଇଣ୍ଡିଆମେଣ୍ଟରେ ଅଧିକ ଦଳଙ୍କୁ ସାମିଲ କରିବା ସହ ଆସନ ବୁଝାମଣା ନେଇ ହୋଇପାରେ ଆଲୋଚନା । ସମ୍ମିଳନୀ ଲାଗି ମୁମ୍ବାଇରେ ପହଞ୍ଚିଛନ୍ତି ବହୁ ହେଭିଓ୍ବେଟ । ୨୦୨୪ ପୂର୍ବରୁ ରୋଡମ୍ୟାପ  ପ୍ରସ୍ତୁତ ହେଉଛି। ଏନଡିଏ ବିରୋଧରେ ଇଣ୍ଡିଆ ମେଣ୍ଟର ମେଗାମେଳି । ମୁମ୍ବାଇରେ ଦମ୍ ଦେଖାଇବ ଇଣ୍ଡିଆନ ନ୍ୟାସନାଲ ଡେଭଲେପମେଣ୍ଟାଲ ଇନକ୍ଲୁସିଭ ଆଲାଏନସ ।

ଦରବୃଦ୍ଧି, ଛଟେଇ, ବେକାରୀ ବିରୋଧରେ ଚାଲିବ ଅଭିଯାନ । ବୈଠକରେ ସାମିଲ ହୋଇପାରନ୍ତି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୬ଟି ଜାତୀୟ ଦଳ ଓ ଆଞ୍ଚଳିକ ଦଳର ନେତା । ବୈଠକରେ ’I.N.D.IA’ ମେଣ୍ଟରେ ଅଧିକ ଦଳଙ୍କୁ ସାମିଲ କରିବା ସହ ଆସନ ବୁଝାମଣା ନେଇ ହୋଇପାରେ ବୁଝାମଣା । ମେଣ୍ଟର ଲୋଗୋ ବି ହୋଇପାରେ ଚୂଡ଼ାନ୍ତ । ପାଟନା ଓ ବେଙ୍ଗାଳୁରୁ ପରେ ମୁମ୍ବାଇ ବୈଠକକୁ ନେଇ ବଢିଛି କଳ୍ପନାଜଳ୍ପନା । ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିସାରିଛନ୍ତି ଶରଦ ପାଓ୍ବାର, ଲାଲୁ ପ୍ରସାଦ ଯାଦବ, ମମତା ବାନାର୍ଜୀ ପ୍ରମୁଖ ନେତା । ବୈଠକରେ ମୁମ୍ବାଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ବି ସମ୍ବର୍ଦ୍ଧନା ଦିଆଯିବ ।

ସୋନପୁର ବିଜେପିରେ ଫାଟ

ସୋନପୁର: ସୋନପୁର ବିଜେପିରେ କଳି । ଗତ ୨୮ତାରଖରେ ବଳରାମ ସିଂ ଯାଦବ ଓ ବଳଦେବ ବେଦବାକ ପ୍ରମୁଖ ବିଜେପିର ପୋଷ୍ଟର ବ୍ୟାନର ଧରି ଜିଲ୍ଲାର ତିନୋଟି ବ୍ଲକରେ ଆନ୍ଦୋଳନ କରିବା ସହିତ ଗୋଟିଏ ଲେଖାଏଁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହାକୁ ନେଇ ସୁବର୍ଣ୍ଣପୁର ବିଜେପି ସଭାପତି ଓ କିଛି କାର୍ଯ୍ୟକର୍ତ୍ତା ଏକ ସାମ୍ବାଦିକ ସମ୍ମୀଳନି କରି ସେମାନଙ୍କ ଉପରେ ବର୍ଷିଥିଲେ । ବଳରାମ ସିଂ ଯାଦବ ଓ ବଲଦେବ ବେଦବାକ ବିଜେପିର ପ୍ରାଥମିକ ସଦସ୍ୟ ନଥିବା ବେଳେ କିପରି ଭାବରେ ବିଜେପିର ପୋଷ୍ଟର ଓ ବ୍ୟାନର ଲଗାଇ ଆନ୍ଦୋଳନ କଲେ ବୋଲି ପ୍ରଶ୍ନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଟାନ ପାଇଁ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ।

ବିଜେପି ସହ ଲିଙ୍କରେ ଅଛନ୍ତି ମାୟାବତୀ: ଶରଦ ପାଓ୍ବାର

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଆାରମ୍ଭ ହୋଇଛି ମେଣ୍ଟ । I.N.D.I.A  ଘନ ଘନ ବୈଠକ କରୁଥିବାବେଳେ ରଣନୀତି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଜଣକ ପରେ ଜଣେ ନେତା ବିଜେପି ଲିଙ୍କରେ ରହୁଥିବା ଭଳି ଖବର ନଜରକୁ ଆସୁଛି । ବୁଧବାର ଏନସିପି ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି କି ବିଏସପି ସୁପ୍ରିମୋ ମାୟାବତୀ ବିଜେପି ସହ ଲିଙ୍କରେ ରହିଛନ୍ତି । ସେ ବିଜେପି ସହ ଆଲୋଚନା ମଧ୍ୟ କରୁଛନ୍ତି । ସେପଟେ ବିଜେପି ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି ଯେ ସେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସମେତ ଚାରିଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଏବଂ ନିଜେ ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏଥି ସହ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଅଣ-ବିଜେପି ଦଳର ମିଳିତ ମଞ୍ଚ ‘I.N.D.I.A’ରେ ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ”I.N.D.I.A ‘ର ଅନେକ ଚେହେରା ଅଛନ୍ତି, କିନ୍ତୁ ବିଜେପି ପାଖରେ କେତେ? ଠାକୁର କହିଛନ୍ତି ଯେ ସମସ୍ତ ଦଳର ଆଦର୍ଶ ଭିନ୍ନ ହୋଇପାରେ, କିନ୍ତୁ ଆମେ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏକାଠି ହୋଇଛୁ।

 

ମାଆକୁ ଖୋଜି ଥାନାରେ ପହଞ୍ଚିଲା ବାଛୁରୀ, ୪ ଦିନ କାନ୍ଦି କାନ୍ଦି ଅବସ୍ଥା ହେଲା ବେହାଲ୍

ଭଦ୍ରକ: ଦୁନିଆର ସବୁଠୁ ସୁନ୍ଦର ସମ୍ପର୍କ ମାଆ ସହ ପିଲାର। ମାଆଠୁ ଅଲଗା ହେବାର କଷ୍ଟ ଅବର୍ଣ୍ଣନୀୟ । ସେ ମଣିଷ ହେଉ କି ପଶୁ । ମାଆର ମମତାରେ ବନ୍ଧା ସଭିଏଁ । ମାଆକୁ ସବୁବେଳେ ଆଖପାଖରେ ଦେଖିବାକୁ ମଣିଷମାନେ ଯେତିକି ଚାହାନ୍ତି ପଶୁ ମାନେ ବି ସେତିକି ଚାହାନ୍ତି । ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ । ମାଆକୁ ଖୋଜି ଖୋଜି ଥାନାରେ ପହଞ୍ଚିଛି ବାଛୁରୀ । ଆଖିରୁ ଝରିପଡୁଛି ଧାରଧାର ଲୁହ। ବୋବେଇ ବୋବେଇ ତଣ୍ଟି ଶୁଖିଗଲାଣି। ଚାରି ଦିନ ହେଲା ନଖାଇ ନପିଈ ମାଆକୁ ଖୋଜିଖୋଜି ଶେଷରେ ଥାନାରେ ପହଞ୍ଚିଛି ଦୁଇ ମାସର କଅଁଳ ବାଛୁରୀ ଛୁଆ । ତା ସହ ମାଲିକ ବି ଥାନାର ଦ୍ବାରସ୍ଥ ହୋଇଛି। ଭଦ୍ରକର ରିତାରାଣୀ ମଲ୍ଲିକ ନିଜ ଗୁଜୁରାଣ ମେଣ୍ଟାଇବାପାଇଁ ଗାଈ ପଳିଥିଲେ। ଦୁଇ ମାସ ତଳେ ଗାଈଟି ଗୋଟିଏ ବାଛୁରୀକୁ ଜନ୍ମ ଦେଇଥିଲା। ରିତାରାଣି ଗାଈକୁ ପଦାରେ ଚରିବା ପାଇଁ ବାନ୍ଧିଥିବାବେଳେ କୌଣସି କାରଣରୁ ଗାଈଟି ଖୋଲିଯାଇ ସ୍ଥାନୀୟ ଜଣେ ଲୋକର ଚାଷ ଜମିକୁ ନଷ୍ଟ କରିଥିଲା। ଫଳରେ ସମ୍ପୃକ୍ତ ଚାଷୀ ଗାଇଟିକୁ ଅଟକ ରଖିଥିଲେ ଅନେକ ଅନୁରୋଧ ପରେ ବି ଛାଡିନଥିଲେ ।

୪ ଦିନ ହେବ ମାଆ ଘରକୁ ନଫେରିବାରୁ କାନ୍ଦି କାନ୍ଦି ବାଛୁରୀର ଅବସ୍ଥା ବେହାଲ୍। ବାଛୁରୀ ଛୁଆର ଦୁଃଖ ଦେଖି ଶେଷରେ ଥାନାର ଦ୍ବାରସ୍ଥ ହୋଇଥିଲେ ରିତାରାଣୀ । ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ସମ୍ପୃକ୍ତ ଚାଷୀକୁ ଥାନାକୁ ଡାକି ବୁଝାସୁଝା କରି ଗାଈ ଓ ବାଛୁରୀକୁ ଏକାଠି କରିଥିଲେ। ମାଆକୁ ପାଇବା ପରେ ବାଛୁରୀ ଛୁଆର ଖୁସି କହିଲେ ନସରେ । ସେପଟେ ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ କହିଛନ୍ତି ଅଧ୍ୟାପିକା ତଥା ଆଇନଜୀବୀ ରାଧାରାଣୀ ମହାପାତ୍ର ।

ଗଣିଆରେ ନିର୍ମାଣ ହେଲା ନୂତନ ବସଷ୍ଟାଣ୍ଡ, ଯାତାୟତ ସୁବିଧା ବଢିଥିବାରୁ ବେଶ୍ ଖୁସି ଅଞ୍ଚଳବାସୀ

ନୟାଗଡ଼: ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଟ୍ରାଫିକ ସମସ୍ୟାର ସମାଧାନ ହେବା ସହ ବିକାଶ ପଥରେ ସାମିଲ ହେଲା ଗଣିଆ ନୂଆ ବସଷ୍ଟାଣ୍ଡ। ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଠାରେ ରହିଛି ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ଶୌଚାଳୟ, ଶୁଦ୍ଧ ପାନୀୟ ଜଳ, ଆଲୋକୀକରଣ ଓ ବସ୍ ରହଣି ପାଇଁ ଅତ୍ୟାଧୁନିକ ପାର୍କିଂ ସୁବିଧା। ବିକାଶର ମାଇଲଖୁଣ୍ଟ ସାଜିବା ସହ ପୂର୍ବ-ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗର ମାଧ୍ୟମ ସାଜିଛି ଅତ୍ୟାଧୁନିକ ଗଣିଆର ନୂତନ ବସଷ୍ଟାଣ୍ଡ।

ଗଣିଆରେ ବସଷ୍ଟାଣ୍ଡ ଏବଂ ଯାତ୍ରୀ ଆଶ୍ରୟସ୍ଥଳୀ ନଥିବା ଯୋଗୁଁ ୩ଟି ବ୍ଲକର ହଜାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଗଣିଆ ବଜାରର ଟ୍ରାଫିକ ସମସ୍ୟା ବିଷୟରେ ଜଣାଇଥିଲେ। ସବୁ ସମସ୍ୟା ଜାଣିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଗଣିଆ ବଜାରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଏବେ ବେଶ୍ ଖୁସି ଅଞ୍ଚଳବାସୀ । ହାତ ପାହାନ୍ତାରେ ସବୁ କିଛି ସୁବିଧା ମିଳିବା ସହିତ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।

ଚନ୍ଦ୍ରଯାନ-୩ରେ ଓଡ଼ିଆ ବୈଜ୍ଞାନିକ, ଗଜପତି ଆନି କ୍ରିଷ୍ଣା ଚନ୍ଦ୍ରଯାନ-୩ ଯାତ୍ରାରେ ସାମିଲ

ଗଜପତି: ଚନ୍ଦ୍ରଯାନ-୩ ସଫଳତା ପଛରେ ଓଡ଼ିଆ ପୁଅ । ଅନେକ ବୈଜ୍ଞାନିକଙ୍କ ପରିଶ୍ରମ ଦ୍ବାରା ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଛି । ଏଥିରେ ଗଜପତି ପାରଳାଖେମୁଣ୍ଡିର ବୈଜ୍ଞାନିକ ଆନି କ୍ରିଷ୍ଣା ସାମିଲ ହୋଇଛନ୍ତି । ବିଶ୍ୱ ଇତିହାସରେ ଭାରତ ସ୍ଵର୍ଣ୍ଣମୟ ଅଧ୍ୟାୟ ସୃଷ୍ଟି କରିବାରେ ଆନି କ୍ରିଷ୍ଣାଙ୍କ ଅବଦାନକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି । ଆଉ ସେ ସମୟ ଅନୁଭୂତିକୁ ମନେପକାଇ ଭାବବିହ୍ୱଳ ହୋଇ ଉଠିଛନ୍ତି ଆନି କ୍ରିଷ୍ଣା ।

ଆନି କ୍ରିଷ୍ଣାଙ୍କ ବାପା ଥିଲେ ଜଣେ ପଶୁ ଚିକିତ୍ସକ । ତାଙ୍କ ବିୟୋଗ ପରେ ବହୁ କଷ୍ଟରେ ପାଠ ପଢିଥିଲେ ଆନି କ୍ରିଷ୍ଣା । ପାରଳାଖେମୁଣ୍ଡି ମହାରାଜା ବାଳକ ବିଦ୍ୟାଳୟ ପରେ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଶେଷ କରି ଖଡ଼ଗପୁର ଆଇଆଇଟିରେ ବିଜ୍ଞାନ ଟେକ୍ନୋଲୋଜି ପଢୁଥିବା ବେଳେ ଇସ୍ରୋରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ । ଆନି କ୍ରିଷ୍ଣା ସେନସର ଟେକ୍ନୋଲୋଜି ଓ ଆନିମେସନ ବିଭାଗରେ କାର୍ଯ୍ୟ କରିଛନ୍ତି ଯାହା ଚନ୍ଦ୍ରାୟନ ୩ରେ ଉପଯୋଗ ହୋଇଛି, ଏଥିରେ ଅଂଶଗ୍ରହଣ କରି ସେ ନିଜକୁ ଗର୍ବିତ ବୋଲି କହିଛନ୍ତି । ଆଗକୁ ସୂର୍ଯ୍ୟ ଉପରେ ଅନୁସନ୍ଧାନ କରିବାକୁ ଆଦିତ୍ୟ ଏଲ ଓ୍ବାନ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଏଥିପାଇଁ ଆଗ୍ରହ ଓ ଚ୍ୟାଲେଞ୍ଜ ସହ ଉଦ୍ୟମ ଜାରି ରହିଛି । ଇସ୍ରୋରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିବାରୁ ଆନି କ୍ରିଷ୍ଣାଙ୍କ ପରିବାର ବେଶ୍ ଖୁସି ।

ଦେଶ ପାଇଁ ଗର୍ବ ଆଣିବାରେ ଆନି କ୍ରିଷ୍ଣାଙ୍କ ଭୂମିକାକୁ କେବଳ ଅଞ୍ଚଳରେ ନୁହେଁ ସାରା ଭାରତରେ ପ୍ରଶଂସା କରାଯାଉଛି । ତାଙ୍କ ଉଦ୍ୟମରେ ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରୁଛି ।

 

ଉଦଘାଟନୀ ମ୍ୟାଚରେ ଖାଲି ପଡ଼ିଲା ସିଟ୍, ସୋସିଆଲ ମିଡିଆରେ ଟ୍ରୋଲ କଲେ ୟୁଜର୍ସ

ଇସଲାମବାଦ: ବୁଧବାରଠାରୁ ଆରମ୍ଭ ହୋଇଛି ଏସିଆ କପ । ଉଦଘାଟନୀ ମ୍ୟାଚରେ ଘରୋଇ ପାକିସ୍ତାନକୁ ସାମ୍ନା କରୁଛି ନେପାଳ। ପାକିସ୍ତାନ ଏସିଆ କପ ଆୟୋଜନ କରୁଥିବା ଘରୋଇ ଦଳର ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ମରୁଡ଼ି ପଡ଼ିଛନ୍ତି ଦର୍ଶକ । ଷ୍ଟାଡିୟମରେ ଖାଲି ପଡ଼ିଥିବାର ଫଟୋକୁ ସୋସିଆଲ ମିଡିଆରେ କିଛି ୟୁଜର୍ସ ପୋଷ୍ଟ କରି ପାକିସ୍ତାନକୁ ଟ୍ରୋଲ କରିଛନ୍ତି । ତେବେ ଏହି ପୋଷ୍ଟ ଗୁଡ଼ିକ ଅଧିକାଂଶ ୟୁଜର୍ସ ଲାଇକ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି ।  ସବୁଠାରୁ ବଡ଼ ମ୍ୟାଚ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଯାଉଛି । ଏହି ମ୍ୟାଚ ପାଇଁ ପ୍ରଂଶସକମାନେ ଆଗୁଆ ଟିକେଟ କାଟିସାରିଛନ୍ତି । ମାତ୍ର ପାକିସ୍ତାନରେ ଘରୋଇ ଦଳ ଖେଳୁଥିବାବେଳେ ଦର୍ଶକଙ୍କ ସଂଖ୍ୟା ବହୁତ କମ ରହିବାକୁ କ୍ରୀଡ଼ା ସମୀକ୍ଷକମାନେ ସମାଲୋଚନା କରିଛନ୍ତି ।

ବଲାଙ୍ଗୀରରେ ନକଲି କପଡ଼ା ଗୋଦାମରେ ରେଡ୍, ୪୫ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡେଡର ପୋଷାକ ଜବତ

ବଲାଙ୍ଗୀର: ବଲାଙ୍ଗୀର ଲଖାନି ନ୍ୟୁ ଗାରମେଣ୍ଟ କପଡା ଗୋଦାମରେ ଚାଲିଥିଲା ନକଲି ସାମଗ୍ରୀ କାରବାର । ଚଢାଉ କରି ପାଖାପାଖି ୪୫ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡେଡର ପୋଷାକ ଜବତ କରିଛି ବଲାଙ୍ଗୀର ପୋଲିସ । ଗତକାଲି ରାତିରେ ବଲାଙ୍ଗୀର ଟାଉନ ଥାନା ପୋଲିସ ଚଢ଼ାଉ କରି ନକଲି ସାମଗ୍ରୀ ଜବତ କରିଛି । କିଛି ବ୍ରାଣ୍ଡେଡ୍ କମ୍ପାନୀ ତରଫରୁ ଏନେଇ ଅଭିଯୋଗ ପରେ ରେଡ୍ କରିଥିଲା ପୋଲିସ । ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜେଶ କୁମାର ଲଖାନିକୁ ହେପାଜତକୁ ନେଲା ତଦନ୍ତ କରୁଛି ପୋଲିସ ।

କର୍ଣ୍ଣାଟକରେ ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଗୃହଲକ୍ଷ୍ମୀ ଯୋଜନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଗୃହଲକ୍ଷ୍ମୀ ଯୋଜନା । ମହୀଶୂରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନେ ଖଡଗେ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସମାବେଶରେ ଯୋଗ ଦେଇ ରାହୁଲ କହିଛନ୍ତି ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଯିବ । କର୍ଣ୍ଣାଟକ ସରକାର ଏହି ଗ୍ୟାରେଣ୍ଟି ଦେଇଥିଲେ । ଶକ୍ତି ଯୋଜନା ଅନୁସାରେ ବସରେ ଯିବା ଲାଗି ମହିଳାଙ୍କୁ ଟଙ୍କା ଦେବାକୁ ପଡିବନି । ଅନ୍ନଭାଗ୍ୟ ଯୋଜନାରେ ପ୍ରତି ପରିବାରକୁ ୧୦ କେଜି ଚାଉଳ ଦିଆଯାଉଛି । ଗୃହଜ୍ୟୋତି ଯୋଜନାରେ ମାସିକ ୨୦୦ ୟୁନିଟ ବିଜୁଳି ମାଗଣା । ୫ଟି ଯୋଜନାରୁ ଚାରିଟି ଯୋଜନା ମହିଳାଙ୍କ ଲାଗି ଉଦ୍ଦିଷ୍ଟ । ଯୁବାନିଧି ଯୋଜନା ବି ଯୁବବର୍ଗର ଆଶାକୁ ପୂରଣ କରିଛି ବୋଲି ସେ କହିଛନ୍ତି ।

ରାହୁଲ କହିଛନ୍ତି- ସାରାଦେଶରେ ଯେଉଁ ବିକାଶ କାମ ଚାଲିଛି ତାହା ମାତ୍ର ଦୁଇ ତିନିଜଣଙ୍କୁ ହିଁ ଉପକୃତ କରୁଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି କରିବା ଯୋଗୁ ଏହାର ପ୍ରଭାବ ମହିଳାଙ୍କ ଉପରେ ପଡୁଛି ବୋଲି ରାହୁଲ କହିଥିଲେ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି- ସାରା ଦେଶ ଲାଗି କର୍ଣ୍ଣାଟକ ମଡେଲ ସାଜିବ ଉଦାହରଣ । ଏହି ଯୋଜନା ଜରିଆରେ ରାଜ୍ୟବାସୀଙ୍କ ଜୀବନ ଧାରଣର ମାନ, ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତନ ଘଟିବ । ରାଜ୍ୟରେ ସରକାର ଗଠନର ୧୦୦ ଦିନ ପୂର୍ତ୍ତି ଅବସରରେ ନିର୍ବାଚନ ବେଳେ କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରାଯିବ ବୋଲି ସେ କହିଛନ୍ତି । ଗୃହଲକ୍ଷ୍ମୀ ଯୋଜନାରେ ଉପକୃତ ହେବ ରାଜ୍ୟର ୧ କୋଟି ୩୦ ଲକ୍ଷ ମହିଳା । ରାଜ୍ୟ ରାଜକୋଷରୁ ବାର୍ଷିକ ୩୩ ହଜାର କୋଟି ଟଙ୍କା ବ୍ୟୟ ହେବ ।

ପୁରୀ ବେଳାଭୂମି ନିକଟ ରେଣୁକା ଗଳିରେ ଅଘଟଣ, ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ

ପୁରୀ: ଏମିତି ବି ମୃତ୍ୟୁ ଆସେ । ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ । ପୁରୀ ବେଳାଭୂମି ନିକଟ ରେଣୁକା ଗଳିରେ ଘଟିଛି ଅଘଟଣ । ଏକ ହୋଟେଲକୁ ଖାଇବାକୁ ଆସି ବସିଥିବାବେଳେ ହଠାତ ଟଳିପଡ଼ିଥିଲେ ଗ୍ରାହକ । ମୃତ୍ୟୁ ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ହୋଟେଲ ମାଲିକଙ୍କ କହିବା ଅନୁସାରେ ମୃତକ ଶ୍ରୀକାକୁଲମ ଅଞ୍ଚଳର । ସେ ସମୁଦ୍ରକୂଳ ରାସ୍ତାରେ ବସି ଜୋତା ସିଲାଇ କରୁଥିଲେ । ଗତ ୫ ବର୍ଷ ହେବ ସେ ସେହି ହୋଟେଲକୁ ଖାଇବାକୁ ଆସୁଥିଲେ । ସବୁଦିନ ଭଳି ଗତକାଲି ସନ୍ଧ୍ୟାରେ ଖାଇବାକୁ ଆସି ବସିଥିବାବେଳେ ଅଘଟଣ ଘଟିଥିଲା । ପ୍ରଥମେ ହୋଟେଲକୁ ଆସି ବିଚଳିତ ଦେଖାଯାଉଥିଲେ ସଂପୃକ୍ତ ବ୍ୟକ୍ତି । ପରେ ହଠାତ ସେଇଠି ହିଁ ଟଳିପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।