spot_img
Home Blog Page 2746

ଆଜି ସପ୍ତପୁରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି କରାଯିବ। ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ବେଶ କରାଯିବ। ପରେ ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସି ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଷୋଡଶ ଉପଚାରରେ ପୂଜା କରାଯିବ।

ଗତକାଲି ଅଠର ନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଚତୁର୍ପାଶ୍ୱ ପରିକ୍ରମା ପରେ ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ। ବିଶ୍ୱାସ ରହିଛି ଆଜିର ସପ୍ତପୁରୀ ଭୋଗ ନିଜେ ମା ଦକ୍ଷିଣକାଳୀ ପ୍ରସ୍ତୁତ କରିଥାନ୍ତି।

ଏଥିସହ ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ବିଶେଷ ପୂଜାନୀତି ସହ ସଂଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ।

ସୂର୍ଯ୍ୟ ମିଶନ: ଆଦିତ୍ୟ ଏଲ୧ର ହେଲା ଚତୁର୍ଥ କକ୍ଷପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଦିତ୍ୟ ଏଲ୧ର ହେଲା ଚତୁର୍ଥ କକ୍ଷପଥ ପରିବର୍ତ୍ତନ । ଲାଗରେଞ୍ଜ ପଏଣ୍ଟରେ ଆଦିତ୍ୟ ଏଲ୧କୁ ଅବସ୍ଥାପିତ କ୍ଷେତ୍ରରେ ଏହି କକ୍ଷ ପରିବର୍ତ୍ତନ ହୋଇଛି ଗୁରୁତ୍ବପୂର୍ଣ୍ଣ । ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ନେଟଓ୍ବର୍କ ବା ଇସଟ୍ରାକ ଜରିଆରେ ଏହା ହୋଇଛି ସମ୍ପାଦନ । କକ୍ଷ ପରିବର୍ତ୍ତନକୁ ଟ୍ରାକ୍ କରିଥିଲେ ମରିସସ, ବେଙ୍ଗାଳୁରୁ, ଏସଡିଏସି ଓ ପୋର୍ଟ ବ୍ଲେୟାରସ୍ଥିତ ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନ ।

ଗତ ୩ ଓ ୫ ତାରିଖରେ ଆଦିତ୍ୟ ଏଲ୧ର ହୋଇଥିଲା ପ୍ରଥମ ଓ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ। ଗତ ୧୦ ତାରିଖରେ ଆଦିତ୍ୟ ଏଲ୧ କରିଥିଲା ତୃତୀୟ କକ୍ଷପଥ ପରିବର୍ତ୍ତନ । ମୋଟ ୫ଟି କକ୍ଷପଥ ପରିବର୍ତ୍ତନ ପରେ ଏଲ୧ ପଏଣ୍ଟ ଅଭିମୁଖେ ଗତି କରିବ ଆଦିତ୍ୟ । ଆଦିତ୍ୟ ଏଲ୧ ମିଶନ ଜରିଆରେ ସୂର୍ଯ୍ୟ ସମ୍ପର୍କରେ ଅଧିକ ଗବେଷଣା ଲାଗି ଯୋଜନା କରିଛି ଇସ୍ରୋ।

ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥାପିତ ହେବ ଆଦିତ୍ୟ ଏଲ୧ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ଆକଳନ କରି କକ୍ଷପଥ ପରିବର୍ତ୍ତନ ଲାଗି ଆଶା ରଖିଛନ୍ତି ବୈଜ୍ଞାନିକ ।

UFOକୁ ନେଇ ନାସା ରିପୋର୍ଟରେ ଖୁଲାସା, ପୃଥିବୀ ବାହାରେ ମଧ୍ୟ ଜୀବନ ଅଛି !

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଗୁରୁବାର UFO (ଅନ୍ ଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟସ) ଉପରେ ଆଧାର କରି ବହୁ ପ୍ରତୀକ୍ଷିତ ରିପୋର୍ଟ ପ୍ରକାଶ କରିଛି । ନାସା ଏକ ବର୍ଷ ପାଇଁ UFO ର ବିଷୟ ଅଧ୍ୟୟନ କରିଛି ଏବଂ ଏବେ ରିପୋର୍ଟ ପ୍ରକାଶ କରିଛି, ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ୩୩ ପୃଷ୍ଠାର ରିପୋର୍ଟରେ ନାସା କହିଛି ଯେ ଅସ୍ପଷ୍ଟୀକୃତ ଘଟଣା ପଛରେ ଏଲିଏନ୍ସ ଅଛନ୍ତି ବୋଲି କୌଣସି ପ୍ରମାଣ ନାହିଁ, କିନ୍ତୁ ନାସା ଏହାର ସମ୍ଭାବନାକୁ ଏଡ଼ାଇ ଦେଇନାହିଁ। ନାସା କହିଛି ଯେ ଏହି ବିଷୟ ଉପରେ ବିସ୍ତୃତ ଅଧ୍ୟୟନ ପାଇଁ ନୂତନ ବୈଜ୍ଞାନିକ କୌଶଳ ଏବଂ ଉନ୍ନତ ଉପଗ୍ରହ ଆବଶ୍ୟକ ହେବ ।

ଏହି ରିପୋର୍ଟରେ ନାସା ସ୍ୱାକାର କରିଛି ଯେ UFO ଆମ ଗ୍ରହର ସବୁଠାରୁ ବଡ ରହସ୍ୟ ଅଟେ । ଏହି ରିପୋର୍ଟ ପ୍ରକାଶ କରି ନାସା ମ୍ୟାନେଜର ବିଲ୍ ନେଲସନ କହିଛନ୍ତି ଯେ ପୃଥିବୀ ବ୍ୟତୀତ ଏହି ବ୍ରହ୍ମାଣ୍ଡରେ ଜୀବନ ଅଛି ବୋଲି ସେ ବିଶ୍ୱାସ କରନ୍ତି ।  ନାସା କହିଛି ଯେ ସେ ଯେଉଁ ନୂଆ ମିଶନର ଯୋଜନା କରୁଛି ସେଥିରେ ଗ୍ରହର ବାତାବରଣ ଏବଂ ପୃଷ୍ଠରେ ଏଲିଏନ୍ସ ଜ୍ଞାନକୌଶଳର ଚିହ୍ନଟ କରିବାକୁ ଚେଷ୍ଟା କରିବ । ନାସା ଏହା ମଧ୍ୟ କହିଛି ଯେ ସେ ୟୁଏଫଓ ଉପରେ ରିସର୍ଚ୍ଚ ପାଇଁ ନୂଆ ନିର୍ଦ୍ଦେଶକଙ୍କ ଘୋଷଣା କରିବ ।

ରିପୋର୍ଟରେ କୁହାଯାଇଛି ଯେ ପୃଥିବୀ ଉପରେ ନଜର ରଖୁଥିବା ସାଟେଲାଇଟସରେ ସ୍ପୋଟିୟଲ ରିଜୋଲ୍ୟୁସନର ଅଭାବ ରହିଛି, ଯେଉଁ କାରଣରୁ ୟୁଏଫଓ ବା ୟୁଏପି ଭଳି ଛୋଟ ଅବଜେକ୍ଟସ ଉପରେ ନଜର ରଖାଯାଇପାରିବ ନାହିଁ । ପେଣ୍ଟାଗନ ପୂର୍ବରୁ ଏକ ଭିଡିଓ ଜାରି କରିଥିଲା, ୟେଉଁଥିରେ ନୌସେନାର ପାଇଲଟ ଆମେରିକାର ପୂର୍ବ ଏବଂ ପଶ୍ଚିମ ଉପକୂଳରେ କିଛି ରହସ୍ୟମୟୀ ବିମାନ ଦେଖିଥିଲେ । ଏହି ବିମାନର ଗତି ବର୍ତ୍ତମାନର ବିମାନ ଚଳାଚଳ ପ୍ରଯୁକ୍ତିବିଦ୍ୟାଠୁ ଅଧିକ ଥିଲା ଏବଂ ବିମାନର ଡିଜାଇନ ମଧ୍ୟ ରହସ୍ୟମୟ ଥିଲା, ଯେଉଁ କାରଣରୁ ବିମାନଟି କେଉଁଠାରୁ ନିୟନ୍ତ୍ରିତ ହେଉଥିଲା ତାହା ଜଣାପଡ଼ିନଥିଲା ।

ନାସା କହିଛି ଯେ ଏଆଇ ଏବଂ ମେଶିନ ଲର୍ଣ୍ଣିଂ ଜ୍ଞାନକୌଶଳ ସହାୟତାରେ ୟୁଏଫଓକୁ ନେଇ ଅଧ୍ୟୟନ କରାଯିବ । ଚଳିତ ବର୍ଷ ଆରମ୍ଭରେ ନାସାର ଏକ ଟିମ୍ ଜୋର ଦେଇ କହିଥିଲା ଯେ ୟୁଏଫଓ ସହ ସମ୍ବନ୍ଧିତ ଆଲୌକିକ ଜୀବନର କୌଣସି ଚରମ ପ୍ରମାଣ ନାହିଁ କିନ୍ତୁ ବର୍ତ୍ତମାନ ସଦ୍ୟତମ ରିପୋର୍ଟରେ ନାସା ସ୍ୱୀକାର କରିଛି ଯେ ଆମ ଗ୍ରହ ବାହାରେ ମଧ୍ୟ ଜୀବନ ଥାଇପାରେ । ନାସା କହିଛି ଯେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ତଥ୍ୟ ନାହିଁ, ଯେଉଁ କାରଣରୁ ୟୁଏଫଓକୁ ନେଇ କୌଣସି ସିଦ୍ଧାନ୍ତ ଉପରେ ପହଞ୍ଚିହେବ ନାହିଁ ।

କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହତ୍ୟା ଧମକ, ଜଣେ ଯୁବକ ଅଟକ

କୋରାପୁଟ: କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଅଭିଯୋଗ । ଏନେଇ ସେ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖିଛି । ଫେସବୁକରେ ଜୟ ହୋ ନାମକ ଗ୍ରୁପରେ ଏକ ଖବରକାଗଜର ନିଉଜ୍ କଟିଂ ପୋଷ୍ଟ ହୋଇଛି । ଏଥିରେ ପବନ କୁମାର ନାମକ ଜଣେ ଯୁବକ କମେଣ୍ଟରେ ବେଶି ହେଲେ ସିଧା ସୁଟ୍ କରିଦେବି ତାକୁ ବୋଲି ଉଲ୍ଲେଖ କରିଛନ୍ତି । ବିଧାୟକ ସବୁବେଳେ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ବିଭିନ୍ନ ଜରୁରୀ ସମୟରେ ସୁରକ୍ଷାକର୍ମୀଙ୍କୁ ନନେଇ ମଧ୍ୟ ଗସ୍ତ କରିଥାନ୍ତି । ତେଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏସିଆ କପ୍-୨୦୨୩: ୪୨ ଓଭରରେ ୨୫୨ ରନ୍ କରିଛି ପାକିସ୍ତାନ, ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କାର ବ୍ୟାଟିଂ ଜାରି

କଲମ୍ବୋ: ଏସିଆ କପର ସୁପର-୪ର ୫ମ ମୁକାବିଲା ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଚାଲିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୨ ଓଭରରେ ୭ ୱିକେଟ୍ ବିନିମୟରେ ୨୫୨ ରନ୍ କରିଛି । ବର୍ଷା କାରଣୁ ମ୍ୟାଚ୍ ପ୍ରଥମେ ୪୫-୪୫ ଓଭରର ଆରମ୍ଭ ହୋଇଥିଲା କିନ୍ତୁ ପରେ ପୁଣି ବର୍ଷା ଯୋଗୁଁ ଏହାକୁ ୪୨-୪୨ ଓଭର କରିଦିଆଯାଇଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ ଅପରାଜିତ ୮୬ ରନ୍ କରିଥିଲେ । ସେହିପରି ଅବଦୁଲ୍ଲା ଶଫିକ ୫୨ ରନ୍ ଏବଂ ଇଫତିକାର ଅହମ୍ମଦ ୪୭ ରନ୍ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ମଥିସା ପଥିରାନା ତିନୋଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ପ୍ରମୋଦ ମଦୁସାନ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ । ୨୫୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଥୁମ ନିଶାଙ୍କ ଏବଂ କୁଶାଲ ପରେରା ଶ୍ରୀଲଙ୍କା ପକ୍ଷକୁ ପଡ଼ିଆକୁ ଓହ୍ଲାଇଛନ୍ତି । ଏବେ ନିର୍ଦ୍ଧାରିତ ୪୨ ଓଭରରେ ୨୫୩ ରନ୍ କରିପାରିଲେ ଶ୍ରୀଲଙ୍କା ଫାଇନାଲକୁ ପ୍ରବେଶ କରିବ । ସେହିପରି ଯଦି ୨୫୨ ରନ୍ ଭିତରେ ଶ୍ରୀଲଙ୍କାକୁ ପାକିସ୍ତାନ ରଖେ ତେବେ ସେ ଫାଇନାଲକୁ ଯିବ । ଆଜି ଯିଏ ବି ଜିତିବ ଫାଇନାଲରେ ଭାରତକୁ ବେଟିବ ।

ଖୋଲୁଛି ହନିଟ୍ରାପ୍ କୁଇନର ବ୍ଲାକମେଲ ଥିଓରି, ସୋସିଆଲ ମିଡିଆରେ ଯୋଡୁଥିଲା ସମ୍ପର୍କ, ଘରକୁ କରୁଥିଲା ନିମନ୍ତ୍ରଣ

ଭୁବନେଶ୍ୱର: ମାୟାବିନୀର ମଧୁଫାଶରେ ଯୌନପିପାଶୁ । କ୍ଷଣିକ ସୁଖ ଆଶାରେ ବଡ଼ବଡ଼ିଆ ହରାଉଥିଲେ ଲକ୍ଷ ଲକ୍ଷ । ବଣ୍ଟି ଅର ବବଲି ଷ୍ଟୋରୀରେ ବଢୁଛି ଟୁଇଷ୍ଟ । ସ୍ତ୍ରୀକୁ ପର ପୁରୁଷ ପାଖେ ଟେକିଦେଉଥିଲା ସ୍ବାମୀ । ନାଁ ଇରାନୀ ପାତ୍ର, ଘର ଯାଜପୁର । ଯାତ୍ରାପାର୍ଟିରେ ଆଙ୍କରିଂ କରିବାକୁ ଭୁବନେଶ୍ବର ଆସିଥିଲା। ହେଲେ ଆଙ୍କର ହେବା ବଦଳରେ ବନିଗଲା ମାୟାବିନୀ । ଷ୍ଟେଜ ଛାଡ଼ି ବେଡରେ ଆରମ୍ଭ କରିଦେଲା ମୁଲଚାଲ୍ । ପୁରୁଷ କଳାକାରଙ୍କୁ ଦେହସୁଖ ଲୋଭ ଦେଖାଇ ଫସାଉଥିଲା । ଜଣେ ଡାକ୍ତରଙ୍କୁ ବେଡ଼ରୁମକୁ ଡାକି ଫସାଇବା ପରେ ୨୫ ଲକ୍ଷ ଦାବି କରିବା ଅଭିଯୋଗରେ ଗିରଫ ହୋଇ ଏବେ ଜେଲରେ ଅଛି ବ୍ଲାକମେଲ କୁଇନ ।

ଏପଟେ ଇରାନୀ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଜଣେ ମେଧାବୀ ଛାତ୍ର, ବ୍ୟବସାୟୀ, ବିଲ୍ଡର ଥାନାରେ ଅଭିଯୋଗ କରିବା ପରେ ଖୋଲୁଛି ଇରାନୀର ରଙ୍ଗିନ ଦୁନିଆର ଫର୍ଦ୍ଦ । ସୋସିଆଲ ମିଡିଆରେ ସମ୍ପର୍କ ବଢାଉଥିଲା ଇରାନୀ । ବିରିୟାନି, ଚିକେନ୍ ପକୋଡ଼ା ଓ ମଦ ସହିତ ଘରକୁ କରୁଥିଲା ନିମନ୍ତ୍ରଣ । ଆଉ ଦେହ ଭୋକରେ ଯିଏ ଗଲା, ଇରାନୀର ମାୟାଜାଲରେ ଫସିଲା । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଭୟରେ ଲକ୍ଷ ଲକ୍ଷ ଟଙ୍କା ଗଣିବାକୁ ବାଧ୍ୟ ହେଉଥିଲା । ଖାଲି ବଡ଼ବଡ଼ିଆ ନୁହେଁ, ରାସନ ଦୋକାନୀଙ୍କୁ ଛାଡ଼ିନଥିଲା ଇରାନୀ ।

ରାସନ କିଣିବା ବେଳେ ଫୁଙ୍ଗୁଳା ଦେହ ଦେଖାଇ ୨ ଲକ୍ଷ ଟଙ୍କାର ଚୁନା ଲଗାଇଥିଲା । ଆଶ୍ୟର୍ଯ୍ୟକର କତା ହେଉଛି ଏସବୁ ଚାଲିଥିଲା ଇରାନୀ ସ୍ବାମୀର ଜାଣତରେ । ଟଙ୍କା ରୋଜଗାର କରିବାକୁ ସ୍ତ୍ରୀକୁ ପରପୁରୁଷ ପାଖରେ ପରଶିଦେଉଥିଲା ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି । ଟ୍ରାପର ଶିକାର ହେଉଥିବା ଲୋକ ଅନ୍ତରଙ୍ଗ ହେବା କ୍ଷଣି ଘର ଭିତରକୁ ଧସେଇ ପଶୁଥିଲେ ୪ ଯୁବକ। ତା ପରେ ଆରମ୍ଭ ହେଉଥିଲା ବ୍ଲାକମେଲ ଡ୍ରାମା । ବନ୍ଦ ଘରେ ସ୍ପାଏ କ୍ୟାମେରାରେ ରେକର୍ଡ ହୋଇଥିବା କିଛି ଭିଡିଓ ଥିବା ନେଇ ସନ୍ଦେହ କରାଯାଉଛି ।

ଖୁବଶୀଘ୍ର ଏହି ବଣ୍ଟି ଆଉ ବବଲି ଙ୍କୁ ରିମାଣ୍ଡରେ ଆଣିବା ପରେ ହେଟଷ୍ଟୋରୀ ଉପରୁ ଗୁମର ଖୋଲିବ ବୋଲି ପୋଲିସ କହିଛି। ସେପଟେ ଇଜି ମନି ପାଇବା ଆଶାରେ ଯୁବପିଢି ହନିଟ୍ରାପ ଭଳି ନୂଆ ଫଣ୍ଡା ଆପଣାଇଥିବା କହିଛନ୍ତି ମହିଳା ସମାଜସେବୀ। ଅନଲାଇନରେ ସେକ୍ସଟ୍ରସନର ଅନେକ ନଜିର ଥିଲା । କିନ୍ତୁ ସାଇବର ଠକଙ୍କଠାରୁ ପାଦେ ଆଗକୁ ଯାଇ ରାଜଧାନୀରେ ମହିଳା ଏଭଳି ଟ୍ରାପ କରିବା ଘଟଣା ପୋଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜି ସାବ୍ୟସ୍ତ ହୋଇଛି ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଓ ପଡା ପୁଷ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ମା, କିଶୋରୀ ଝିଅ ଓ ଶିଶୁଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସାରା ରାଜ୍ୟରେ ୧୫ରୁ ୧୯ବର୍ଷ ବୟସର ସମସ୍ତ କିଶୋରୀ ବାଳିକାଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମାଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାଙ୍କ ପାଇଁ ଭିଟାମିନଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି ।

ପଡା ପୁଷ୍ଟି ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାଙ୍କୁ ସେମାନଙ୍କ ପଡା ତଥା ଗାଁରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା ହିଁ ଦେଇପାରିବ। ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମାଙ୍କ ଉପରେ ନିର୍ଭର କରେ। ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମାଙ୍କର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି। ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୦-୨୧ ବର୍ଷରୁ ପୁଷ୍ଟି ବଜେଟ ପରିକଳ୍ପନା କରିଛି ।

ମମତା ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଆଯାଉଛି। ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ଏ କ୍ଷେତ୍ରକୁ ଅଧିକ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ରାଜ୍ୟର ପ୍ରତ୍ୟେକ ମହିଳା ଓ ଶିଶୁ ସ୍ୱାସ୍ଥ୍ୟବାନ ହୋଇପାରିବେ । ଏହା ଦ୍ୱାରା ରାଜ୍ୟ ସମୃଦ୍ଧି ପଥରେ ଆଗେଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 5Tର ପାଞ୍ଚଟି ଉପାଦାନର ପ୍ରୟୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ତୃଣମୂଳସ୍ତରରେ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ କାର୍ଯ୍ୟ କରିବ ।

ଅବତରଣ ବେଳେ ରନୱେରୁ ଖସି ଦୁଇଖଣ୍ଡ ହୋଇଗଲା ଚାର୍ଟର ବିମାନ

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ । ଅବତରଣ ସମୟରେ ରନୱେରୁ ଖସିପଡ଼ିଲା ପ୍ରାଇଭେଟ ଚାର୍ଟର ବିମାନ । ବିମାନରେ ୬ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ ଥିଲେ । ଏହି ଦୁର୍ଘଟଣାରେ ମୋଟ ଆଠ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡିଜିସିଏ କହିଛି ଯେ ବିଶାଖାପଟ୍ଟନମରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିବା ଭିଏସଆର୍ ବେଞ୍ଚର୍ସ ଲିୟରଜେଟ ୪୫ ବିମାନ ଭିଟି-ଡିବିଏଲ୍ ମୁମ୍ବାଇ ବିମାନ ବନ୍ଦରର ରନୱେ-୨୭ରେ ଲ୍ୟାଣ୍ଡିଂ ସମୟରେ ବାହାରକୁ ଚାଲିଯାଇଥିଲା ।

ବିମାନରେ ୬ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ । ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେ ସମୟରେ ପ୍ରବଳ ବର୍ଷା ହେଉଥିଲା । ରନୱେ ଠିକସେ ନଦେଖା ଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଛି । ଦୁର୍ଘଟଣା ହେବା କ୍ଷଣି ଉଦ୍ଧାର କାର୍ଯ୍ୟ ଜୋରଦାର କରାଯିବା ସହ ବିମାନରେ ଲାଗିଥିବା ନିଆଁ ଲିଭାଯାଇଥିଲା । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

ବରଗଡରେ ସ୍କ୍ରବ ଟାଇଫସରେ ପ୍ରାଣ ହରାଇଲେଣି ୫, ସୁନ୍ଦରଗଡରୁ ଜଣେ

ବରଗଡ: ଓଡିଶାରେ ମାଡି ଚାଲିଛି ସ୍କ୍ରବ ଟାଇଫସ  । ବରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଲେଣି  । ଆହୁରି ୪ ଜଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି  । ମୃତକଙ୍କ ମଧ୍ୟରେ ଦୁଇ ଜଣ ସୋହେଲା ବ୍ଲକର ହୋଇଥିବାବେଳେ ଜଣେ ଲେଖାଏଁ ଅତାବିରା, ଭେଡେନ ଓ ବରପାଲି ବ୍ଲକର ଅଛନ୍ତି  ।

ଗତ ଅଗଷ୍ଟରେ ବରଗଡ ଜିଲ୍ଲାରେ ୧୬୮ଟି ନମୁନା ପରୀକ୍ଷା ହୋଇଥିବାବେଳେ ଜଣଙ୍କ ଠାରେ ସଂକ୍ରମଣ ଚିହ୍ନଟ ହୋଇଥିଲା  । ସେହିପରି ସେପ୍ଟେମ୍ବରରେ ୧୪୨ ଟି ନମୁନାରୁ ତିନୋଟିରେ ସ୍କ୍ରବ ଟାଇଫସ ଥିବା ଜଣାପଡିଛି  ।

ସ୍କ୍ରବ ଟାଇଫସ ଓ ଲେପଟୋ ସ୍ପାଇରୋସିସରୁ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ଜରିଆରେ ମାର୍ଗଦର୍ଶିକା ଜାରି କରାଯାଇଛି। କେସ୍ ବଢୁଥିବାରୁ ସମସ୍ତ ଡିପିଏଚଏଲରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍ ମହାଜୁଦ ରଖିବାକୁ ସବୁ ସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗ ନେଇ ପ୍ରଥମେ ଡାକ୍ତରଙ୍କୁ ସଚେତନ କରାଯିବ। ଏହାଦ୍ବାରା ସେମାନେ ରୋଗକୁ ଶୀଘ୍ର ଚିହ୍ନଟ କରିବା ସହ ଲୋକଙ୍କୁ ସଚେତନ କରିପାରିବେ। ରୋଗୀ ଚିହ୍ନଟ ପାଇଁ ସର୍ଭେଲାନ୍ସ ବି ବଢାଯିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକ୍ ମହଜୁଦ ରଖିବା ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ମୃତ୍ୟୁର ସଠିକ ତଦନ୍ତ କରି ଷ୍ଟେଟ ସର୍ଭେଲାନସ ୟୁନିଟକୁ ରିପୋର୍ଟ ଦିଆଯିବା ବାଧ୍ୟତାମୂଳକ କରାଯାଇଛି  ।

ବରଗଡ଼ ଭଳି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବ୍ୟାପିଲଣି ସ୍କ୍ରବ ଟାଇଫସ୍ । ସୁନ୍ଦରଗଡ ଜିଲ୍ଲାରେ ଜାନୁ୍ୟାରୀ ମାସରୁ ଏଯାଏ ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଏଠି ସ୍କୁଲ ଫି ବାବଦକୁ ପିଲାଙ୍କୁ ଦେବାକୁ ପଡ଼େ ସପ୍ତାହକୁ ୨୫ ପ୍ଲାଷ୍ଟିକ ବୋତଲ

ଆସାମ: ଆଜିର ଦିନରେ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟକର ହୋଇଗଲାଣି । ବିଶେଷ କରି ବେସରକାରୀ ସ୍କୁଲରେ । ସବୁ ବାପାମାଆ ଚାହାନ୍ତି ସେମାନଙ୍କ ପିଲା ଭଲ ସ୍କୁଲରେ ପାଠପଢ଼ି, ଭଲ ମଣିଷଟେ ହେଉ । ହେଲେ, ବର୍ତ୍ତମାନ ସମୟରେ ବେସରକାରୀ ସ୍କୁଲରେ ପାଠପଢ଼ା ଫି ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ଏଥିପାଇଁ ବହୁ ଲୋକ ପିଲାର ପାଠପଢ଼ା ପାଇଁ ଟଙ୍କା ସଞ୍ଚୟ କରିବାକୁ ନାନା ଫନ୍ଦି ଆପଣାଇଥାନ୍ତି ।

ତେବେ ସବୁ ବେସରକାରୀ ସ୍କୁଲ ପିଲାଙ୍କ ପାଠପଢ଼ା ପାଇଁ ମୋଟା ଅଙ୍କର ସ୍କୁଲ ଫି ନେଇ ନଥାନ୍ତି । ଏମିତି ବି କିଛି ସ୍କୁଲ ଅଛି, ଯେଉଁଠି ସ୍କୁଲ ଫି ପାଇଁ ଅଭିଭାବକଙ୍କୁ ଚିନ୍ତା କରିବାକୁ ପଡ଼ି ନଥାଏ । ଜାଣନ୍ତୁ, ଆସାମାରେ ଥିବା ଏମିତି ଏକ ସ୍କୁଲ ବିଷୟରେ ଯେଉଁଠି ପିଲାମାନେ ପାଠ ପଢ଼ିବା ଟଙ୍କା ବଦଳରେ ଦେଇଥାନ୍ତି ପ୍ଲାଷ୍ଟିକ ବୋତଲ ।

ଗୌହାଟୀରେ ଥିବା ଏହି ସ୍କୁଲ ନାଁରେ ରହିଛି ଅନେକ ରେକର୍ଡ । ଗ୍ରାମାଞ୍ଚଳର ଶହେରୁ ଅଧିକ ପିଲା ଏଠାରେ ପାଠ ପଢୁଛନ୍ତି । ଯାହା ଅନ୍ୟ ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଛି । ଏଠାରେ ପିଲାଙ୍କ ପାଖରୁ ଫି ବାବଦକୁ ଟଙ୍କା ବଦଳରେ ପ୍ଲାଷ୍ଟିକ ବୋତଲ ନିଆଯାଇଥାଏ । ତାହା ପୁଣି ସପ୍ତାହକୁ ୨୫ଟି । କେବଳ ପାଠପଢ଼ା ନୁହେଁ, ପିଲାମାନେ ରୋଜଗାର ବି କରୁଛନ୍ତି ।

ଏମିତି ସ୍କୁଲ ଖୋଲିବାର ଚିନ୍ତା ପରମିତା ଶର୍ମା ଏବଂ ମାଜିନ୍ ମୁକ୍ତାରଙ୍କୁ ଆସିଥିଲା । ସେମାନେ ଅଞ୍ଚଳରେ ଅଳିଆ ଆବର୍ଜନା ଦେଖି ଦୁଃଖି ହୋଇଯାଇଥିଲେ । ଏପରିକି ଅଞ୍ଚଳର ଲୋକେ ଶୀତ ଦିନେ ପ୍ଲାଷ୍ଟିକକୁ ଜଳାଇ ଗରମ ସେକ ନେଉଥିବା ଦେଖିଥିଲେ । ସେମାନେ ଜାଣିବାକୁ ପାଇଥିଲେ, ଅଞ୍ଚଳର ଲୋକେ ପ୍ଲାଷ୍ଟିକର ଅପକାରୀତା ବିଷୟରେ କିଛି ଜାଣନ୍ତି ନାହିଁ । ଏମିତି ସ୍ଥିତିରେ ସେମାନେ ଅଞ୍ଚଳର ପିଲା ଓ ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । ଯାହାର ଉଦାହରଣ ଏବେ ଏହି ସ୍କୁଲ ପାଲଟିଛି । ଏଠାରେ ପିଲାଙ୍କୁ ପାଠପଢ଼ା ସହ କାରପେଣ୍ଟିଂ, ଗାର୍ଡନିଂ ଓ ଅନ୍ୟ ବୈଷୟିକ ଶିକ୍ଷା ଦିଆଯାଉଛି । ଏହାସହ ପ୍ଲାଷ୍ଟିକ ବୋତଲକୁ କେମିତି ବ୍ୟବହାର କରି ହେବ ଓ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ବନାଇ ହେବ ସେ ନେଇ ଶିକ୍ଷା ଦିଆଯାଉଛି ।