spot_img
Home Blog Page 2747

ବିନା ଅସ୍ତ୍ରୋପଚାରରେ ସୁସ୍ଥ ହେବେ ସ୍ତନ କର୍କଟ ରୋଗୀ

ନନ୍ଦିଘୋଷ ବ୍ୟୁରୋ: ବିନା ଅସ୍ତ୍ରୋପଚାରରେ ସୁସ୍ଥ ହେବେ ସ୍ତନ କର୍କଟ ରୋଗୀ। ଗବେଷଣା କରି ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଓଡ଼ିଆ ବୈଜ୍ଞାନିକ। ମହିଳା ହୁଅନ୍ତୁ କି ପୁରୁଷ ସ୍ତନ କର୍କଟ ରୋଗର ପ୍ରମୁଖ କାରଣ ଜିପିଆର୍ ଓ୍ବାନ୍ ଫର୍ ଓ୍ବାନ୍ ଅଣୁକୁ ନିଷ୍କ୍ରିୟ କରାଗଲେ ଥାର୍ଡ ଷ୍ଟେଜ୍ ସ୍ତନ କର୍କଟ ରୋଗୀ ବି ଭଲ ହୋଇପାରିବେ। ଭୁବନେଶ୍ବରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମତରେ ଜିପିଆର୍ ଓ୍ବାନ୍ ଫର୍ ଓ୍ବାନ୍ ମୋଲେକ୍ୟୁଲ ସ୍ତନ କର୍କଟର କାରଣ ହୋଇଥାଏ। କେତେକ ମୋଲେକ୍ୟୁଲ ଟ୍ୟୁମର ହ୍ରାସ କରୁଥିବା ବେଳେ ଆଉ କେତେକ ଟ୍ୟୁମର ବୃଦ୍ଧି କରନ୍ତି। ଏଷ୍ଟ୍ରୋଜେନ୍ ରିସେପ୍ଟର୍ ଅନିୟନ୍ତ୍ରିତ ହେଲେ ମହିଳାଙ୍କ ଦେହରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ଯାହା ପରବର୍ତ୍ତୀ ଅବସ୍ଥାରେ ସ୍ତନ କର୍କଟ ରୋଗର କାରଣ ହୋଇଥାଏ। ସ୍ତନ କର୍କଟ ରୋଗୀ ଟ୍ରିପ୍ଲ ନେଗେଟିଭରେ ଆକ୍ରାନ୍ତ ହେଲେ ତାଙ୍କର ବଞ୍ଚିବା ଆଶା କ୍ଷୀଣ। ତେବେ ସ୍ତନରେ ଅଦରକାରୀ ଭାବେ ଥିବା ଇଆର୍ଆର୍ ବିଟା ବା ଏଷ୍ଟ୍ରୋଜେନ୍ ରିଲେଟେଡ୍ ରିସେପ୍ଟର୍ ବିଟା ଓ ଆଲଫାକୁ ନିୟନ୍ତ୍ରଣ ସ୍ତରକୁ ଆଣିବାକୁ ପଡ଼ିବ। ରୋଗକୁ ପ୍ରଥମରୁ ଚିହ୍ନଟ କରି ଇନ୍ହିବିଟର ପ୍ରୟୋଗ କରାଯାଇ କର୍କଟକୁ ଶରୀରର ଅନ୍ୟଅଂଶକୁ ବ୍ୟାପିବାକୁ ଦିଆଯାଏ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ତନ କର୍କଟ ରୋଗ ଆରୋଗ୍ୟ ପାଇଁ କମ୍ବିନେଟୋରିଆଲ୍ ଥେରାପି ଫଳପ୍ରଦ ହେଉଛି।

ସ୍ତନ କର୍କଟ ରୋଗକୁ ବିନା ଅସ୍ତ୍ରୋପଚାରରେ ଭଲ କରିବା ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନସ୍ରେ ଦୀର୍ଘ ଦିନରୁ ଗବେଷଣା ଜାରି ରହିଛି। କୋଭିଡ ପାଇଁ ଦେଢ଼ ବର୍ଷ ଧରି ଗବେଷଣା ବାଧାପ୍ରାପ୍ତ ହୋଇଥିଲା। କ୍ରୋମାଟିନ୍ ଇମିନୋ ପ୍ରେସିପିଟେସନ୍ କ୍ଲୋନିଂ ବା ଚିପ୍ କ୍ଲୋନିଂ ଜରିଆରେ ଶରୀର ବିଭିନ୍ନ ଅଣୁକୁ ଚିହ୍ନଟ କରିବାରେ ସହାୟକ ହୋଇଛି। ଏହି ପଦ୍ଧତିରେ ଦୁଇଟି ମୋଲୋକ୍ୟୁଲ ଚିହ୍ନଟ କରାଯାଇପାରିଛି। ବିସିଏସ୍-୨ ଓ ଏଫ୍ଏସ୍ଟି। ଦୁଇଟିଯାକ ମୋଲେକ୍ୟୁଲ ପରସ୍ପର ବିରୋଧୀ। ଗୋଟିଏ ଟ୍ୟୁମର ବଢାଉଥିବା ବେଳେ ଆରଟି ଟ୍ୟୁମର କମାଇଥାଏ। ପ୍ରାଥମିକ ପର୍ଯ୍ୟାୟରେ ଡିଜିନେପେ ଓ ପରେ ଏମ୍.ଏଲ୍.ଏନ୍ ଫୋର୍ ନାଇନ୍ ଟୁ ଫର୍ କର୍କଟ ରୋଗ ନିୟନ୍ତ୍ରଣରେ ନୂଆ ଆଶା ସଞ୍ଚାର କରିଥିଲା। ଭାରତରେ ରୋଷେଇ ଘର ଧୂଆଁ, ଧୁମ୍ରପାନ ଯୋଗୁ ମହିଳା ଓ ପୁରୁଷଙ୍କ ଦେହରେ ଅଧିକ ମାତ୍ରାରେ ନିକୋଟିନ୍ ଜମା ହୋଇଥାଏ। ଏହା କର୍କଟ ରୋଗର ମୁଖ୍ୟ କାରଣ।

ଚିକିତ୍ସା ଅପେକ୍ଷା ପ୍ରତିଷେଧକ ଭଲ। ତେଣୁ ଜଣେ ରୋଗୀ ନିଜ ଶରୀରରେ କିଛି ଟାଣ ବା ମାଂସପେଶୀ ଶକ୍ତ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ରୋଗ ଚିହ୍ନଟ କରିବା ଦରକାର। ସ୍ତନ କର୍କଟ ରୋଗ ନିୟନ୍ତ୍ରଣ ପାଇଁ ଆଇଏଲ୍ଏସ୍ ବୈଜ୍ଞାନିକଙ୍କ ଗବେଷଣା ଆଗାମୀ ଦିନରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି।

ମହାକାଶରୁ ଆସିବ ଖୁସି ଖବର

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ର ଦୁଆରେ ଚନ୍ଦ୍ରଯାନ । ୨୩ ତାରିଖ ସନ୍ଧ୍ୟାରେ ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟରେ ଇସ୍ରୋ । ଗତକାଲି ରାତିରେ ଫାଇନାଲ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଥିବା ବେଳେ ଚନ୍ଦ୍ରଠାରୁ ଆଉ ମାତ୍ର ୨୫କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ-୩ । ମଝିରେ ଆଉ ଦୁଇ ଦିନ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଗବେଷଣା ଆରମ୍ଭ କରିବ ରୋଭର । ସେପଟେ ଋଷର ଚନ୍ଦ୍ର ଅଭିଯାନକୁ ଅଧାରୁ ଝଟକା । ଲ୍ୟାଣ୍ଡିଂର ଦିନକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ରାସ କରିଯାଇଛି ସ୍ପେସକ୍ରାଫ୍ଟ।

ମିଶନ ମୁନ୍ କାଉଣ୍ଟଡାଉନ । ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍ । ମଝିରେ ଆଉ ଦୁଇ ଦିନ । ମହାକାଶରୁ ଆସିବ ଖୁସି ଖବର । ଚନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ବର୍ଣ୍ଣିମ ଇତିହାସ ଲେଖିବ ଇସ୍ରୋ । ଚନ୍ଦ୍ର ଦୁଆରେ ଚନ୍ଦ୍ରଯାନ । ଫାଇନାଲ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେବା ପରେ ବଢ଼ିଛି ସଫ୍ଟ ଲ୍ୟାଣ୍ଡିଂ ଆଶା । ଡିବୁଷ୍ଟିଂ ଅପରେସନରେ ଚନ୍ଦ୍ରଯାନ-୩ର ସ୍ପିଡକୁ କମାଇ ଦିଆଯାଇଛି । ଲ୍ୟାଣ୍ଡରର ଇଣ୍ଟରନାଲ ଯାଞ୍ଚ ପରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋର ଚିହ୍ନ ଚନ୍ଦ୍ରପୃଷ୍ଠରେ ଚିହ୍ନ ଛାଡ଼ିବ ।

ଋଷର ଚନ୍ଦ୍ର ଅଭିଯାନ ଫେଲ । ଲ୍ୟାଣ୍ଡିଂର ଦିନକ ପୂର୍ବରୁ ଲୁନା-୨୫ କ୍ରାସ୍ । ଚନ୍ଦ୍ରପୃଷ୍ଠରେ ଖସିପଡ଼ିଲା ଋଷର ସ୍ପେସକ୍ରାଫ୍ଟ । ପ୍ରିଲ୍ୟାଣ୍ଡିଂ ଅର୍ବିଟରେ ଯାନ୍ତ୍ରିକ ତ୍ରୁଟି ପରେ ଭାରସାମ୍ୟ ହରାଇ ଲୁନା-୨୫ ଖସି ପଡ଼ିଥିବା ସୂଚନା ଦେଇଛି ଋଷ ସ୍ପେସ ଏଜେନ୍ସି ରସକସମସ । ଶନିବାର ସନ୍ଧ୍ୟାରେ ସ୍ପେସକ୍ରାଫ୍ଟ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡିଂ ପୂର୍ବରୁ ଅର୍ବିଟ ବଦଳାଇବା ସମୟରେ ପୂର୍ବ ନିର୍ଦ୍ଧାରିତ ପାରାମିଟରରେ ଥ୍ରଷ୍ଟର ଫାୟାର ହୋଇ ନପାରିବା ଯୋଗୁ ଏହା କ୍ରାସ ହୋଇଯାଇଥଲା । ଅଗଷ୍ଟ ୧୧ରେ ସୋୟୁଜ-୨.୧ବି ଲଞ୍ଚ ବେହିକିଲରେ ଲୁନା-୨୫ ଉତକ୍ଷେପଣ କରିଥିଲା ଋଷ ।

୨୩ ତାରିଖ ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ସାରାଦେଶ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାକୁ ଅପେକ୍ଷା କରିଛି । ଏହି ପ୍ରକ୍ରିୟାକୁ ଇସ୍ରୋ ପକ୍ଷରୁ ଲାଇଭ୍ କରାଯିବ । ଇସ୍ରୋ ଅଫିସିଆଲ ଓ୍ବେବସାଇଟ, ୟୁଟ୍ୟୁବ ଚ୍ୟାନେଲ, ଫେସବୁକ ଓ ଡିଡିରେ ସନ୍ଧ୍ୟା ୫ଟା ୨୭ ମିନିଟରୁ ଲାଇଭ ଶୋ’ ଆରମ୍ଭ ହେବ

5T ସଚିବଙ୍କ ଉପରେ କାଳିମାଡ଼କୁ ସାରା ଓଡ଼ିଶା କରୁଛି ଛି ଛି

ଭୁବନେଶ୍ବର: 5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ସାରା ରାଜ୍ୟବାସୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ କମର୍ଚାରୀ ସଂଘ ଏଭଳି ଘୃଣ୍ୟକାମକୁ ସହଜରେ ଗ୍ରହଣ କରିପାରିନାହାନ୍ତି । 5T ସଚିବ ଉଦାରତା ଓ ମହାନତା ଦେଖାଇ ଅଭିଯୁକ୍ତକୁ କ୍ଷମା କରି ପୋଲିସ କବଳରୁ ମୁକୁଳାଇ ଦେଇଥିଲେ ବି ଘଟଣା ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ସମସ୍ତେ ବିରୋଧ କରୁଛନ୍ତି । ସବୁଠି ନିନ୍ଦା କରାଯାଉଛି ।

ସମୃଦ୍ଧି ପାଇଁ ଗ୍ରାଉଣ୍ଡରେ ପହଞ୍ଚୁଥିବା 5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି । 5T ସଚିବଙ୍କ ଉପରେ କାଳିମାଡ଼ କରି ଭାସ୍କର  ସାହୁ ବଦନାମ ହୋଇଛି । ଘଟଣାକୁ 5T ସଚିବ ଭି.କେ ପାଣ୍ଡିଆନ ହାଲୁକା ଭାବେ ଗ୍ରହଣ କରିଥିଲେ ବି ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି । ଜଣେ କର୍ତ୍ତବ୍ୟରତ ଉଚ୍ଚ ସରକାରୀ ଅଧିକାରୀଙ୍କ ପ୍ରତି ଏପରି ଆଚରଣକୁ ନିନ୍ଦା କରିଛନ୍ତି ରାଜ୍ୟବାସୀ । ଘଟଣାକୁ ନିନ୍ଦା କରିବା ସହ 5T ସଚିବ ଭି.କେ ପାଣ୍ଡିଆନଙ୍କ ଉଦାରତାକୁ ମନ୍ତ୍ରୀ ଓ ବିଧାୟକ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚୁଛି । ଜିଲ୍ଲା, ବ୍ଲକ୍‌, ପଞ୍ଚାୟତ ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଫାଇଭ -ଟି ସଚିବ ଭି.କେ ପାଣ୍ଡିଆନ । ଚୁଟକିରେ ସମସ୍ୟାର ସମାଧାନ ହେଉଛି । ବିନା ବାଧାରେ ଫାଇଭ- ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟି ନିଜ ସମସ୍ୟା ଉତ୍ଥାପନ କରିବାର ସୁଯୋଗ ପାଉଥିବାରୁ ସାଧାରଣ ଲୋକ ଖୁସି ଅଛନ୍ତି । ଏଭଳି ସ୍ଥିତିରେ ବିକାଶର ବାଧକ ସାଜି ଫାଇଭ-ଟି ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ବିଭିନ୍ନ ସରକାରୀ କମର୍ଚାରୀ ସଙ୍ଗଠନ ଦୃଢ଼ ନିନ୍ଦା କରିଛନ୍ତି ।.

 

ଦଣ୍ଡ ନୁହେଁ, କ୍ଷମା କରି ବିଶାଳ ହୃଦୟର ପରିଚୟ ଦେଲେ 5T ସଚିବ

ଭୁବନେଶ୍ବର: ଦଣ୍ଡ ନୁହେଁ କ୍ଷମା। କାଳୀମାଡ଼ କରିଥିବା ଭାସ୍କର ସାହୁ ବିରୋଧରେ ଆକ୍ସନ ନୁହେଁ ଉଦାରତା ଦେଖାଇଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ୍। ଭାସ୍କରକୁ ତୁରନ୍ତ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇ ସେ ନିଜ ବିଶାଳ ହୃଦୟର ପରିଚୟ ଦେଇଛନ୍ତି। ଆଖି ଆଗରେ ଏଭଳି ହୀନ କାମକୁ ଦେଖିଥିବା ସତ୍ୟବାଦୀବାସୀ 5T ସଚିବଙ୍କ ଏଭଳି ବିଚାରଧାରାରେ ବିମୋହିତ ହୋଇଛନ୍ତି। ସାରା ରାଜ୍ୟ 5T ସଚିବଙ୍କ ବିକାଶମୂଳକ ଆଭିମୁଖ୍ୟ ଓ ଉଦାର ମନୋଭାବର ଭୂରି ଭୂରି ପ୍ରଶଂସା କରିଛି । 5T ସଚିବଙ୍କ ଆଦର୍ଶକୁ ଶିକ୍ଷା ଭାବେ ଗ୍ରହଣ କରିଛନ୍ତି ଯୁବପିଢି। ସମସ୍ତଙ୍କ ପାଇଁ ସେ ସାଜିଛନ୍ତି ରୋଲ ମଡେଲ୍ ।

ବିରୋଧର ଜବାବ ବିଶାଳ ହୃଦୟ। ଷଡ଼ଯନ୍ତ୍ରର କାଳିମାଡ଼କୁ ଉଦାରପଣର ମଲମ। କାଲି 5Tସଚିବଙ୍କୁ କାଳିମାଡ଼ କଲା କଣାସର ଭାସ୍କର ସାହୁ। ହେଲେ ସତ୍ୟବାଦୀ ଛାତିରେ ଫସର ଫାଟିଲା ଷଡ଼ଯନ୍ତ୍ରର ଏ କାହାଣୀ। ଏଭଳି ହୀନ ଚକ୍ରାନ୍ତ ନା ଓଗାଳିଲା ବିକାଶର ବାଟ ନା ଦୋହଲାଇ ପାରିଲା 5T ସଚିବଙ୍କ ବିଶାଳ ହୃଦୟ। ଯେଉଁ ଭାସ୍କର ସାହୁ ରାଜନୈତିକ ମୋହରା ସାଜି କାଳିମାଡ଼ କରିଥିଲା, ତାକୁ ତୁରନ୍ତ ଛାଡ଼ିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ 5Tସଚିବ। ପାଣ୍ଡିଆନଙ୍କ ଏଭଳି ଉଦାରପଣ ଆଗରେ ମୁଣ୍ଡ ନୁଆଁଇଛନ୍ତି ସତ୍ୟବାଦୀବାସୀ। କାଲି ଯେଉଁ ସତ୍ୟବାଦୀ ଭାସ୍କରଙ୍କ ହୀନ କାମରେ ଲୁହ ଝରାଉ ଥିଲା, ଆଜି ସେ 5T ସଚିବଙ୍କ ବିଶାଳ ହୃଦୟର ଗୁଣ ଗାଉଛି। ଯେଉଁ ମହିଳାମାନେ ନିଜ ପଣତ କାନିରେ 5T ସଚିବଙ୍କ ମୁହଁରୁ କାଳୀ ପୋଛି ଦେଇଥିଲେ, ଏବେବି ସେମାନଙ୍କ ଆଖିରେ ଲୁହ ଭରିଛି। କାଳୀମାଡ଼ ଘଟଣାରେ କାଲି ସେମାନେ ବିଚଳିତ ଓ ଦୁଃଖିତ ହୋଇ ପଡିଥିଲେ। ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ହେଲେ ଆଦୌ ବିଚଳିତ ନହୋଇ ବିକାଶର ବାର୍ତ୍ତା ଦେବାକୁ ଆଗେଇ ଯାଇଥିଲେ 5T ସଚିବ। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇ ସେ ନିଜ ମହାନ ହୃଦୟର ପରିଚୟ ଦେଇଛନ୍ତି  ।

ସେପଟେ ସତ୍ୟବାଦୀର ଯୁବ ପିଢ଼ି ବି ପାଣ୍ଡିଆନଙ୍କ ଉଦାରତାକୁ ଶିକ୍ଷା ଭାବେ ଗ୍ରହଣ କରିଛନ୍ତି। ଅହିଂସା ଓ କ୍ଷମା ଦ୍ୱାରା ହିଁ ଜୀବନରେ ଆଗେଇବା ସହ ସମସ୍ତଙ୍କ ବିକାଶ ହୋଇପାରିବ। ସେକଥା ସେମାନେ 5T ସଚିବଙ୍କ ଠାରୁ ଶିଖିଛନ୍ତି। ସବୁ ବାଧାବିଘ୍ନକୁ ଆଡ଼େଇ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ଆଗେଇ ନେବା ପାଇଁ ଥିବା 5T ସଚିବଙ୍କ ବ୍ରତ ଏବେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ମାଟିରେ ସାଜିଛି ଉଦାହରଣ।

 

ବୋହୂକୁ ଚେଙ୍କ ଦେଇ ସ୍ବାମୀ ଏବଂ ଶାଶୁ ଗିରଫ

ଢ଼େଙ୍କାନାଳ: ବୋହୂକୁ ରୁଟି ତାଓ୍ବାରେ ଚେଙ୍କ ଦେଇ ଶାଶୂ ଓ ସ୍ବାମୀ ଗିରଫ । ରୁଟି ପୋଡ଼ି ଯିବାରୁ ବୋହୂକୁ ତାଓ୍ବାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଥିଲା । ଥାନାରେ ଅଭିଯୋଗ ପରେ ଶାଶୂ ଓ ସ୍ବାମୀକୁ ପୋଲିସ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଲତାବିଲ ଅଞ୍ଚଳର ଭାଗୀରଥି ବେହେରାଙ୍କ ଝିଅ ରଶ୍ମିତା ଜଗତସିଂହପୁର ଉଗ୍ରତାରା କଲୋନୀ ବାସିନ୍ଦା ଖାରବେଳ ଦିଗବିଜୟ ପାତ୍ରଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସକ୍ଷମ ଅନୁସାରେ ସମସ୍ତ ଜିନିଷପତ୍ର ଦେଇଥିଲେ ବାପଘର ଲୋକ । କିନ୍ତୁ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକ । ଜୁନ ୫ ତାରିଖରେ ରଶ୍ମିତା ରୁଟି ତିଆରି କରୁଥିବା ବେଳେ ରୁଟି ସମାନ୍ୟ ପୋଡ଼ିଯିବାରୁ ଶାଶୂ ସୁପ୍ରଭା ଜେନା ତାତିଲା ତାଓ୍ବାରେ ରଶ୍ମିତାଙ୍କୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଥିଲା । ରଶ୍ମିତାଙ୍କୁ ବାପଘର ଲୋକ ମେଡିକାଲରେ ଚିକିତ୍ସା କରିବା ପରେ ଜୁଲାଇ ୯ ତାରିଖରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭୁବନ ପୋଲିସ ଆଜି ଜଗତସିଂହପୁର ଉଗ୍ରତାରା କଲୋନୀରୁ ଉଭୟ ଶାଶୂ ଓ ସ୍ବାମୀଙ୍କୁ ଗିରଫ କରିଛି । ଶାଶୂ ସୁପ୍ରଭା ଜେନା ଜଗସିଂହପୁର କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ।

ପ୍ରଥମଥର ମହିଳା ଫିଫା ବିଶ୍ବକପ ଜିତିଲା ସ୍ପେନ୍

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡକୁ ୧-୦ ଗୋଲରେ ହରାଇ ଇତିହାସ ରଚିଛି ସ୍ପେନ୍ । ମହିଳା ଫିଫା ବିଶ୍ବକପରେ ଚାମ୍ପିୟନ ହୋଇଛି ସ୍ପେନ୍ । ଖେଳ ଆରମ୍ଭରୁ ଇଂଲଣ୍ଡର ଖେଳାଳିମାନେ ଲଢ଼ୁଆ ପ୍ରଦର୍ଶନ କରିଥିଲେ । ମାତ୍ର ସେକେଣ୍ଡ ହାଫରେ ସ୍ପେନ ଦମଦାର ପ୍ରଦର୍ଶନ କରି ଗୋଲ ଦେବାରେ ସକ୍ଷମ ହୋଇଥିଲା । ସ୍ପେନ ଜିତିବାର ମୁଖ୍ୟ କାରଣ ହେଉଛି ଖେଳାଳିଙ୍କ ମଧ୍ୟ ତାଳମେଳ । ଇଂଲଣ୍ଡ ଅପେକ୍ଷା ସ୍ପେନର ଖେଳାଳିମାନେ ଅଧିକ ପାସ ଦେଇଥିଲେ । ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିଛି ସ୍ପେନ । ବିଶ୍ବ ତାଲିକାର ୬ ନମ୍ବର ସ୍ଥାନରେ ଥିବା ଏହି ଦଳ ନମ୍ବର ଓ୍ବାନ ଟିମ୍ ଜାପାନକୁ ମଧ୍ୟ ହରାଇଛି । ସ୍ପେନ ନକଆଉଟ୍ ପର୍ଯ୍ୟାୟରେ ସ୍ବିଜରଲ୍ୟାଣ୍ଡକୁ ପରାସ୍ତ କରିଥିବାବେଳେ କ୍ବାଟର ଫାଇନାଲରେ ନେଦରଲ୍ୟାଣ୍ଡକୁ ହରାଇଥିଲା । ସେପଟେ ସେମିଫାଇନାଲରେ ସ୍ବିଡେନ ସହ କଡ଼ା ଟକ୍କର ଦେଇ ଫାଇନାଲ ଟିକେଟ ହାତେଇଥିଲା ।

କଟକରେ ଡେଙ୍ଗୁ ଭୟ

କଟକ: ବର୍ଷା ପରେ ମାତିଛନ୍ତି ଏଡିସ୍ ମଶା । ମୌସୁମୀ ବର୍ଷା ପରେ ଡେଙ୍ଗୁ ମୁକାବିଲା ପାଇଁ ସିଏମସି ଆରମ୍ଭ କରିଥିଲା  ପ୍ରସ୍ତୁତି । ଓ୍ବାର୍ଡ ଓ ବିଦ୍ୟାଳୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ମଶା ତେଲ ସିଞ୍ଚନ କରାଯାଉଛି । ସିଏମସି ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ସହରରେ ୧୦୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶେଷକରି ସିଡିଏ ଅଞ୍ଚଳରେ ଡେଙ୍ଗୁ ମୁକାବିଲା ପାଇଁ ବିଭାଗ 4 ଜଣ ନୋଡାଲ ଅଫିସରଙ୍କ ସହ 4ଟି ଟିମ ନିୟୋଜିତ କରିଛି । ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି ଟିମ୍ । ତେବେ ଲୋକମାନଙ୍କ ସଚେତନତା ଅଭାବରୁ ଡେଙ୍ଗୁ ଅଧିକ ବ୍ୟାପୁଥିବା କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ ।

 

 

 

ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼

କଟକ: ଗୋଟିଏ ମାସ ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ନଦୀ ଘାଟ । ମଳମାସ ସରିଥିବାରୁ ଶ୍ରାବଣର ଶେଷ ଦୁଇ ସୋମବାର ହେବ ଜଳଲାଗି । ମହାଦେବଙ୍କୁ ଜଳାଭିଷେକ କରିବେ କାଉଡ଼ିଆ । ଏଥିପାଇଁ ଚଳଚଞ୍ଚଳ ହୋଇଛି କଟକ ଗଡ଼କଡ଼ିଆ ଘାଟ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆମାନେ ଏକାଠି ହୋଇ ଅସ୍ଥାୟୀ ଶିବଲିଙ୍ଗଙ୍କୁ ପୂଜା କରିବା ସହ ଗଡ଼େଶ୍ବର ମହାନଦୀ କୂଳରୁ ପାଣି ଉଠାଇଛନ୍ତି  । ବିଶ୍ବାସ ଓ ଭକ୍ତିର ଏକ ମହାମିଳନ ଦେଖିବାକୁ ମିଳିଛି । ପୂଜାର୍ଚ୍ଚନା ପରେ ପାଣିଭାର ନେଇ ଶୈବପୀଠ ଅଭିମୁଖେ ଯାତ୍ରା କରିଛନ୍ତି କାଉଡ଼ିଆ ।

ମାସର ପ୍ରଥମ ଦୁଇ ସୋମବାର ହୋଇଥିଲା ଜଳଲାଗି । ତେବେ ଯୋଡ଼ା ଶ୍ରାବଣ ପଡିବାକୁ ମଝିରେ ମଳମାସ ପାଇଁ ଜଳଲାଗି ବନ୍ଦ ରହିଥିଲା । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର 21 ତାରିଖ ଓ 28ତାରିଖ ଦିନ ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକ ମାନେ କହିଥିଲେ । ତେଣୁ ରବିବାର ପବିତ୍ର ଗଡ଼କଡ଼ିଆରୁ ଜଳାଭାରର ଧରି ଉତ୍ସାହର ସହ ଲିଙ୍ଗରାଜ, ଧବଳେଶ୍ଵର, ସର୍ପେଶ୍ବର ଆଦି ଶୈବପୀଠ ଅଭିମୁଖେ ଯାତ୍ରା କରିଛନ୍ତି କାଉଡ଼ିଆ ।

ଜଳ ଉଠାଣ ପାଇଁ ନଦୀ ପଠାରେ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ପକ୍ଷରୁ ନଜର ରଖାଯାଇଛି । ବର୍ଷା ପରେ ନଦୀର ପାଣି ଅଧିକ ଥିବାରୁ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏକମାସ ପରେ ପୁଣି ଜଳଲାଗି ଯୋଗ ପଡ଼ିଥିବାରୁ ଅଧିକ ଭିଡ଼ ହେବା ଆଶା କରାଯାଉଛି ।

 

ଠକେଇ ଟଙ୍କାରେ ଥାଇଲାଣ୍ଡରେ ମସାଜ୍ କରୁଥିଲା କାହ୍ନୁଚରଣ

ଭୁବନେଶ୍ବର: ଠକେଇ ଟଙ୍କାରେ ଥାଇଲାଣ୍ଡରେ ମସାଜ୍ । କରିତକର୍ମା କାହ୍ନୁଚରଣ ଗିରଫ ପରେ ଫିଟୁଛି ଗୁମର । ମିଛ ଆଇକାର୍ଡ ଓ ଫେକ୍ ନୋଟିଫିକେସନ ଜରିଆରେ ଲୁଟିଛନ୍ତି କୋଟି କୋଟି ଟଙ୍କା । ସୂଚନା ଅଧିକାର କର୍ମୀ ନାଁରେ ଘୁରି ବୁଲୁଛନ୍ତି ୨୫ ରୁ ଉର୍ଦ୍ଧ୍ବ ଦଲାଲ । କାହାକୁ ପଞ୍ଚାୟତରାଜ ସେକ୍ରେଟାରୀ ତ ଆଉ କାହାକୁ ପୁର୍ତ୍ତ ବିଭାଗର ଆଡ଼ିସିନାଲ ସେକ୍ରେଟାରୀ । ଭିନ୍ନ ଭିନ୍ନ ପରିଚୟରେ ଲୋକଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା ଲୁଟୁଥିବା ବେଳେ ଭୁବନେଶ୍ବରରୁ ନକଲି ଆରଟିଆଇ କର୍ମୀ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିଛି STF । କାହ୍ନୁର ଘର ଖୋର୍ଦ୍ଧା ଟାଙ୍ଗି ହୋଇଥିବା ବେଳେ ଅନ୍ଧାରୁଆରେ ସେ ରହୁଥିଲା । ପଞ୍ଚାୟତିରାଜ ବିଭାଗରେ VLW ଚାକିରି କରାଇବା, ମଦ ଦୋକାନ ଲାଇସେନ୍ସ, କ୍ରସର ଲାଇସେନ୍ସ ଓ ଟ୍ରାନ୍ସଫର ପୋଷ୍ଟିଂ କରାଇବା ପାଇଁ ଟଙ୍କା ନେଉଥିଲା । ଠକେଇ ଟଙ୍କାରେ ୬ ମାସରେ ଥରେ ଥାଇଲାଣ୍ଡ ଯାଇ ମଉଜମସ୍ତି କରୁଥିଲା ଏହି ଦଲାଲ । ଚାନ୍ଦପୁର ଥାନାରେ କାହ୍ନୁ ନାଁ ରେ ୪ଟି ଅପରାଧିକ ମାମଲା ରହିଛି । ଗିରଫ ବେଳେ ତା ଠାରୁ ସରକାରୀ ଚାକିରି ନୋଟିଫିକେସନ ଓ ଅର୍ଡର ଜବତ ହୋଇଥିବା କହିଛନ୍ତି STF ଏସପି ।

ଶୁକ୍ରବାର କାହ୍ନୁ ଲିଙ୍କରେ ରହି କୋରାପୁଟରେ ଦଳାଲି କରୁଥିବା ବ୍ରହ୍ମପୁରର କିଶୋର ମିଶ୍ରକୁ ଗିରଫ କରାଯାଇଥିଲା । କିଶୋର ଓ କାହ୍ନୁ ଆକାଉଣ୍ଟରେ ୪କୋଟିରୁ ଉର୍ଦ୍ଧ ଟଙ୍କା କାରବାର ହୋଇଛି । କୋରାପୁଟ ବସଷ୍ଟାଣ୍ଡରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆଇକାର୍ଡ ପକାଇ ଜଣେ ବ୍ୟବସାୟୀଙ୍କୁ ବ୍ଲାକମେଲ କରୁଥିବା ବେଳେ ମାଡିବସିଥିଲା ପୋଲିସ । ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଏ ଗ୍ରୁପରେ କେତେ ଦଲାଲ ଅଛନ୍ତି ସେ ନେଇ ତଦନ୍ତ ହେବ । ଅନ୍ୟପକ୍ଷରେ ଯଦି କେହି ଏଭଳି ଠକାମୀର ଶିକାର ହୋଇଥାନ୍ତି ତେବେ ତୁରନ୍ତ ଥାନାରେ ଏତଲା ଦେବାକୁ କହିଛନ୍ତି ଏସପି ।

 

 

 

ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ: କମିଶନରେଟ୍ ପୁଲିସର କଡ଼ା ଚେତାବନୀ । ଗଜାନନଙ୍କ ବିକୃତ ମୂର୍ତ୍ତି କଲେ ରକ୍ଷାନାହିଁ । ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ । ପାର୍ବଣ ପୂର୍ବରୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍ । ଆଉ କିଛିଦିନ ପରେ ଧରାବତରଣ କରିବେ ପ୍ରଭୁ ଗଜାନନ । ପାର୍ବଣ ଋତୁ ପାଇଁ କଟକର ସବୁ ପୂଜା ମଣ୍ଡପ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖାଲି ଗଣେଶ ପୂଜା ନୁହେଁ ପଛକୁ ପଛ ଲକ୍ଷ୍ମୀପୂଜା, କାଳୀପୂଜା, କାର୍ତ୍ତିକେଶ୍ବର ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବାକୁ ପୋଲିସ ମଧ୍ୟ ପ୍ରସ୍ତୁତି କରିଛି । ସମସ୍ତ ପୂଜା କମିଟି ସହ ପୋଲିସ ଆଲୋଚନା କରିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଭସାଣି ଉତ୍ସବ ନେଇ କମିଟି ଓ କ୍ଲବ ସହ ଆଲୋଚନା କରିଛି ପୋଲିସ୍ ।

ସେପ୍ଟେମ୍ବର 19ରେ ପୂଜା ପାଇବେ ପ୍ରଭୁ ଗଜାନନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂଜା ପରେ ସେପ୍ଟେମ୍ବର 24, ଅକ୍ଟୋବର 1 ଓ 8 ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ପ୍ରଭୁ ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି କଲେ ଆୟୋଜକ ଓ ମୂର୍ତ୍ତି କାରୀଗରଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏହାସର ଜବରଦସ୍ତ ଚାନ୍ଦା ଆଦାୟ ନେଇ ଅଭିଯୋଗ ଆସିଲେ ଜିରୋ ଟଲେରାନ୍ସ ନୀତି ଆପଣେଇବାକୁ ପୋଲିସ ଚେତାଇ ଦେଇଛି । ସେପଟେ ପୂଜା ପୂର୍ବରୁ ସବୁ ବିଭାଗ ସହ ଆଲୋଚନା କରାଯାଇ ସହରର ରାସ୍ତାଘାଟ ମରାମତି, ଅଲୋକୀକରଣ ସହ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଚି CMC।