ପ୍ଲାଷ୍ଟିକ ମୁକ୍ତ ହେବ ପିକନିକ ସ୍ପଟ୍: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଧର୍ମୀ ପ୍ରତିଯୋଗିତା

ବୌଦ୍ଧ: ବଣଭୋଜି ସ୍ଥଳ ହେବ ପ୍ଲାଷ୍ଟିକ ମୁକ୍ତ । ଏନେଇ ବୌଦ୍ଧ ବନ ବିଭାଗ ପକ୍ଷରୁ ଆରମ୍ଭ ହେଲା ସେଚତନତା କାର୍ଯ୍ୟକ୍ରମ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ନେଇ ପ୍ରବନ୍ଧ, କବିତା, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ବନ ବିଭାଗ ପକ୍ଷରୁ କୁରସ୍କୃତ କରାଯାଇଥିଲା ।

ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଏସଏଚଜି ମହିଳା ସାମିଲ ଥିଲେ । ମୁଖ୍ୟ ଅତିଥି ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପୋ ଯୋଗ ଦେଇ ସମସ୍ତଙ୍କୁ ପ୍ଲାଷ୍ଟିକ ବ୍ୟବହାର କମେଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାର କୁଲାରିକୂଦ, ବଲାସିଙ୍ଗା ବନ ପ୍ରକଳ୍ପ, ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଆଦି ତିନୋଟି ପ୍ରମୁଖ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ଅଂଚଳ କରାଯାଇଥିବା ନେଇ ବନଖଣ୍ଡ ଅଧିକାରୀ କହିଥିଲେ ।