ସହିଦଙ୍କୁ ଜନ୍ମମାଟିରେ ଗାର୍ଡ ଅଫ୍ ଅନର୍

ବାଲେଶ୍ବର: ପଞ୍ଚଭୂତରେ ବିଲୀନ ହେଲେ ବୀର ଓଡ଼ିଆ ପୁଅ ପ୍ରକାଶ ଶିଅଳ । ଜନ୍ମମାଟି ବାଲେଶ୍ବର ଜିଲ୍ଲା ବାହାନଗାର ଗୋପାଳପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି । ପ୍ରକାଶଙ୍କ ୮ ବର୍ଷର ପୁଅ ମୁଖାଗ୍ନୀ ଦେଇଥିଲେ । ଶୋକାକୂଳ ପରିବେଶରେ ପ୍ରକାଶକୁ ବିଦାୟ ଜଣାଇଛନ୍ତି ଆତ୍ମୀୟ, ପରିଜନ ଓ ଗ୍ରାମବାସୀ । । ୨୦୦୬ରୁ ବିଏସଏଫରେ ଯୋଗ ଦେଇ ଦୀର୍ଘ ୧୭ ବର୍ଷ ଦେଶ ସେବାରେ ନିୟୋଜିତ ଥିଲେ ପ୍ରକାଶ । ଶେଷ ଥର ପାଇଁ ସେପ୍ଟେମ୍ବର ୬ ତାରିଖରେ ଗାଁକୁ ଆସିଥିଲେ । ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ସହିଦ ହୋଇଥିଲେ । ଆଜି ପ୍ରାର୍ଥୀବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଏସଏଫ ଓ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ପାର୍ଥିବ ଶରୀରକୁ ଜନ୍ମମାଟି ଅଭିମୁଖେ ନିଆଯାଇଥିଲା । ରାସ୍ତାସାରା ସଭିଏ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ବାଲେଶ୍ବରବାସୀ ପ୍ରକାଶକୁ ଶେଷ ସମ୍ମାନ ଜଣାଇଥିଲେ । ପରେ ଗୋପାଳପୁରରେ ତାଙ୍କର ଶେଷକୃତ୍ୟ କରାଯାଇଛି ।