ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ

1 min read

କଟକ: କମିଶନରେଟ୍ ପୁଲିସର କଡ଼ା ଚେତାବନୀ । ଗଜାନନଙ୍କ ବିକୃତ ମୂର୍ତ୍ତି କଲେ ରକ୍ଷାନାହିଁ । ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ । ପାର୍ବଣ ପୂର୍ବରୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍ । ଆଉ କିଛିଦିନ ପରେ ଧରାବତରଣ କରିବେ ପ୍ରଭୁ ଗଜାନନ । ପାର୍ବଣ ଋତୁ ପାଇଁ କଟକର ସବୁ ପୂଜା ମଣ୍ଡପ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖାଲି ଗଣେଶ ପୂଜା ନୁହେଁ ପଛକୁ ପଛ ଲକ୍ଷ୍ମୀପୂଜା, କାଳୀପୂଜା, କାର୍ତ୍ତିକେଶ୍ବର ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବାକୁ ପୋଲିସ ମଧ୍ୟ ପ୍ରସ୍ତୁତି କରିଛି । ସମସ୍ତ ପୂଜା କମିଟି ସହ ପୋଲିସ ଆଲୋଚନା କରିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଭସାଣି ଉତ୍ସବ ନେଇ କମିଟି ଓ କ୍ଲବ ସହ ଆଲୋଚନା କରିଛି ପୋଲିସ୍ ।

ସେପ୍ଟେମ୍ବର 19ରେ ପୂଜା ପାଇବେ ପ୍ରଭୁ ଗଜାନନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂଜା ପରେ ସେପ୍ଟେମ୍ବର 24, ଅକ୍ଟୋବର 1 ଓ 8 ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ପ୍ରଭୁ ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି କଲେ ଆୟୋଜକ ଓ ମୂର୍ତ୍ତି କାରୀଗରଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏହାସର ଜବରଦସ୍ତ ଚାନ୍ଦା ଆଦାୟ ନେଇ ଅଭିଯୋଗ ଆସିଲେ ଜିରୋ ଟଲେରାନ୍ସ ନୀତି ଆପଣେଇବାକୁ ପୋଲିସ ଚେତାଇ ଦେଇଛି । ସେପଟେ ପୂଜା ପୂର୍ବରୁ ସବୁ ବିଭାଗ ସହ ଆଲୋଚନା କରାଯାଇ ସହରର ରାସ୍ତାଘାଟ ମରାମତି, ଅଲୋକୀକରଣ ସହ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଚି CMC।