ମୃତ୍ୟୁର ୧୧ ଦିନ ପରେ କେନାଲରୁ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ, ଜାଣନ୍ତୁ କେମିତି ମିଳିଲା ପୋଲିସକୁ ସଫଳତା…

ନୂଆଦିଲ୍ଲୀ: ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ । ଗତ ସପ୍ତାହରେ ଗୁରୁଗ୍ରାମର ଏକ ହୋଟେଲରେ ଦିବ୍ୟାଙ୍କୁ ଗୁଳି କରି କରାଯାଇଥିଲା ହତ୍ୟା । ମୃତ୍ୟୁର ୧୧ ଦିନ ପରେ ହରିଆଣାର ତୋହନାର ଏକ କେନାଲରୁ ଦିବ୍ୟାଙ୍କ ମିଳିଛି ମୃତଦେହ। ମୃତଦେହ ଖୋଜିବାକୁ ଏନଡିଆରଏଫର ୨୫ ଜଣିଆ ଏକ ଟିମ୍ ପଟିଆଲା ଯାଇଥିଲା। ପଞ୍ଜାବରୁ ହରିୟାଣା ପର୍ଯ୍ୟନ୍ତ ପୁଲିସ ଖୋଜାଖୋଜି କରିଥିଲା, ହେଲେ ଆଜି ଟୋହନା କେନାଲରୁ ମୃତଦେହକୁ ଉଦ୍ଧାର କରାଯାଇଛି। କିନ୍ତୁ ପୋଲିସ ସୂଚନା ଅନୁସାରେ ମୃତଦେହକୁ ପଞ୍ଜାବର ଏକ କେନାଲରେ ଫୋପାଡିଦିଆଯିବା ପରେ ତାହା ଭାସିଆସି ହରିଆଣାରେ ପହଞ୍ଚିଥିଲା। ତେବେ ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଯାଇଛି।ଅପରପକ୍ଷେ ମଡେଲଙ୍କ ପିଠିରେ ଏକ ଟାଟୁ ରହିଛି, ଯେଉଁଥିପାଇଁ ତାଙ୍କ ଭଉଣୀ ତାଙ୍କୁ ଚିହ୍ନଟ କରିଥିଲେ ଏବଂ ଏହା ପ୍ରମାଣିତ ହୋଇଥିଲା ଯେ କେନାଲରେ ପଡ଼ିଥିବା ମୃତଦେହଟି ଦିବ୍ୟା ପାହୁଜାଙ୍କର।

ଗତ ଜାନୁଆରୀ ୨ ତାରିଖରେ ଗୁରୁଗ୍ରାମର ଏକ ହୋଟେଲରେ ତାଙ୍କୁ ହତ୍ୟା କରାଯାଇଥିଲା ଏବଂ ଏକ କାରରେ ତାଙ୍କ ମୃତଦେହକୁ ନେଇଥିଲେ ଅଭିଯୁକ୍ତ । ଗୁରୁଗ୍ରାମରେ ଦିବ୍ୟା ପାହୁଜା ହତ୍ୟା ଘଟଣାରେ  ଅଭିଜିତ ସିଂ, ରବି ବାଙ୍ଗା, ହେମରାଜ, ଓମ ପ୍ରକାଶ, ମେଘା ଫୋଗଟ, ବଲରାଜ ଗିଲଙ୍କୁ ଗିରଫ କରାଯାଇଛି । ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଥିଲା ଗୁରୁଗ୍ରାମ ପୋଲିସ।

ସୂଚନା ଅନୁସାରେ ହତ୍ୟାପରେ ମୃତଦେହକୁ ଏକ ବେଡସିଟରେ ଗୁଡାଇ ୩ ଜଣ ଟେକି ନେଇ ବିଏମଡବ୍ଲୁ କାରରେ ରଖୁଥିବା ଦେଖିବାକୁ ମିଳିଥିଲା । ହତ୍ୟାକାଣ୍ଡ ଘଟିଥିବା ହୋଟେଲରେ ପୋଲିସ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରିଥିଲା।  ବିଗତ ୨୦୧୬ ଫେବ୍ରୁଆରୀ ୭ରେ ମୁମ୍ବାଇରେ ଦିବ୍ୟା ପାହୁଜା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲି ସହ ଥିବାବେଳେ ଗୁରୁଗ୍ରାମ ପୋଲିସ ଟିମ୍ ଗ୍ୟାଙ୍ଗଷ୍ଟର ସନ୍ଦୀପକୁ ଏନକାଉଣ୍ଟର କରଥିଲା। ଏହି ଘଟଣାରେ  ଦିବ୍ୟାଙ୍କ ସହ ତାଙ୍କ ମାଆ ଓ ହରିୟାଣାର ୫ ପୋଲିସ କର୍ମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ।

ଗତ ଜୁନରେ ୭ ବର୍ଷ ଜେଲରେ ରହିବା ପରେ ଦିବ୍ୟା ପାହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା । ଜାମିନ ମିଳିବାର ୭ ମାସ ପରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିଲା । କୁହାଯାଉଛି ସନ୍ଦୀପ ହତ୍ୟାର ବଦଲା ନେବାକୁ ଦିବ୍ୟାଙ୍କୁ ଗୁରୁଗ୍ରାମରେ କରାଯାଇଥିଲା ହତ୍ୟା।