ଚର୍ଚ୍ଚାରେ ଭାରତୀୟ ବ୍ୟାଟରଙ୍କ ବୋଲିଂ

ନୂଆଦିଲ୍ଲୀ: ଅପରାଜେୟ ଭାରତ। ବିଶ୍ବକପର ଶେଷ ଲିଗ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ  । ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କଲା ରୋହିତ ବାହିନୀ । ୪୧୧ ରନକୁ ପିଛା କରି ୨୫୦ ରନରେ ଅଲଆଉଟ ହେଲା ନେଦରଲାଣ୍ଡସ । ଭାରତର ବୁମ୍ରା, ମହମ୍ମଦ ସିରାଜ, କୂଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ୨ ଲେଖାଏଁ ଓ୍ବିକେଟ ନେଇଥିବାବେଳେ ରୋହିତ ଶର୍ମା ଓ ବିରାଟ କୋହଲି ଗୋଟିଏ ଲେଖାଏ ଓ୍ବିକେଟ ନେଇଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ମ୍ୟାଚରେ ବୋଲିଂ କରିଥିଲେ ୯ ଜଣ ଖେଳାଳି। ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲଙ୍କୁ ଛାଡ଼ିଦେଲେ ଦଳର ବାକି ଖେଳାଳି ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।ଭାରତୀୟ ବ୍ୟାଟରମାନେ ପାର୍ଟ ଟାଇମ ବୋଲିଂ କରିଥିବାବେଳେ ଓ୍ବିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ବିଭିନ୍ନ ପୋଷ୍ଟମାନ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ । ଚଳିତ ବିଶ୍ବକପରେ ଭାରତ କରିଥିଲା ସର୍ବାଧିକ ସ୍କୋର । ଶ୍ରେୟସ ଆୟର ଓ କେ.ଏଲ ରାହୁଲ ଦମଦାର ଶତକ ସହାୟତାରେ ୫୦ ଓଭରରେ ୪ ଓ୍ବିକେଟ ହରାଇ ୪୧୦ ରନ କରିଥିଲା ଭାରତ । କେ.ଏଲ. ରାହୁଲ ୪ଟି ଛକା ଓ ୧୧ଟି ଚୌକା ସହାୟତାରେ ୬୪ ବଲରେ ୧୦୨ରନ ସଂଗ୍ରହ କରିଥିଲେ । ସେହିପରି ୯୪ବଲରେ ୫ଛକା ଓ ୧୦ଟି ଚୌକା ମାରି ୧୨୮ରନ କରିଥିଲେ ଶ୍ରେୟସ ଆୟର । ଶ୍ରେୟସ ଓ କେ ଏଲ ରାହୁଲଙ୍କ ୨୦୮ ରନ ପାର୍ଟନରସିପ ବଳରେ ଟିମ ଇଣ୍ଡିଆ ନେଦରଲାଣ୍ଡସ ଆଗରେ ବିଶାଳ ସ୍କୋର ଛିଡା କରିଥିଲା । ଭାରତୀୟ ହିସାବରେ ବିଶ୍ବକପରେ କେଏଲ ରାହୁଲଙ୍କ ଏହା ଦ୍ରୁତତମ ଶତକ । ସେହିପରି ୫୪ବଲରୁ ୬୧ରନ କରିଥିଲେ କ୍ୟାପଟେନ ରୋହିତ ଶର୍ମା । ରୋହିତଙ୍କ ଅର୍ଦ୍ଧଶତକୀୟ ଇନିଂସରେ ରହିଥିଲା ୨ଛକା ଓ  ୮ଟି ଚୌକା । କୋହଲି ୫୬ବଲରେ ୫୧ ଏବଂ ଶୁଭମନ ଗିଲ ୩୨ ବଲରେ ୫୧ରନ କରିଥିଲେ । ଜବାବରେ ୪୧୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲାଣ୍ଡସ । ନିୟମିତ ଭାବେ ଦଳର ଓ୍ବିକେଟ ପତନ ନେଦରଲାଣ୍ଡସକୁ ପରାଜୟ ଦ୍ବାରଦେଶକୁ ନେଇଯାଇଥିଲା । ଶେଷରେ ୨୫୦ ରନରେ ଦଳ ଅଲଆଉଟ ହୋଇଯାଇଥିଲା ।