spot_img
Home Blog Page 2565

ସ୍ବପ୍ନ ସାକାର କରୁଛି ଷ୍ଟାର୍ଟଅପ୍ ଓଡ଼ିଶା

ଭୁବନେଶ୍ବର: ପାଠପଢା ସମୟରୁ ଉଦ୍ୟୋଗୀ ହେବାର ସୁଯୋଗ । ଉଦ୍ୟୋଗୀ ହେବା ନେଇ କଲେଜ ଛାତ୍ରଛାତ୍ରୀଙ୍କ ନୂଆ ଆଇଡିଆ ଓ ନୂଆ ଭାବନାକୁ ସାଉଁଟିବା ପାଇଁ ଚାଲିଛି ଷ୍ଟାର୍ଟ ଅପ୍ ଯାତ୍ରା । ସେପ୍ଟେମ୍ବର ୧୧ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଏହି ଯାତ୍ରା ବିଭିନ୍ନ ଜିଲ୍ଲାର କଲେଜରେ ପହଞ୍ଚିଛି । ରାଜ୍ୟରେ ୫ହଜାର ନୂଆ ଆଇଡିଆ ସଂଗ୍ରହ କରି ଊଦୀୟମାନ ଉଦ୍ୟୋଗୀ ସୃଷ୍ଟି କରିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  । ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଉଥିବାରୁ ଛାତ୍ରୀଙ୍କ ଉପରେ ଅଧିକ ଫୋକସ କରାଯାଇଛି ।

ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ । ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ଓଡ଼ିଶା ଜାତୀୟ ହାରଠାରୁ ଅନେକ ଆଗରେ । ପାଠପଢା ବେଳୁ ଉଦ୍ୟୋଗୀ ହେବାର ସ୍ବପ୍ନକୁ ସାକାର କରୁଛି ଷ୍ଟାର୍ଟଅପ୍ ଓଡ଼ିଶା । ସେପ୍ଟେମ୍ବର ୧୧ରୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଷ୍ଟାର୍ଟ-ଅପ୍ ଯାତ୍ରା ଏବେ ସବୁ ଜିଲ୍ଲାର ଅନେକ କଲେଜରେ ପହଞ୍ଚିଛି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଷ୍ଟାର୍ଟ-ଅପ୍ ପାଇଁ ଆଇଡ଼ିଆ ଖୋଜା କ୍ୟାମ୍ପରେ ଅନେକ ଉତ୍ସାହ । ଏକାଡ଼େମିକ ପାଠ ସହ ନିଜ ଭିତରେ ଥିବା ନୂଆ ଚିନ୍ତାଧାରା, ଭାବନାକୁ ଉଦ୍ୟୋଗ ରୂପ ଦେବା ପାଇଁ ସହାୟତାର ହାତ ବଢାଇଛି ଷ୍ଟାର୍ଟ-ଅପ୍ ଓଡ଼ିଶା । ରାଜ୍ୟ ସରକାରଙ୍କ ବଳିଷ୍ଠ ନୀତି, ନୂଆ ଉଦ୍ୟୋଗ ପାଇଁ ମାସିକିଆ ପ୍ରୋତ୍ସାହନ, ପୁଞ୍ଜି ବିନିଯୋଗର ରାସ୍ତା ସାଙ୍ଗକୁ ମାର୍କେଟିଙ୍ଗ ପାଇଁ ସ୍ବତନ୍ତ୍ର ଖସଡ଼ା ଷ୍ଟାର୍ଟଅପ୍ ଓଡ଼ିଶାକୁ ସାରା ଦେଶରେ ଅଗ୍ରଣୀ କରିପାରିଛି ।

୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ଷମ ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ମୋବାଇଲ୍ ଭ୍ୟାନ୍ କ୍ୟାମ୍ପ ଦ୍ବାରା ସଂଗୃହୀତ ନୂଆ ଆଇଡିଆକୁ ସିଲେକସନ୍ କମିଟି ଅନୁଶୀଳନ କରି ସର୍ଟ୍ଲିଷ୍ଟ କରୁଛି । ୬୦ଟି ବୁଟ୍କ୍ୟାମ୍ପ୍ ଜରିଆରେ ଉଦ୍ୟୋଗୀ ଚୟନ ହେବାକୁ ଥିବା ବେଳେ କ୍ୟାମ୍ପ ଲାଗିଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ । ୨୦ଟି ସର୍ବଶ୍ରେଷ୍ଠ ନୂଆ ଚିନ୍ତନକୁ ଭୁବନେଶ୍ବର ଓ-ହବ୍ରେ ଇନ୍କ୍ୟୁବେସନ୍ ପାଇଁ ଅଣାଯିବ । କଲେଜ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ଅଭିନବ ସ୍ବତନ୍ତ୍ର ଷ୍ଟାର୍ଟ୍ ଅପ୍ ଆଇଡିଆକୁ ୩ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଦିଆଯିବ ।

୩୩ ପ୍ରତିଶତ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହା ଏବେ ୪୧ ପ୍ରତିଶତରେ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ । ୪ଲକ୍ଷ ବର୍ଗଫୁଟର ୨୭ଟି ଇନକ୍ୟୁବେଟରରେ ଏକାବେଳେ ୫ଶହ ଉଦ୍ୟୋଗୀ କାମ କରିବାର ସୁଯୋଗ ଦେଇଛନ୍ତି ସରକାର । ବିଶ୍ବବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ଆଇଡ଼ିଆକୁ ବାସ୍ତବ ରୂପ ଦେବା ପାଇଁ ଇକୋ-ସିଷ୍ଟମ କରାଯାଇଛି । ନୂଆ ଷ୍ଟାର୍ଟ୍ ଅପ୍ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଜମି ଓ ବ୍ୟାଙ୍କ ଋଣ ସହାୟତା ପ୍ରଦାନ ନେଇ ଓ-ହବ୍ ସବୁ ପ୍ରକାର ସହଯୋଗ ଯୋଗାଇ ଆସୁଛି । ଏବେ ସୁଦ୍ଧା ୧୭୭୩ ଜଣ ଷ୍ଟାର୍ଟଅପ୍ ଉଦ୍ୟୋଗୀ ସୃଷ୍ଟି ହୋଇସାରିଛନ୍ତି ।

କାହିଁକି ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଲେ ନୀତିଶ କୁମାର

ପାଟନା: ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ବିହାର ସିଏମ ନୀତୀଶ କୁମାର । ଖୋଦ ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳାଙ୍କ ଭୂମିକାକୁ ନେଇ ଦେଇଥିବା ଟିପପଣୀ ଏବେ ଦେଶରେ ଜାଳିଛି ନିଆଁ । ସ୍ଥିତି ଏପରି ହେଲା ଯେ ଖୋଦ ବିଧାନସଭାରେ କ୍ଷମା ମାଗିଛନ୍ତି ଜାତୀୟ ରାଜନୀତିର ହେଭିଓ୍ବେଟ ନେତା ।

ଜାଣିଶୁଣି କହିଲେ ନା କହୁକହୁ କହିଦେଲେ? ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିବାଦୀୟ ବୟାନ ନେଇ ସାରା ଦେଶରେ ଝଡ଼ । ପଡୁଛି ଉଠୁଛି ଜାତୀୟ ରାଜନୀତି । ସ୍ଥିତି ଏପରି ହେଲା ଯେ କ୍ଷମା ମାଗିଲେ ସିନିଅର ପଲିଟିସିଆନ । ଗତକାଲି ବିହାର ବିଧାନସଭାରେ ନୀତୀଶ ଜନସଂଖ୍ୟା ହ୍ରାସ ସମ୍ପର୍କରେ ମହିଳାଙ୍କ ଉପରେ ଏପରି କିଛି ଟିପ୍ପଣୀ ଦେଇଥିଲେ ଯାହାକୁ ନେଇ ତେଜିଥିଲା କଥା କଟାକଟି । ବିବୃତିକୁ ନେଇ ଝଡ ସୃଷ୍ଟି ହୋଇଥିବାବେଳେ ନୀତୀଶଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ସେ କହିଛନ୍ତି- ବିଦ୍ୟାଳୟରେ ସେକ୍ସ ଏଜୁକେସନ ପ୍ରସଙ୍ଗରେ ନୀତୀଶ କହିଥିଲେ । ଏହି ବିଷୟକୁ ଅନ୍ୟମାନେ ଭିନ୍ନାର୍ଥରେ ଗ୍ରହଣ କରିଛନ୍ତି । ବାସ୍ତବରେ ସ୍କୁଲରେ ସେକ୍ସ ଏଜୁକେସନ ଦିଆଯିବାର ଆବଶ୍ୟକତା ରହିଛି । ସେପଟେ ଏହି ପ୍ରସଙ୍ଗରେ ନୀତୀଶଙ୍କ ଉପରେ ବର୍ଷିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।

ଏବେ ଆସନ୍ତୁ ନଜର ପକାଇବା ମହିଳାଙ୍କ ସମ୍ପର୍କରେ କଣ କହିଥିଲେ ନୀତୀଶ । ସେ କହିଥିଲେ- ଜଣେ ଶିକ୍ଷିତ ମହିଳା ହିଁ ଅନ୍ତରଙ୍ଗ ପ୍ରକ୍ରିୟାରୁ କିଭଳି ଗର୍ଭଧାରଣରୁ ନିବୃତ୍ତ ରହିହେବ ତାହା ସେ ଜାଣିଛନ୍ତି । ଜନ୍ମହାର ବୃଦ୍ଧି କ୍ଷେତ୍ରରେ ସ୍ବାମୀଙ୍କ ଭୂମିକା ଅଧିକ ହୋଇଥାଏ । ଜଣେ ମହିଳା ଜାଣିଥାନ୍ତି ସେ କିଭଳି ଗର୍ଭଧାରଣ କରିବେ ନାହିଁ । ପୂର୍ବରୁ ବିହାରରେ ପ୍ରଜନନ ହାର ଥିଲା ୪.୩ । ଏବେ ତାହା ୨.୯କୁ ଖସିଛି । ଖୁବ୍ ଶୀଘ୍ର ଏହା ୨ରେ ପହଞ୍ଚିବ ବୋଲି କହିଥିଲେ ନୀତୀଶ ।

ବିହାର ବିଧାନସଭାରେ ଆଗତ ହୋଇଛି ଜାତିଗତ ସର୍ଭେ ରିପୋର୍ଟ । ଏସସି, ଏସଟି, ଓବିସି ଓ ଅଧିକ ପଛୁଆ ବର୍ଗଙ୍କ ସଂରକ୍ଷଣ ସୀମା ୫୦ ରୁ ୬୫ ପ୍ରତିଶତକୁ ବଢାଇବା ଲାଗି ସରକାର ଆଣିଛନ୍ତି ପ୍ରସ୍ତାବ । ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର କ୍ରେଡିଟ ନେବାକୁ ନେଇ ନୀତୀଶଙ୍କୁ ବିରୋଧୀ କରିଛନ୍ତି ଅଧିକ ଟାର୍ଗେଟ ।

୨୦୨୪ ନିର୍ବାଚନରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡି

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡି। ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ। ବିକାଶ କାମରେ ଲୋକେ ଖୁସି  ଓ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଅତୁଟ ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ। ପଶ୍ଚିମ ଓଡ଼ିଶାରେ ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ୨୦୧୯ ଅପେକ୍ଷା ଦଳ ଭଲ ପ୍ରଦର୍ଶନ କରିବ। ଅନ୍ୟପଟେ ବିଜେଡି ସଂଗଠନକୁ ତୃଣମୂଳସ୍ତରରୁ ମଜବୁତ କରି ଆଗକୁ ବଢିଚାଲିଛି। ଏହା ଦଳକୁ ବଡ଼ ସଫଳତା ଦେବ ବୋଲି ଆକଳନ କରିଛନ୍ତି ବିଜେଡି ନେତା।

୨୦୨୪ ହେବ ରେକର୍ଡର ବର୍ଷ। ନିର୍ବାଚନୀ ରାଜନୀତିର ସବୁ ରେକର୍ଡ ଭାଙ୍ଗିବେ ନବୀନ। ବଡ଼ ବିଜୟ ହାସଲ କରିବ ବିଜେଡି, ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ। ଅନଙ୍ଗ କହିଲେ, ବିକାଶରେ ଲୋକେ ଖୁସି। ବିଜେଡି ପ୍ରତି ରହିଛି ଅତୁଟ ଆସ୍ଥା। ବିକାଶ ଦେବ ବିଜେଡିକୁ ବଡ଼ ବିଜୟ। ବିକାଶମୂଳକ କାମରେ ଖୁସି ଅଛନ୍ତି ଓଡ଼ିଶାବାସୀ। ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ପୁଣି ନବୀନ, ପୁଣି ବିଜେଡି। ୨୦୨୪ରେ ବିଜେଡିର ସିଟ ସଂଖ୍ୟା ବୃଦ୍ଧି ହେବା ସହ ଭୋଟହାର ବି ବଢିବ ବୋଲି ଆକଳନ କରିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ।

ନବୀନ ପଟ୍ଟନାୟକ ୨୪ରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସହ ନିର୍ବାଚନୀ ରାଜନୀତିର ସବୁ ପୁରୁଣା ରେକର୍ଡ ଭାଙ୍ଗିବେ। ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଅତୁଟ ରହିଥିବାରୁ ୨୦୦୦ମସିହାରୁ ବିଜୟ ଧାରା ଜାରି ରହିଛି ଓ ଆଗକୁ ବି ରହିବ ବୋଲି ଅନଙ୍ଗ କହିଛନ୍ତି। ଏହାସହ ୨୦୧୯ ଅପେକ୍ଷା ୨୦୨୪ରେ ପଶ୍ଚିମ ଓଡ଼ିଶାରେ ବିଜେଡି ଅଧିକ ସିଟ୍ ଜିତିବ ବୋଲି ସେ ଆକଳନ କରିଛନ୍ତି। ୨୦୧୯ରେ ବିଜେଡି ୧୨ଟି ସଂସଦୀୟ କ୍ଷେତ୍ର ସହ ୧୧୩ ବିଧାନସଭା ଆସନ ଦଖଲ କରିଥିଲା। ୨୪ରେ ନିଜର ଏହି ରେକର୍ଡ ଦଳ ଭାଙ୍ଗିବ ବୋଲି ବରିଷ୍ଠ ନେତା ଆକଳନ କରୁଛନ୍ତି।

୧୯୯୦ ମସିହାରେ ଜନତା ଦଳ ୧୨୩ ସିଟରେ ଦଖଲ କରିଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବିଜେଡି ତୃଣମୂଳସ୍ତରରୁ କାମ ଆରମ୍ଭ କରିଦେଇଛି। ମିଶନ ୨୧ରୁ ୨୧ ସଂସଦୀୟ ସିଟ ଦଖଲ କରିବାକୁ ଦଳ ଟାର୍ଗେଟ ରଖିଛି। ଦଳର ବରିଷ୍ଠ ଓ ଯୁବନେତା ଦଳକୁ ବଡ଼ ବିଜୟ ଦେବାକୁ ଗ୍ରାଉଣ୍ଡରେ ସଂଗଠନ କାମକୁ ଜୋରଦାର କରିଛନ୍ତି।

ଆଗକୁ ସବୁ କ୍ଷେତ୍ରରେ ଓଡ଼ିଶା ୧ନମ୍ବର ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ରୂପାନ୍ତରିତ ଓଡ଼ିଶା ପୂରା ଦେଶରେ ରାଜ୍ୟକୁ ନୂଆ ପରିଚୟ ଦେଇଛି। ବିଜେଡି ସାଂସଦ, ବିଧାୟକ, ବରିଷ୍ଠ ରାଜନେତାଙ୍କ ସହ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସର୍ଭେ ରିପୋର୍ଟରେ ୨୪ ନିର୍ବାଚନରେ ବିଜେଡି ବଡ଼ ସଫଳତା ପାଇବା ନେଇ ଆକଳନ କରିଛନ୍ତି ।

ରାଜ୍ୟରେ ବଢୁଛି ରପ୍ତାନୀ ଅଭିବୃଦ୍ଧି ହାର, ରେକର୍ଡ କରିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ବଢୁଛି ରପ୍ତାନୀ ଅଭିବୃଦ୍ଧି ହାର । ଗତ ପାଞ୍ଚ ବର୍ଷରେ ଏହା ୬୪ ପ୍ରତିଶତ ବଢିଛି । ଷ୍ଟେଟ ଏକ୍ସପୋର୍ଟ ଆଓ୍ବାର୍ଡ ବିତରଣ ଅବସରରେ ଏହି ତଥ୍ୟ ରଖିଛି ଏମଏସଏମଇ ବିଭାଗ । ରପ୍ତାନୀରେ ଉଡ଼ାଣ ଭରିବାକୁ ଡିସେମ୍ବରରୁ ଭୁବନେଶ୍ବର ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ମେଟାଲ, ମିନେରାଲ, କେମିକାଲ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ଭଲ ରପ୍ତାନୀ ଚାଲିଛି ।

ରପ୍ତାନୀରେ ରେକର୍ଡ କରିବ ଓଡ଼ିଶା । ସାରଥି ସାଜିବ ବିଜୁ ପଟ୍ଟନାୟକ ବିମାନ ବନ୍ଦର । ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା । ଡିସେମ୍ବର ପ୍ରଥମ ସପ୍ତାହରୁ ଭୁବନେଶ୍ବର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ରପ୍ତାନି ଓ ଆମଦାନୀ କାର୍ଗୋ ସେବା ଆରମ୍ଭ ହେବ । ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ଡିଜିସିଏ ସେଫଟି ଠାରୁ ନଭେମ୍ବର ଶେଷ ସୁଦ୍ଧା ଲାଇସେନ୍ସ ଆଣିବା ପରେ ସେବା ଆରମ୍ଭ ହେବ । ସେହିପରି ପାରାଦ୍ବୀପ ବନ୍ଦରରେ କଣ୍ଟେନର କାର୍ଗୋ ସେବାକୁ ବ୍ୟାପକ କରାଯିବ ।

ଗତ ପାଞ୍ଚ ବର୍ଷରେ ରପ୍ତାନି କ୍ଷେତ୍ରରେ ଓଡ଼ିଶାରେ ୬୪ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୧୮-୧୯ରେ ୪୮ ହଜାର ୧୧୭.୬୦ କୋଟି ରପ୍ତାନୀ ଥିବାବେଳେ ୨୦୨୨-୨୩ରେ ଏହା ୯୫ ହଜାର ୭୭୩.୯୫ କୋଟିରେ ପହଞ୍ଚିଛି । ୨୦୧୯-୨୦ରେ ୫୧ ହଜାର ୭୪୨.୩୦ କୋଟି, ୨୦୨୦-୨୧ରେ ୮୦ ହଜାର ୪୧୯.୩୩ କୋଟି ଓ ୨୦୨୧-୨୨ରେ ୧ ଲକ୍ଷ ୩୨ ହଜାର ୪୦୫.୧୧ କୋଟିର ରପ୍ତାନୀ ହୋଇଥିବା ଏମଏସଏମଇ ବିଭାଗ କହିଛି । ଆଗାମୀ ପାଞ୍ଚ ବର୍ଷରେ 3.5 ଲକ୍ଷ କୋଟି ରପ୍ତାନି ଲକ୍ଷ୍ୟ ରଖାଯାଇ ଉଦ୍ୟୋଗୀମାନଙ୍କ ପାଇଁ ଏୟାର କାର୍ଗୋ ପରି ନୂତନ ସୁଯୋଗ ସୃଷ୍ଟି କରାଯାଉଛି ।

ରପ୍ତାନୀରେ ନୂଆ ନୂଆ ରେକର୍ଡରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ରହିଛି । ଭିତ୍ତିଭୂମି ସହ ବାଣିଜ୍ୟ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି କରି ପାରିଛି ଏମଏସଏମଇ ବିଭାଗ । ଯେଉଁଥି ପାଇଁ ଷ୍ଟେଟ ଏକ୍ସପୋର୍ଟ ଆଓ୍ବାର୍ଡ ବିତରଣ ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଓସିଏଲ୍, ଭେଦାନ୍ତ ପରି କଂପାନୀଙ୍କୁ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ବର୍ଷରୁ ରପ୍ତାନୀ କ୍ଷେତ୍ରରେ ବଡ଼ ଶିଳ୍ପ ଓ ଏମଏସଏମଇକୁ ଭିନ୍ନ ଭିନ୍ନ ପୁରସ୍କାର ପ୍ରଦାନ କରାଯିବ ।

ଅଭିବୃଦ୍ଧିକୁ ଆହୁରି ଦୃତ ଗତିରେ ବଢାଇବାକୁ ଓଡ଼ିଶା କେମିକାଲ ହବ୍ ହେବାକୁ ଯାଉଛି । ଆଇଓସିଏଲ୍ ସହ ୬୦ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହାର ଭିତ୍ତିଭୂମି ଓ ଜମି ଅଧିଗ୍ରହଣ ପରି ସମସ୍ତ ସହଯୋଗ ପ୍ରଦାନ କରି ଚାଲିଛନ୍ତି ରାଜ୍ୟ ସରକାର ।

ଜିଓ ପକ୍ଷରୁ ‘ଜିଓଫୋନ୍ ପ୍ରାଇମା’ର ଶୁଭାରମ୍ଭ, ପାଇପାରିବେ ଏହିସବୁ ସୁବିଧା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ କାଇ-ଓଏସ୍ ଆଧାରିତ 4G କି-ପ୍ୟାଡ ସ୍ମାର୍ଟଫୋନ୍ ‘ଜିଓଫୋନ୍ ପ୍ରାଇମା’ ଶୁଭାରମ୍ଭ କରାଯାଇଛି । ଏହା କି-ପ୍ୟାଡ ସ୍ମାର୍ଟଫୋନର ଏକ ସୁଲଭ ଏବଂ ଉନ୍ନତ ସଂସ୍କରଣ, ଯାହା କମ୍ପାନୀ ବଜାରରେ ୨୫୯୯ ଟଙ୍କାରେ ଉପଲବ୍ଧ କରିଛି । ୟୁଟ୍ୟୁବ୍‌, ଫେସବୁକ୍‌, ହ୍ୱାଟ୍ସଅପ, ଗୁଗୁଲ୍ ଭଏସ୍ ଆସିଷ୍ଟାଣ୍ଟ ପରି ସମସ୍ତ ସୁବିଧା ଓ ଫିଚର ବର୍ତ୍ତମାନ କେବଳ ଗୋଟିଏ କ୍ଲିକ୍ ରେ ଜିଓଫୋନ୍ ପ୍ରାଇମାରେ ଉପଲବ୍ଧ ହେବ ।

ଜିଓ ଏହାର ନୂତନ କି-ପ୍ୟାଡ୍ ସ୍ମାର୍ଟଫୋନର ଲୁକ୍ ଏବଂ ଡିଜାଇନ୍ ଉପରେ ଅନେକ କାମ କରିଛି । ଜିଓଫୋନ୍ ପ୍ରାଇମାର ଡିଜାଇନ୍ ବର୍ତ୍ତମାନ ବହୁତ ବୋଲ୍ଡ ଏବଂ ପ୍ରିମିୟମ୍ ଦେଖାଯାଉଛି । ୨.୪ ଇଞ୍ଚ ଡ଼ିସପ୍ଲେ ସ୍କ୍ରିନ୍ ବହୁତ ଭଲ ପ୍ରଦର୍ଶନ / ଫଳାଫଳ ଦେଇଥାଏ । ଏହି ସ୍ମାର୍ଟଫୋନ୍ ରେ ୧୮୦୦ ଏମଏଏଚ (1800mAh) ର ଶକ୍ତିଶାଳୀ ବ୍ୟାଟେରୀ ରହିଛି ।

ଭିଡିଓ କଲିଂ ଏବଂ ଫଟୋଗ୍ରାଫି ପାଇଁ ଏହି ମୋବାଇଲର ଉଭୟ ପାର୍ଶ୍ୱରେ ଡିଜିଟାଲ କ୍ୟାମେରା ରହିଛି । ମୋବାଇଲର ପଛ ଭାଗରେ ଫ୍ଲାସ୍ ଲାଇଟ୍ ମଧ୍ୟ ଉପଲବ୍ଧ ରହିଛି । ଏହି ସ୍ମାର୍ଟଫୋନରେ ଜିଓ ଟିଭି, ଜିଓ ସିନେମା, ଜିଓ ସାଭନ୍ ଭଳି ପ୍ରିମିୟମ୍ ଡିଜିଟାଲ୍ ସେବା ସହିତ ଜିଓ-ପେ ମାଧ୍ୟମରେ ୟୁପିଆଇ ପେମେଂଟ ମଧ୍ୟ କରାଯାଇପାରିବ ।

ଜିଓଫୋନ୍ ପ୍ରାଇମା ୨୩ଟି ଭାଷାକୁ ସମର୍ଥନ କରୁଛି ଅର୍ଥାତ ଏହା ୨୩ଟି ଭାରତୀୟ ଭାଷାରେ କାମ କରିପାରିବ । ଚମକଦାର ରଙ୍ଗରେ ଆସୁଥିବା ଏହି ସ୍ମାର୍ଟଫୋନ୍ ପ୍ରମୁଖ ଖୁଚୁରା ଷ୍ଟୋର୍ ଏବଂ ରିଲାଏନ୍ସ ଡିଜିଟାଲ୍ ଡଟ ଇନ୍‌, ଜିଓମାର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ଆମାଜନ ଭଳି ଅନଲାଇନ୍ ପ୍ଲାଟଫର୍ମରୁ କିଣାଯାଇପାରିବ ।

କମ୍ପାନୀ ଅନୁଯାୟୀ ଜିଓଫୋନ୍ ପ୍ରାଇମା କେବଳ ଏକ ମୋବାଇଲ୍ ଫୋନ ନୁହେଁ ବରଂ ଏକ ଷ୍ଟାଇଲ୍ । ସୁଲଭ ମୂଲ୍ୟରେ ୪ଜି ଦ୍ୱାରା ସଶକ୍ତ ଏକ ଶକ୍ତିଶାଳୀ ମୋବାଇଲ୍ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଡିଜାଇନ୍ ହୋଇଛି ଏବଂ ସାମାଜିକ ପ୍ଲାଟଫର୍ମଗୁଡିକ ସହିତ ସଂଯୁକ୍ତ ରହିଛି ।

 

ସହିଦଙ୍କୁ ଜନ୍ମମାଟିରେ ଗାର୍ଡ ଅଫ୍ ଅନର୍

ବାଲେଶ୍ବର: ପଞ୍ଚଭୂତରେ ବିଲୀନ ହେଲେ ବୀର ଓଡ଼ିଆ ପୁଅ ପ୍ରକାଶ ଶିଅଳ । ଜନ୍ମମାଟି ବାଲେଶ୍ବର ଜିଲ୍ଲା ବାହାନଗାର ଗୋପାଳପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି । ପ୍ରକାଶଙ୍କ ୮ ବର୍ଷର ପୁଅ ମୁଖାଗ୍ନୀ ଦେଇଥିଲେ । ଶୋକାକୂଳ ପରିବେଶରେ ପ୍ରକାଶକୁ ବିଦାୟ ଜଣାଇଛନ୍ତି ଆତ୍ମୀୟ, ପରିଜନ ଓ ଗ୍ରାମବାସୀ । । ୨୦୦୬ରୁ ବିଏସଏଫରେ ଯୋଗ ଦେଇ ଦୀର୍ଘ ୧୭ ବର୍ଷ ଦେଶ ସେବାରେ ନିୟୋଜିତ ଥିଲେ ପ୍ରକାଶ । ଶେଷ ଥର ପାଇଁ ସେପ୍ଟେମ୍ବର ୬ ତାରିଖରେ ଗାଁକୁ ଆସିଥିଲେ । ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ସହିଦ ହୋଇଥିଲେ । ଆଜି ପ୍ରାର୍ଥୀବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଏସଏଫ ଓ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ପାର୍ଥିବ ଶରୀରକୁ ଜନ୍ମମାଟି ଅଭିମୁଖେ ନିଆଯାଇଥିଲା । ରାସ୍ତାସାରା ସଭିଏ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ବାଲେଶ୍ବରବାସୀ ପ୍ରକାଶକୁ ଶେଷ ସମ୍ମାନ ଜଣାଇଥିଲେ । ପରେ ଗୋପାଳପୁରରେ ତାଙ୍କର ଶେଷକୃତ୍ୟ କରାଯାଇଛି ।

 

ଶିଶୁଙ୍କୁ ନିମୋନିଆରୁ ରକ୍ଷା ପାଇଁ କଣ କରିବେ ?

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିମୋନିଆ ମୁକ୍ତ ଅଭିଯାନ । ୫ ବର୍ଷରୁ କମ ଶିଶୁଙ୍କୁ ଡରାଉଛି ନିମୋନିଆ । ଦ୍ରୁତଗତି ନିଶ୍ବାସ ନେବା, ଅତ୍ୟଧିକ ଜ୍ବର ହେବା ଓ ବାତ ମାରିବା ହେଉଛି ନିମୋନିଆର ଲକ୍ଷଣ । ବିଶ୍ବ ନିମୋନିଆ ଦିବସ ଅବସରରେ ଆସନ୍ତା ୧୨ ତାରିଖରୁ ଫାବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାବୀ ସଚେତନ କରିବ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ । ଏ ନେଇ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସଚେତନତା ଲାଗି ତାଲିମ ଦିଆଯାଇଛି।

ନିମୋନିଆକୁ କଲେ ଦମନ, ସୁଖମୟ ହେବ ଶିଶୁ ଜୀବନ । ନିମୋନିଆ ନାହିଁ ଯାହାର, ପିଲା ଦିନ ଠିକ ତାହାର । ୫ ବର୍ଷର କମ ଶିଶୁକୁ ଡରାଉଛି ନିମୋନିଆ । ନଭେମ୍ବର ୧୨ରୁ ଫେବୃୟାରୀ ୨୯ ଯାଏଁ ଡୋରଟୁ ଡୋର କ୍ୟାମ୍ପେନିଂ। ମଙ୍ଗ ଧରିବେ ସ୍ବାସ୍ଥ୍ୟକର୍ମୀ  । ନିମୋନିଆ କ’ଣ ? ଫୁସଫୁସରେ ସଂକ୍ରମଣକୁ ନିମୋନିଆ କୁହାଯାଏ । ୫ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁର ଏହା ଏକ ମୁଖ୍ୟ କାରଣ । କେମିତି ଜାଣିବେ ନିମୋନିଆର ଲକ୍ଷଣ ? କାଶ ଓ ଥଣ୍ଡା ବଢିବା ।

ଦ୍ରୁତ ଗତିରେ ନିଶ୍ବାସ ପ୍ରଶ୍ବାସ ନେବା । ନିଶ୍ବାସ ପ୍ରଶ୍ୱାସ ନେବା ବେଳେ ଛାତି ତଳ ଭିତରକୁ ପଶିଯିବା । ଅତ୍ୟଧିକ ଜ୍ବର ହେବା ନିମୋନିଆର ଲକ୍ଷଣ । ହେଲେ ଖାଇବା ପିଇବା ନକରିପାରିବା, ବାତ ମାରିବା ପରି ଲକ୍ଷଣ ଦେଖାଯିବା , ନିସ୍ତେକ କିମ୍ବା ଅତ୍ୟଧିକ ଶୋଇ ରହିଲେ ଏହା ନିମୋନିଆର ଗୁରୁତର ଲକ୍ଷଣ । ନିମୋନିଆର ଲକ୍ଷଣ ଦେଖା ଗଲେ ଘରୋଇ ଚିକିତ୍ସାରେ ସମୟ ନଷ୍ଟ ନକରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କହିଛନ୍ତି ।

ଶିଶୁ ମାନଙ୍କୁ ନିମୋନିଆରୁ ରକ୍ଷା ପାଇଁ କଣ କରିବେ ? ଶିଶୁ ଜନ୍ମ ପରେ ମା’ କ୍ଷୀର ତୁରନ୍ତ ଦେବେ । ଜନ୍ମରୁ ୬ ମାସ କେବଳ ମାଆ କ୍ଷୀର ସହିତ ଘରୋଇ ପ୍ରସ୍ତୁତ ଖାଦ୍ୟ ଦେବେ । ଶିଶୁର ଶରୀରକୁ ସମ୍ପୂର୍ଣ୍ଣ ଘୋଡାଇ ରଖିବେ । ଶୀତ ଦିନେ ଗରମ ପୋଷାକ ଓ ମୋଜା ପିନ୍ଧାଇବେ। ଶିଶୁଙ୍କୁ ଖାଲି ପାଦରେ ଚାଲିବାକୁ ଦେବେ ନାହିଁ । ଶିଶୁଙ୍କ ସଠିକ ସମୟରେ ସମ୍ପୂର୍ଣ୍ଣ ଟୀକାକରଣ କରାନ୍ତୁ । ଘରେ ଧୂଆଁ ନ କରି ଝରକା ଖୋଲା ରଖନ୍ତୁ । ଏଲପିଜି ଚୁଲାରେ ରୋଷେଇ କରନ୍ତୁ ।

ପିଇବା ପାଣି ଘୋଡାଇ ରଖନ୍ତୁ । ରୋଷେଇ କରିବା, ଶିଶୁକୁ ଧରିବା ଓ ଖାଦ୍ୟ ଖୁଆଇବା ପୂର୍ବରୁ ହାତକୁ ସାବୁନରେ ଅତି କମରେ ୪୦ ସେକେଣ୍ଡ  ଧୁଅନ୍ତୁ । ପି.ସି.ଭି ଟୀକା ଶିଶୁକୁ ନିମୋକୋକସ୍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେଇଥାଏ । ତେଣୁ ପି.ସି.ଭି. ଟୀକାକରଣ ସୁନିଶ୍ଚିତ କରାନ୍ତୁ । ଏହି ଟୀକା ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନାମୂଲ୍ୟରେ ଉପଲବ୍ଧ ବୋଲି ନିର୍ଦ୍ଦେଶକ କହିଛନ୍ତି । ନିମୋନିଆ ସଂକ୍ରମଣରେ ୧୫ ପ୍ରତିଶତ ନବଜାତ ଶିଶୁଙ୍କ ମୃତ୍ୟୁ ହେଉଛି । ପ୍ରତି ହଜାରରେ ୬ ଜଣ ଶିଶୁ ସଂକ୍ରମିତ ହେଉଛନ୍ତି । ଶିଶୁଙ୍କ ନିମୋନିଆ ଦାଉରୁ ରକ୍ଷା କରିବାକୁ ହେଲେ ଟୀକାକରଣ ମୂଳ ଲକ୍ଷ୍ୟ ।

ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ କାରକେଡ ଉପରେ ହମଲା

ବ୍ୟୁରୋ ରିପୋର୍ଟ: ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ କାରକେଡ ଉପରେ ହମଲା । ଅଳ୍ପକେ ବର୍ତ୍ତିଲେ ଆବାସ । ଗୁଳିମାଡ଼ରେ ଜଣେ ସୁରକ୍ଷା କର୍ମୀ ଗୁରୁତର ହୋଇଥିବାବେଳେ ହମଲା ଲାଗି ନିଜକୁ ଦାୟୀ କରିଛି ସନସ୍ ଅଫ ଆବୁ ଜନ୍ଦଲ । ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓ୍ବେଷ୍ଟବ୍ୟାଙ୍କ ସ୍ଥିତ ଏହି ସଂଗଠନ ୨୪ ଘଣ୍ଟାର ମହଲତ ଦେବା ପରେ ଆବାସଙ୍କ ଉପରେ ଏହି  ହମଲା ହୋଇଛି । ତେଣେ ହମାସର ବହୁ ଟନେଲଗୁଡିକ ଉପରେ ଇସ୍ରାଏଲ ହମଲା ଜାରି ରଖିଛି । ଗତ ରବିବାର ଓ୍ବେଷ୍ଟବ୍ୟାଙ୍କରେ ବ୍ଲିଙ୍କେନଙ୍କ ସହ ଆବାସଙ୍କ ଆଲୋଚନା ପରେ ପରେ ଏହି ହମଲା ସମସ୍ତ ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛୁ ।

ସେପଟେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ହମଲା ଲାଗି ନିଜକୁ ଦାୟୀ କରିଛି ହମାସର ମିଲିଟାରୀ ଶାଖ ଇଜ-ଅଲ୍-ଦିନ- ଅଲ୍ କସମ ବ୍ରିଗେଡ । ତେଣେ ଗାଜା ଷ୍ଟ୍ରିପ ମଧ୍ୟକୁ ପ୍ରବେଶ କରି ଧ୍ବଂସକ୍ରିୟା ଜାରି ରଖିଛନ୍ତି ଇସ୍ରାଏଲର ବହୁ ଯୁଦ୍ଧବିମାନ । ଇସ୍ରାଏଲ ଆକ୍ରମଣରେ ଓ୍ବେଷ୍ଟବ୍ଯାଙ୍କରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ପ୍ରାଣ ହରାଇଲେଣି ୪୮ ସାମ୍ବାଦିକ । ଗାଜା ସିଟିର  ମଧ୍ଯଭାଗରେ ଇସ୍ରାଏଲ ବାହିନୀ ପ୍ରବେଶ କରି ଯୁଦ୍ଧ ଜାରି ରଖିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ କହିଛନ୍ତି- ତାଙ୍କ ବାହିନୀ ପ୍ରବଳ ଉତ୍ସାହରେ ଗାଜା ଅଭିଯାନ ଜାରି ରଖିଛନ୍ତି ଏବଂ ଏହି ଭୟଙ୍କର ଆକ୍ରମଣ ନେଇ ହମାସ କେବେ ବି କଳ୍ପନା କରି ନଥିଲା । ଯୁଦ୍ଧରେ ୪  ହଜାରୁ ୧୦୦ରୁ ଅଧିକ ଶିଶୁଙ୍କ ସମେତ ୧୦ ହଜାର ୩୦୦ ଲୋକଙ୍କ ପ୍ରାଣହାନି ଘଟିଛି ବୋଲି କହିଛି ଜାତିସଂଘ ।

୫୩ ବର୍ଷ ପରେ ଓଡ଼ିଆ ସିନେମା ’ପରିଣାମ’ର ହେଲା ସ୍ପେଶାଲ୍ ସ୍କ୍ରିନିଂ

ଭୁବନେଶ୍ବର: ୫୩ ବର୍ଷ ପରେ ଓଡ଼ିଆ ସିନେମା ପରିଣାମ ହେଲା ସ୍ପେଶାଲ୍ ସ୍କ୍ରିନିଂ । ଏହି ୧୨ତମ ଓଡ଼ିଆ ଫିଲ୍ମକୁ ଜୟଦେବ ଭବନରେ ସ୍କ୍ରିନୀ କରିଛି ଫିଲ୍ମ ଜୋର୍ଣାଲିଷ୍ଟ ଫୋରମ୍।୧୯୬୦ ମସିହାରେ  ହୋଇଥିଲା ରିଲିଜ୍‌।ଯାହାକୁ ଦେଖି ଦର୍ଶକ ଫେରିଗଲେ ସେହି ପୁରୁଣା ଦିନକୁ । ‘ପରିଣାମ’ସିନେମାର ହେଲା ପୁନରୁଦ୍ଧାର । ଦର୍ଶକ ସାଉଁଟିଲେ ୫୩ ବର୍ଷର ପୁରୁଣା ସ୍ମୃତି । କେତେବେଳେ ପରିବାର ମଧ୍ୟରେ ହସ ଖୁସିର ମହୋଲ ତ ଆଉ କେତେବେଳେ କଳି ଝଗଡ଼ା । ଏମିତି କିଛି ବଳିଷ୍ଠ ପାରିବାରିକ କାହାଣୀକୁ ୧୯୬୦ ମସିହା ନଭେମ୍ବର ୩ ତାରଖରେ କଟକର କ୍ୟାପିଟାଲ୍‌, ପୁରୀର ଶ୍ରୀକୃଷ୍ଣ ଓ ଆସ୍କାର ଉତ୍କଳ ଟକିଜ୍‌ରେ ମୁକ୍ତିଲାଭ କରଥିଲା ଦ୍ୱାଦଶ ଓଡ଼ିଆ ଫିଲ୍ମ ‘ପରିଣାମ’।

କିନ୍ତୁ ଏହି ଚଳଚ୍ଚିତ୍ର ସମୟ ଗର୍ଭ ରେ ବିଲୁପ୍ତ ହୋଇଯାଇଥିଲା। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ଆୟୋଜିତ ୨୦ ତମ ସ୍ମୃତିଛାୟା କାର୍ଯ୍ୟକ୍ରମରେ ଦର୍ଶକ ପୁଣି ଦେଖିବାକୁ ପାଇଲେ ଚଳଚ୍ଚିତ୍ର ପରିଣାମ। ତାଜା ହେଲା ସ୍ମୃତି।ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଙ୍କ କହିବା ମୁତାବକ ଏହାର ପ୍ରଯୋଜକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ୧୯୮୯ରେ ପ୍ରକାଶିତ ଏକ ସାକ୍ଷାତକାରରେ କହିଥିଲେ ୧୯୬୯ ବନ୍ୟାରେ ସବୁ ପ୍ରିଣ୍ଟ୍‌ ନଷ୍ଟହୋଇଗଲା।ଦୀର୍ଘ ୨ବର୍ଷର ଅକ୍ଳାନ୍ତ ପରିଶ୍ରମ ଏବଂ ବିଭିନ୍ନ ସିନେମାର ସଂଯୋଗରେ ‘ପରିଣାମ’ ସମ୍ପୂର୍ଣ୍ଣ ନୂଆ ରୂପ ନେଇଛି । ୯୦ ମିନିଟ୍‌ରୁ ପାଖାପାଖି ୬ମିନିଟ୍ କଟି ୮୪ ମିନିଟ୍ ଅବଧିର ଚିତ୍ରକୁ ପ୍ରଦର୍ଶିତ କରାଯାଇଛି।

୧୯୬୦ ମସିହାରେ ନିର୍ମିତ ପରିଣାମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ପ୍ରମୋଦ ପାଣିଗ୍ରାହୀ, ଦୁଃଖୀରାମ ସ୍ୱାଇଁ, ଗୀତିସୁଧା, ତୁଷାର ପାଣିଗ୍ରାହୀଙ୍କ ସହ ତତ୍କାଳୀନ ମଂଚଜଗତର ପ୍ରଖ୍ୟାତ ଅଭିନେତା ଅଭିନେତ୍ରୀ, ଯଥା ମାଷ୍ଟର ମାଣିଆ,ପୂର୍ଣ୍ଣ ଚାନ୍ଦ, ସୁନ୍ଦରମଣି, କିଶୋରୀ ଦେବୀ ଓ କାର୍ତ୍ତିକ କୁମାର ଘୋଷ ।ଏହା ଥିଲା ପ୍ରଖ୍ୟାତ ଅଭିନେତା ଧୀରେନ୍ଦ୍ର ବିଶ୍ୱାଳଙ୍କର ଅଭିନୀତ ତୃତୀୟ ଫିଲ୍ମ। ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ସଂଯୋଜନାରେ ‘ପରିଣାମ’ରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ ଓ ନିର୍ମଳା ମିଶ୍ର। ୯୦ ମିନିଟ ଅବଧିର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ନାୟକ। ଗାୟକ ଭାବେ ଏହା ଥିଲା ଅକ୍ଷୟ ମହାନ୍ତିଙ୍କର ତୃତୀୟ ଫିଲ୍ମ।ଯାହାକୁ ଦେଖିବା ପରେ ଦର୍ଶକ ଫେରି ଯାଇଥିଲେ ସେହି ପୁରୁଣା ଦିନକୁ। ବର୍ତ୍ତମାନ ଓଡ଼ିଆ ସିନେମା ଘଡିସନ୍ଧି ମୁହୂର୍ତ୍ତ ରେ ଗତି କରୁଥିବା ବେଳେ ୬୦ ଦଶକର ପୁରୁଣା ଚଳଚ୍ଚିତ୍ର ଦେଇପାରେ ନୂତନ ପ୍ରଯୋଜକ ନିର୍ଦ୍ଦେଶକ ଙ୍କ ମଧ୍ୟରେ ନୂଆ କିଛି କରି ଦେଖାଇବାର ଆକାଂକ୍ଷା ।

ମକାର ଅଭାବି ବିକ୍ରି, ଚିନ୍ତାରେ ଚାଷୀ

ଧର୍ମଗଡ଼: ମକାର ଅଭାବି ବିକ୍ରି ବଢାଉଛି ଚିନ୍ତା। କଳାହାଣ୍ଡି ଧର୍ମଗଡରେ ମଣ୍ଡି ସମସ୍ୟା ନେଇ ହୋଇପାରୁନି ମକା ବିକ୍ରି। କଳାହାଣ୍ଡି ଧର୍ମଗଡର ବିଭିନ୍ନ ଅଞ୍ଚଳରେ ମକା ଚାଷର ଚାହିଦା ଥିବା ବେଳେ ବିକ୍ରି ନହୋଇପାରିବରୁ ଅସନ୍ତୋଷ ଚାଷୀ । ଫଳରେ ଶାଗ ମାଛ ଦରରେ ମକା ବିକ୍ରି ହେଉଛି।

ଚିନ୍ତା ବଢାଉଛି, ମକାର ଅଭାବି ବିକ୍ରି। ପାହାଡି ଇଲାକାରେ ବଢୁଛି ମକା ଚାଷର ଚାହିଦା। କିନ୍ତୁ ଅମଳ ପରେ ଚାଷୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ। କଳାହାଣ୍ଡି ଧର୍ମଗଡର କୋକସରା, ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ମଣ୍ଡି ସମସ୍ୟା। ଫଳରେ ନା ହୋଇପାରୁଛି ବିକ୍ରି ନା ହେଉଛି ଭଲ ରୋଜଗାର । ଏହି ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ଏକର ଜମିରେ କେବଳ ମକା ଚାଷ ହୋଇଥାଏ  । ମକା ଚାଷ  ଏଠାକାର ଚାଷୀଙ୍କ ରୋଜଗାରର ଅନ୍ୟତମ ଉତ୍ସ ।

ପ୍ରତିବର୍ଷ ଏଠାକାର ଚାଷୀ ମକା ଚାଷ କରୁଥିବା ବେଳେ ନଭେମ୍ବରରୁ ଅମଳ ହୋଇଥାଏ । ଫସଲ ବିକ୍ରି କରି ଭଲ ଦୁଇ ପଇସା ରୋଜଗାରର ଆଶା ରହିଥାନ୍ତି ଚାଷୀ । ହେଲେ ବିକ୍ରି ବ୍ୟବସ୍ଥା ପାଇଁ ସଠିକ ମଣ୍ଡି ବ୍ୟବସ୍ଥା  ନଥିବାରୁ ଦଲାଲ ହାତରେ ଶାଗ ମାଛ ଦରରେ କୁଇଣ୍ଟାଲ କୁଇଣ୍ଟାଲ ଫଲସ ଟେକି ଦିଅନ୍ତି ଚାଷୀ। ଧାର କରଜ କରି ଚାଷ ହୋଇଥାଏ l ବିହନ, ସାର, କୀଟ ନାଶକ ଔଷଧର ଦରଦାମ ସାଙ୍ଗକୁ ଆନୁଷଙ୍ଗିକ ଖର୍ଚ୍ଚ ଓ ପରିଶ୍ରମକୁ ଦେଖିଲେ ମକାର ବିକ୍ରି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ।