ଠକେଇ ଟଙ୍କାରେ ଥାଇଲାଣ୍ଡରେ ମସାଜ୍ କରୁଥିଲା କାହ୍ନୁଚରଣ

1 min read

ଭୁବନେଶ୍ବର: ଠକେଇ ଟଙ୍କାରେ ଥାଇଲାଣ୍ଡରେ ମସାଜ୍ । କରିତକର୍ମା କାହ୍ନୁଚରଣ ଗିରଫ ପରେ ଫିଟୁଛି ଗୁମର । ମିଛ ଆଇକାର୍ଡ ଓ ଫେକ୍ ନୋଟିଫିକେସନ ଜରିଆରେ ଲୁଟିଛନ୍ତି କୋଟି କୋଟି ଟଙ୍କା । ସୂଚନା ଅଧିକାର କର୍ମୀ ନାଁରେ ଘୁରି ବୁଲୁଛନ୍ତି ୨୫ ରୁ ଉର୍ଦ୍ଧ୍ବ ଦଲାଲ । କାହାକୁ ପଞ୍ଚାୟତରାଜ ସେକ୍ରେଟାରୀ ତ ଆଉ କାହାକୁ ପୁର୍ତ୍ତ ବିଭାଗର ଆଡ଼ିସିନାଲ ସେକ୍ରେଟାରୀ । ଭିନ୍ନ ଭିନ୍ନ ପରିଚୟରେ ଲୋକଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା ଲୁଟୁଥିବା ବେଳେ ଭୁବନେଶ୍ବରରୁ ନକଲି ଆରଟିଆଇ କର୍ମୀ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିଛି STF । କାହ୍ନୁର ଘର ଖୋର୍ଦ୍ଧା ଟାଙ୍ଗି ହୋଇଥିବା ବେଳେ ଅନ୍ଧାରୁଆରେ ସେ ରହୁଥିଲା । ପଞ୍ଚାୟତିରାଜ ବିଭାଗରେ VLW ଚାକିରି କରାଇବା, ମଦ ଦୋକାନ ଲାଇସେନ୍ସ, କ୍ରସର ଲାଇସେନ୍ସ ଓ ଟ୍ରାନ୍ସଫର ପୋଷ୍ଟିଂ କରାଇବା ପାଇଁ ଟଙ୍କା ନେଉଥିଲା । ଠକେଇ ଟଙ୍କାରେ ୬ ମାସରେ ଥରେ ଥାଇଲାଣ୍ଡ ଯାଇ ମଉଜମସ୍ତି କରୁଥିଲା ଏହି ଦଲାଲ । ଚାନ୍ଦପୁର ଥାନାରେ କାହ୍ନୁ ନାଁ ରେ ୪ଟି ଅପରାଧିକ ମାମଲା ରହିଛି । ଗିରଫ ବେଳେ ତା ଠାରୁ ସରକାରୀ ଚାକିରି ନୋଟିଫିକେସନ ଓ ଅର୍ଡର ଜବତ ହୋଇଥିବା କହିଛନ୍ତି STF ଏସପି ।

ଶୁକ୍ରବାର କାହ୍ନୁ ଲିଙ୍କରେ ରହି କୋରାପୁଟରେ ଦଳାଲି କରୁଥିବା ବ୍ରହ୍ମପୁରର କିଶୋର ମିଶ୍ରକୁ ଗିରଫ କରାଯାଇଥିଲା । କିଶୋର ଓ କାହ୍ନୁ ଆକାଉଣ୍ଟରେ ୪କୋଟିରୁ ଉର୍ଦ୍ଧ ଟଙ୍କା କାରବାର ହୋଇଛି । କୋରାପୁଟ ବସଷ୍ଟାଣ୍ଡରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆଇକାର୍ଡ ପକାଇ ଜଣେ ବ୍ୟବସାୟୀଙ୍କୁ ବ୍ଲାକମେଲ କରୁଥିବା ବେଳେ ମାଡିବସିଥିଲା ପୋଲିସ । ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଏ ଗ୍ରୁପରେ କେତେ ଦଲାଲ ଅଛନ୍ତି ସେ ନେଇ ତଦନ୍ତ ହେବ । ଅନ୍ୟପକ୍ଷରେ ଯଦି କେହି ଏଭଳି ଠକାମୀର ଶିକାର ହୋଇଥାନ୍ତି ତେବେ ତୁରନ୍ତ ଥାନାରେ ଏତଲା ଦେବାକୁ କହିଛନ୍ତି ଏସପି ।