ରାଜ୍ୟରେ ବଢୁଛି ରପ୍ତାନୀ ଅଭିବୃଦ୍ଧି ହାର, ରେକର୍ଡ କରିବ ଓଡ଼ିଶା

1 min read

ଭୁବନେଶ୍ବର: ରାଜ୍ୟରେ ବଢୁଛି ରପ୍ତାନୀ ଅଭିବୃଦ୍ଧି ହାର । ଗତ ପାଞ୍ଚ ବର୍ଷରେ ଏହା ୬୪ ପ୍ରତିଶତ ବଢିଛି । ଷ୍ଟେଟ ଏକ୍ସପୋର୍ଟ ଆଓ୍ବାର୍ଡ ବିତରଣ ଅବସରରେ ଏହି ତଥ୍ୟ ରଖିଛି ଏମଏସଏମଇ ବିଭାଗ । ରପ୍ତାନୀରେ ଉଡ଼ାଣ ଭରିବାକୁ ଡିସେମ୍ବରରୁ ଭୁବନେଶ୍ବର ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ମେଟାଲ, ମିନେରାଲ, କେମିକାଲ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ଭଲ ରପ୍ତାନୀ ଚାଲିଛି ।

ରପ୍ତାନୀରେ ରେକର୍ଡ କରିବ ଓଡ଼ିଶା । ସାରଥି ସାଜିବ ବିଜୁ ପଟ୍ଟନାୟକ ବିମାନ ବନ୍ଦର । ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା । ଡିସେମ୍ବର ପ୍ରଥମ ସପ୍ତାହରୁ ଭୁବନେଶ୍ବର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ରପ୍ତାନି ଓ ଆମଦାନୀ କାର୍ଗୋ ସେବା ଆରମ୍ଭ ହେବ । ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ଡିଜିସିଏ ସେଫଟି ଠାରୁ ନଭେମ୍ବର ଶେଷ ସୁଦ୍ଧା ଲାଇସେନ୍ସ ଆଣିବା ପରେ ସେବା ଆରମ୍ଭ ହେବ । ସେହିପରି ପାରାଦ୍ବୀପ ବନ୍ଦରରେ କଣ୍ଟେନର କାର୍ଗୋ ସେବାକୁ ବ୍ୟାପକ କରାଯିବ ।

ଗତ ପାଞ୍ଚ ବର୍ଷରେ ରପ୍ତାନି କ୍ଷେତ୍ରରେ ଓଡ଼ିଶାରେ ୬୪ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୧୮-୧୯ରେ ୪୮ ହଜାର ୧୧୭.୬୦ କୋଟି ରପ୍ତାନୀ ଥିବାବେଳେ ୨୦୨୨-୨୩ରେ ଏହା ୯୫ ହଜାର ୭୭୩.୯୫ କୋଟିରେ ପହଞ୍ଚିଛି । ୨୦୧୯-୨୦ରେ ୫୧ ହଜାର ୭୪୨.୩୦ କୋଟି, ୨୦୨୦-୨୧ରେ ୮୦ ହଜାର ୪୧୯.୩୩ କୋଟି ଓ ୨୦୨୧-୨୨ରେ ୧ ଲକ୍ଷ ୩୨ ହଜାର ୪୦୫.୧୧ କୋଟିର ରପ୍ତାନୀ ହୋଇଥିବା ଏମଏସଏମଇ ବିଭାଗ କହିଛି । ଆଗାମୀ ପାଞ୍ଚ ବର୍ଷରେ 3.5 ଲକ୍ଷ କୋଟି ରପ୍ତାନି ଲକ୍ଷ୍ୟ ରଖାଯାଇ ଉଦ୍ୟୋଗୀମାନଙ୍କ ପାଇଁ ଏୟାର କାର୍ଗୋ ପରି ନୂତନ ସୁଯୋଗ ସୃଷ୍ଟି କରାଯାଉଛି ।

ରପ୍ତାନୀରେ ନୂଆ ନୂଆ ରେକର୍ଡରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ରହିଛି । ଭିତ୍ତିଭୂମି ସହ ବାଣିଜ୍ୟ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି କରି ପାରିଛି ଏମଏସଏମଇ ବିଭାଗ । ଯେଉଁଥି ପାଇଁ ଷ୍ଟେଟ ଏକ୍ସପୋର୍ଟ ଆଓ୍ବାର୍ଡ ବିତରଣ ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଓସିଏଲ୍, ଭେଦାନ୍ତ ପରି କଂପାନୀଙ୍କୁ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ବର୍ଷରୁ ରପ୍ତାନୀ କ୍ଷେତ୍ରରେ ବଡ଼ ଶିଳ୍ପ ଓ ଏମଏସଏମଇକୁ ଭିନ୍ନ ଭିନ୍ନ ପୁରସ୍କାର ପ୍ରଦାନ କରାଯିବ ।

ଅଭିବୃଦ୍ଧିକୁ ଆହୁରି ଦୃତ ଗତିରେ ବଢାଇବାକୁ ଓଡ଼ିଶା କେମିକାଲ ହବ୍ ହେବାକୁ ଯାଉଛି । ଆଇଓସିଏଲ୍ ସହ ୬୦ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହାର ଭିତ୍ତିଭୂମି ଓ ଜମି ଅଧିଗ୍ରହଣ ପରି ସମସ୍ତ ସହଯୋଗ ପ୍ରଦାନ କରି ଚାଲିଛନ୍ତି ରାଜ୍ୟ ସରକାର ।