spot_img
Home Blog Page 2429

କେତେ ଭୟାନକ JN.1 ଭାରିଆଣ୍ଟ; ଜାଣନ୍ତୁ କ’ଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ…

ନୂଆଦିଲ୍‌ଲୀ: ପୁଣିଥରେ କାୟା ବିସ୍ତାର କରୁଛି କରୋନା। କରୋନା ଭାଇରସର ନୂଆ ଭାରିଆଣ୍ଟ JN.1 ଏବେ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରୁଛି। ଭାରତରେ କେରଳର ସବ ଭାରିଆଣ୍ଡ JN.1 ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ଥଣ୍ଡା ଜନିତ ସମସ୍ତ ରୋଗ ଉପରେ ନଜର ରଖିବାକୁ ସତର୍କତା ଜାରି କରିଛନ୍ତି। ସବୁ ରାଜ୍ୟ ଏ ନେଇ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ଏସବୁ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡର ନୂଆ ଭାରିଆଣ୍ଟ JN.1କୁ ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ଭାବେ ଚିହ୍ନଟ ତଥା ବର୍ଗୀକରଣ କରିଛି। ତେବେ ଏହି ଭାରିଆଣ୍ଟର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏତେଟା ବିପଦ ନାହିଁ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ନୂଆ ଭାରିଆଣ୍ଟ JN.1କୁ ନେଇ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ବିପଦ କମ ରହିଥିବା ଜଣାପଡିଛି।

ବର୍ତ୍ତମାନ କୋଭିଡର ମୁକାବିଲା ନେଇ ଦିଆଯାଉଥବା ଟୀକା ଏହି ଭାରିଆଣ୍ଟ ଉପରେ ଫଳପ୍ରଦ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏହି ଟୀକା କୋଭିଡର ସମସ୍ତ ଭାରିଆଣ୍ଟକୁ ନେଇ ସୃଷ୍ଟି ହେଉଥିବା ଗମ୍ଭୀର ସ୍ଥିତି ଏବଂ ମୃତ୍ୟୁରୁ ରକ୍ଷା କରିବାରେ ସମର୍ଥ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ପୂର୍ବରୁ କରୋନାର ନୂଆ ଭାରିଆଣ୍ଟକୁ ନେଇ ସଦସ୍ୟ ରାଷ୍ଟ୍ରକୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲା ଡବ୍ଲୁଏଚଓ।

ରଶ୍ମିକା ମନ୍ଦନା ଡିପଫେକ ଭିଡିଓ ମାମଲା; ୪ ଅଭିଯୁକ୍ତଙ୍କୁ ଜେରା କଲା ଦିଲ୍ଲୀ ପୋଲିସ, ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ରଶ୍ମିକା ମନ୍ଦନା ଡିପଫେକ ଭିଡିଓ ମାମଲା। ୪ ଅଭିଯୁକ୍ତଙ୍କୁ ଜେରା କଲା ଦିଲ୍ଲୀ ପୋଲିସ। ବଡ଼କଥା ହେଉଛି ଡିପଫେକ ଭିଡିଓ ମାମଲାରେ ୩ ଅଭିଯୁକ୍ତଙ୍କ ନାଁ ଦେଇଥିଲା ମେଟା। ଜେରାରୁ ଜଣାଯାଇଛି- ଜାଲ୍ ପରିଚୟ ଆଧାରରେ ଡିପଫେକ ଭିଡିଓ ଅପଲୋଡ କରାଯାଇଥିଲା। ତେବେ ଏହି ଫେକ ଭିଡିଓକୁ ଅଭିଯୁକ୍ତମାନେ ସୃଷ୍ଟି କରି ନଥିଲେ ବରଂ ଅପଲୋଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଏହି ମାମଲାରେ ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି। ଗତ ନଭେମ୍ବରରେ ରଶ୍ମିକାଙ୍କ ଫେକ୍ ଭିଡିଓକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଅମିତାଭ ବଚ୍ଚନ, ବିଜୟ ଦେବରକୋଣ୍ଡା, ନାଗା ଚୈତନ୍ୟ, ମୃଣାଳ ଠାକୁର ସମାଲୋଚନା କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ।

ଅଧିକ ପଢନ୍ତୁ:- କ’ଣ ଏହି DeepFake ଭିଡିଓ? ଜାଣନ୍ତୁ ଚଳିତ ବର୍ଷ କେତେ ଜଣ ଏହାର ଶିକାର ହୋଇଛନ୍ତି

ଏହି ଘଟଣାକୁ ନେଇ ଆଇପିସିର ଧାରା ୫୬୫, ୪୬୯ ଓ ଆଇଟି ଆଇନର ଧାରା ୬୬ସି, ୬୬ଇ ଅନୁସାରେ ଦିଲ୍ଲୀ ପୋଲିସରେ ମାମଲା ରୁଜୁ ହୋଇଥିଲା। ରଶ୍ମିକାଙ୍କ ସମେତ କାଟ୍ରିନା କୈଫ ଓ କାଜୋଲଙ୍କ ଡିପଫେକ ଭିଡିଓ ମଧ୍ୟ ଅପଲୋଡ ହୋଇଥିବା ଅଭିଯୋଗ ହୋଇଥିଲା।

ଉଲ୍ଲେଖଯାଗ୍ୟ, ଗତ ନଭେମ୍ବର ମାସରେ ଡିପଫେକ ଭିଡିଓର ଶିକାର ହୋଇଥିଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ତେବେ ଅରିଜିନାଲ ଭିଡିଓରେ ବ୍ରିଟିଶ-ଭାରତୀୟ ଯୁବତୀ ଜାରା ପଟେଲ ଅଛନ୍ତି। କିନ୍ତୁ ଡିପ୍‌ଫେକ୍‌ରେ ତାଙ୍କ ଚେହେରାକୁ ବଦଳାଇ ରଶ୍ମିକାଙ୍କ ଚେହେରା ରଖାଯାଇଥିଲା। ରଶ୍ମିକାଙ୍କ ଡିପଫେକ ଭିଡିଓ ଭାଇରଲ ହେବାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଅଭିନେତ୍ରୀ । ନକଲି ଭଡିଓ ଦେଖି ଖୁବ୍ ଦୁଃଖିତ । ଏହା ତାଙ୍କର ଭିଡିଓ ନୁହେଁ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏହା ପ୍ରସ୍ତୁତ ହେଇଛି ବୋଲି ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା।

୧୪୧ ସାଂସଦଙ୍କୁ ସସପେଣ୍ଡ କରିବା ଘଟଣା; ସରକାରଙ୍କୁ ସମାଲୋଚନା କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ୧୪୧ ସାଂସଦଙ୍କୁ ସସପେଣ୍ଡ କରିବା ଘଟଣା। ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ। ସେ କହିଛନ୍ତି ସରକାରଙ୍କ ଦ୍ବାରା ଗଣତନ୍ତ୍ରକୁ ଶ୍ବାସରୁଦ୍ଧ କରାଯାଇଛି। ଯୁକ୍ତିଯୁକ୍ତ ଓ ଯଥାର୍ଥ କାରଣକୁ ନେଇ ଦାବି ଉଠାଇବା ସତ୍ତ୍ବେ ସେମାନଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିବସ ଗୁଡିକରୁ ସସପେଣ୍ଡ କରାଯିବା ଦୁର୍ଭାଗ୍ୟଜନକ।

ଏହିଧରଣର ଘଟଣା ଅତୀତରେ କେବେ ଘଟି ନଥିଲା। କଂଗ୍ରେସ ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ସୋନିଆ କହିଛନ୍ତି- ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରି ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ।

ଗତ ସପ୍ତାହରେ ଗୃହମନ୍ତ୍ରୀଙ୍କ ବିବୃତି ଦାବି ନେଇ ସଂସଦରେ ସାଂସଦମାନେ ହଟ୍ଟଗୋଳ କରିଥିବାରୁ ବର୍ତ୍ତମାନ ସୁଦ୍ଧା ୧୪୧ ସାଂସଦଙ୍କୁ ସସପେଣ୍ଡ କରାଗଲାଣି। ସସପେଣ୍ଡ ଥିବା ଅବସ୍ଥାରେ ବିଭିନ୍ନ କମିଟି ଲାଗି ସେମାନେ ଭୋଟ ଦେଇପାରିବେ ନାହିଁ। ସସପେଣ୍ଡ କାଳରେ ସେମାନେ କୌଣସି ପ୍ରକାର ଭତ୍ତା ପାଇବେ ନାହିଁ। ସେପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଆସନ୍ତା ୨୨ ତାରିଖରେ ୧୪୧ ଏମପିଙ୍କୁ ସସପେଣ୍ଡ କରାଯିବା ପ୍ରତିବାଦରେ ଦେଶବ୍ୟାପୀ ପ୍ରତିବାଦ କରାଯିବ। ସଂସଦ ଭବନ ବାହାରେ କଂଗ୍ରେସ ସାଂସଦ ମାନେ ଗାନ୍ଧୀ ମୂର୍ତ୍ତି ତଳେ କରିଛନ୍ତି ପ୍ରତିବାଦ। ଅପରପକ୍ଷେ ନିଲମ୍ବନ ପ୍ରତିବାଦରେ ମହାରାଷ୍ଟ୍ରରେ ଏନସିପି କର୍ମୀ କରିଛନ୍ତି ବିକ୍ଷୋଭ।

ବିଜେଡିର ପ୍ରତିଷ୍ଠା ଦିବସରେ କରାଯିବ ସାଇକେଲ୍ ରାଲି

ଭୁବନେଶ୍ୱର: ଶଙ୍ଖ ଭବନରେ ବସିବ ଯୁବ ଓ ଛାତ୍ର ବିଜେଡିର ବୈଠକ। ବୈଠକରେ ଆସନ୍ତା ପ୍ରତିଷ୍ଠା ଦିବସ ସମ୍ପର୍କରେ କରାଯିବ ଆଲୋଚନା। ବିଜେଡି ପ୍ରତିଷ୍ଠା ଦିବସରେ ବିଶାଳ ସାଇକେଲ ରାଲି କରାଯିବ। ଆସନ୍ତା ୨୬ ତାରିଖରେ ହେବ ବିଶାଳ ସାଇକେଲ ରାଲି। ଆନନ୍ଦ ଭବନରୁ ଶଙ୍ଖଭବନ ଯାଏ କରାଯିବ ସାଇକେଲ ରାଲି। ଏହି ସାଇକେଲ ରାଲିରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହାସହ ରକ୍ତ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହେବ।

ଅପରପକ୍ଷେ ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପକ୍ଷରୁ ବାଲିଚନ୍ଦ୍ରପୁରରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଉଦଘାଟନ କରିଥିଲେ। ବଡ଼ଚଣା ନିର୍ବାଚନ ମଣ୍ଡଳୀର ୫ଟି ଜୋନକୁ ନେଇ ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ପ୍ରଶିକ୍ଷଣ ଶିବିରରେ ବଡ଼ଚଣା ବିଜେଡିର ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ । ଦୁଇ ଜଣ ପ୍ରଶିକ୍ଷକ ବିଜେଡି କର୍ମକର୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀ ଦିନରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ଓ ତୃଣମୂଳ ସ୍ତରରେ ଦଳକୁ କିପରି ମଜବୁତ କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଇଛି।

ଖାଦ୍ୟ ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି; ବିଶ୍ୱ ରେକର୍ଡ଼ କରିବାକୁ ପ୍ରୟାସ

ଜନକପୁର: ଖାଦ୍ୟ ଶସ୍ୟ ବ୍ୟବହାର କରି ଭଗବାନ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ଚିତ୍ର ବନାଇ ବିଶ୍ୱ ରେକର୍ଡ କଲେ ନେପାଳର କାରିଗର। ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ଭଗବାନଙ୍କ ଚିତ୍ର ତିଆରି କରିବା ପାଇଁ ୧୧ ପ୍ରକାରର ଶସ୍ୟ ବ୍ୟବହାର କରାଯାଇଥିଲା। ଏଥିରେ ଧାନ, ମାଣ୍ଡିଆ, ମୁଗ, କୋଳଥ ଭଳି ୧ କ୍ୱିଣ୍ଟାଲରୁ ଅଧିକ ଖାଦ୍ୟ ଶସ୍ୟର ବ୍ୟବହାର ହୋଇଛି। ।

ଏହି ଚିତ୍ରର ଲମ୍ବ ୧୨୦ ଫୁଟ୍ ହୋଇଥିବା ବେଳେ ଚଉଡା ରହିଛି ୯୧.୫ ଫୁଟ୍।  ଚିତ୍ର ଆଙ୍କିବା ପାଇଁ ୧୦ ଜଣ କଳାକାର ଏକାଠି ହୋଇଥିଲେ। ଯେଉଁଥିରେ ନେପାଳର ଦୁଇଜଣ ଏବଂ ଭାରତର ଆଠ ଜଣ କଳାକାର ରହିଛନ୍ତି । ତେବେ ଚିତ୍ର ତିଆରିରେ କୌଣସି କୃତ୍ରିମ ରଙ୍ଗ ବ୍ୟବହାର କରାଯାଇନଥିବା ଜଣାପଡିଛି।

ଚିତ୍ର ନିର୍ମାଣରେ ସମ୍ପୃକ୍ତ ଜଣେ କଳାକାର ସତୀଶ ଗୁଜର କହିଛନ୍ତି, ସେମାନେ ପ୍ରଭୁ ରାମ, ଦେବୀ ସୀତା, ବିଶ୍ୱମିତ୍ର ଏବଂ ରାଜା ଜନକଙ୍କ ଚିତ୍ର ବନାଇଛନ୍ତି। ସେ କହିଛନ୍ତି ଯେ ‘ବିଭା ପଞ୍ଚମୀ’ ଅବସରରେ କଳାକାରମାନେ ଏକାଠି ହୋଇ ଏହି ଚିତ୍ର ନିର୍ମାଣ କରିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ପ୍ରତିକୃତି ତିଆରି କରିବା ପାଇଁ ଶସ୍ୟ ବ୍ୟବହାର କରିଥିଲେ ଗୁଜର । ଏହି ଚିତ୍ରଟି ୧୦,୮୦୦ ବର୍ଗଫୁଟର ଏକ କ୍ଷେତ୍ରକୁ ଆବଦ୍ଧ କରିଥିଲା । ନେପାଳରେ ତିଆରି ହୋଇଥିବା ଏହି ବିଶାଳ ଚିତ୍ରକୁ କରିବା ଲାଗି ପାଖାପାଖି ୧ ସପ୍ତାହ ସମୟ ଲାଗିଥିଲା । ପରବର୍ତ୍ତୀ ସମୟରେ ଏହାକୁ ଦେଖିବା ପାଇଁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା ।

ରାଜ୍ୟର ୩୭୧୪ ଟିଜିଟି ଶିକ୍ଷକ ଓ ୪୫୨ ପିଇଟିଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ମାର୍ଗଦର୍ଶନ କରାଇବେ ମୁଖ୍ୟମନ୍ତ୍ରୀ।

ଏହି ଶିବିରରେ ନିଯୁକ୍ତି ପାଇବାକୁ ଥିବା ସମସ୍ତ ଶିକ୍ଷକ ଯୋଗଦେବେ। ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶୈକ୍ଷିକ ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟରେ ଚଳିତ ବର୍ଷ ଶିକ୍ଷକ ପଦ ପୂରଣ ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ପାଇଁ ଲିଖିତ ପରୀକ୍ଷା ନିକଟରେ ଶେଷ ହୋଇଥିଲା।

ଏକାସଙ୍ଗରେ ଏତେସଂଖ୍ୟକ ଶିକ୍ଷକ ନିଯୁକ୍ତି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି ଶିକ୍ଷାବିତ ମତପ୍ରକାଶ କରିଛନ୍ତି। କେବଳ ପ୍ରାଥମିକ ଶିକ୍ଷା, ଶିକ୍ଷା ନୁହେଁ ମାଧ୍ଯମିକ ବିଦ୍ୟାଳୟରେ ଶିକ୍ଷାର ମାନବୃଦ୍ଧି ପାଇଁ ଆଉ ୩୩୭୪ ଶିକ୍ଷକ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

୨୦୨୪ରେ ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ, ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କଲେ କୋର୍ଟ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ। କ୍ୟାପିଟଲ୍ ହିଂସା ମାମଲାରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି କୋଲୋରାଡୋ କୋର୍ଟ। ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଏହି ରାୟ ଦେଇଛନ୍ତି କୋର୍ଟ।

ବିଦ୍ରୋହ ସଂପର୍କିତ ଏହି ଧାରାକୁ ବ୍ୟବହାର କରି କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ ଆମେରିକା ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯିବା ଆମେରିକା ଇତିହାସର ପ୍ରଥମ ଘଟଣା। ୨୦୨୧ ଜାନୁଆରୀ ୬ରେ କ୍ୟାପିଟଲ୍ ହିଂସାକୁ ଉସୁକାଇବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଏଭଳି ନିଷ୍ପତ୍ତି ହୋଇଛି।

ତେବେ କୋଲୋରାଡୋ କୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ବାରସ୍ଥ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ। ଗତ ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ। ମାତ୍ର ସେ ନିଜ ପରାଜୟକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ପରେ ୨୦୨୧ ଜାନୁୟାରୀରେ ଆମେରିକାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକ ହ୍ୱାଇଟ ହାଉସରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।

ରାଉରକେଲା ସହରରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା

ରାଉରକେଲା: ରାଉରକେଲା ସହରରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୧୦୨୫ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ଜୀବନ ଗଲାଣି। ଗତକାଲି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଝାଡ଼ାବାନ୍ତିର ସମୀକ୍ଷା କରିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ସ୍ବାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ବିଭାଗ ସଚିବ ରାଉରକେଲା ଗସ୍ତ କରି ରାଉରକେଲା ସହରର ସ୍ଥିତି ଅନୁଧ୍ୟାନ କରିବେ।

ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବାରୁ କରାଯାଇଥିବାରୁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଉରକେଲା ସହରରେ ଝାଡାବାନ୍ତି ନିୟନ୍ତ୍ରଣ ହେବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। କିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ଟେଷ୍ଟରୁ କଲେରା ବାହାରିଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେବେ ଏହାର କାରଣ ଜାଣିବା ପାଇଁ ଏକ ଟିମ ଗଠନ କରାଯାଇଛି। ଅନ୍ୟପଟେ ଖାଦ୍ୟ ସୁରକ୍ଷା ଅଧିକାରୀ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ପାନୀୟ ଜଳ ପାଇପ ଲିକେଜର ମରାମତି କରାଯାଉଛି।

ଡରାଇଲାଣି କରୋନା: ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ କୋଭିଡ ବୈଠକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ କୋଭିଡ ବୈଠକ। ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ସରକାର। କୋଭିଡ ସ୍ଥିତି ସମୀକ୍ଷା କରିବେ। କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ବଢିବା ପରେ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରିଛନ୍ତି।

ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରି ପାରେ ଗାଇଡଲାଇନ। ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା ସେମିତି ଟେଷ୍ଟ କରାଯିବ। ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ। ଯଦି ଆସେ, ଜିନୋମ ସିକ୍ୱେନ୍ସ ପାଇଁ ପଠାଯିବ।

ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଏଣ୍ଟରେ ଗୁରୁତର ହେବାର କୌଣସି ସୂଚନା ନାହିଁ। ତଥାପି ସର୍ଭେଲାନ୍ସ ଜାରି ରହିଛି। କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି। ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସ୍ୱାସ୍ଥ୍ୟ ବିଭାଗ କରିଛି । ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି ସେମାନେ କୋଭିଡ୍ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।

ଶ୍ରୀମନ୍ଦିରରେ ବନକଲାଗି ନୀତି; ଆଜି ୪ ଘଣ୍ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ମାର୍ଗଶିର-ଶୁକ୍ଳ ଅଷ୍ଟମୀ ତିଥି। ଏହି ଅବସରରେ ଶ୍ରୀ ବିଗ୍ରହ ମାନଙ୍କ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଏହା ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି । ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ।

ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।