ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲ ବ୍ରେଭରମ୍ୟାନ ବହିଷ୍କୃତ

ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ପଡିଲା ପାଲେଷ୍ଟାଇନକୁ ସମର୍ଥନ । ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ଗତ ସପ୍ତାହରେ ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନ ବେଳେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯେଉଁଥିରେ ସେ ଲଣ୍ଡନ ପୋଲିସକୁ ସେ ପାଲେଷ୍ଟାଇନ ସମର୍ଥକ ବୋଲି ଅଭିଯୋଗ କରିଥିଲେ । ବର୍ତ୍ତମାନ ସୁଏଲାଙ୍କ ସ୍ଥାନରେ ଜେମସ କ୍ଲେଭରିଲଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ।

ବ୍ରିଟେନର ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ଥିଲେ ସୁଏଲା । ଗତ ସପ୍ତାହରେ ସେ ଏକ ଆର୍ଟିକିଲ୍ ପ୍ରକାଶ କରିଥିଲେ ଯେଉଁଥିରେ ତାଙ୍କ ବିବୃତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ବିନା ସମ୍ମତିରେ ସୁଏଲା ବିବୃତି ଦେଇଥିବା ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି ।

ଗତ ଶନିବାର ପାଲେଷ୍ଟାଇନ ସପକ୍ଷରେ ଆନ୍ଦୋଳନ ଚାଲିଥିବାବେଳେ ତାହାକୁ ପୋଲିସର ଦମନ ନେଇ ସୁଏଲା ବିବାଦୀୟ ବୟାନ ଦେବା ସହ ଏକ ଲେଖା ମଧ୍ୟ ଲେଖିଥିଲେ । କିଛି ଦିନ ତଳେ ଗାଜାରେ ଅସ୍ତ୍ରବିରତି ନେଇ ହୋଇଥିବା ରାଲିକୁ ବି ସେ ‘ହେଟ ମାର୍ଚ୍ଚ’ ବୋଲି କହିଥିଲେ । ସୁଏଲାଙ୍କ ଏହି ଧରଣର ଭୂମିକା ବ୍ରିଟେନରେ ଉତ୍ତେଜନା ସୃଷ୍ଟି କରିବାରେ ସହାୟକ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ସୁଏଲାଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ତାଙ୍କ ଉପରେ ବିଭିନ୍ନ ମହଲରୁ ଚାପ ପଡୁଥିଲା ।