ନନ୍ଦିଘୋଷ ବ୍ୟୁରୋ : ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ । ଛତିଶଗଡ଼ରେ ଗତକାଲି ମାଓ ଅପରେସନ ସମୟରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ସହିଦ ହୋଇଥିବା ଜଣାପଡିଛି । ସହିଦ ଯବାନ ପ୍ରକାଶଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ବୋଲି ଜଣାପଡିଛି । ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନରେ କାର୍ଯ୍ୟରତ ଥିଲେ ପ୍ରକାଶ । ପ୍ରକାଶଙ୍କ ବିୟୋଗରେ ଜନ୍ମମାଟି ଗୋପାଳପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ମାସେ ପରେ ବି ଯୁଦ୍ଧ ଦେଖୁଛି ବିଶ୍ବ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ସଂଘର୍ଷ
ନନ୍ଦିଘୋଷ ବ୍ୟୁରୋ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେ ପୁରିଛି । ହମାସର ଆତଙ୍କୀ ହାମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି । ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଇସ୍ରାଏଲ ସେନା ଦାବି କରିଛି । ଏହି ଦୁଇ ଭାଗ ମଧ୍ୟରେ ଏକ ଦକ୍ଷିଣ ଗାଜା ଓ ଅନ୍ୟଟି ଉତ୍ତର ଗାଜା ବୋଲି କୁହାଯାଉଛି । ତଥାପି ଗାଜା ଉପରେ ଥମିନି ଇସ୍ରାଏଲର ଆକ୍ରମଣ ।
ଏବେବି ଗାଜା ଉପରେ ଇସ୍ରାଏଲ ଲଗାତାର ଭାବେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି । ଗାଜା ପଟ୍ଟିରେ ଓ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ସ୍ଥିତିକୁ ଦୃଢ କରିବା ଲକ୍ଷ୍ୟରେ ଆଗେଇ ଚାଲିଥିବା ଇସ୍ରାଏଲ ସେନା କହିଛି । ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ନିଜ ଜିଦରେ ଅଟଳ ।
ହମାସ ଆତଙ୍କବାଦୀଙ୍କ କବଳରୁ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ଯୁଦ୍ଧରେ ବିରାମ ଲାଗିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି । ଏପରିକି ଆମ ପାଖେ ଆଉ କିଛି ବିକଳ୍ପ ନ ଥିବା ବେଳେ ନ ଜିତିବା ପର୍ଯ୍ୟନ୍ତ ଆମେ ଯୁଦ୍ଧ କ୍ଷେତ୍ର ଛାଡ଼ି ପାରିବୁନି ବୋଲି ସେ କହିଛନ୍ତି ।
୧୨ ବର୍ଷର ସମ୍ପର୍କ ଶେଷ: ହନି ସିଂ-ଶାଲିନୀ ତଲଓ୍ବାରଙ୍କ ଛାଡ଼ପତ୍ର ମଞ୍ଜୁର
ନୂଆଦିଲ୍ଲୀ: ରାପର ହନି ସିଂଙ୍କ ପତ୍ନୀ ଶାଲିନୀଙ୍କ ସହ ଛାଡ଼ପତ୍ର । ଦୀର୍ଘଦିନ ହେଲା ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ହନି । ଶେଷରେ ଦିଲ୍ଲୀ ଫ୍ୟାମିଲି କୋର୍ଟ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ଦେଢ଼ ବର୍ଷ ହେଲା ଚାଲିଥିଲା ଏହି ବହୁ ଚର୍ଚ୍ଚିତ ଛାଡ଼ପତ୍ର ମାମଲାର ବିଚାର ।
ଶାଲିନୀ ହନିଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଛାଡ଼ପତ୍ରକୁ ମଞ୍ଜୁରୀ ଦେବା ପୂର୍ବରୁ ପତ୍ନୀ ସହ ରହିବାକୁ ଚାହୁଁଛ କି ବୋଲି କୋର୍ଟ ହନିଙ୍କୁ ପଚାରିଥିଲେ । ଯାହାର ଉତ୍ତରରେ ହନି କହିଥିଲେ, ଏବେ ଏକାଠି ରହିବା ସମ୍ଭବ ହେବନି । ହନିଙ୍କ ଉତ୍ତରରେ ଶାଲିନୀ ମଧ୍ୟ ସହମତ ହୋଇଥିଲେ ।
ଏହାସହ ହନି ଏବଂ ଶାଲିନୀ ପରସ୍ପର ଉପରେ ଲଗାଇ ଥିବା ଆରୋପ ପ୍ରତ୍ୟାହାର କରି ନେଇଥିଲେ । ହେଲେ କେଉଁ ସର୍ତ୍ତରେ ଉଭୟଙ୍କୁ ଛାଡ଼ପତ୍ର ମିଳିଛି ତାହା ଏକ ବନ୍ଦ ଲଫାପାରେ ରଖାଯାଇଛି ।
ସୂଚନାଯୋଗ୍ୟ, ଗତବର୍ଷ, କୋର୍ଟଙ୍କ ରାୟ ଅନୁସାରେ ହନି ଶାଲିନୀଙ୍କୁ ଏକ କୋଟି ଟଙ୍କାର ଡ୍ରାଫ୍ଟ ଚେକ୍ ପ୍ରଦାନ କରିଥିଲେ । ସେପଟେ ଶାଲିନୀ ହନିଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେ ଭୟର ବାତାବରଣରେ ରହୁଛନ୍ତି । କାରଣ ହନି ଓ ତାଙ୍କ ପରିବାର ପକ୍ଷରୁ ମାନସିକ, ଶାରୀରିକ, ଯୌନ ଓ ଆର୍ଥିକ ନିର୍ଯାତନା ଦିଆଯାଉଛି ।
ଏଠାରେ କହି ରଖିବାକୁ ଚାହୁଁଛି, ହନି ଏବଂ ଶାଲିନ ପ୍ରେମ ବିବାହ କରିଥିଲେ । ଉଭୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ । ଏହାପରେ ୨୦୧୧ ରେ ଦିଲ୍ଲୀର ଏକ ଗୁରୁଦ୍ବାରରେ ଶିଖ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ହେଲେ ଏହା ପ୍ରକାଶ କରି ନଥିଲେ । ପରେ ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିବା ପରେ ବିବାହ କଥା ହନି ସ୍ବୀକାର କରିଥିଲେ ।
ନୀତିଶ କୁମାରଙ୍କ ‘ଯୌନ କ୍ରିୟା’ ମନ୍ତବ୍ୟ, କ୍ଷମା ଦେବେନି ମହିଳା
ପାଟନା: ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଯାହା କହିଲେ ତାହା ସର୍ବଦା କଳଙ୍କିତ ହୋଇ ରହିବ । ଜନସଂଖ୍ୟା ଉପରେ ମତ ଦେବା ବେଳେ ଯୌନ କ୍ରିୟାକୁ ନେଇ ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦର ବ୍ୟବହାର କରିଛନ୍ତି ନୀତିଶ । ଯେ କେହିବି ତାଙ୍କର ଏହି ମନ୍ତବ୍ୟ ଶୁଣୁଛନ୍ତି ତାଙ୍କ ମୁଣ୍ଡ ତଳକୁ ହୋଇଯାଉଛି । ନୀତିଶଙ୍କ ଏପରି ମନ୍ତବ୍ୟ ପାଇଁ ମହିଳା ସମାଜ କେବେ ତାଙ୍କୁ କ୍ଷମା ଦେବେନି ।
ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସରକାରଙ୍କ ପ୍ରଶଂସା କରିବା ବେଳେ ନୀତିଶ ଏମିତି କିଛି କହିଗଲେ ଯାହା ତାଙ୍କ ଛବିକୁ କେବଳ ଖରାପ କରିନି, ନାରୀ ଜାତିଙ୍କୁ ଅପମାନିତ କରିଛି ।
ଝିଅମାନେ ପାଠ ପଢ଼ିଲେ ଜନସଂଖ୍ୟା ଆପେ ଆପେ କମିଯିବ ବୋଲି ନୀତିଶ କହିବାକୁ ଚାହୁଁଥିଲେ । ଏହାକୁ ବୁଝାଇବାକୁ ଯାଇ ଯୌନ କ୍ରିୟାକୁ ଏଥିରେ ସାମିଲ କରିଥିଲେ । କହୁ କହୁ ନୀତିଶ କହି ଥିଲେ, ଆଗରୁ ମହିଳାମାନେ ସହଜରେ ଗର୍ଭବତି ହୋଇ ଯାଉଥିଲେ । ହେଲେ ଏବେକାର ପାଠୁଆ ମହିଳା ଯୌନ କ୍ରିୟାରେ ଭିନ୍ନ ଆଚରଣ କରୁଛନ୍ତି । ନୀତିଶ କୁମାର ଭାବ ଭଙ୍ଗିର ସହ ବିଧାନସଭା ପରି ପବିତ୍ର ଗୃହରେ ଏମିତି ଅପମାନ ଜନକ ଶବ୍ଦ ବ୍ୟବହାର କରୁଥିବା ବେଳେ ନିଜ ଦଳର ସଦସ୍ୟ ବି ଅସହଜ ହୋଇଯାଇଥିଲେ । ନୀତିଶଙ୍କ ଏପରି ମନ୍ତବ୍ୟ ଶୁଣି ବିଧାୟକ ଓ ମନ୍ତ୍ରୀମାନେ ପରସ୍ପରର ମୁହଁକୁ ବଲ ବଲ କରି ଅନାଉଥିବା ବେଳେ ଆଉ କିଏ ମୁଣ୍ଡ ତଳକୁ କରିଦେଇଥିଲେ ।
ସୂଚନାଯୋଗ୍ୟ, ସେକ୍ସକୁ ନେଇ ଏମିତି ମନ୍ତବ୍ୟ ଦେବା ନୀତିଶ କୁମାରଙ୍କ ପାଇଁ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ବିଧାନସଭାରେ ପୁରୁଷଙ୍କ ସେକ୍ସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ । ଗତ ମାର୍ଚ୍ଚରେ ବିଧାନସଭାରେ ପୁରୁଷଙ୍କ ସେକ୍ସକୁ ନେଇ କହିଥିଲେ, ଯେତେ ପରିଶ୍ରମ କଲେ ବି ପୁରୁଷ ଭୁଲ କରିଥାଏ । ଯେବେ ମୁଁ ସାଂସଦ ଥିଲି ସେ ସମୟରେ ଦିନେ ସକାଳେ ଜଣେ ପୁରୁଷ ଲୋକ ଗୋଟିଏ ପଶୁ ସହ ଯୌନ କ୍ରିୟା କରୁଥିବା ଦେଖିଥିଲି । ସେ ସମୟରେ ବି ନୀତିଶ କେବଳ କଥାରେ କଥାରେ ଏମିତି କହି ନଥିଲେ, ପୂରା ଭାବ ଭଙ୍ଗିର ସହ ଆକ୍ସନ କରି ଦେଖାଇଥିଲେ ।


