ସ୍ବପ୍ନ ସାକାର କରୁଛି ଷ୍ଟାର୍ଟଅପ୍ ଓଡ଼ିଶା

1 min read

ଭୁବନେଶ୍ବର: ପାଠପଢା ସମୟରୁ ଉଦ୍ୟୋଗୀ ହେବାର ସୁଯୋଗ । ଉଦ୍ୟୋଗୀ ହେବା ନେଇ କଲେଜ ଛାତ୍ରଛାତ୍ରୀଙ୍କ ନୂଆ ଆଇଡିଆ ଓ ନୂଆ ଭାବନାକୁ ସାଉଁଟିବା ପାଇଁ ଚାଲିଛି ଷ୍ଟାର୍ଟ ଅପ୍ ଯାତ୍ରା । ସେପ୍ଟେମ୍ବର ୧୧ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଏହି ଯାତ୍ରା ବିଭିନ୍ନ ଜିଲ୍ଲାର କଲେଜରେ ପହଞ୍ଚିଛି । ରାଜ୍ୟରେ ୫ହଜାର ନୂଆ ଆଇଡିଆ ସଂଗ୍ରହ କରି ଊଦୀୟମାନ ଉଦ୍ୟୋଗୀ ସୃଷ୍ଟି କରିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  । ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଉଥିବାରୁ ଛାତ୍ରୀଙ୍କ ଉପରେ ଅଧିକ ଫୋକସ କରାଯାଇଛି ।

ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ । ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ଓଡ଼ିଶା ଜାତୀୟ ହାରଠାରୁ ଅନେକ ଆଗରେ । ପାଠପଢା ବେଳୁ ଉଦ୍ୟୋଗୀ ହେବାର ସ୍ବପ୍ନକୁ ସାକାର କରୁଛି ଷ୍ଟାର୍ଟଅପ୍ ଓଡ଼ିଶା । ସେପ୍ଟେମ୍ବର ୧୧ରୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଷ୍ଟାର୍ଟ-ଅପ୍ ଯାତ୍ରା ଏବେ ସବୁ ଜିଲ୍ଲାର ଅନେକ କଲେଜରେ ପହଞ୍ଚିଛି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଷ୍ଟାର୍ଟ-ଅପ୍ ପାଇଁ ଆଇଡ଼ିଆ ଖୋଜା କ୍ୟାମ୍ପରେ ଅନେକ ଉତ୍ସାହ । ଏକାଡ଼େମିକ ପାଠ ସହ ନିଜ ଭିତରେ ଥିବା ନୂଆ ଚିନ୍ତାଧାରା, ଭାବନାକୁ ଉଦ୍ୟୋଗ ରୂପ ଦେବା ପାଇଁ ସହାୟତାର ହାତ ବଢାଇଛି ଷ୍ଟାର୍ଟ-ଅପ୍ ଓଡ଼ିଶା । ରାଜ୍ୟ ସରକାରଙ୍କ ବଳିଷ୍ଠ ନୀତି, ନୂଆ ଉଦ୍ୟୋଗ ପାଇଁ ମାସିକିଆ ପ୍ରୋତ୍ସାହନ, ପୁଞ୍ଜି ବିନିଯୋଗର ରାସ୍ତା ସାଙ୍ଗକୁ ମାର୍କେଟିଙ୍ଗ ପାଇଁ ସ୍ବତନ୍ତ୍ର ଖସଡ଼ା ଷ୍ଟାର୍ଟଅପ୍ ଓଡ଼ିଶାକୁ ସାରା ଦେଶରେ ଅଗ୍ରଣୀ କରିପାରିଛି ।

୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ଷମ ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ମୋବାଇଲ୍ ଭ୍ୟାନ୍ କ୍ୟାମ୍ପ ଦ୍ବାରା ସଂଗୃହୀତ ନୂଆ ଆଇଡିଆକୁ ସିଲେକସନ୍ କମିଟି ଅନୁଶୀଳନ କରି ସର୍ଟ୍ଲିଷ୍ଟ କରୁଛି । ୬୦ଟି ବୁଟ୍କ୍ୟାମ୍ପ୍ ଜରିଆରେ ଉଦ୍ୟୋଗୀ ଚୟନ ହେବାକୁ ଥିବା ବେଳେ କ୍ୟାମ୍ପ ଲାଗିଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ । ୨୦ଟି ସର୍ବଶ୍ରେଷ୍ଠ ନୂଆ ଚିନ୍ତନକୁ ଭୁବନେଶ୍ବର ଓ-ହବ୍ରେ ଇନ୍କ୍ୟୁବେସନ୍ ପାଇଁ ଅଣାଯିବ । କଲେଜ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ଅଭିନବ ସ୍ବତନ୍ତ୍ର ଷ୍ଟାର୍ଟ୍ ଅପ୍ ଆଇଡିଆକୁ ୩ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଦିଆଯିବ ।

୩୩ ପ୍ରତିଶତ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହା ଏବେ ୪୧ ପ୍ରତିଶତରେ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ । ୪ଲକ୍ଷ ବର୍ଗଫୁଟର ୨୭ଟି ଇନକ୍ୟୁବେଟରରେ ଏକାବେଳେ ୫ଶହ ଉଦ୍ୟୋଗୀ କାମ କରିବାର ସୁଯୋଗ ଦେଇଛନ୍ତି ସରକାର । ବିଶ୍ବବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ଆଇଡ଼ିଆକୁ ବାସ୍ତବ ରୂପ ଦେବା ପାଇଁ ଇକୋ-ସିଷ୍ଟମ କରାଯାଇଛି । ନୂଆ ଷ୍ଟାର୍ଟ୍ ଅପ୍ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଜମି ଓ ବ୍ୟାଙ୍କ ଋଣ ସହାୟତା ପ୍ରଦାନ ନେଇ ଓ-ହବ୍ ସବୁ ପ୍ରକାର ସହଯୋଗ ଯୋଗାଇ ଆସୁଛି । ଏବେ ସୁଦ୍ଧା ୧୭୭୩ ଜଣ ଷ୍ଟାର୍ଟଅପ୍ ଉଦ୍ୟୋଗୀ ସୃଷ୍ଟି ହୋଇସାରିଛନ୍ତି ।