ଇସ୍ତଫା ଦେଲେ ପାକିସ୍ତାନ ବୋଲିଂ କୋଚ

ଇସଲାମବାଦ: ପାକିସ୍ତାନ ବୋଲିଂ କୋଚ ମର୍ଣ୍ଣି ମର୍କେଲ ଇସ୍ତଫା ଦେଇଛନ୍ତି । ମାତ୍ର ୫ ମାସ ମଧ୍ୟରେ ସେ ଇସ୍ତଫା ଦେଇଛନ୍ତି । ଗତ ଜୁନ ମାସରେ ମର୍କେଲ ବୋଲିଂ କୋଚଭାବେ ଦାୟିତ୍ବ ଗ୍ରହଣ କରିଥିବାବେଳେ ୬ ମାସ ପାଇଁ ଚକ୍ତି କରିଥିଲେ । ଚଳିତ ବିଶ୍ବକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ସମାଲୋଚନା କରାଯାଉଛି । କୁହାଯାଉଥିଲା କି, ବାବର ଅଧିନାୟକ ପଦ ଛାଡ଼ିବେ । ମାତ୍ର ଏହା ପୂର୍ବରୁ ବୋଲିଂ କୋଚ୍ ଇସ୍ତଫା ଦେଇଥିବା ପିସିବି ତଥା ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମର୍କେଲଙ୍କ ସ୍ଥାନରେ ପାକିସ୍ତାନର ପୂର୍ବତନ ବୋଲର ଉମର ଗୁଲଙ୍କୁ ବୋଲିଂ କୋଚଭାବେ ନିଯୁକ୍ତ କରାଯାଇଛି ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ପାକିସ୍ତାନ ୪ ମ୍ୟାଚ ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଦଳ ସେମି ରେସରୁ ବାଦ ପଡ଼ିବା ସହ ଲଗାତାରା ପରାଜୟ ଦଳକୁ ସମାଲୋଚନାର ଶିକାର ସଜାଇଥିଲା । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦଳର ପରାଜୟକୁ ବହୁ କ୍ରିକେଟପ୍ରେମୀ ସହି ପାରିନଥିଲେ । ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମଧ୍ୟ ପରାଜୟ ବରଣ କରିବା ସହ ସେମି ରେସରୁ ବାଦ ପଡ଼ିଛି ପାକିସ୍ତାନ । ଦଳର ଖେଳାଳି ସାଙ୍ଗକୁ ଦିଗଜ କ୍ରିକେଟରମାନେ ନିଜର ପରାଜୟକୁ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ଭାରତର ବିଜୟକୁ ମଧ୍ୟ ସହିପାରୁନାହାନ୍ତି ।