ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା

ଜୟପୁର: ଛତିଶଗଡ଼,ମଧ୍ୟପ୍ରଦେଶ ପରେ ବିଜେପି ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି । ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା । ଜୟପୁରରେ ବିଜେପି ବିଧାୟକ ଦଳଙ୍କ ବୈଠକ ପରେ ତାଙ୍କ ନାମ ଉପରେ ମୋହର ବାଜିଥିଲା । ଭଜନଲାଲଙ୍କ ନାମ ଘୋଷଣା କାଳରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯାଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ସାଗନେରରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଭଜନଲାଲ ଶର୍ମା ଡାର୍କ ହର୍ସ ଭାବେ ଉଭା ହୋଇଛନ୍ତି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡରେ ବସୁନ୍ଧରା ରାଜେଙ୍କଠାରୁ ଯୋଗୀ ବାଳକନାଥଙ୍କ ନାମ ସାମିଲ ଥିଲା । କୁହାଯାଉଥିଲା ଯେ, ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବା ବସୁନ୍ଧରା ରାଜେ ଅତିକମରେ ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ଦିଆଯାଉ ବୋଲି କେନ୍ଦ୍ରୀୟ ନେତୃତ୍ୱ ଉପରେ ଚାପ ପକାଉଥିଲେ । ବସୁନ୍ଧରାଙ୍କ ସମ୍ଭାବ୍ୟ ବିଦ୍ରୋହକୁ ନେଇ ଦଳ ଆଶଙ୍କିତ ଥିଲା ।

ମଧ୍ୟପ୍ରଦେଶରେ ବିଜେପି ଓବିସି,ଛତିସଗଡରେ ଆଦିବାସୀ ସମ୍ପ୍ରଦାୟର ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ରାଜସ୍ଥାନରେ ବ୍ରାହ୍ମଣ କାର୍ଡ୍ ଖେଳିଛି । ସୂଚନାଯୋଗ୍ୟ ୟେ, ପ୍ରଥମ ଥର ପାଇଁ ଭଜନଲାଲ ବିଧାନସଭା ନିର୍ବାଚନ ଲଢିଥିଲେ । ସାଂଗନେରର ବିଧାୟକ ଅଶୋକ ଲାହୋଟିଙ୍କ ଟିକେଟ୍ କାଟି ବିଜେପି ତାଙ୍କୁ ସେଠାରୁ ଛିଡା କରାଇଥିଲା । ସାଂଗନର ବିଜେପି ପାଇଁ ସୁରକ୍ଷିତ ସିଟ୍ ଭାବେ ବିବେଚନା କରାଯାଏ ।

ବିଜେପିର ପ୍ଲାନ୍ ବି
ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଦୌଡ଼ ଭିତରେ ବିଜେପି ବିଦ୍ରୋହର ଆଶଙ୍କା କରୁଥିଲା । ତେଣୁ ୮ ଜଣ ସ୍ୱାଧୀନ ବିଧାୟକଙ୍କୁ ବିଜେପି ଜୟପୁରର ଏକ ହୋଟେଲର ରଖିବାର ବନ୍ଦୋବସ୍ତ କରିଥିଲା । ଏହି ବିଧାୟକଙ୍କ ମଧ୍ଯରୁ ୬ ଜଣ ବିଜେପି ପୃଷ୍ଟଭୂମିରୁ ଆସିଥାନ୍ତି । ବସୁନ୍ଧରାଙ୍କ ସମ୍ଭାବ୍ୟ ବିଦ୍ରୋହର ମୁକାବିଲା ପାଇଁ ଏହା ବିଜେପିର ପ୍ଲାନ୍ ବି ଥିଲା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।