spot_img
Home Blog Page 2666

ତମାଖୁ ମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ହାସଲ କଲା ଶ୍ରେଷ୍ଠ ସ୍ଥାନ

ଭୁବନେଶ୍ବର: ସାରା ଦେଶକୁ ପଛରେ ପକାଇଲା ଓଡ଼ିଶା  । ତମାଖୁ ମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଓଡ଼ିଶା । ଏହା ଟୋବାକୋ ଫ୍ରି ୟୁଥ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା  । ଏହି ଅଭିଯାନ ଜୁଲାଇ ଓ ଅଗଷ୍ଟ ଦୁଇ ମାସ ଧରି ଚାଲିଥିଲା ।

ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ଦିଆଯାଇଛି । ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଟୋବାକୋ ମୁକ୍ତ ଗାଁ ଅଭିଯାନ ଆରମ୍ଭ ହୋଇଥିଲା  । ଏଥିରେ ପଂଚାୟତିରାଜ ବିଭାଗକୁ ସରପଞ୍ଚଙ୍କ ଜରିଆରେ କୋଟପା ଆଇନକୁ ଗାଁରେ କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଚିଠି କରିଥିଲା  ।

ଏ ଯାଏ ୫୪ ପଞ୍ଚାୟତ ଟୋବାକୋ ମୁକ୍ତ ଘୋଷଣା ହୋଇ ସାରିଛି । ଆହୁରି ୧୧୪ ପଂଚାୟତରେ ଏହି କାମ ଚାଲିଛି  । ସାରା ରାଜ୍ୟରେ ସଫଳତା ସହ ଟୋବାକୋ ମୁକ୍ତ ସ୍କୁଲ ଅଭିଯାନ ଚାଲିଛି  ।

ଛାତ୍ର ମାଡ଼ରେ ଅଧ୍ୟାପକ ମୃତ, ୯ ମାସ ଧରି ଚିକିତ୍ସିତ ହେଉଥିଲେ ଅଧ୍ୟାପକ

ଝାରସୁଗୁଡ଼ା: ଝାରସୁଗୁଡ଼ା କଟାପାଲି ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ଛାତ୍ରଙ୍କ ମାଡ ଘଟଣା । ମାଡ଼ରେ ଅଧ୍ୟାପକ ଅମିତ ବାରିକ ଗୁରୁତର ହେବା ପରେ ୯ ମାସ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି  ।

ଅଧ୍ୟାପକ ଗୁରୁତର ହେବା ପରେ ପ୍ରଥମେ ଝାରସୁଗୁଡା ହସ୍ପିଟାଲ ପରେ ଓ ପରେ ବୁର୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା  । ହେଲେ ଶେଷରେ ସେ ଆଖି ବୁଜିଛନ୍ତି  । ଗତ ଫେବ୍ରୁଆରୀରେ  ୨୨ ତାରିଖରେ କଲେଜର ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ରାଜେଶ ସହିସ ଅମିତଙ୍କୁ ଆକ୍ରମଣ କରି ମାଡ ମାରିଥିଲେ  । ଏଥିରେ ଅମିତ ଗୁରୁତର ହୋଇ ପଡିଥିଲେ ଏବଂ ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଥିଲା  ।

ତେବେ ୯ ମାସ ଧରି ଚିକିତ୍ସା ହେବା ପରେ ଗତ ବିଳମ୍ବିତ ରାତିରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଘଟଣା ଦିନ ସକାଳେ ଶ୍ରେଣୀକୁ ବିଳମ୍ବରେ ଆସିଥିବାରୁ ଅମିତ ରାଜେସକୁ ତାଗିଦ କରିଥିଲେ । ଏହାକୁ ନେଇ ଖୁବ ବଚସା ମଧ୍ୟ ହୋଇଥିଲା  । ଏହାପରେ ରାଜେଶ ରାଗରେ ଅମିତଙ୍କୁ ଆକ୍ରମଣ କରିଥିଲେ । ୯ ମାସ ଧରି ଚିକିତ୍ସିତ ହେବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି  । ଘଟଣାରେ ଅଭିଯୁକ୍ତ ଛାତ୍ର ରାଜେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି  ।

ମୋବାଇଲକୁ ଆସୁଛି ହାଇଆଲର୍ଟ ମେସେଜ୍, ଥରୁଛି ମୋବାଇଲ୍, କାହିଁକି ଜାଣନ୍ତୁ…

ଭୁବନେଶ୍ବର: ଅଚାନକ ବାଜିଉଠୁଛି ମୋବାଇଲ । ଆସୁଛି ଆଲର୍ଟ ମେସେଜ । ଭିନ୍ନ ଏକ ଶବ୍ଦ ଓ କମ୍ପନ ସହ ଆଲର୍ଟ ମେସେଜ ମୋବାଇଲକୁ ଆସୁଥିବାର ଦେଖାଯାଇଛି । ହଠାତ ମୋବାଇଲରେ ଏମିତି ଆଲର୍ଟ ମେସେସ ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି । କିନ୍ତୁ ଏଠାରେ ଆପଣ ଭୟଭୀତ ହୁଅନ୍ତୁ ନାହିଁ । ଏହାକୁ ଏକ ପରୀକ୍ଷାମୂଳକ ଭାବେ ଲୋକଙ୍କ ପାଖକୁ ପଠାଯାଉଛି ।

ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ଉଦ୍ଦିଷ୍ଟ ରହିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହଯୋଗରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ଏହି ବାର୍ତ୍ତା ପଠାଯାଇିଥିବା ସୂଚନା ମିଳିଛି ।

ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଆସୁଛି ଏପରି ମେସେଜ । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯାଇଛି ।

ଖୁବ୍ ଶୀଘ୍ର ଗାଜା ଉପରେ ବଡ଼ଧରଣର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଖୁବ୍ ଶୀଘ୍ର ଗାଜା ଉପରେ ବଡ଼ଧରଣର ଆକ୍ରମଣ । ହମାସ କବଳରେ ଥବା ପଣବନ୍ଦୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ଗାଜାବାସୀଙ୍କୁ ଇସ୍ରାଏଲର ନିର୍ଦ୍ଦେଶ । ଏପରିକି ଯେଉଁମାନେ ଅର୍ଥ ପ୍ରଦାନ କରିବେ ସେମାନଙ୍କୁ ପୁରସ୍କାର ରାଶି ମିଳିବା ସହ ସେମାନଙ୍କୁ ସୁରକ୍ଷା ଦିଆଯିବ ବୋଲି କହିଛି ଇସ୍ରାଏଲ ସେନା ।

ହମାସର କବଳରେ ୨୨୦ ପଣବନ୍ଦୀ ଥିବାବେଶେ ସେମାନଙ୍କ ସମ୍ପର୍କରେ ଖୋଜଖବର ମିଳୁନାହିଁ । ଯଦି ଗାଜାରେ ଶାନ୍ତିରେ ରହିବାକୁ ଚାହାଁନ୍ତି ତେବେ ତୁରନ୍ତ ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ଗାଜାବାସୀଙ୍କୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ପ୍ରଥମେ ଆମେରିକାର ଦୁଇ ଜଣ ପଣବନ୍ଦୀଙ୍କୁ ଓ ପରେ ଦୁଇ ଜଣ ଇସ୍ରାଏଲୀ ମହିଳାଙ୍କୁ ମୁକ୍ତି କରିଛି ହମାସ ।  ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ଆକାଶ ମାର୍ଗରୁ ପ୍ରଚାରପତ୍ର ପକାଇଛି ଇସ୍ରାଏଲ ।

ସେପଟେ ସିରିଆର ସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି ଇସ୍ରାଏଲ । ତେଣେ ଗାଜା ଉପରେ ଯେକୌଣସି ସମୟରେ ଆକ୍ରମଣ କରାଯିବ ବୋଲି କହିଛନ୍ତି ଆଇଡିଏଫ ଚିଫ ଅଫ ଷ୍ଟାଫ ଲେଫଟନାଣ୍ଟ ଜେନେରାଲ ହେର୍ଜି ହାଲେଭି । ତେଣେ ଗ୍ରାଉଣ୍ଡ ଆଟାକ ସମ୍ପର୍କରେ ଇସ୍ରାଏଲ ନିଜେ ନିଷ୍ପତ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଜାତିସଂଘରେ ଭାରତର ପ୍ରତିନିଧି ଆର. ରବୀନ୍ଦ୍ର କହିଛନ୍ତି- ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧରେ ହେଉଥିବା ଧନଜୀବନ କ୍ଷତି ନେଇ ଭାରତ ଉଦବେଗ ପ୍ରକାଶ କରୁଛି ।

ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ, ୧୯୦ରେ ପହଞ୍ଚିଲା ଗୁଣବତ୍ତା

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ । ବିଭିନ୍ନ ସ୍ଥାନରେ ପ୍ରଦୂଷଣ ସୀମା ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ତେବେ ଆଜି ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି । ବାୟୁଗୁଣବତ୍ତା ଓ ପାଣିପାଗ ଆଗୁଆ ସୂଚନା ଓ ଗବେଷଣା ବା ସଫର ପକ୍ଷରୁ କୁହାଯାଇଥିବା ତଥ୍ୟ ଅନୁସାରେ ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ୧୯୦ରେ ପହଞ୍ଚିଛି ।

ଗତକାଲି ଏକ୍ୟୁଆଇ ୨୩୧ ଥିବାବେଳେ ଆଜି ଏହା ୧୯୦କୁ ଖସିଛି । ଚଳିତ ବର୍ଷ ପ୍ରଥମଥର ଲାଗି ଗତ ସୋମବାର ଦିଲ୍ଲୀର ଏକ୍ୟୁଆଇ ଅତି ସାଂଘାତିକ ହୋଇଥିଲା । ଦଶହରା ଲାଗି ଦିଲ୍ଲୀର କେତେକ ଅଞ୍ଚଳରେ ବାଣ ଫୁଟାଇବା କାରଣର ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ଖରାପ ହୋଇଥିଲା । ଦିଲ୍ଲୀ ପରି ନୋଏଡାରେ ବି ବାୟୁ ଗୁଣବତ୍ତା ଖରାପ ରହିଛି । ନୋଏଡାରେ ଏକ୍ୟୁଆଇ ୨୧୮ ରହିଛି । ସେପଟେ ଆର୍ଥିକ ରାଜଧାନୀ ମୁମ୍ବାଇରେ ବି ଖରାପ ହେବାରେ ଲାଗିଛି ଏକ୍ୟୁଆଇ ।

ଆଜି ସହରରେ ଏକ୍ୟୁଆଇ ରହିଛି ୧୪୭ । ମହାନଗରୀରେ ପ୍ରାୟ ୬ ହଜାର ପ୍ରକଳ୍ପ ଚାଲିଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ ।

ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ, ହୋଇନି ଅବକାଶ ଏବଂ ମଙ୍ଗଳଆଳତୀ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ବନ୍ଦ ହୋଇଛି ଅବକାଶ, ମଙ୍ଗଳଆଳତି ନୀତିକାନ୍ତି । ପୂଜା ପଣ୍ଡା ଓ ପତ୍ରି ନିଯୋଗ ଅନୁପସ୍ଥିତ ଥିବା କାରଣରୁ ମଙ୍ଗଳ ଆଳତି ବନ୍ଦ ରହିଛି । ଏ ବାବଦରେ ADMଙ୍କୁ ଅବଗତ କରିବେ ଲିଙ୍ଗରାଜ ମନ୍ଦିର ନୀତି ସୁପର ଭାଇଜର ।

ସକାଳୁ ସିଂହଦ୍ବାର ଖୋଲା ନୀତି ହୋଇଛି । କିନ୍ତୁ ମଙ୍ଗଳ ଆଳତି କରାଯାଇ ନାହିଁ । ମଙ୍ଗଳ ଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗର ପତ୍ରି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ବନ୍ଦ ରହିଛି ନୀତିକାନ୍ତି । ମନ୍ଦିର ପ୍ରଶାସନକୁ ଏନେଇ ଜଣାଯାଇଛି । ଏହା ପଛରେ କଣ କାରଣ ରହିଛି, ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ । ସେପଟେ ବଡୁ ନିଯୋଗ କହିଛି ଆମ ପକ୍ଷରୁ ସମସ୍ତ ନିତିକାନ୍ତି କରାଯାଉଛି ।

ପଟ୍ଟାଙ୍ଗୀରେ ଡବଲ ମର୍ଡର, ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଅଭିଯୋଗ

କୋରାପୁଟ: ପଟ୍ଟାଙ୍ଗୀ ଥାନା କୁନ୍ଦୁଲି ହାଟପଦାରେ ଡବଲ ମର୍ଡର । ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କୁ ହତ୍ୟା କରିଛନ୍ତି କୁନ୍ଦୁଲି ହାଟପଦାର ଯୋଗୁଲୁ ରୁଡି ଓ ତାଙ୍କ ପୁଅ ରାଜକୁମାର ରୁଡି । ସେହିପରି ପ୍ରତିଶୋଧ ନେବାକୁ ଯାଇ ହତ୍ୟାକାରୀ ରାଜକୁମାରଙ୍କୁ ହତ୍ୟା କରିଛନ୍ତି ମୃତ ଗୋବର୍ଦ୍ଧନ ପାଣ୍ଡକାଙ୍କ ପରିବାର ।

ଦୁଇ ପରିବାର ମଧ୍ୟରେ କାହିଁକି ଏଭଳି ହତ୍ୟା କାଣ୍ଡ ଘଟିଥିଲା, ତାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାଲବାହୀ ଟ୍ରେନ୍ ଧକ୍କାରେ ମାଈହାତୀ ମୃତ

କେନ୍ଦୁଝର: ମାଲବାହୀ ଟ୍ରେନ୍ ଧକ୍କାରେ ମାଈହାତୀର ଗଲା ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ପଳସା ନିକଟରେ ଟ୍ରେନ୍ ଧକ୍କାରେ ମାଈହାତୀର ମୃତ୍ୟୁ ହୋଇଛି ।

ଆଜି ଭୋର୍ ସମୟରେ ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ଟ୍ରେନ୍ ଲାଇନ୍ ପାର୍ କରୁଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଥିଲା । ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ସୂଚନା ମିଳିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଜି ପୁରୀରେ ଗୋଷାଣି ମେଳଣ, ଶ୍ରୀମନ୍ଦିର ଉପରକୁ ଉଠିବ ଏକାଦଶୀ ମହାଦୀପ

ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ  । ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ  । ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ ଏକାଦଶୀ ମହାଦୀପ ଉଠିବା ପରେ ହେବ ମେଲାଣି ଉତ୍ସବ ।

ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ବତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ । ପରମ୍ପରା ଅନୁସାରେ ଗୋଷାଣି ବ୍ୟତୀତ ନାଗା ମେଢ଼ ଓ ଅନ୍ୟାନ୍ୟ ମେଢ଼ ମଧ୍ୟ ଦେଖିବାକୁ ମିଳିବ । ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ  । ସାହି କମିଟି ସହିତ ଆଲୋଚନା କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପଟେ ଆଜିଠୁ ଦୀର୍ଘ ଏକ ମାସ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ହେବା ସହ ବାଳଭୋଗ ନୀତି ଆରମ୍ଭ ହେବ। ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ବେଶ ଗହଳିଚହଳି ଦେଖିବାକୁ ମିଳିଛି।

ସରିଲା ଦଶହରା, ଆଜି ବିଦାୟ ନେବେ ମାଆ

ଭୁବନେଶ୍ବର: ସରିଲା ଦଶହରା । ପୁଣି ଆର ବର୍ଷକୁ ଅପେକ୍ଷା  । ଆଜି ବିଦାୟ ନେବେ ମାଆ  । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣକୁ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ପୂଜା କମିଟି ଯୋଜନା କରିଛନ୍ତି । ନାସିକ ଢୋଲରେ କମ୍ପିବ ରାଜରାସ୍ତା । ଆକ୍ସନ ଦେଖାଇବେ ଅଘୋରୀ ଗ୍ରୁପ ।

ମାଆଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି କରିଛନ୍ତି । ରାଜଧାନୀ ଭୁବନେଶ୍ବରରେ ମାଆଙ୍କ ଭସାଣ ଉତ୍ସବ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି  । ରାଜଧାନୀରେ ମୋଟ ୩୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ । ମାଆଙ୍କୁ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ମୁତୟନ ହେବାକୁ ଥିବାବେଳେ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିବେ ।

ଭୁବନେଶ୍ବରରେ ମୋଟ ୧୮୮ଟି ପୂଜା ମେଢ଼ ରହିଛି।  ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭସାଣ କମିଟି ଦ୍ବାରା ମେଢ଼ ଗୁଡିକ ଶୋଭାଯାତ୍ରାରେ ଯିବେ । ସହିଦନଗର ଭସାଣ କମିଟିକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବେ । ନୟାପଲ୍ଲୀ ଭସାଣ କମିଟି ମେଢ଼ ଗୁଡିକ CRP ଛକ ଦେଇ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ । ସେହିପରି ଚନ୍ଦ୍ରଶେଖରପୁର ଭସାଣ କମିଟି ମେଢ଼ ଗୁଡିକ କଳିଙ୍ଗ ହସ୍ପିଟାଲ ଛକ ଦେଇ ନଦୀ ପଠାକୁ ଯିବେ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଫୋକସ ଦେଇଛି କମିଶନରେଟ ପୋଲିସ । ଶୋଭାଯାତ୍ରା ବେଳେ ଗୋଟିଏ ପଟ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ କରାଯିବ। ଅପରାହ୍ନ ୩ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ଥିବା ବେଳେ ଟ୍ରାଫିକ ନିୟମ ବଳବତ୍ତର କରିବ ପୋଲିସ ।