ବୋହୂକୁ ଚେଙ୍କ ଦେଇ ସ୍ବାମୀ ଏବଂ ଶାଶୁ ଗିରଫ

ଢ଼େଙ୍କାନାଳ: ବୋହୂକୁ ରୁଟି ତାଓ୍ବାରେ ଚେଙ୍କ ଦେଇ ଶାଶୂ ଓ ସ୍ବାମୀ ଗିରଫ । ରୁଟି ପୋଡ଼ି ଯିବାରୁ ବୋହୂକୁ ତାଓ୍ବାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଥିଲା । ଥାନାରେ ଅଭିଯୋଗ ପରେ ଶାଶୂ ଓ ସ୍ବାମୀକୁ ପୋଲିସ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଲତାବିଲ ଅଞ୍ଚଳର ଭାଗୀରଥି ବେହେରାଙ୍କ ଝିଅ ରଶ୍ମିତା ଜଗତସିଂହପୁର ଉଗ୍ରତାରା କଲୋନୀ ବାସିନ୍ଦା ଖାରବେଳ ଦିଗବିଜୟ ପାତ୍ରଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସକ୍ଷମ ଅନୁସାରେ ସମସ୍ତ ଜିନିଷପତ୍ର ଦେଇଥିଲେ ବାପଘର ଲୋକ । କିନ୍ତୁ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକ । ଜୁନ ୫ ତାରିଖରେ ରଶ୍ମିତା ରୁଟି ତିଆରି କରୁଥିବା ବେଳେ ରୁଟି ସମାନ୍ୟ ପୋଡ଼ିଯିବାରୁ ଶାଶୂ ସୁପ୍ରଭା ଜେନା ତାତିଲା ତାଓ୍ବାରେ ରଶ୍ମିତାଙ୍କୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଥିଲା । ରଶ୍ମିତାଙ୍କୁ ବାପଘର ଲୋକ ମେଡିକାଲରେ ଚିକିତ୍ସା କରିବା ପରେ ଜୁଲାଇ ୯ ତାରିଖରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭୁବନ ପୋଲିସ ଆଜି ଜଗତସିଂହପୁର ଉଗ୍ରତାରା କଲୋନୀରୁ ଉଭୟ ଶାଶୂ ଓ ସ୍ବାମୀଙ୍କୁ ଗିରଫ କରିଛି । ଶାଶୂ ସୁପ୍ରଭା ଜେନା ଜଗସିଂହପୁର କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ।