spot_img
Home Blog Page 2748

ବିଶ୍ବକପ କ୍ରିକେଟରେ ଅଷ୍ଟ୍ରେଲିଆର ରେକର୍ଡ ବିଜୟ, ୩୦୯ ରନରେ ନେଦରଲାଣ୍ଡ ପରାସ୍ତ

ବ୍ୟୁରୋ ରିପୋର୍ଟ: ବିଶ୍ବକପ କ୍ରିକେଟରେ ଅଷ୍ଟ୍ରେଲିଆର ରେକର୍ଡ ବିଜୟ । ୩୦୯ ରନ ବ୍ୟବଧାନରେ ନେଦରଲ୍ୟାଣ୍ଡସକୁ ହରାଇଲା ଅଷ୍ଟ୍ରେଲିଆ । ୪୦୦ ରନ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୯୦ ରନରେ ଅଲଆଉଟ ହୋଇଗଲା ନେଦରଲ୍ୟାଣ୍ଡସ । କୌଣସି ରନ କରିପାରିଲେନି ନେଦରଲ୍ୟାଣ୍ଡର ୩ ଜଣ ଖେଳାଳି । ୪ ଜଣ ଖେଳାଳି ଦୁଇଅଙ୍କ ଛୁଇଁନଥିବାବେଳେ ସର୍ବାଧିକ ୨୫ ରନ କରିଥିଲେ ବିକ୍ରମଜିତ୍ ସିଂ । ବିଶାଳ ବିଜୟ ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଟସି ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଗ୍ଲେନ ମାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବିଶାଳ ରନ କରିଥିଲା ଟିମ୍ କଂଗାରୁ । ୪୦ଟି ବଲରେ ଶତକ ହାସଲ କରି ବିଶ୍ବକପରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି ମାକ୍ସୱେଲ ।

୪୪ଟି ବଲରେ ୧୦୬ ରନ କରି ମାକ୍ସଓ୍ବେଲ ପ୍ୟାଭିଲିୟନ ଫେରିଥିଲେ । ଡେଭିଡ୍ ଓ୍ବାର୍ଣ୍ଣର ମଧ୍ୟ ଶତକ ହାସଲ କରିଥିଲେ  । ସେ ୯୩ ବଲରେ ୧୦୪ ରନ ସଂଗ୍ରହ କରିଥିଲେ । ଷ୍ଟିଭ ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସେନ୍ ୬୨ ରନ ସଂଗ୍ରହ କରିଥିଲେ । ନେଦରଲ୍ୟାଣ୍ଡସ ଟିମର ବୋଲର ଲୋଗାନ ଭ୍ୟାନବିକ୍ ସର୍ବାଧିକ ୪ଟି ୱିକେଟ ନେଇଥିଲେ  । ୧୦ ଓଭରରେ ୭୪ ରନ ଦେଇଥଲେ ଭ୍ୟାନବିକ୍ । ସେହିପରି ବାସ ଡଲିଡେଙ୍କୁ ୨ଟି ୱିକେଟ ମିଳିଥିଲା। ୪୦୦ ରନର ବିଶାଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲ୍ୟାଣ୍ଡସ  । ହେଲେ କ୍ରମାଗତ ଦଳର ଓ୍ବିକେଟ ପତନ ହୋଇଥିଲା । ଶେଷରେ ୨୧ ଓଭରରେ ୯୦ ରନ କରି ଅଲଆଉଟ ହୋଇଯାଇଥିଲା ନେଦରଲ୍ୟାଣ୍ଡସ ।

ରୂପାନ୍ତରଣ ପଥେ ଓଡ଼ିଶା, ପାଣ୍ଡିଆନଙ୍କୁ ସବୁଠି ପ୍ରଂଶସା

ଭୁବନେଶ୍ବର: ରୂପାନ୍ତରଣ ପଥେ ଓଡ଼ିଶା । ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ନିର୍ମାଣ ଚାଲିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ଶିଳ୍ପ, ପର୍ଯ୍ୟଟନ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ  ସବୁକ୍ଷେତ୍ରରେ ସଫଳ ରୂପାନ୍ତରଣ କରି ପୂରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା ।  ନବୀନଙ୍କ ନିର୍ଦ୍ଦେଶରେ ରୁପାନ୍ତରିତ ଓଡ଼ିଶାର  ବିନ୍ଧାଣୀ ସାଜିଥିଲେ ଭି କେ ପାଣ୍ଡିଆନ । ଆଇଏଏସ ଚାକିରିରୁ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେବା ଓ ତାଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କ କାମ ଓ ପ୍ରଶାସନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ନେତାମାନେ ।

ଭି.କେ ପାଣ୍ଡିଆନ । ଉପଜିଲ୍ଲାପାଳରୁ ଫାଇଭ-ଟି ସଚିବ ଯାଏ । ସବୁଠି ଦକ୍ଷତା ଦେଇଛି ତାଙ୍କୁ ସ୍ବତନ୍ତ୍ର ପରିଚୟ । ନିଜ ଦାୟିତ୍ବ ଓ ଲୋକାଭିମୁଖି କାର୍ଯ୍ୟକ୍ରମ ପାଇଁ  ରାଷ୍ଟ୍ରପତିଙ୍କ ଠାରୁ କେନ୍ଦ୍ର ସରକାରଙ୍କ  ପକ୍ଷରୁ ତାଙ୍କ କାମକୁ ଅନେକ ପୁରସ୍କାର ଓ  ପ୍ରଶଂସା ମିଳିଛି । ନିଜ କର୍ତ୍ତବ୍ୟ ଓ ଦାୟିତ୍ବକୁ ବୁଝୁଥିବା ପାଣ୍ଡିଆନ ସବୁବେଳେ ଲୋକଙ୍କ ହିତରେ କାମ କରି ସଭିଁଙ୍କ ପ୍ରିୟପାତ୍ର ସାଜିଛନ୍ତି । ସୋମବାର ପ୍ରଶାସନିକ ଚାକିରିରୁ ସ୍ବେଚ୍ଛାକୃତ ଅବସର ଓ ମଙ୍ଗଳବାର ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା । ୨୦୦୭ ମସିହାରେ ଗଂଜାମର ଜିଲ୍ଲାପାଳ ଭାବେ ନିଜର ପ୍ରଶାସନିକ ଦକ୍ଷତା ଦେଖାଇବା ପରେ ୨୦୧୧ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାମ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଥିଲେ ।

ପରେ ୨୦୧୯ରେ ଫାଇଭ-ଟି ସଚିବ ଭାବେ ନିଜର ଦାୟିତ୍ବ ତୁଲାଇଥିଲେ। ତାଙ୍କ କାମ ହିଁ ତାଙ୍କର ପରିଚୟ ହୋଇଥିବାରୁ ବିକଶିତ ଓଡିଶା ଗଠନ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇଥିଲା । ଲୋକସେବାକୁ ନିଜ କାମର ମୂଳମନ୍ତ୍ର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ପ୍ରିୟପାତ୍ର ହୋଇପାରିଥିଲେ । କଳାହାଣ୍ଡି, ଗଂଜମ, ମୟୁରଭଞ୍ଜ ଠାରୁ ଆରମ୍ଭ କରି ପୂରା ଓଡ଼ିଶା ପାଣ୍ଡିଆନଙ୍କ ଦକ୍ଷତାକୁ ଗ୍ରହଣ କରିଛି ବୋଲି ଶାସକ ଦଳ କହିଛି । ଏବେ ସେ ରାଜନୀତିକୁ ଆସିନାହାନ୍ତି ଯଦି ଆସିବେ ଲୋକେ ତାଙ୍କୁ ସମ୍ମାନ ଭଲ ପାଇବା ଦେବେ ବୋଲି ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ।

୨୦୧୯ରେ ପଞ୍ଚମ ପାଳିରେ ଶାସନ ବ୍ୟବସ୍ଥାରେ ନବୀନ ୫ଟି ଓ ମୋ ସରକାରଙ୍କ ସାମିଲ କଲେ । ଯାହାର ଗୁରୁଦାୟିତ୍ବ ଭି କେ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ କଲେ । ବିକାଶକୁ ଦ୍ରୁତ ଗତିରେ ଆଗେଇନେବାକୁ ଫାଇଭ-ଟି ଓ ମୋ ସରକାରକୁ  ପ୍ରାଥମିକତା ଦେଇ ମିଶନ ମୋଡରେ କାମ କଲେ । ରୂପାନ୍ତରଣ ମାଧ୍ୟମରେ ରାଜ୍ୟ ସବୁ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ ହେଲା  । ନବୀନଙ୍କ ବିକଶିତ ଓଡ଼ିଶା ଗଠନ  କିଛି ଅସୁବିଧା ଯେମିତି ନରହିବ ସେ ନେଇ ୬ମାସ ଧରି ୩୦ଟି ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହ ସିଧାସଳଖ ଆଲୋଚନା କଲେ । ଲୋକେ ଅଭିଯୋଗ ଆଣିଲେ ଓ ତାହାର ସମାଧାନର ବାଟ ବାହର କଲେ ପାଣ୍ଡିଆନ । ଯାହା ଘରେ ଘରେ ଓ ଲୋକଙ୍କ ହୃଦୟେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କଲା । ପାଣ୍ଡିଆନଙ୍କ ଏପରି କାର୍ଯ୍ୟଦକ୍ଷତାକୁ କେବଳ ଶାସକ ଦଳର  ବରିଷ୍ଠ ବିଧାୟକମାନେ ନୁହନ୍ତି ଓ ବିରୋଧୀ ଦଳର ଫାୟାରବ୍ରାଣ୍ଡ ବିଧାୟକଙ୍କ ବି ରାଜନୀତିର ଉର୍ଦ୍ଧ୍ବରେ ରହି ପ୍ରଶଂସା କରିଛନ୍ତି ।

ପାଣ୍ଡିଆନଙ୍କ ଦକ୍ଷତାସଂପନ୍ନ କାର୍ଯ୍ୟଧାରା ଓ ଜନସେବା ମନୋବୃତ୍ତିକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି । ଆଗକୁ ବିକଶିତ ଓଡ଼ିଶା ଗଠନ ସହ  ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି । ଯାହାକୁ ନେଇ ପୂରା ଓଡ଼ିଶାରେ ଉତ୍ସାହ ଓ ଚର୍ଚ୍ଚା ।

ଜାତୀୟ ସ୍ତରର ଭଲିବଲ ଖେଳାଳି ଧନଞ୍ଜୟଙ୍କ ଚିକତ୍ସାରେ ଅର୍ଥ ସାଜିଛି ବାଧକ

ପାଟକୁରା: ଦାଉ ସାଧିଲା ରୋଗ । ଚିକତ୍ସା ପାଇଁ ଅର୍ଥ ବି ସାଜିଛି ବାଧକ । ଯକୃତ ରୋଗରେ ଆକ୍ରାନ୍ତ ହୋଇ ସହୟତା ଲୋଡୁଛନ୍ତି ଜାତୀୟ ସ୍ତରର ଭଲିବଲ ଖେଳାଳୀ ଧନଞ୍ଜୟ ଦାସ ।  ଭଳିବଲ କ୍ରୀଡାରେ ପାଇଥିଲେ ଅନେକ ସଫଳତା । ହେଲେ ଯୁବାବସ୍ଥାରେ ଯକୃତ ଜନିତ ରୋଗ ସତେ ଯେମିତି ମଉଳାଇ ଦେଇଛି ତାଙ୍କ ସବୁ ସ୍ବପ୍ନ । ଖେଳରେ ଅଗ୍ରଣୀ ହେବାର ଇଚ୍ଛା ସତେ ଯେପରି ଭାଙ୍ଗିଦେଇଛି ରୋଗ ।

ଦିନେ ଭଲିବଲ ଖେଳରେ ଦେଖାଉଥିଲେ ଚମତ୍କାର  । ହେଲେ ଆଜି ସେ ଶଯ୍ୟାସାୟୀ  । ପ୍ରତିଭାବାନ ଖେଳାଳି ଆଜି ହୋଇଯାଇଛି ନିଃସହାୟ । ଡେରାବିଶ କୁରୁଜଙ୍ଗା ପଞ୍ଚାୟତ ବଡ଼ ମଙ୍ଗରାଜପୁର ଗାଁର ଧନଞ୍ଜୟ ଦାସ ପିଲାଟି ଦିନରୁ ଭଳିବଲ ଖେଳ ପ୍ରତି ରୁଚି ରଖିଥିଲେ । କଠିନ ପରିଶ୍ରମ ବଳରେ ଓଡିଶା ଭଲିବଲ ଟିମ୍ ଓ ଅନ୍ୟାନ୍ୟ ନ୍ୟାସନାଲ ଭଳିବଲ କ୍ଲବ ତରଫରୁ ଜାତୀୟ ସ୍ତରରେ ସେ ଅନେକ ସଫଳତା ହାସଲ କରିଥିଲେ  । ଏଥି ସହିତ ତାଙ୍କୁ ଏକ ସ୍କୁଲରେ ଖେଳ ଶିକ୍ଷକ ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା । କିନ୍ତୁ ଛ ମାସ ତଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିଲା  । ପରେ ଡାକ୍ତରି ପରୀକ୍ଷା କରିବାରୁ ତାଙ୍କ କିଡ଼ନୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗଡିବାରେ ଲାଗିଛି  ।

ବର୍ତ୍ତମାନ ଧନଞ୍ଜୟଙ୍କ ଡାଇଲିସିସ ଚାଲିଛି । ସେଥିପାଇଁ ବହୁଳ ଅର୍ଥ ଖର୍ଚ୍ଚ ହେଉଛି, କିଡ଼ନୀ ପ୍ରତିରୋପଣ ପାଇଁ ଡାକ୍ତର କହିଛନ୍ତି । ହେଲେ କିଡ଼ନୀ ପ୍ରତିରୋପଣ ଓ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏନେଇ ଧନଞ୍ଜୟ ଦାସ ଓ ତାଙ୍କ ପରିବାର  ପକ୍ଷରୁ ସହାୟତା ପାଇଁ ନିବେଦନ କରାଯାଇଛି  । ସେପଟେ ବିଏସକେଓ୍ବାଇ ମଧ୍ୟମରେ ସମସ୍ତ ସହାୟତା ଯୋଗଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଡେରାବିଶ ବିଡ଼ିଓ

ବିକାଶ ପଥେ କୋଟିଆ

କୋରାପୁଟ: ବିକାଶ ପଥେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆର ୨୧ ଖଣ୍ଡ ଗାଁ । ଓଡିଶା ସରକାର କୋଟିଆର ଉନ୍ନତି ଏବଂ ସ୍ଥାନୀୟ ଅଧିବାସୀ କିଭଳି ସ୍ବାବଲମ୍ବି ହୋଇ ପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ପ୍ରୟାସ ସଫଳ ମଧ୍ୟ ହୋଇ ପାରୁଥିବା ଦେଖିବାକୁ ମିଳିଛି । କୋଟିଆବାସୀ ଜଙ୍ଗଲରୁ ଉତ୍ପାଦିତ ହେଉଥିବା ଝାଡୁ ଗୁଡ଼ିକୁ ବିକ୍ରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି।

ଉନ୍ନତିପଥେ କୋରାପୁଟ ଜିଲ୍ଲାର କୋଟିଆ  । ସ୍ଥାନୀୟବାସୀଙ୍କୁ ସ୍ବାବଲମ୍ବୀ କରିଛି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ । ବିକାଶକୁ ଦେଖି ଛାନିଆ ପଡୋଶୀ ରାଜ୍ୟ ଆନ୍ଧ୍ର । କୋଟିଆକୁ ଅକ୍ତିଆର ପାଇଁ ଆନ୍ଧ୍ର ବିଭିନ୍ନ ଚକ୍ରାନ୍ତ ଚଳାଇଥିବା ବେଳେ ଏହାକୁ ନାକାମ କରିଛି ରାଜ୍ୟ ସରକାର । କୋଟିଆର ଉନ୍ନତି ପାଇଁ ୧୫୦ କୋଟି ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅନୁଦାନରେ ରାସ୍ତା ଘାଟ,ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସୁବିଧା କରାଯାଇଛି । ବର୍ତ୍ତମାନ ସ୍ଥାନୀୟ ବାସିଙ୍କ ଜୀବନ ଜୀବିକା ନିମନ୍ତେ ଛେଳି ଚାଷ,କୁକୁଡ଼ା ଚାଷ, ଷ୍ଟ୍ରବେରି ଚାଷ ଆଦି ଯୋଜନା ପ୍ରଣୟନ କରାଯାଇଛି । ସେହିଭଳି ସ୍ଥାନୀୟ ଜଙ୍ଗଲରୁ ଉତ୍ପାଦିତ ଝାଡୁ ମଧ୍ୟ ଆତ୍ମନିର୍ଭରଶିଳର ମାଧ୍ୟମ ହୋଇପାରିଛି । ସ୍ଥାନୀୟ ଏସଏଚଜି ମାଆଙ୍କ ମାଧ୍ୟମରେ ସେହି ଝାଡୁ ଗୁଡ଼ିକୁ ବାନ୍ଧି ବିଭିନ୍ନ ରାଜ୍ୟରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

କୋଟିଆବାସୀ ପୂର୍ବରୁ ଝାଡୁ ଗୁଡ଼ିକୁ ଶାଗ ମାଛ ଦରରେ କୁନ୍ଦୁଲି ହାଟରେ ବିକ୍ରି କରୁଥିଲେ। ଏହି ଝାଡୁକୁ ବିକ୍ରି କରି ଲୋକେ କିଭଳି ସ୍ବାବଲମ୍ବି ହୋଇପାରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ ରାଜ୍ୟସରକାର । କୋଟିଆରେ ଝାଡୁ ବନ୍ଧା କେନ୍ଦ୍ର ନିର୍ମାଣ କରି ଓର୍ମାସ୍ ଦ୍ଵାରା ଏହାକୁ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଏହାକୁ ବିକ୍ରି ଏବଂ ପ୍ରସ୍ତୁତି ଦାୟିତ୍ବ ନେଇ ଏବେ ଭଲ ଦୁଇପଇସା ରୋଜଗାର କରିପାରୁଛନ୍ତି ମିଶନଶକ୍ତି ମହିଳା ।

ମେଲାଣି ନେଉଛନ୍ତି ମା’

ଭୁବନେଶ୍ବର: ଚାଲିଛି ଭସାଣ ଉତ୍ସବ । ରାଜଧାନୀରେ ଲାଗିଛି ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ଫାଟି ପଡ଼ୁଛି ପୁରା ପରିବେଶ । ମା’ଙ୍କ ପୂଜାରେ ନିୟୋଜିତ ପୂଜକ ଓ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡୁଛନ୍ତି। ଆଖିର ଲୁହକୁ ରୋକିପାରୁ ନାହାନ୍ତି। ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଯେଉଁ ରାସ୍ତାରେ ମା’ଙ୍କ ‌ଶୋଭାଯାତ୍ରାର ଆୟୋଜନ ହୋଇଛି, ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ ଚାଲିଛି। ପାରମ୍ପରିକ ବାଦ୍ୟର ଧ୍ବନିରେ ଭୁବନେଶ୍ବର କମ୍ପୁଛି। ମା’ଙ୍କ ଭସାଣ ଯାତ୍ରା ଅପରାହ୍‌ଣ ୩ଟାରୁ ଆରମ୍ଭ ହୋଇଥିବା ବ‌େଳେ ଏହା ରାତିଯାଏଁ ଚାଲିବ।

ନାଟକର ଅପୂର୍ବ ସଫଳତା ପରେ ବଡ଼ ପରଦାରେ ଆସିବ ସିନେମା ’ନବକଳେବର’

ଭୁବନେଶ୍ବର: ନବକଳେବରକୁ ଚଳଚ୍ଚିତ୍ର ଭାବରେ ଦେଖିବାକୁ ପାଇବେ ଦର୍ଶକ । ନବକଳେବର ନାଟକର ଅପୂର୍ବ ସଫଳତା ପରେ ଏହାକୁ ସିନେମା ଭାବରେ ପ୍ରସ୍ତୁତି କରାଯିବ । ସାଇ ଶ୍ରଦ୍ଧା ପ୍ରଡକ୍ସନ ବ୍ୟାନରରେ ଶ୍ରୀଜଗନ୍ନାଥ ନବକଳେବର ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ । ନାଟକରୁ ଚଳଚିତ୍ରକୁ ରୂପାନ୍ତରିତ କରି ଆଉଥରେ ଜଗନ୍ନାଥଙ୍କ ମହିମା ଓ ଲୀଳା ପ୍ରଚାର ପ୍ରସାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ଏହି ଫିଲ୍ମ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଚଳଚ୍ଚିତ୍ର ନିର୍ମାଣ କାମ ନଭେମ୍ବର ଏକରୁ ଗୁଜୁରାଟରୁ ଶୁଭାରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି ।

ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିବେ ବିନି ସାମଲ ଓ ଦିଲ୍ଲୀପ ଜେନା । ସେହିପରି ବିନି ସାମଲ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଥିବାବେଳେ ଚିତ୍ରନାଟ୍ୟ, ସଂଳାପରେ ରହିଛନ୍ତି ଶଙ୍କର ତ୍ରିପାଠୀ ଓ ସଂଗୀତରେ ମଳୟ ମିଶ୍ର ରହିଛନ୍ତି । ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଅଶ୍ରୁମୋଚନ ମହାନ୍ତି, ଜ୍ୟୋତି, ଶିବାନୀ, ସୂର୍ଯ୍ୟମୟୀ, ରୁଷି ପଟ୍ଟନାୟକ, କେଦାର ମିଶ୍ର, ଦେବୁ ପଟ୍ଟନାୟକ, ବିନି ସାମଲ ରହିଛନ୍ତି  । ପୂର୍ବରୁ 2022 ମସିହାରେ ନଭେମ୍ବର 4ରୁ 9ତାରିଖ ମଧ୍ୟରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଓ ରାଉରକେଲାରେ ଫେବ୍ରୁଆରୀ 1 ଓ 2 ତାରିଖରେ ନବକଳେବର ନାଟକକୁ ଅପୂର୍ବ ସଫଳତା ମିଳିଥିଲା ବୋଲି ପ୍ରଯୋଜକ କହିଛନ୍ତି ।

ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବାକୁ ଯାଇ ଡଙ୍ଗାରୁ ଖସିପଡ଼ିଲେ ଚାଳକ

ଖୋର୍ଦ୍ଧା: ଚିଲିକାରେ ଅଘଟଣ । ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବାକୁ ଯାଇ ଡଙ୍ଗାରୁ ଖସିପଡ଼ିଲେ ଚାଳକ । ନିଖୋଜ ଡଙ୍ଗା ଚାଳକ ହେଲେ ବିକ୍ରମ ଜାଲି । ୫ ଜଣ ପର୍ଯ୍ୟଟକଙ୍କୁ ନେଇ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲେ ବିକ୍ରମ । ଡଲଫିନ ଦେଖାଇ ଫେରୁଥିବା ବେଳେ ହଠାତ୍ ଡଙ୍ଗାଟିର ମୋଟର ବନ୍ଦ ହୋଇଯିବାରୁ ଚାଳକ ମୋଟରକୁ ଚାଲୁ କରିବାବେଳେ ପାଣିରେ ଖସିପଡ଼ିଥିଲେ । ନିକଟରେ ଥିବା ଅନ୍ୟଏକ ଡଙ୍ଗା ପର୍ଯ୍ୟଟକଙ୍କ ସହିତ ଡଙ୍ଗାଟିକୁ ଉଦ୍ଧାର କରିଛି । ତେବେ ଚାଳକଙ୍କର ଏଯାଏ ପତ୍ତା ମିଳିନି । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ବେଳେ ଡଙ୍ଗା ଚାଳକ ବିକ୍ରମ ଜାଲିଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଓ ବ୍ରହ୍ମଗିରି ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି ।

ହମାସ କବଳରେ ଥିବା ପଣବନ୍ଦୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ଗାଜାବାସୀଙ୍କୁ ଇସ୍ରାଏଲର ନିର୍ଦ୍ଦେଶ

ବ୍ୟୁରୋ ରିପୋର୍ଟ: ଖୁବ୍ ଶୀଘ୍ର ଗାଜା ଉପରେ ବଡ଼ଧରଣର ଆକ୍ରମଣ । ହମାସ କବଳରେ ଥିବା ପଣବନ୍ଦୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ଗାଜାବାସୀଙ୍କୁ ଇସ୍ରାଏଲର ନିର୍ଦ୍ଦେଶ । ଏପରିକି ଯେଉଁମାନେ ଅର୍ଥ ପ୍ରଦାନ କରିବେ ସେମାନଙ୍କୁ ପୁରସ୍କାର ରାଶି ମିଳିବା ସହ ସେମାନଙ୍କୁ ସୁରକ୍ଷା ଦିଆଯିବ ବୋଲି କହିଛି ଇସ୍ରାଏଲ ସେନା । ହମାସର କବଳରେ ୨୨୦ ପଣବନ୍ଦୀ ଥିବାବେଶେ ସେମାନଙ୍କ ସମ୍ପର୍କରେ ଖୋଜଖବର ମିଳୁନାହିଁ ।

ଯଦି ଗାଜାରେ ଶାନ୍ତିରେ ରହିବାକୁ ଚାହାଁନ୍ତି ତେବେ ତୁରନ୍ତ ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ଗାଜାବାସୀଙ୍କୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ପ୍ରଥମେ ଆମେରିକାର ଦୁଇ ଜଣ ପଣବନ୍ଦୀଙ୍କୁ ଓ ପରେ ଦୁଇ ଜଣ ଇସ୍ରାଏଲୀ ମହିଳାଙ୍କୁ ମୁକ୍ତି କରିଛି ହମାସ ।  ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ଆକାଶ ମାର୍ଗରୁ ପ୍ରଚାରପତ୍ର ପକାଇଛି ଇସ୍ରାଏଲ । ସେପଟେ ସିରିଆର ସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି ଇସ୍ରାଏଲ ।

ତେଣେ ଗାଜା ଉପରେ ଯେକୌଣସି ସମୟରେ ଆକ୍ରମଣ କରାଯିବ ବୋଲି କହିଛନ୍ତି ଆଇଡିଏଫ ଚିଫ ଅଫ ଷ୍ଟାଫ ଲେଫଟନାଣ୍ଟ ଜେନେରାଲ ହେର୍ଜି ହାଲେଭି । ତେଣେ ଗ୍ରାଉଣ୍ଡ ଆଟାକ ସମ୍ପର୍କରେ ଇସ୍ରାଏଲ ନିଜେ ନିଷ୍ପତ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜାତିସଂଘରେ ଭାରତର ପ୍ରତିନିଧି ଆର. ରବୀନ୍ଦ୍ର କହିଛନ୍ତି- ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧରେ ହେଉଥିବା ଧନଜୀବନ କ୍ଷତି ନେଇ ଭାରତ ଉଦବେଗ ପ୍ରକାଶ କରୁଛି ।

ଇଣ୍ଡିଆ ବଦଳରେ ଏନସିଇଆରଟି ପାଠ୍ୟ ପୁସ୍ତକରେ ବ୍ୟବହାର ହୋଇପାରେ ଭାରତ

ନୂଆଦିଲ୍ଲୀ: ପୁଣି ଏନସିଇଆରଟି ପାଠ୍ୟ ପୁସ୍ତକରେ ଦେଖିବାକୁ ମିଳିବ ପରିବର୍ତ୍ତନ। ଇଣ୍ଡିଆ ବଦଳରେ ପାଠ୍ୟପୁସ୍ତକରେ ବ୍ୟବହାର ହୋଇପାରେ ଭାରତ । ଭାରତକୁ ଏନସିଇଆରଟି ବହିରେ ସ୍ଥାନ ଦେବା ପ୍ରସ୍ତାବକୁ ଗ୍ରହଣ କରିଛି ପ୍ୟାନେଲ । ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଛି ଏନସିଇଆରଟି ପ୍ୟାନେଲ । ବିରୋଧ ଦଳ ମେଣ୍ଟ ଇଣ୍ଡିଆ ନାମକରଣ ପରେ ଏହାକୁ ନେଇ ସାରା ଦେଶରେ ଏବେ ବି ଚର୍ଚ୍ଚା ଲାଗି ରହିଛି ।

ତେବେ ଏନସିଇଆରଟି ପାଠ୍ୟ ପୁସ୍ତକରୁ ଇଣ୍ଡିଆ ନାମ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ ଏକ ପ୍ରସ୍ତାବ ଏନସିଇଆରଟି ପ୍ୟାନେଲକୁ ପଠାଯାଇଥିଲା । ଯାହାକୁ ଗ୍ରହଣ କରିଛି ଏନସିଇଆରଟି ପ୍ୟାନେଲ । ଆଗକୁ ଆସିବାକୁ ଥିବା ସବୁ ବହିରେ ଇଣ୍ଡିଆ ନାମ ହଟାଇ ସେହି ସ୍ଥାନରେ ଭାରତ ଉଲ୍ଲେଖ କରାଯିବ ବୋଲି ଏନସିଇଆରଟି କହିଛି । ସେହିପରି ହିନ୍ଦୁଙ୍କ ବିଜୟକୁ ମଧ୍ୟ ପୁସ୍ତକରେ ହାଇଲାଇଟ କରାଯିବ ବୋଲି ସମିତି ପ୍ରସ୍ତାବ ଦେଇଛି । ସେହିପରି ଆନସିଏଣ୍ଟ ହିଷ୍ଟ୍ରି ବଦଳରେ କ୍ଲାସିକାଲ ହିଷ୍ଟ୍ରି ପଢାଯିବାକୁ ମଧ୍ୟ ସମିତି ସୁପାରିସ କରିଛି ।

ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ । ବିଭିନ୍ନ ସ୍ଥାନରେ ପ୍ରଦୂଷଣ ସୀମା ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ତେବେ ଆଜି ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି । ବାୟୁଗୁଣବତ୍ତା ଓ ପାଣିପାଗ ଆଗୁଆ ସୂଚନା ଓ ଗବେଷଣା ବା ସଫର ପକ୍ଷରୁ କୁହାଯାଇଥିବା ତଥ୍ୟ ଅନୁସାରେ ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ୧୯୦ରେ ପହଞ୍ଚିଛି । ଗତକାଲି ଏକ୍ୟୁଆଇ ୨୩୧ ଥିବାବେଳେ ଆଜି ଏହା ୧୯୦କୁ ଖସିଛି । ଚଳିତ ବର୍ଷ ପ୍ରଥମଥର ଲାଗି ଗତ ସୋମବାର ଦିଲ୍ଲୀର ଏକ୍ୟୁଆଇ ଅତି ସାଂଘାତିକ ହୋଇଥିଲା ।

ଦଶହରା ଲାଗି ଦିଲ୍ଲୀର କେତେକ ଅଞ୍ଚଳରେ ବାଣ ଫୁଟାଇବା କାରଣର ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ଖରାପ ହୋଇଥିଲା । ଦିଲ୍ଲୀ ପରି ନୋଏଡାରେ ବି ବାୟୁ ଗୁଣବତ୍ତା ଖରାପ ରହିଛି । ନୋଏଡାରେ ଏକ୍ୟୁଆଇ ୨୧୮ ରହିଛି । ସେପଟେ ଆର୍ଥିକ ରାଜଧାନୀ ମୁମ୍ବାଇରେ ବି ଖରାପ ହେବାରେ ଲାଗିଛି ଏକ୍ୟୁଆଇ । ଆଜି ସହରରେ ଏକ୍ୟୁଆଇ ରହିଛି ୧୪୭ । ମହାନଗରୀରେ ପ୍ରାୟ ୬ ହଜାର ପ୍ରକଳ୍ପ ଚାଲିଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ ।