କାହିଁକି ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଲେ ନୀତିଶ କୁମାର

1 min read

ପାଟନା: ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ବିହାର ସିଏମ ନୀତୀଶ କୁମାର । ଖୋଦ ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳାଙ୍କ ଭୂମିକାକୁ ନେଇ ଦେଇଥିବା ଟିପପଣୀ ଏବେ ଦେଶରେ ଜାଳିଛି ନିଆଁ । ସ୍ଥିତି ଏପରି ହେଲା ଯେ ଖୋଦ ବିଧାନସଭାରେ କ୍ଷମା ମାଗିଛନ୍ତି ଜାତୀୟ ରାଜନୀତିର ହେଭିଓ୍ବେଟ ନେତା ।

ଜାଣିଶୁଣି କହିଲେ ନା କହୁକହୁ କହିଦେଲେ? ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିବାଦୀୟ ବୟାନ ନେଇ ସାରା ଦେଶରେ ଝଡ଼ । ପଡୁଛି ଉଠୁଛି ଜାତୀୟ ରାଜନୀତି । ସ୍ଥିତି ଏପରି ହେଲା ଯେ କ୍ଷମା ମାଗିଲେ ସିନିଅର ପଲିଟିସିଆନ । ଗତକାଲି ବିହାର ବିଧାନସଭାରେ ନୀତୀଶ ଜନସଂଖ୍ୟା ହ୍ରାସ ସମ୍ପର୍କରେ ମହିଳାଙ୍କ ଉପରେ ଏପରି କିଛି ଟିପ୍ପଣୀ ଦେଇଥିଲେ ଯାହାକୁ ନେଇ ତେଜିଥିଲା କଥା କଟାକଟି । ବିବୃତିକୁ ନେଇ ଝଡ ସୃଷ୍ଟି ହୋଇଥିବାବେଳେ ନୀତୀଶଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ସେ କହିଛନ୍ତି- ବିଦ୍ୟାଳୟରେ ସେକ୍ସ ଏଜୁକେସନ ପ୍ରସଙ୍ଗରେ ନୀତୀଶ କହିଥିଲେ । ଏହି ବିଷୟକୁ ଅନ୍ୟମାନେ ଭିନ୍ନାର୍ଥରେ ଗ୍ରହଣ କରିଛନ୍ତି । ବାସ୍ତବରେ ସ୍କୁଲରେ ସେକ୍ସ ଏଜୁକେସନ ଦିଆଯିବାର ଆବଶ୍ୟକତା ରହିଛି । ସେପଟେ ଏହି ପ୍ରସଙ୍ଗରେ ନୀତୀଶଙ୍କ ଉପରେ ବର୍ଷିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।

ଏବେ ଆସନ୍ତୁ ନଜର ପକାଇବା ମହିଳାଙ୍କ ସମ୍ପର୍କରେ କଣ କହିଥିଲେ ନୀତୀଶ । ସେ କହିଥିଲେ- ଜଣେ ଶିକ୍ଷିତ ମହିଳା ହିଁ ଅନ୍ତରଙ୍ଗ ପ୍ରକ୍ରିୟାରୁ କିଭଳି ଗର୍ଭଧାରଣରୁ ନିବୃତ୍ତ ରହିହେବ ତାହା ସେ ଜାଣିଛନ୍ତି । ଜନ୍ମହାର ବୃଦ୍ଧି କ୍ଷେତ୍ରରେ ସ୍ବାମୀଙ୍କ ଭୂମିକା ଅଧିକ ହୋଇଥାଏ । ଜଣେ ମହିଳା ଜାଣିଥାନ୍ତି ସେ କିଭଳି ଗର୍ଭଧାରଣ କରିବେ ନାହିଁ । ପୂର୍ବରୁ ବିହାରରେ ପ୍ରଜନନ ହାର ଥିଲା ୪.୩ । ଏବେ ତାହା ୨.୯କୁ ଖସିଛି । ଖୁବ୍ ଶୀଘ୍ର ଏହା ୨ରେ ପହଞ୍ଚିବ ବୋଲି କହିଥିଲେ ନୀତୀଶ ।

ବିହାର ବିଧାନସଭାରେ ଆଗତ ହୋଇଛି ଜାତିଗତ ସର୍ଭେ ରିପୋର୍ଟ । ଏସସି, ଏସଟି, ଓବିସି ଓ ଅଧିକ ପଛୁଆ ବର୍ଗଙ୍କ ସଂରକ୍ଷଣ ସୀମା ୫୦ ରୁ ୬୫ ପ୍ରତିଶତକୁ ବଢାଇବା ଲାଗି ସରକାର ଆଣିଛନ୍ତି ପ୍ରସ୍ତାବ । ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର କ୍ରେଡିଟ ନେବାକୁ ନେଇ ନୀତୀଶଙ୍କୁ ବିରୋଧୀ କରିଛନ୍ତି ଅଧିକ ଟାର୍ଗେଟ ।