ବୀର ଗୋବିନ୍ଦପୁର ମା’ ଦକ୍ଷିଣ କାଳୀଙ୍କ ପୀଠରେ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ଼

ପୁରୀ: କାଳୀ ପୂଜା ପାଇଁ ଚଳ ଚଞ୍ଚଳ ମା ଦକ୍ଷିଣ କାଳୀଙ୍କ ପୀଠ। ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା । ମାଙ୍କର ଦର୍ଶନ କରି କରୁଣା ଲାଭ କରିବା ପାଇଁ ବୀର ଗୋବିନ୍ଦପୁର ଗାଁରେ ହଜାର ହଜାର ଭକ୍ତଙ୍କର ଭିଡ ଜମିଛି। ରୀତିନୀତିରେ ମାଙ୍କ ଠାରେ ଦୁଇ ଗୋଟି ଛାଗ ବଳି ପଡିଥିବା ବେଳେ ମାଙ୍କର ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କର ସୁଅ ଛୁଟିଛି ।

ଧରାପୃଷ୍ଠରେ ଚାଲିଛି ମାଆ କାଳୀଙ୍କ ଆରାଧନା । ମନ୍ତ୍ରୋ ଉଚ୍ଚାରଣରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ରୀତିନୀତିରେ ଚାଲିଛି ମାଆଙ୍କ ନୀତିକାନ୍ତି । ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମାଆ ଦକ୍ଷିଣକାଳୀଙ୍କ ପୀଠ। ବହୁ ପୁରାତନ କାଳରୁ ମାଆ ଏଠାରେ ପୂଜା ପାଇ ଆସୁଛନ୍ତି । ରବିବାର ରାତି  ୧୧ ଟା ପରେ ମାଙ୍କର ଗୁପ୍ତ ପୂଜା ପାଇଁ  ମାଙ୍କ ପୋଖରୀରୁ  ଗୋଟି କଳସରେ ଜଳ ଅଣାଯିବାପରେ ମାଙ୍କୁ ସ୍ନାନ କରାଯାଇଥିଲା ।

ଏହାପରେ ପୂଜକ ଯନ୍ତ୍ର କାଟି ରୀତିନୀତିନୁସାରେ ପୂଜା କରିଥିଲେ। ସୋମବାର ସକାଳୁ ମାଆ ରାଜରାଜେଶ୍ଵରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ସେପଟେ ରୀତିନୀତି ଅନୁସାରେ ମାଙ୍କ ପୂଜା କରାଯିବା ପରେ ରାତିରେ ମାଙ୍କୁ ବିସର୍ଜନ କରାଯିବ ବୋଲି ସେବାୟତ କହିଛନ୍ତି। ମାଙ୍କୁ ଦର୍ଶନ କରିବା ଲାଗି ଏଠାରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଜମିଛି । ମାନସିକ ବଳି ଉପରେ ରୋକ୍ ଲଗାଯାଇଥିଲେ ବି ମାଙ୍କ କରୁଣା ଲାଭ ପାଇଁ ଭକ୍ତ ମାନଙ୍କ ଭିଡ଼ ଜମିଛି ପୀଠରେ । ସେପଟେ ଜନସମାଗମକୁ ଦୁଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।