ଦିନକୁ ପାଉଥିଲେ ୨ ଟଙ୍କା ଏବେ ୪୩୦ କୋଟି ଟଙ୍କାର ମାଲିକ, ଜନ୍ମଦିନରେ ଜାଣନ୍ତୁ ରଜନୀକାନ୍ତଙ୍କ ଜୀବନୀ

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଜି ହେଉଛି ଜନ୍ମଦିନ । ଏହି ଭେଟେରାନ ଅଭିନେତାଙ୍କ ଜନ୍ମଦିନରେ ଛୁଟୁଛି ଅଭିନନ୍ଦନର ସୁଅ । ରାଜନେତାଙ୍କଠାରୁ ଆରମ୍ଭ କରି ସିନେ ଅଭିନେତା ସମସ୍ତେ ତାଙ୍କ ଶୁଭେଚ୍ଛା ଜଣାଉଛନ୍ତି। ରଜନୀକାନ୍ତ ବସ କଣ୍ଡକ୍ଟରରୁ ସାଉଥ ସୁପରଷ୍ଟାର । କିନ୍ତୁ ଅନେକଙ୍କୁ ଜଣାନାହିଁ କି, ସେ ବସ କଣ୍ଡକ୍ଟରଭାବେ କାମ କରିବା ପୂର୍ବରୁ ଏକ ମାଗାଜିନରେ କାମ କରୁଥିଲେ । ଯେଉଁଠି ତାଙ୍କୁ ଦିନକୁ ମାତ୍ର ୨ ଟଙ୍କା ଅର୍ଥାତ ମାସକୁ ୬୦ ଟଙ୍କା ଦରମା ରହିଥିଲା। ଏଭଳିଭାବେ ନିଜର ସଂଘର୍ଷମୟ ଜୀବନ ଅତିବାହିତ କରି ଆଜି ଏତେ ଟଙ୍କାର ମାଲିକ ହୋଇପାରିଛନ୍ତି ।

ତାମିଲ, ତେଲୁଗୁ, ମରାଠୀ, ହିନ୍ଦୀ, ବଙ୍ଗାଳୀ, କନ୍ନଡ ଏବଂ ହଲିଉଡରେ ମଧ୍ୟ କାମ କରିଛନ୍ତି । ତାଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ଦର୍ଶକଙ୍କ ଭିଡ଼ ଜମିଥାଏ । ପ୍ରଶଂସକମାନେ ତାଙ୍କ ଫଟୋରେ କ୍ଷୀର ଢ଼ାଳି ଉତ୍ସବ ମଧ୍ୟ ମନାଇଥାନ୍ତି । ଏବେ ମଧ୍ୟ ସେ ହିରୋଭାବେ ନଜର ଆସୁଥିବାବେଳେ ଫିଲ୍ମ ବ୍ଲକବ୍ଲାଷ୍ଟର ହିଟ୍ ହେଉଛି । ବିଶ୍ବବ୍ୟାପୀ କଲେକ୍ସନ ମଧ୍ୟ ଭଲ ରହୁଛି । ଥ୍ରୀଡି ମୋସନ କ୍ୟାପଚର କ୍ୟାମେରାରେ କାମ କରିଥିବା ପ୍ରଥମ ଭାରତୀୟ ଅଭିନେତା ହେଉଛନ୍ତି ରଜନୀକାନ୍ତ। ସିବିଏସଇ ପାଠ୍ୟକ୍ରମରେ ମଧ୍ୟ ସ୍ଥାନ ପାଇଥିବା ପ୍ରଥମ ଅଭିନେତା । ଅନେକ ହିଟ୍ ଫିଲ୍ମଙ୍କୁ ଉପହାର ଦେଇଥିବା ରଜନୀକାନ୍ତ ବହୁ ହିରୋଇନଙ୍କ ସହ ସ୍କ୍ରିନରେ ରୋମାନ୍ସ କରିଛନ୍ତି । ବାସ୍ତବରେ ମଧ୍ୟ ସେ ପ୍ରେମ ବିବାହ କରିଛନ୍ତି । ବସ କଣ୍ଡକ୍ଟର ଥିବାବେଳେ ପ୍ରୋପୋଜ କରିଥିଲେ । ଏହାପରେ ଉଭୟଙ୍କ ବିବାହ ହୋଇଥିଲା । ସବୁଠାରୁ ବଡ଼ ହେଉଛି କି, ତାଙ୍କ ଜୀବନର ଉତଥାନ ପତନ ସମୟରେ ସେ ତାଙ୍କ ସାଙ୍ଗରେ ରହିଛନ୍ତି ।