ଖୋଲିବାରେ ଲାଗିଛି ଡଙ୍କି ଫ୍ଲାଇଟର ସତ

1 min read

ନନ୍ଦିଘୋଷ ବ୍ୟୁରୋ: ଖୋଲିବାରେ ଲାଗିଛି ଡଙ୍କି ଫ୍ଲାଇଟର ସତ । ନିକାରାଗୁଆ ଅଭିମୁଖୀ ବିମାନକୁ ଫ୍ରାନ୍ସରେ ଅବତରଣ କରାଯିବା ଘଟଣାର ହେଉଛି ପର୍ଦ୍ଦାଫାସ୍ । ଏହି ବିମାନକୁ ଭାରତ ପଠାଇଦିଆଯିବା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼ । ଘଟଣାରେ ଗୁଜରାଟ ପୋଲିସ ୧୪ ଏଜେଣ୍ଟଙ୍କ ବିରୋଧରେ ମାନବ ଚାଲାଣ ଅଭିଯୋଗ କ୍ରମେ ମାମଲା ରୁଜୁ କରିଛି । ଏଜେଣ୍ଟଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗୁଜରାଟର । ଏହା ସହ ଦିଲ୍ଲୀ, ମୁମ୍ବାଇ ଓ ଦୁବାଇର କେତେକ ଏଜେଣ୍ଟ ଅଛନ୍ତି ବୋଲି କହିଛି ଗୁଜରାଟ ସିଆଇଡି । ଆଇପିସିର ଧାରା 370, 201, 120-ବି ଅନୁସାରେ ମାମଲା ରୁଜୁ ହୋଇଛି । ମେକ୍ସିକୋ ସୀମାରେ ପହଞ୍ଚାଇବା ଲାଗି ୬୦ରୁ ୮୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ବୋଲି କହିଛନ୍ତି ସିଆଇଡି ଏଡିଜି ରାଜକୁମାର ।

ବିମାନରେ ଥିବା ଯାତ୍ରୀଙ୍କୁ ଲକ୍ଷ୍ଯସ୍ଥଳରେ ପହଞ୍ଚାଇବା ଲାଗି ଏହି ଏଜେଣ୍ଟମାନେ ଆମେରିକା, ମେକ୍ସିକୋ, ନିକାରାଗୁଆ, ଦୁବାଇ ଓ ଦିଲ୍ଲୀର ଏଜେଣ୍ଟଙ୍କ ସହ ଯୋଗସୂତ୍ରରେ ଥିଲେ । ଗତ ଡିସେମ୍ବରରେ ତିନିଟି ବ୍ଯାଚରେ ନିକାରାଗୁଆକୁ ଲୋକ ପଠାଯାଇଥିବା ତଦନ୍ତରୁ ଜଣାଯାଇଛି । ବିମାନ ଯାତ୍ରା ପୂର୍ବରୁ ଯାତ୍ରୀମାନଙ୍କ ମୋବାଇଲ ଫୋନରୁ ସମସ୍ତ ଅଡିଓ ଫାଇଲ ଓ ଯାତ୍ରା ସମ୍ପର୍କିତ ବିବରଣୀ ଡିଲିଟ କରିଦେବାକୁ ଏଜେଣ୍ଟମାନେ ଚାପ ପକାଇଥିଲେ । ଗତମାସରେ ୨୬୦ ଭାରତୀୟଙ୍କ ସମେତ 3ଶହରୁ ଅଧିକ ଯାତ୍ରୀଙ୍କୁ ନେଇ ଫ୍ରାନ୍ସରୁ ନିକାରାଗୁଆ ଯାଉଥିବା ବିମାନକୁ ମାନବ ଚାଲାଣ ଅଭିଯୋଗ କ୍ରମେ ଅଟକାଯାଇଥିଲା । ଧରାପଡିବା ପରେ ବିମାନକୁ ଭାରତ ଫେରାଇ ଦିଆଯାଇଥିଲା ଏବଂ ଡିସେମ୍ବର ୨୬ରେ ବିମାନ ମୁମ୍ବାଇରେ ଅବତରଣ କରିଥିଲା ।

ନିକାରାଗୁଆରୁ ମେକ୍ସିକୋରେ ପହଞ୍ଚିବା ପରେ ସେମାନଙ୍କୁ ଆମେରିକା ସୀମାକୁ ନିଆଯିବ ଏବଂ ଏକ୍ଷେତ୍ରରେ ନିୟୋଜିତ ରହିଥିବା ଏଜେଣ୍ଟମାନେ ସହାୟତା କରିବେ ବୋଲି ଯାତ୍ରୀଙ୍କୁ କୁହାଯାଇଥିଲା । ଯୋଜନା ଅନୁସାରେ ବୈଧ ପର୍ଯ୍ୟଟକ ଭିସା ଜରିଆରେ ଡିସେମ୍ବର ୧୦ରୁ ୨୦ ମଧ୍ୟରେ ଯାତ୍ରୀମାନେ ଅହମ୍ମଦାବାଦ, ମୁମ୍ବାଇ ଓ ଦିଲ୍ଲୀରୁ ବାହାରି ଦୁବାଇରେ ପହଞ୍ଚିଥିଲେ । ଡିସେମ୍ବର ୨୧ରେ ଦୁବାଇର ଫୁଜରିୟା ଇଣ୍ଟରନ୍ଯାସନାଲ ଏୟାରପୋର୍ଟରୁ ସେମାନେ ନିକାରାଗୁଆ ଅଭିମୁଖେ ଏକ ଘରୋଇ ବିମାନରେ ବାହାରିଥିଲେ । ଏହି ବିମାନଟି ଥିଲା ରୋମାନିଆ ଚାର୍ଟର କମ୍ପାନି ଲିଜେଣ୍ଡ ଏୟାରଲାଇନ୍ସର ବିମାନ । ତେବେ ଫ୍ରାନ୍ସର ବାଟ୍ରିରେ ଡିସେମ୍ବର ୨୧ରେ ଅବତରଣ କରିଥିଲା ।

ତଦନ୍ତରୁ ଜଣାଯାଇଛି ସମସ୍ତ ଯାତ୍ରୀଙ୍କ ଟିକେଟ ଦିଲ୍ଲୀଭିତ୍ତିକ ଏଜେଣ୍ଟ ଜରିଆରେ କରାଯାଇଥିଲା । ଯଦି କୌଣସି ପ୍ରକାର ଆଇନଗତ ବାଧା ପହଞ୍ଚେ ତେବେ ତାହାର ସମସ୍ୟା ଲାଗି ସେମାନେ ଓକିଲଙ୍କୁ ବି ପାଖରେ ରଖିଥିଲେ । ବିମାନରେ ପଞ୍ଜାବର ୨୦୦ ଓ ଗୁଜରାଟର ୬୬ ଯାତ୍ରୀ ବି ଥିଲେ । ଯାତ୍ରୀମାନଙ୍କୁ ଏଜେଣ୍ଟମାନେ ଏହା ବି କହିଥିଲେ ଯେ- ଯଦି ଆମେରିକା ସୀମରେ କେହି ତାଙ୍କୁ ପଚାରିବେ ତେବେ ସେମାନେ ନିଜକୁ ଖଲିସ୍ତାନୀ ବୋଲି କହିବେ ଏବଂ ଆମେରିକାରେ ଆଶ୍ରୟ ନେବାକୁ ଚାହୁଁଛନ୍ତି ବୋଲି କହିବେ । ଏହି ୧୪ ଏଜେଣ୍ଟଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରାଯିବ ବୋଲି କହିଛନ୍ତି ରାଜକୁମାର ।