spot_img
Home Blog Page 2757

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ

ଧର୍ମଶାଳା: ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସାମନା ସାମନି ହେଉଥିଲେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଅଲଆଉଟ ହୋଇ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତୀୟ ବୋଲର ମହମ୍ମଦ ସାମି ଆଜିର ମ୍ୟାଚରେ ଖେଳିଥିବାବେଳେ ସେ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି ।  ଡେରିଲ ମିଚେଲ ନ୍ୟୁଜଲାଣ୍ଡ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ସେ ୧୨୭ ବଲ ଖେଳି ୧୩୦ ରନ କରିଛନ୍ତି । ଏହାସହ ରଚିନ୍ ରିବନ୍ଦ୍ର ୮୭ଟି ବଲ ଖେଳି ୭୫ ରନ କରିଥିଲେ । ଗ୍ଲେନ୍ ଫିଲିପ୍ସ ୨୩ ରନ କରିଥିଲେ । ଭାରତ ତରଫରୁ ମହମ୍ମଦ ସାମୀ ସର୍ବାଧିକ ୫ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ସେହିଭଳି କୁଲଦୀପ ଯାଦବ ୨ ୱିକେଟ, ଜଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ମାଳଦ୍ବୀପରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ମହାକାଳପଡ଼ା: ମାଳଦ୍ବୀପରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ମୃତ। ଗ୍ୟାସ ଟାଙ୍କି ଫାଟିବାରୁ ଚାଲିଗଲା ଜୀବନ। କେନ୍ଦ୍ରାପଡା ମହାକାଳପଡା ବ୍ଲକ ଅଳାଇଲୋର ସୁଧୀରଙ୍କର ବିୟୋଗରେ ଭାଙ୍ଗିପଡିଛନ୍ତି ପରିବାର । ସୁଧୀର ମାଳଦ୍ବୀପର ଏକ କମ୍ପାନୀରେ କାମ କରୁଥିଲେ । ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ ତାଙ୍କ ମୃତ୍ୟୁ ହୋଇଥିବା ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଟେଲିଫୋନ ଯୋଗେ ପରିବାରକୁ ଜଣାଇଥିଲେ। ସୁଧୀରଙ୍କ ମୃତ ଦେହକୁ ଜନ୍ମମାଟିକୁ ଫେରାଇ ଆଣିବାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ମୁତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଖେଳି ଯାଇଛି ଶୋକର ଛାୟା । ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଲୋକେ ।

ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ

ଢ଼େଙ୍କାନାଳ: ଲଜ୍ଜା । ପୁଣି ଲଜ୍ଜା । ଅଭିଯୁକ୍ତଙ୍କ ବିରୋଧରେ ଯେତେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଗଲେ ସୁଦ୍ଧା ଯୌନ ପିପାଶୁମାନେ ଚେତୁ ନାହାନ୍ତି । ପୁଣି ରାଜ୍ୟରେ ଏକ ଲଜ୍ଜା ଖବର ସାମନାକୁ ଆସିଛି । କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଅଞ୍ଚଳରେ କଲେଜ ପଢୁଆ ବିବାହିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସ୍ବାମୀ ଆଗରେ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କଲେଜ ଛୁଟି ପରେ ନିଜ ଘର କାଳିଆପାଣିକୁ ସ୍ବାମୀ ସହିତ ଯାଉଥିବା ବେଳେ କାଜୁ ଜଙ୍ଗଲରେ ୫ ଜଣ ବଳପୂର୍ବକ ଦୁଷ୍କର୍ମ କରିଥିବା ପୀଡ଼ିତା ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ଭୁବନ ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଛାତ୍ରୀଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ସହିତ ଅଭିଯୁକ୍ତମାନେ ତାଙ୍କ ସ୍ଵାମୀଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରାଯାଇଛି ।

ଟସ୍ ଜିତି କାହିଁକି ବୋଲିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ?

ଧର୍ମଶାଳା: ସୁପର ସଣ୍ଡେରେ ସୁପର ମ୍ୟାଚ୍ । ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରୁଥିବା ଦୁଇ ଲଢ଼ୁଆ ଟିମ ମଧ୍ୟରେ ଚାଲିଛି ଟକ୍କର । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ମ୍ୟାଚ ଚାଲିଛି । ବିଶ୍ବକପରେ ଭାରତ ନ୍ୟୁଜିଲାଣ୍ଡ ମ୍ୟାଚ ସବୁବେଳେ ସଂଘର୍ଷପୂର୍ଣ୍ଣ ହୋଇଥାଏ । ଭାରତ ତୁଳନାରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ତେବେ ଚଳିତ ବିଶ୍ବକପ ଭାରତରେ ଅନୁଷ୍ଠିତ ହେଉଥିବାବେଳେ ଆଜିର ମ୍ୟାଚଟି ଧର୍ମଶାଳାରେ ଅନୁଷ୍ଠିତ ହେଉଛି । କ୍ରିକେଟ ପ୍ରେମୀମାନେ ଆଶା ରଖିଥିଲେ କି, ଭାରତ ପ୍ରଥମେ ବ୍ୟାଟିଂ କରିବ ଏବଂ ବଡ଼ ସ୍କୋର କରିବ । ଭାରତ ଟସ୍ ଜିତିଥିଲେ ସୁଦ୍ଧା ବୋଲିଂ ନିଷ୍ପତ୍ତି ନେଇଛି । ଯାହାକି ଅନେକ କ୍ରିକେଟପ୍ରେମୀଙ୍କୁ ଏହା ନିହାତିଭାବେ ହତୋତ୍ସାହ କରୁଛି । କିନ୍ତୁ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେବା ପଛରେ ରହିଛି ଅନେକ ମୁଖ୍ୟ କାରଣ ।

ଏବେ ଶୀତ ଦିନ ଆରମ୍ଭ ହୋଇଥିବାବେଳେ କାକର ପଡ଼ୁଛି । ଏଠାରେ ବହୁ ମାତ୍ରାରେ କାକର ପଡ଼ୁଥିବାରୁ ଦ୍ବିତୀୟ ପାଳିରେ ବୋଲିଂ କରିବା ବହୁ କଷ୍ଟ । ବୋଲିଂ କରିବା ଏବଂ ଫିଲ୍ଡିଂ ପାଇଁ କଷ୍ଟ ହେଉଥିବା ଲକ୍ଷ୍ୟ କରି ଏଭଳି ନିଷ୍ପତି ନେଇଛନ୍ତି ବୋଲି କୁହାଯାଉଛି । ଟାର୍ଗେଟକୁ ସହଜରେ ପୂରଣ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ବିସ୍ଫୋରକ ବୟାନ

ଇସଲାମବାଦ: ସ୍ବଦେଶ ଫେରିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ବିସ୍ଫୋରକ ବୟାନ । ଭାରତକୁ ଠିକଣା ଜବାବ ଦେବା ଲାଗି ୧୯୯୮ ମସିହାରେ ପାକିସ୍ତାନ କରିଥିଲା ଆଣବିକ ପରୀକ୍ଷା । ଏହି ପରୀକ୍ଷା ନ କରିବା ଲାଗି ତତକାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ପାକିସ୍ତାନକୁ ୫ ବିଲିୟନ ଡଲାର ଯାଚିଥିଲେ ବି ପାକିସ୍ତାନ ୨୮ ମେ ୧୯୯୮ରେ ଆଣବିକ ପରୀକ୍ଷା କରିଥିଲା ବୋଲି କହିଛନ୍ତି ନଓ୍ବାଜ । ଗତକାଲି ୪ ବର୍ଷ ପରେ ଦୁବାଇରୁ ସ୍ବଦେଶ ଫେରିବା ପରେ ପାକିସ୍ତାନ ମୁସଲିମ ଲିଗ-ଏନ ନେତା ନଓ୍ବାଜ ସରିଫଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୧୯୯୮ ମେ ମାସରେ ଭାରତ ଆଣବିକ ପରୀକ୍ଷା କରିଥିବାବେଳେ ଏହାର ଜବାବ ଦେବା ଲାଗି ପାକିସ୍ତାନ ଉଦ୍ୟମ କରିଥିଲା । ତେବେ ଏହି ପରୀକ୍ଷା ନ କରିବା ଲାଗି ପାକିସ୍ତାନ ଉପରେ ବହୁ ଅନ୍ତର୍ଜାତୀୟ ଚାପ ପଡ଼ିଥିଲା । ମାତ୍ର ସମସ୍ତ ଚାପକୁ ପ୍ରତିହତ କରି ପାକିସ୍ତାନ ଏହି ପରୀକ୍ଷା କରିଥିଲା ବୋଲି କହିଛନ୍ତି ସରିଫ ।

ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କ ଆତଙ୍କରାଜ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ପୁଣି ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କ ଆତଙ୍କରାଜ୍ । ଗୋଡ଼ାଇ ଗୋଡ଼ାଇ ହାଣିଲେ । ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଗୁରତର ଆହତ । ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କ ଆକ୍ରମଣରେ ଦୁଇଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବାଙ୍କୀ ଆଦିମାତା ଛକରେ ଏହି ଘଟଣା ଘଟିଛି । ଆହତ ଦୁଇ ପୋଲିସ କର୍ମଚାରୀ ହେଲେ ଏସଆଇ ସମ୍ବିତ ସ୍ବାଇଁ ଓ ଅନ୍ୟ ଜଣେ ହାବିଲଦାର । ଉଭୟଙ୍କୁ ପ୍ରଥମେ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ପୂର୍ବରୁ ମଧ୍ୟ ବାଙ୍କୀ ବଜାରରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ । ତାଙ୍କୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟ ଆତଙ୍କ ଖେଳି ଯାଇଛି । ପରେ ସ୍ଥାନୀୟ ଲୋକେ ପୋଲିକ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାବୁ କରିବା ପାଇଁ ଚେଷ୍ଟା କରିଥିବାବେଳେ ସରୋଜ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ସାବଧାନ ! ପୂଜା ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ, ବମିଖାଲ ମଣ୍ଡପରୁ ଝାମ୍ପି ନେଲେ ୪ ସୁନା ଚେନ୍

ଭୁବନେଶ୍ବର: ଦୁର୍ଗାପୂଜାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ବିଭିନ୍ନ ପୂଜା ମଣ୍ଡପରେ ଭଳି କି ଭଳି ତୋରଣ ସହ ଡେକୋରେସନ୍ ଲୋକଙ୍କୁ କରୁଛି ଆକୃଷ୍ଟ । ମଣ୍ଡପଗୁଡିକରେ ପୂଜା ଦେଖିବାକୁ ଲୋକଙ୍କ ଭିଡ ଲାଗୁଛି । ହେଲେ ମା’ଙ୍କ ଦର୍ଶନ ପାଇଁ ଆସୁଥିଲା ଶ୍ରଦ୍ଧାଳୁଙ୍କୁ ଲୁଟିବାକୁ ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ବମିଖାଲ ପୂଜା ମଣ୍ଡପ ନିକଟରୁ ୪ ଜଣ ମହିଳାଙ୍କ ବେକରୁ ଲୁଟିଛନ୍ତି ୧୦ ଭରି ଲେଖାଏଁର ୪ଟି ସୁନା ଚେନ୍ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ବମିଖାଲ ପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟର ଶିକାର ହୋଇଛନ୍ତି ୪ ଜଣ ମହିଳା । ମାତ୍ର ୧୫ ମିନିଟରେ ଚୋରି କରି ଚମ୍ପଟ ମାରିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଚେନ ଚୋରି ପରେ ଭୋ ଭୋ ହୋଇ ମହିଳାମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପୋଲିସର କଡ଼ା ସୁରକ୍ଷା ବଳୟ ଓ ସିସିଟିଭି ସର୍ଭିଲାନ୍ସରେ ପୂଜା ମଣ୍ଡପ ଅଞ୍ଚଳ ଥିବା ବେଳେ ଏପରି ଚୋରି ସମସ୍ତଙ୍କୁ ଚକିତ କରିଛି । ଏ ନେଇ ପିସିଆରକୁ ଜଣାଇବା ପରେ ଛାନବିନ ଆରମ୍ଭ ହୋଇଛି ।

ଏକ ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । କାରଣ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଲୁଟ ବେଳେ ସେମାନେ କିଛି ମହିଳାଙ୍କୁ ଦେଖିଛନ୍ତି । ସେପଟେ ବମିଖାଲ ପୂଜା ମଣ୍ଡପର କର୍ମକର୍ତ୍ତା ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଅଷ୍ଟମୀରେ ମଣ୍ଡପକୁ ଆସୁଛନ୍ତି । କମିଶନରେଟ ପୋଲିସ ମୁତୟନ କରିବାକୁ କହିଥିବା ମହିଳା ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ନଥିବାରୁ ଏଭଳି ଅଘଟଣ ଘଟୁଥିବା କହିଛନ୍ତି ପୂଜା କମିଟି ସମ୍ପାଦକ ।

ପରମାଣୁ ପରୀକ୍ଷା ନକରିବାକୁ କ୍ଲିଣ୍ଟନ ଦେଉଥିଲେ ୫ ବିଲିୟନ ଡଲାର: ନଓ୍ବାଜ

ଲାହୋର: ୪ ବର୍ଷର ଆତ୍ମନିର୍ବାସନ ପରେ ପାକିସ୍ତାନ ଫେରୁ ଫେରୁ ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି ପୂର୍ବତନ ପ୍ରଡ଼ାନମନ୍ତ୍ରୀ ନଓ୍ବାଜ ସରିଫ । ଏହି ଅବସରରେ ଭାରତ ବିରୋଧରେ ବିଷ ଉଗାରିବାକୁ ଭୁଲି ନାହାନ୍ତି ସରିଫ । ଲାହୋରରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେବା ଅବସରରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ତାଙ୍କୁ ପରମାଣୁ ବୋମା ପରୀକ୍ଷା ନକରିବାକୁ ୫ ବିଲିୟନ ଡଲାର ଯାଚିଥିବା କହିଛନ୍ତି । କ୍ଲିଣ୍ଟନଙ୍କ ଏହି ଅଫରକୁ ପ୍ରତ୍ୟାକ୍ଷାନ କରି ଭାରତର ପରମାଣୁ ଶକ୍ତିକୁ ପରମାଣୁ ପରୀକ୍ଷା କରି ଜବାବ ଦେିଥିଲି ବୋଲି କହିଛନ୍ତି ସରିଫ ।

ଘର ବାହୁଡ଼ା ପରେ ପାକିସ୍ତାନବାସୀଙ୍କୁ ନିଜ ସରକାର ସମୟର ଉପଲବ୍ଧି ସମ୍ପର୍କରେ ବତାଉଥିବା ବେଳେ ଏମିତି କହିଛନ୍ତି ସରିଫ । ସେ କହିଛନ୍ତି, ‘ଘଟଣା ୧୯୯୮ର । ବୈଦେଶିକ କାର୍ଯ୍ୟାଳୟର ପୁରୁଣା ରେକର୍ଡ ତଥ୍ୟରୁ ଦେଖି ପାରିବେ କ୍ଲିଣ୍ଟନ ମୋତେ ୫ ବିଲିୟନ ଆମେରିକୀୟ ଡଲାର ଦେଉଥିଲେ ପରମାଣୁ ପରୀକ୍ଷା ନକରିବାକୁ । ହେଲେ ମୁଁ ପାକିସ୍ତାନରେ ଜନ୍ମ ହୋଇଥିବା ପ୍ରକୃତ ପାକିସ୍ତାନୀ । ମୋତେ ପାକିସ୍ତାନ ବିରୋଧରେ କୌଣସି କଥା ସ୍ବୀକାର ନୁହେଁ ।’

ଭାରତ ବିରୋଧରେ ବିଷ ଉଗାରିଲେ

ନିଜ ଅଭିଭାଷଣରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ପାକିସ୍ତାନୀଙ୍କ ହୃଦୟ ଜିଣିବାର ଅବସର ଛାଡି ନଥିଲେ ସରିଫ । ସେ କହିଥିଲେ, ‘ଆମେ ପରମାଣୁ ପରୀକ୍ଷା କରି ଭାରତର ପରମାଣୁ ପରୀକ୍ଷଣର ଜବାବ ଦେଇଥିଲୁ । ପରମାଣୁ ପରୀକ୍ଷା ନକରିବାକୁ ହଜାର କୋଟି ଟଙ୍କା ମୋତେ ଅଫର କରାଯାଇଥିଲା । ହେଲେ ମୁଁ ଟଙ୍କା ନନେଇ ଭାରତକୁ ଜବାବ ଦେଇଥିଲି ।’

ବିଶ୍ବକପ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି

ଧର୍ମଶାଳା: ବିଶ୍ବକପ୍ ମହାମୁକାବିଲା ଦୁଇ ଶକ୍ତିଶାଳି ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା । ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଛି । ଧର୍ମଶାଳାରେ ଚାଲିଥିବା ଏହି ମ୍ୟାଚରେ ଭାରତୀୟ ଦଳରେ ସାମନ୍ୟ ପରିବର୍ତ୍ତନ ହୋଇଛି । ପେସର ମହମ୍ମଦ ସାମି ଓ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ସାମିଲ ହୋଇଛନ୍ତି । ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଜିର ମ୍ୟାଚ ଖେଳୁନାହାନ୍ତି ।

ଚଳିତ ବିଶ୍ବକପରେ ଉଭୟ ଦଳ ଅପରାଜିତ ରହିଛନ୍ତି । ଉଭୟ ଦଳର ପ୍ରଦର୍ଶନ ବେଶ ଦମଦାର ଥିବା ବେଳେ ଆଜିର ମ୍ୟାଚ ଅଧିକ ରୋମାଞ୍ଚକର ହେବ । ଉଭୟ ୮ ପଏଣ୍ଟ ଲେଖାଏଁ ପାଇଥିବାବେଳେ ନ୍ୟୁଜିଲାଣ୍ଡ ଟେବୁଲର ପ୍ରଥମ ସ୍ଥାନରେ ଓ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଆଜିର ମ୍ଯାଚ ଜିତି ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ସେପଟେ ଲଗାତର ଦୁଇଟି ବିଶ୍ବକପରେ ଫାଇନାଲକୁ ଯାଇଥିବା ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ ଯେମିତି ହେଲେ ବି ଜିତିବାକୁ ଉଦ୍ୟମ କରିବ ।

ଭାରତ ପ୍ଲେଇଂ ଇଲେଭେନ

ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ପ୍ଲେଇଂ ଇଲେଭେନ୍

ଡେଭନ କନଏ, ୱିଲ ୟଙ୍ଗ, ରଚିନ ରବୀନ୍ଦ୍ର, ଡେରିଲ ମିଚେଲ, ଟମ ଲେଥମ (ଅଧିନାୟକ), ଗ୍ଲେନ ଫିଲିପ୍ସ, ମାର୍କ ଚାପମ୍ୟାନ, ମ୍ୟାଟ୍ ହେରି, ଲକି ଫର୍ଗୁସନ ଏବଂ ଟ୍ରେଣ୍ଟ ବୋଲ୍ଟ ।

ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଓ ଅଭିନନ୍ଦନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରି ଦେଉ ବୋଲି ପ୍ରାର୍ଥନା କରୁଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଆଜି ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ନବମୀ ପୂଜା କରାଯାଉଛି । ଦୁର୍ଗାପୂଜାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗାଁଠୁ ସହର ସବୁଠି ପୂଜାକୁ ନେଇ ଉତ୍ସାହର ମାହୋଲ । ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗର ଆଲୋକମାଳାରେ ରାସ୍ତାଘାଟ, ସହର, ବଜାର ଝଲସୁଛି । ଏହାସହ ମୀନାବଜାର, ବିଭିନ୍ନ ପ୍ରକାର ଦୋଳି ଓ ଖେଳର ମଜା ଉଠାଉଛନ୍ତି ଲୋକେ ।