spot_img
Home Blog Page 2665

୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା, ଛତିଶଗଡରେ ୨ଟି ପର୍ଯ୍ୟାୟରେ ମତଦାନ

ନୂଆଦିଲ୍ଲୀ: ୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ ପାଇଁ ତାରିଖ ଘୋଷଣା ହୋଇଛି । ଛତିଶଗଡ଼ରେ ହେବ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ  ।

ଅନ୍ୟ ୪ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ । ମିଜୋରାମରେ ଆସନ୍ତା ନଭେମ୍ବର ୭ ତାରଖରେ ଭୋଟ ଗ୍ରହଣ ହେବ । ଛତିଶଗଡ଼ରେ ଆସନ୍ତା ନଭେମ୍ବର ୭ ଓ ୧୭ ତାରିଖରେ ଭୋଟଗ୍ରହଣ ହେବ । ମଧ୍ୟପ୍ରଦେଶରେ ଆସନ୍ତା ନଭେମ୍ବର ୧୭ ତାରିଖରେ ହେବ ଭୋଟ । ଆସନ୍ତା ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ସେହିପରି ତେଲଙ୍ଗାନାରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଆସନ୍ତା ଡିସେମ୍ବର ୩ ତାରିଖରେ ଏହି ସମସ୍ତ ରାଜ୍ୟରେ ହୋଇଥିବା ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ ।

ପ୍ରେସମିଟ କରି ୫ ରାଜ୍ୟ ଲାଗି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର । ଚଳିତ ଥର ୮କୋଟି ୨୦ ଲକ୍ଷରୁ ଅଧିକ ପୁରୁଷ ଭୋଟର ଏହି ଭୋଟରେ ସାମିଲ ହେବେ । ପ୍ରଥମ ଥର ଲାଗି ୬୦ଲକ୍ଷରୁ ଅଧିକ  ଭୋଟର ଭୋଟ୍ ଦେବେ । ୭ କୋଟିରୁ ଅଧିକ ମହିଳା ଭୋଟର କରିବେ ମତଦାନ । ୫ ରାଜ୍ୟର ୬୭୯ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ୧ ଲକ୍ଷ ୭୭ ହଜାର ପୋଲିଂ ବୁଥ କରାଯିବ । ୧ ଲକ୍ଷରୁ ଅଧିକ ବୁଥରେ ଭୋଟ ସମୟରେ ଓ୍ବେବକାଷ୍ଟିଂ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ  ।

ସବୁ ସ୍କୁଲରେ ପିଲା ପଢ଼ିଲେ ହକିର ବିଜୟ ଗାଥା, ଗଣଶିକ୍ଷା ବିଭାଗ ଦେଇଥିଲା ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ରାଜ୍ୟରେ ସବୁ ସ୍କୁଲରେ ପିଲାଙ୍କୁ ପଢ଼ାଯାଉଛି ହକିର ବିଜୟ ଗାଥା । ପ୍ରାର୍ଥନା ସଭାରେ ଭାରତୀୟ ହକିର ବିଜୟ ଗାଥା ପଢିଛନ୍ତି ଛାତ୍ରଛାତ୍ରୀ । ଏସିଆନ ଗେମ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତି ଗୌରବ ଆଣିଛି । ଛାତ୍ରଛାତ୍ରୀଙ୍କୁ ହକିର ବିଜୟ ଗାଥା ସମ୍ପର୍କରେ ପଛାଇବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିଲା ଗଣଶିକ୍ଷା ବିଭାଗ ।

ଏହା ସହ ୨୦୨୪ ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଛା ବାର୍ତ୍ତା ମଧ୍ୟ ଦେଇଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ, ଓସେପା ପକ୍ଷରୁ ଦୁଇ ପୃଷ୍ଠା ହକି ଗାଥା ସମ୍ବଳିତ ବାର୍ତ୍ତା ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଦିଆଯାଇଛି । ଯାହାକୁ ପ୍ରାର୍ଥନା ସଭାରେ ପାଠ କରାଯିବା ସହ ଏହାର ଏହାର ଫଟୋ ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସିଆ କ୍ରୀଡ଼ାରେ ଭାରତ ସ୍ବର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିଜୟୀ ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରତିନିଧିତ୍ବ କରୁଥିଲେ । ଭାରତୀୟ ହକି ପାଇଁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ । ଏକାଧିକ ଅଲିମ୍ପିଆନ ଓଡ଼ିଶାରୁ ସୃଷ୍ଟି ହୋଇଛନ୍ତି । ଓଡ଼ିଶା ଜାତୀୟ ହକିର ପ୍ରାୟୋଜକ ରହିବା ସହ ଉନ୍ନତ ଭିତ୍ତିଭୂମି ପ୍ରତିଷ୍ଠା କରି କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦେଉଛି । ସୁନ୍ଦରଗଡ଼ରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି ।

ଦୁଇଦୁଇ ଥର ବିଶ୍ବକପ ଆୟୋଜନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବାକୁ ସ୍କୁଲ ସ୍ତରରେ କ୍ରୀଡ଼ାକୁ ଗୁରୁତ୍ବ ଦିଆଯାଇଛି । ରୂପାନ୍ତରିତ ସ୍କୁଲରେ କ୍ରୀଡାକୁ ଫୋକସରେ ରଖାଯାଇଛି । ହକିକୁ ଲୋକପ୍ରିୟ କରିବାକୁ ସରକାରୀ ବିଦ୍ୟାଳୟରେ ମୋ ସ୍କୁଲ ହକି କ୍ଲବ କାର୍ଯ୍ୟ କରୁଛି । ସ୍କୁଲ ସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡ଼ାବିତ କରିବାକୁ ଏହି କ୍ଲବ ପ୍ରମୁଖ ଭୂମିକା ନିଭାଉଛି । ରାଜ୍ୟ ସରକାରଙ୍କ ହକି ରୂପାନ୍ତରିକରଣ ପ୍ରଭାବରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଆଗକୁ ଆସୁଛନ୍ତି ।

ଗୋଟିଏ ଝିଅକୁ ପ୍ରେମ କରୁଥିବାରୁ ଜିଆରଏସଙ୍କୁ ହତ୍ୟା କଲା ହତ୍ୟାକାରୀ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଉସ୍ତାପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ସୁଶୀଲ କୁମାର ମହାନ୍ତି ହତ୍ୟା ମାମଲା । ପ୍ରେମକୁ କେନ୍ଦ୍ରକରି ଘଟିଥିଲା ନିର୍ମମ ହତ୍ୟାକାଣ୍ଡ । ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ମନୋଜ ଓ ସୁଶୀଲ ଉଭୟ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ ।

ମନୋଜ ଏନେଇ ସୁଶୀଲକୁ ୨ମାସ ତଳେ ତାଗିଦ କରିଥିଲେ । ଗତ ୪ ତାରିଖରେ ମନୋଜ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରୁ ବାହାରି ଆସିବା ପରେ ସୁଶୀଲ ସେହି ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଥିଲେ । ପରେ ଉତ୍ୟକ୍ତ ହୋଇ ସୁଶୀଲଙ୍କ ସହିତ ଗଣ୍ଡଗୋଳ କରିଥିଲେ ମନୋଜ । ସେଠାରୁ ଉଭୟ ଆସି ଗାଁ ନିକଟରେ ଧସ୍ତାଧସ୍ତି ହୋଇଥିଲେ ।

ପରେ କଟୁରୀରେ ସୁଶୀଲଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା ମନୋଜ । ସ୍ବତନ୍ତ୍ର ଟିମ୍ ଗଠନ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରାଯିବା ସହ ରକ୍ତଭିଜା ସାର୍ଟ ଜବତ ହୋଇଛି ।

ଇସ୍ରାଏଲରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ, କେରଳ ମହିଳା ଗାଜାରେ ଆହତ

ଜେରୁଜେଲମ: ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଇସ୍ରାଏଲରେ ଫସି ରହିଛନ୍ତି ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ର ଏବଂ ନାଗରିକ । ସେମାନଙ୍କୁ ଉଦ୍ଧାର ଲାଗି ବୈଦେଶିକ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଜରୁରିକାଳୀନ ପରିସ୍ଥିତିରେ ସିଧାସଳଖ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଭାରତୀୟଙ୍କୁ ଇସ୍ରାଏଲରୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ଭାରତୀୟ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପିଏମଓ କାର୍ଯ୍ୟାଳୟ ଭାରତୀୟଙ୍କ ଉଦ୍ଧାର ନେଇ କାର୍ଯ୍ୟର ତଦାରଖ କରୁଛନ୍ତି । ଭାରତୀୟ ଛାତ୍ରଙ୍କୁ ଇସ୍ରାଏଲରୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖରାଜ ।

ସେପଟେ ଇସ୍ରାଏଲର ଗାଜା ଆକ୍ରମଣରେ କେରଳର ଶିଜା ଆନନ୍ଦ ନାମକ ମହିଳା ଆହତ ହୋଇଥିବା ଜଣାପଡିଛି । ଇସ୍ରାଏଲର ଆସ୍କାଲନରେ ସେ ଜଣେ ବରିଷ୍ଠ ନାଗରିକଙ୍କ ସେବିକା ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା କୋଜିକୋଡରେ ରହୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି୍ ।

ଉଲଗ୍ନ ଦୁଇ ମହିଳାଙ୍କୁ ଉଦ୍ଧାର ଘଟଣାରେ ନୂଆମୋଡ଼, ଦୁଷ୍କର୍ମ ନୁହେଁ ମାନସିକ ଭାରସାମ୍ୟ ହରାଇଛନ୍ତି

ରାଉରକେଲା: ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଦୁଇ ମହିଳାଙ୍କୁ ଉଦ୍ଧାର ଘଟଣାରେ ନୂଆମୋଡ଼ । ଦୁଷ୍କର୍ମ ନୁହେଁ, ମାନସିକ ଭାରସାମ୍ୟ ହରାଇ ଉଭୟ ଘରୁ ପଳାଇ ଆସିଥିବା ମହିଳାଙ୍କ ପରିବାର ଲୋକ କହିଛନ୍ତି । ସେମାନଙ୍କ ଘର ଝାଡ଼ଖଣ୍ଡ ନୁହେଁ, ଛତିଶଡ଼ରେ ବୋଲି ସୁନ୍ଦରଗଡ଼ ପୋଲିସ ସୂଚନା ଦେଇଛି । ପରିବାର ଲୋକ ଚିହ୍ନଟ କରିବା ପରେ ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ ଭଉଣୀ ଓ ଝିଅଙ୍କର ବୟାନ ରେକର୍ଡ କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ଦୁଇ ମହିଳାଙ୍କ ଘର ଛତିଶଗଡ଼ ତୁମଲା ଥାନା ଖାରିବହାଲ ଗାଁରେ । ସ୍ବାମୀଙ୍କ ମୃତ୍ୟୁ ପରେ ମାଆ-ଝିଅ ମାନସିକ ଭାରସାମ୍ୟ ହରାଇବସିଛନ୍ତି । ୮ ବର୍ଷ ହେଲା ସେମାନଙ୍କ ମାନସିକ ଅବସ୍ଥା ଭଲ ନାହିଁ । ୪ ଦିନ ତଳେ ଉଭୟ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ସୁନ୍ଦରଗଡ଼ରୁ ଉଭୟଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମାନସିକ ଅବସ୍ଥା ଠିକ ନଥିବାବେଳେ ଦିଅର ଦୁଷ୍କର୍ମ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ମହିଳା ।

ଉଭୟଙ୍କ ପରିଚୟ ଚିହ୍ନଟ ପାଇଁ ସୁନ୍ଦରଗଡ଼ ପୋଲିସ ବିଭିନ୍ନ ଥାନାକୁ ସେମାନଙ୍କ ଫଟୋ ପଠାଇଥିଲା । ପରିବାର ଲୋକ ଚିହ୍ନଟ କରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

କିଙ୍ଗ ଖାନଙ୍କୁ ମିଳିବ Y+ ପ୍ଲସ ସୁରକ୍ଷା, ପଠାନ ପାଇଁ ମିଳିଛି ହତ୍ୟା ଧମକ

ମୁମ୍ବାଇ: ବଢିଲା କିଙ୍ଗ ଖାନ ଶାହରୁଖଙ୍କ ସୁରକ୍ଷା । ମନ୍ନତରେ ସୁରକ୍ଷା ବ୍ୟାପକ । କିଙ୍ଗ ଖାନଙ୍କୁ ମିଳିବ Y+ ପ୍ଲସ ସୁରକ୍ଷା । ପଠାନ ଓ ଜଓ୍ବାନ ଫିଲ୍ମରେ ଅଭିନୟ କରିବା ପରେ ତାଙ୍କୁ ହତ୍ୟା ଧମକ ମିଳୁଥିବା ଅଭିଯୋଗ କରିଥିଲେ ।

ସୋସିଆଲ ମିଡିଆରେ ଶାହରୁଖଙ୍କୁ ଆସୁଥିଲା ହତ୍ୟା ଧମକ। ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଶାହରୁଖଙ୍କ ଅପକମିଂ ଫିଲ୍ମ ଡଙ୍କି ରିଲିଜ୍ ହେବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହୀରାନି ।

ଫସଲ ଜଗିବାକୁ ମଞ୍ଚାରେ ଶୋଇଥିଲେ, ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅନୁଗୁଳ: ଜମିରେ ମଞ୍ଚା ଉପରେ ଶୋଇଥିବାବେଳେ ଯୁବକଙ୍କୁ ହତ୍ୟା । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ନିର୍ମମ ହତ୍ୟାକାଣ୍ଡ । ମୃତକ ହେଲେ ବିଶ୍ବନାଥ ବର୍ଗିଆ । ଗତକାଲି ରାତିରେ ଫସଲ ଜଗିବାକୁ ସେ ଜମିରେ ମଞ୍ଚା ଉପରେ ଶୋଇଥିଲେ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଙ୍କ ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି ।

ବିଶ୍ବନାଥଙ୍କ ଚିତ୍କାର ଶୁଣି ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାଇଥିଲେ । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ କିଏ ଓ କାହିଁକି ବିଶ୍ବନାଥଙ୍କୁ ହତ୍ୟା କଲା ସେନେଇ ତଦନ୍ତ କରାଯାଉଛି ।

ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାଣି, ଆଜିଠୁ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଯୋଜନାରେ ଏହି ସହର ହେବେ ଉପକୃତ

ଭୁବନେଶ୍ବର: ନଳ ଖୋଲିଲେ ବାହାରୁଛି ବିଶୁଦ୍ଧ ପାନୀୟ ଜଳ । ଦୁଆରେ ଦୁଆରେ ଶୁଦ୍ଧ ପାନୀୟ । ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା । ଆଜିଠୁ ଏହି ଯୋଜନାରେ ଉପକୃତ ହେବେ ରାଜ୍ୟର ଆଉ କିଛି ସହର । ରାଜ୍ୟର ନୂଆ ୫ଟି ସହର ଏବଂ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ।

ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ସାଢେ ୧୧ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସେବାର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାର ସମଗ୍ର ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ଏହାଛଡ଼ା ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଜଳଯୋଗାଣ ସୁବିଧା କରାଯିବ । ବ୍ରହ୍ମପୁରର ୩୭, ଭୁବନେଶ୍ବରର ୨୭, କଟକର ୨୧, ରାଉରକେଲାର ୨୦, ସୁନ୍ଦରଗଡ଼ର ୧୭, ବ୍ୟାସନଗରର ୬, ଖୋର୍ଦ୍ଧାର ୪, ଜଟଣୀର ୩, କେନ୍ଦୁଝର ଓ ଆନନ୍ଦପୁରର ୪ଟି ଲେଖାଏଁ, ହିଞ୍ଜିଳିକାଟୁର ୩, ବଡ଼ବିଲର ୨ ଓ ଯୋଡ଼ାର ଗୋଟିଏ ଓ୍ବାର୍ଡ ଏହି ଯୋଜନାରେ ଯୋଡ଼ିହେବ । ଏହାଦ୍ବାରା ୧୨ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଉଛି । ପୁରୀ ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ସହର ହୋଇଥିବାବେଳେ ଗୋପାଳପୁର ଦ୍ବିତୀୟ । ଯୋଜନା ଜରିଆରେ ଘରକୁ ଘର ଅନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ୨୦୨୦ ସେପ୍ଟେମ୍ବରରେ ଭୁବନେଶ୍ବର ଓ ପୁରୀର ୧୨ଟି ପାଇଲଟ୍ ଜୋନରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ କରାଯାଇଥିଲା । ୨୦୨୧ରେ ଦେଶର ପ୍ରଥମ ସହର ଭାବେ ପୁରୀ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଇଥିଲା ।

୨୦୧୮ ନିର୍ବାଚନ: ଏହି ୫ ରାଜ୍ୟରେ କେଉଁ ଦଳକୁ ମିଳିଥିଲା କେତେ ଆସନ ?

ନୂଆଦିଲ୍ଲୀ: ଆଜି ଘୋଷଣା ହେବ ୫ ରାଜ୍ୟର ନିର୍ବାଚନ ତାରିଖ । ତେବେ ଆସନ୍ତୁ ନଜର ପକାଇବା ୨୦୧୮ ନିର୍ବାଚନରେ ଏହି ୫ ରାଜ୍ୟରେ କେଉଁ ଦଳକୁ ମିଳିଥିଲା କେତେ ଆସନ । ଆଉ କେଉଁ ରାଜ୍ୟରେ କିଏ ଗଢିଛି ସରକାର ? ରାଜସ୍ଥାନରେ କଂଗ୍ରେସ ସରକାର ଗଢିଥିବାବେଳେ ମୁଖ୍ୟମନ୍ତ୍ରୀ ଅଛନ୍ତି ଅଶୋକ ଗେହଲଟ । ରାଜସ୍ଥାନର ମୋଟ ୨୦୦ ଆସନରୁ କଂଗ୍ରେସ ୧୦୭ ସିଟ ପାଇଥିବାବେଳେ ବିଜେପି ୭୦ ଓ ୨୩ଟିରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ।

ସେହିପରି ଛତିଶଗଡ଼ରେ ମଧ୍ୟ କଂଗ୍ରେସ ସରକାର କରିଥିଲା । ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବଘେଲ ଦାୟିତ୍ବ ତୁଲାଉଥିବାବେଲେ ଏହାର ମୋଟ ଆସନ ରହିଛି ୯୦ । କଂଗ୍ରେସ- ୭୧, ବିଜେପି- ୧୫ ଓ ଅନ୍ୟାନ୍ୟ- ୪ଟି ଆସନରେ ବିଜୟ ଲାଭ କରିଥିଲେ । ସେହିପରି ୨୦୧୮ରେ ମଧ୍ୟପ୍ରଦେଶରେ ପ୍ରଥମେ କଂଗ୍ରେସ ସରକାର ଗଢିଥିଲା । ମାତ୍ର ପରେ ଦଳୀୟ କନ୍ଦଳ ଯୋଗୁ କଂଗ୍ରେସ ସରକାର ଭାଙ୍ଗି ଏବେ ବିଜେପି ସେଠାରେ ଶାସନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ରହିଛନ୍ତି ଶିବରାଜ ସିଂ ଚୌହ୍ବାନ ।

ମଧ୍ୟପ୍ରଦେଶର ମୋଟ ଆସନ ୨୩୦ । ଏଥିରୁ ବିଜେପି ପାଖରେ ୧୨୮ ସିଟ ଥିବାବେଳେ କଂଗ୍ରେସ- ୯୮ ଓ ଅନ୍ୟାନ୍ୟ-୪ଟି ଆସନରେ ବିଜୟୀ ହୋଇଛନ୍ତି । ସେପଟେ ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ଅଛନ୍ତି କେ. ଚନ୍ଦ୍ରଶେଖର ରାଓ । ବିଆରଏସ ପାଖରେ ୧୦୧ ଆସନ ଥିବାବେଳେ କଂଗ୍ରେସ-୫, ବିଜେପି- ୩ ଓ ଅନ୍ୟାନ୍ୟ- ୧୦ଟି ଆସନରେ ବିଜୟ ଲାଭ କରିଥିଲେ । ଅନ୍ୟପଟେ ମିଜୋରାମରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଜୋରମଥାଙ୍ଗା । ମୋଟ ୨୭ ଆସନରୁ ଏମଏନଏଫ- ୨୭, କଂଗ୍ରେସ -୫, ବିଜେପି-୧ ଓ ଅନ୍ୟାନ୍ୟ- ୭ଟି ଆସନରେ ବିଜୟ ଲାଭ କରିଥିଲେ ।

ଡିସେମ୍ବର ସୁଦ୍ଧା ଏହି ୫ ରାଜ୍ୟରେ ନିର୍ବାଚନ, ଆଜି ତାରିଖ ଘୋଷଣା କରିବେ ECI

ନୂଆଦିଲ୍ଲୀ: ଆଜି ଘୋଷଣା ହେବ ୫ ରାଜ୍ୟର ନିର୍ବାଚନ ତାରିଖ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଦିନ ୧୨ଟାରେ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ECI ତାରିଖ ଘୋଷଣା କରିବେ ।

ଆସନ୍ତା ନଭେମ୍ବର –ଡିସେମ୍ବରରେ ଏହି ୫ଟି ରାଜ୍ୟରେ ନିର୍ବାଚନ ହୋଇପାରେ । ମିଜୋରାମରେ ଆସନ୍ତା ଡିସେମ୍ବର ୧୭ରେ ବିଧାନସଭା କାର୍ଯ୍ୟକାଳ ପୂରୁଛି । ସେହିପରି ତେଲଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଜାନୁଆରୀ ସୁଦ୍ଧା ବିଧାନସଭା କାର୍ଯ୍ୟକାଳ ପୂରୁଛି । ପୂର୍ବରୁ ନିର୍ବାଚନ ନେଇ ନିର୍ବାଚନ କମିଶନ ପର୍ଯ୍ୟବେକ୍ଷକଙ୍କ ସହ ବୈଠକରେ ଆଲୋଚନା କରିସାରିଛନ୍ତି ।

ପୋଲିସ, ସାଧାରଣ ବ୍ୟବସ୍ଥା ଓ ପର୍ଯ୍ୟବେକ୍ଷକଙ୍କ ଖର୍ଚ୍ଚ ଆଦି ସମ୍ପର୍କରେ ଆଲୋଚନା ହୋଇଛି । ନିର୍ବାଚନ ଆଚରଣ ବିଧି ଯେପରି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଥିଲାଗି ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ ।