୫୩ ବର୍ଷ ପରେ ଓଡ଼ିଆ ସିନେମା ’ପରିଣାମ’ର ହେଲା ସ୍ପେଶାଲ୍ ସ୍କ୍ରିନିଂ

ଭୁବନେଶ୍ବର: ୫୩ ବର୍ଷ ପରେ ଓଡ଼ିଆ ସିନେମା ପରିଣାମ ହେଲା ସ୍ପେଶାଲ୍ ସ୍କ୍ରିନିଂ । ଏହି ୧୨ତମ ଓଡ଼ିଆ ଫିଲ୍ମକୁ ଜୟଦେବ ଭବନରେ ସ୍କ୍ରିନୀ କରିଛି ଫିଲ୍ମ ଜୋର୍ଣାଲିଷ୍ଟ ଫୋରମ୍।୧୯୬୦ ମସିହାରେ  ହୋଇଥିଲା ରିଲିଜ୍‌।ଯାହାକୁ ଦେଖି ଦର୍ଶକ ଫେରିଗଲେ ସେହି ପୁରୁଣା ଦିନକୁ । ‘ପରିଣାମ’ସିନେମାର ହେଲା ପୁନରୁଦ୍ଧାର । ଦର୍ଶକ ସାଉଁଟିଲେ ୫୩ ବର୍ଷର ପୁରୁଣା ସ୍ମୃତି । କେତେବେଳେ ପରିବାର ମଧ୍ୟରେ ହସ ଖୁସିର ମହୋଲ ତ ଆଉ କେତେବେଳେ କଳି ଝଗଡ଼ା । ଏମିତି କିଛି ବଳିଷ୍ଠ ପାରିବାରିକ କାହାଣୀକୁ ୧୯୬୦ ମସିହା ନଭେମ୍ବର ୩ ତାରଖରେ କଟକର କ୍ୟାପିଟାଲ୍‌, ପୁରୀର ଶ୍ରୀକୃଷ୍ଣ ଓ ଆସ୍କାର ଉତ୍କଳ ଟକିଜ୍‌ରେ ମୁକ୍ତିଲାଭ କରଥିଲା ଦ୍ୱାଦଶ ଓଡ଼ିଆ ଫିଲ୍ମ ‘ପରିଣାମ’।

କିନ୍ତୁ ଏହି ଚଳଚ୍ଚିତ୍ର ସମୟ ଗର୍ଭ ରେ ବିଲୁପ୍ତ ହୋଇଯାଇଥିଲା। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ଆୟୋଜିତ ୨୦ ତମ ସ୍ମୃତିଛାୟା କାର୍ଯ୍ୟକ୍ରମରେ ଦର୍ଶକ ପୁଣି ଦେଖିବାକୁ ପାଇଲେ ଚଳଚ୍ଚିତ୍ର ପରିଣାମ। ତାଜା ହେଲା ସ୍ମୃତି।ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଙ୍କ କହିବା ମୁତାବକ ଏହାର ପ୍ରଯୋଜକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ୧୯୮୯ରେ ପ୍ରକାଶିତ ଏକ ସାକ୍ଷାତକାରରେ କହିଥିଲେ ୧୯୬୯ ବନ୍ୟାରେ ସବୁ ପ୍ରିଣ୍ଟ୍‌ ନଷ୍ଟହୋଇଗଲା।ଦୀର୍ଘ ୨ବର୍ଷର ଅକ୍ଳାନ୍ତ ପରିଶ୍ରମ ଏବଂ ବିଭିନ୍ନ ସିନେମାର ସଂଯୋଗରେ ‘ପରିଣାମ’ ସମ୍ପୂର୍ଣ୍ଣ ନୂଆ ରୂପ ନେଇଛି । ୯୦ ମିନିଟ୍‌ରୁ ପାଖାପାଖି ୬ମିନିଟ୍ କଟି ୮୪ ମିନିଟ୍ ଅବଧିର ଚିତ୍ରକୁ ପ୍ରଦର୍ଶିତ କରାଯାଇଛି।

୧୯୬୦ ମସିହାରେ ନିର୍ମିତ ପରିଣାମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ପ୍ରମୋଦ ପାଣିଗ୍ରାହୀ, ଦୁଃଖୀରାମ ସ୍ୱାଇଁ, ଗୀତିସୁଧା, ତୁଷାର ପାଣିଗ୍ରାହୀଙ୍କ ସହ ତତ୍କାଳୀନ ମଂଚଜଗତର ପ୍ରଖ୍ୟାତ ଅଭିନେତା ଅଭିନେତ୍ରୀ, ଯଥା ମାଷ୍ଟର ମାଣିଆ,ପୂର୍ଣ୍ଣ ଚାନ୍ଦ, ସୁନ୍ଦରମଣି, କିଶୋରୀ ଦେବୀ ଓ କାର୍ତ୍ତିକ କୁମାର ଘୋଷ ।ଏହା ଥିଲା ପ୍ରଖ୍ୟାତ ଅଭିନେତା ଧୀରେନ୍ଦ୍ର ବିଶ୍ୱାଳଙ୍କର ଅଭିନୀତ ତୃତୀୟ ଫିଲ୍ମ। ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ସଂଯୋଜନାରେ ‘ପରିଣାମ’ରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ ଓ ନିର୍ମଳା ମିଶ୍ର। ୯୦ ମିନିଟ ଅବଧିର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ନାୟକ। ଗାୟକ ଭାବେ ଏହା ଥିଲା ଅକ୍ଷୟ ମହାନ୍ତିଙ୍କର ତୃତୀୟ ଫିଲ୍ମ।ଯାହାକୁ ଦେଖିବା ପରେ ଦର୍ଶକ ଫେରି ଯାଇଥିଲେ ସେହି ପୁରୁଣା ଦିନକୁ। ବର୍ତ୍ତମାନ ଓଡ଼ିଆ ସିନେମା ଘଡିସନ୍ଧି ମୁହୂର୍ତ୍ତ ରେ ଗତି କରୁଥିବା ବେଳେ ୬୦ ଦଶକର ପୁରୁଣା ଚଳଚ୍ଚିତ୍ର ଦେଇପାରେ ନୂତନ ପ୍ରଯୋଜକ ନିର୍ଦ୍ଦେଶକ ଙ୍କ ମଧ୍ୟରେ ନୂଆ କିଛି କରି ଦେଖାଇବାର ଆକାଂକ୍ଷା ।