ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍”ର ଶୁଭାରମ୍ଭ

ଭୁବନେଶ୍ୱର: ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ଵାନ। ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍”ର ଶୁଭାରମ୍ଭ ହୋଇଯାଇଛି। ବିଦେଶ ଯାତ୍ରୀଙ୍କ ପାଇଁ ସମସ୍ତ ସୂଚନା ସହିତ ପୂର୍ଣ୍ଣାଙ୍ଗ ସେବା ଯୋଗାଇବାରେ ଦେଶରେ ଅନନ୍ୟ ସ୍ବାସ୍ଥ୍ୟ ଅନୁଷ୍ଠାନ ପାଲଟିଥିବା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ।

ଏମ୍ସ ଭୁବନେଶ୍ଵର କମ୍ୟୁନିଟି ମେଡିସିନ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟ୍ରାଭେଲ୍ ହେଲଥ୍ କ୍ଲିନିକ୍ ସପ୍ତାହର ପ୍ରତି ସୋମବାର ଏବଂ ଗୁରୁବାର ଅପରାହ୍ନ ଦୁଇରୁ ଚାରିଟା ପର୍ଯ୍ୟନ୍ତ କାମ କରିବ। ବାହାର ଦେଶରେ ଥିବା ବିଭିନ୍ନ ସଂକ୍ରାମକ ରୋଗ ସହିତ ଅନ୍ୟାନ୍ୟ ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ନିମନ୍ତେ ଏହି ବ୍ୟବସ୍ଥାର ସହଯୋଗ ନେବାକୁ ଡ. ବିଶ୍ଵାସ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଜୀବିକା ଅନ୍ୱେଷଣରେ ବାହାର ଦେଶକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏହି କ୍ଲିନିକ୍ ବେଶ ସହାୟକ ହେବବୋଲି ଡ. ବିଶ୍ଵାସ ଆଶାବ୍ୟକ୍ତ କରିଛନ୍ତି।

ଆଜିର ଉଦ୍‌ଘାଟନୀ ସମାରୋହରେ ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ଵାସଙ୍କ ସମେତ ମେଡିକାଲ୍ ଅଧୀକ୍ଷକ ଡ. ଦିଲୀପ କୁମାର ପରିଡ଼ା, ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ କୁମାର ପାଣିଗ୍ରାହି, ଭାରତ ସରକାରଙ୍କ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଚିତ୍ରା ସାସମଲ୍, ରାଜ୍ୟ ଟୀକାକରଣ ଅଧିକାରୀ ଡ. ତାପସ ପାତ୍ର, ଭୁବନେଶ୍ଵର ବିମାନବନ୍ଦର ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ବିଶ୍ୱରଂଜନ ଦାଶ, କମ୍ୟୁନିଟି ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ମୁଖ୍ୟ ଡ. ସୋନୁ ହାଙ୍ଗମା ସୁବା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସ୍ଵତନ୍ତ୍ର କ୍ଲିନିକ୍ ସପ୍ତାହରେ ଦୁଇଥର ଚାଲିବ ଏବଂ ଆସୁଥିବା ଯାତ୍ରୀମାନଙ୍କୁ ୟେଲୋ ଫିଭର ଟିକା ଭଳି କେତେକ ଦେଶ ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ଟିକା ସହିତ ଅତ୍ୟାବଶ୍ୟକ ଟୀକାକରଣ ସେବା, ଯାତ୍ରା ସମୟରେ ସୁସ୍ଥ ଆଚରଣ ବିଷୟରେ ପରାମର୍ଶ, ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ କଷ୍ଟୋମାଇଜଡ୍ ମେଡିକାଲ୍ କିଟ୍ ଏବଂ ଅନ୍ୟାନ୍ୟ ପରାମର୍ଶ ଯୋଗାଇଦେବ। ଏମ୍ସ ସିଏମ୍ଏଫ୍ଏମ ବିଭାଗରେ ବାର୍ଷିକ ପ୍ରାୟ ୩୫୦୦ ହିତାଧିକାରୀ ହଳଦିଆ ଜ୍ୱର ଟିକା ନେଉଛନ୍ତି। ଅଜ୍ଞାତ ଯାତ୍ରୀଙ୍କ ମାଧ୍ୟମରେ ‘ବିଦେଶୀ’ ସଂକ୍ରାମକ ଏଜେଣ୍ଟଙ୍କ ପରିଚୟକୁ ରୋକିବା ପାଇଁ ଓଡ଼ିଶା ପ୍ରବେଶର ଦୁଇଟି ପଏଣ୍ଟ ଯଥା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ଏବଂ ପାରାଦୀପ ବନ୍ଦର ଉପରେ ନଜର ରଖିବାର ଗୁରୁତ୍ୱ ଉପରେ ଅତିଥିମାନେ ଗୁରୁତ୍ଵ ପ୍ରଦାନ କରିଥିଲେ।